ଛାୟା-ବୁଦ୍ଧିର ସବୁଠାରୁ ଦୁଃଖଦାୟକ ପକ୍ଷ ହେଲା ନିଜେ ନିଜର ବୈଶିଷ୍ଟ୍ୟକୁ ଠିକ ଭାବେ ବୁଝିବାରେ ବାଧକ ସାଜିବା।
ଭାରତ ନିଜର ଦାର୍ଶନିକ ଗ୍ରନ୍ଥସମୂହ ପାଇଁ ବିଶ୍ୱବିଖ୍ୟାତ। ଦର୍ଶନ କ୍ଷେତ୍ରରେ ଭାରତର ଯୋଗଦାନକୁ ବିଶ୍ୱବାସୀ କେବଳ ମୁକ୍ତ କଣ୍ଠରେ ସ୍ୱୀକାର କରି ନାହାନ୍ତି ବରଂ ନିଜ ଶୈଳୀରେ ତାହାର ଦୋହନ ଓ ଉପଯୋଗ କରିଛନ୍ତି।
ଦାର୍ଶନିକ ଶ୍ରୀ ଭଟ୍ଟାଚାର୍ଯ୍ୟ କହନ୍ତି, "ବିଶ୍ୱ ସଂସ୍କୃତିରେ ପ୍ରାଚୀନ ଭାରତର ସବୁଠୁ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦର୍ଶନ କ୍ଷେତ୍ରରେ ହୋଇଛି। ଯଦି ଆଧୁନିକ ଭାରତୀୟ ବିଦ୍ୱାନଙ୍କୁ କୌଣସି ଉଦ୍ଦେଶ୍ୟରେ ଦାର୍ଶନିକ ଚିନ୍ତା କରିବାର ଅଛି ତେବେ ତାଙ୍କୁ ପ୍ରଥମେ ଭାରତୀୟ ଚିନ୍ତନ ଓ ପାଶ୍ଚାତ୍ୟ ଚିନ୍ତନର ତୁଳନାତ୍ମକ ଅଧ୍ୟୟନ କରିବାକୁ ପଡ଼ିବ। ଦରକାର ପଡ଼ିଲେ ତାଙ୍କ ମଧ୍ୟରେ କୌଣସି ସମ୍ଭାବିତ ସଂଶ୍ଲେଷଣ କରିବାକୁ ପଡ଼ିବ ବା କୌଣସି ଗୋଟିକୁ ତାର୍କିକ ଖଣ୍ଡନ କରିବାକୁ ହେବ।
ଛାୟା-ବୁଦ୍ଧିର ଏଭଳି ସଙ୍କଟ ଉପସ୍ଥିତ ହେବାର କାରଣ ହେଉଛି ଆମର ଶିକ୍ଷା ପ୍ରଣାଳୀ। ଏଇ ଶିକ୍ଷା ଭାରତୀୟଙ୍କ ଭିତରେ ପାଶ୍ଚାତ୍ୟ ପ୍ରତି ଆନୁଗତ୍ୟ ସୃଷ୍ଟି କରାଇଛି। ଇଂରାଜୀ କିପରି କହୁଛ, ତାହା ହିଁ ଶିକ୍ଷାକୁ ମାପିବାର ଆଧାର, ତାହା ହିଁ ବ୍ୟକ୍ତିର ମହତ୍ତ୍ୱାକାଂକ୍ଷା ହୋଇଯାଇଛି। ଶ୍ରୀ ଭଟ୍ଟାଚାର୍ଯ୍ୟ କହୁଛନ୍ତି, ଏବେର ଶିକ୍ଷା ଆମକୁ ଆତ୍ମାବଲୋକନ କରିବାକୁ ସୁଯୋଗ ଦେଇ ନାହିଁ। ଏହା ନା ଆମକୁ ଆମ ଅତୀତର ମହତ୍ତ୍ୱକୁ ବୁଝାଉଛି ନା ବର୍ତ୍ତମାନର ସମସ୍ୟା ଓ ଭବିଷ୍ୟତର ଲକ୍ଷ୍ୟ ଆମ ଆଗରେ ସ୍ପଷ୍ଟ କରିଛି। ଏହି ଶିକ୍ଷା ତ ଆମ ବାସ୍ତବିକ ବୁଦ୍ଧିକୁ ସୁପ୍ତ କରାଇ ଦେଇ ତା ଜାଗାରେ ଛାୟା-ବୁଦ୍ଧିକୁ ବସାଇ ଦେଇଛି। ଏହି ଛାୟା-ବୁଦ୍ଧିର ଆମର ବର୍ତ୍ତମାନ ଓ ଅତୀତ ସହ କୌଣସି ସମ୍ବନ୍ଧ ନାହିଁ।
ଆମ ଭିତରେ ଥିବା ଭାରତୀୟ ବୁଦ୍ଧି ସୁପ୍ତ ହୋଇ ପଡ଼ି ରହିଛି। ତା ଉପରେ ବସି ଥିବା କଳଙ୍କ ରୂପୀ ଛାୟା-ବୁଦ୍ଧି ପ୍ରଭାବୀ ଓ ଫଳଦାୟୀ ହୋଇପାରୁ ନାହିଁ। ଉଭୟ ସଂସ୍କରଣ ଭିତରେ ଭ୍ରମ ସ୍ଥିତି ସୃଷ୍ଟି ହୋଇଛି ଓ ଆମ ବୌଦ୍ଧିକ ଜଗତ ଏକ ନୈରାଶ୍ୟଜନକ କୋଳାହଳର ଶିକାର ହୋଇ ଯାଇଛି। ବୁଦ୍ଧିକୁ କଲମୀକରଣ ବା ସଙ୍କରିକରଣ କରିବା ଦ୍ୱାରା ଏହା ବନ୍ଧ୍ୟା ହୋଇଯାଇଛି। ଅର୍ଥାତ୍ ଦାସତା ଆମ ଆତ୍ମାରେ ପ୍ରବେଶ କରିସାରିଛି।
ଏହି ଦାସତ୍ୱ ଆମର ଦେହସୁଆ ହୋଇଯାଇଛି। ଏଥିରୁ ମୁକୁଳିବାକୁ ଆମ ମନ ତିଆରି ହେଉ ନାହିଁ। ଆମେ ଦୋଦଲ୍ୟମାନ ସ୍ଥିତିରେ ଅଛୁ। ନା ସେପଟକୁ ପୂରା ଯାଇ ପାରୁଛୁ ନା ଏପଟକୁ ଫେରି ପାରୁଛୁ।
ଭାଷା ସ୍ତରରେ ଆମେ ଆମର ସମାଜ ଶାସ୍ତ୍ରକୁ ବା ବିଚାର ପ୍ରଣାଳୀକୁ ମାତୃଭାଷାରେ ରଚନା କରିପାରୁ ନାହୁଁ। ଆମେ ଯେତେବେଳେ ଏଇ କଥା ଲୋକମାନଙ୍କୁ କହିବାକୁ ଯାଉଛୁ ସେତେବେଳେ ଆମକୁ ଉପଯୁକ୍ତ ଶବ୍ଦର ଅଭାବ ଅନୁଭୂତ ହେଉଛି। ସେ ଅଭାବ ପୂର୍ତ୍ତି କରିବାକୁ ଆମେ ବିଦେଶୀ ଶବ୍ଦ ଧାର ନେଉଛୁ। ଆମେ ଯଦି ଆମ ଶାସ୍ତ୍ର ପଢ଼ନ୍ତେ ତେବେ ଆମ ପାଇଁ ଶବ୍ଦର ଅଭାବ ହୁଅନ୍ତା ନାହିଁ। ଦୀର୍ଘ ସମୟ ଆମେ ଆମ ପାଠକୁ ସଙ୍ଗାରେ ଥୋଇ ଦେଇଛୁ। ତା ସହିତ ଆମର ସମ୍ବନ୍ଧ କଟିକଟି ଯାଉଛି। ମାତୃଭାଷାରେ ଲିଖିତ ଏହି ଗ୍ରନ୍ଥଗୁଡ଼ିକର ଉପଯୋଗ ନ ହେଲେ ଶବ୍ଦ ଭୁଲିଯିବା ତ ସ୍ୱାଭାବିକ।
ପଢ଼ା ଲେଖା ଲୋକ ଏକାଠି ହେଲେ ନିଜ ଭାଷା କମ୍ ଓ ପର ଭାଷା ବେଶୀ ମିଶାଇ ଏକ ଖିଚିଡ଼ି ଭାଷାରେ କଥା ହେଉଛନ୍ତି।
ନିଜ ଦେଶର ସାଂସ୍କୃତିକ ବିଚାରକୁ ସାଧାରଣ ଲୋକଙ୍କ ସମ୍ମୁଖରେ ନିଜ ଭାଷାରେ ବ୍ୟକ୍ତ କରିବା ଶିକ୍ଷିତ ବର୍ଗଙ୍କ ପାଖରେ ଅସମ୍ଭବ ହୋଇଯାଇଛି।
ଆଜି ଯଦି ଆପଣମାନେ ମୋତେ ମୋର ମାତୃଭାଷା ବଙ୍ଗଳାରେ କହିବା ପାଇଁ ଆଦେଶ ଦେଇଥାନ୍ତେ ତେବେ ମୋତେ ବି ବହୁତ କଷ୍ଟ କରିବାକୁ ପଡ଼ିଥାନ୍ତା।
ମୋର ମନ କହୁଛି ଏପରି ପ୍ରୟାସ ହେବା ଉଚିତ। ସାଧାରଣ ଲୋକଟିଏ ନିଜ ଭାଷାକୁ ଯେତିକି ସହଜରେ ନିର୍ଦ୍ୱନ୍ଦ୍ୱରେ ବୁଝିବ ସେତିକି ସେ ଅନ୍ୟ ଭାଷାରେ ବୁଝିବ ନାହିଁ। ତେଣୁ ମୋର ମତ ହେଲା ମାତୃଭାଷାରେ କହୁଥିବା ଲୋକଙ୍କୁ ପ୍ରଶଂସା କରିବା ପୁରସ୍କୃତ କରାଇବା। ଭାଷାର ଏଇ ବାଧାକୁ ପାର ହୋଇଗଲେ ବୈଚାରିକ ସ୍ୱାଧୀନତା ହାସଲ କରିବାରେ ଏହା ହେବ ପ୍ରଥମ ଓ ବଳିଷ୍ଠ ପଦକ୍ଷେପ।"
ବିଦେଶୀ ଶବ୍ଦକୁ ବା ବିଦେଶୀ ତତ୍ତ୍ୱକୁ ଗ୍ରହଣ କରିବା ଏବଂ ବିଦେଶୀ ପ୍ରଣାଳୀ ପ୍ରତି ସମର୍ପିତ ହେବା, ଏ ଦୁଇଟି ଏକା କଥା ନୁହଁ। ଏହା ଭିତରେ ବହୁତ ଅନ୍ତର ଅଛି। ଶ୍ରୀ ଭଟ୍ଟାଚାର୍ଯ୍ୟ କହୁଛନ୍ତି, "ଯେଉଁଠି ଏପରି ପ୍ରସଙ୍ଗ ଆସିବ ସେଇଠି ଆମ ଆଦର୍ଶକୁ ବିଦେଶୀ ଆଦର୍ଶରେ ସମାହିତ କରିବା ଅପେକ୍ଷା ବିଦେଶୀ ଆଦର୍ଶକୁ ଆମ ଆଦର୍ଶରେ ସମାହିତ କରିବା ସମୀଚୀନ ହେବ। କୌଣସି ବି ପରିସ୍ଥିତିରେ ନିଜ 'ସ୍ୱ' କୁ ତ୍ୟାଗ କରିବା ଅନୁଚିତ। ସ୍ବଧର୍ମେ ନିଧନଂ ଶ୍ରେୟଃ ପରଧର୍ମୋ ଭୟାବହଃ।"
କ୍ରମଶଃ....
୨୦.୧୦.୧୮

No comments:
Post a Comment