Wednesday, 17 October 2018

*ବୈଚାରିକ ସ୍ୱରାଜ୍ୟ*

କୃଷ୍ଣଚନ୍ଦ୍ର ଭଟ୍ଟାଚାର୍ଯ୍ୟଙ୍କ ସେହି ଭାଷଣ ସାମ୍ରାଜ୍ୟବାଦୀଙ୍କ କବଳରୁ ମୁକ୍ତ ହେବାର  ଘୋଷଣାପତ୍ର ଥିଲା ବୋଲି କହିଲେ କିଛି ଅତିଶୟୋକ୍ତି ହେବ ନାହିଁ। ସେ ଅତ୍ୟନ୍ତ ବିବେକପୂର୍ଣ୍ଣ ଉପାୟରେ ସ୍ୱାଧୀନତା ସଂଗ୍ରାମର ଆଲୋଚନା କରୁଥିଲେ। ତାଙ୍କ ମତରେ ଏବେ ସମସ୍ତେ କେବଳ ରାଜନୈତିକ ସ୍ୱାଧୀନତାର କଥା କହୁଛନ୍ତି। ଉପନିବେଶବାଦୀଙ୍କ ସାଂସ୍କୃତିକ ଆକ୍ରମଣରୁ ଦେଶକୁ କିପରି ରକ୍ଷା କରାଯିବ ସେ କଥା କାହାରି ତୁଣ୍ଡରୁ ବାହାରୁ ନାହିଁ। ସ୍ଵାଧୀନତା ପାଇବା ପାଇଁ ସତ୍ୟର ଆଗ୍ରହ କରିବାର ପ୍ରଶିକ୍ଷଣ ଦିଆଯାଉଛି। କିନ୍ତୁ ସତ୍ୟାଗ୍ରହୀମାନେ ଭାରତୀୟ ସମାଜକୁ ୟୁରୋପୀୟ ସାଂସ୍କୃତିକ ପ୍ରଭାବରୁ କିପରି ମୁକ୍ତ କରିବେ ସେ ବିଷୟରେ ସାମାନ୍ୟ ପ୍ରଶିକ୍ଷଣ ବି କେଉଁଠି ଦିଆଯାଉ ନାହିଁ। ଭାଷଣର ଆରମ୍ଭରେ ସେ କହିଲେ ଯେ ଆଜି ଆମେ ରାଜନୀତିରେ ସ୍ୱରାଜ ବା ଆତ୍ମ ନିର୍ଣ୍ଣୟର ଚର୍ଚ୍ଚା କରିବା।

ମନୁଷ୍ୟ ଉପରେ ମନୁଷ୍ୟର ପ୍ରଭୁତ୍ୱ ସର୍ବାଧିକ ସ୍ପଷ୍ଟତାର ସହ ରାଜନୀତି ପରିସରରେ ଅନୁଭବ କରିହୁଏ। କିନ୍ତୁ ବୈଚାରିକ କ୍ଷେତ୍ରରେ ଏଭଳି ଅନୁଭବ କରିବା ସହଜ ନୁହେଁ। ଏହି ବିଚାର ସ୍ତରରେ ଦେଖାଯାଏ ଯେ ଏକ ସଂସ୍କୃତି ଉପରେ ଆଉ ଏକ ସଂସ୍କୃତି ତାହାର ଆଧିପତ୍ୟ ପ୍ରତ୍ୟକ୍ଷ ଭାବେ ସ୍ଥାପିତ କରିଥାଏ। ଏହାର ପରିଣାମ ସାଙ୍ଘାତିକ ହୋଇଥାଏ। ରାଜନୈତିକ ଅଧୀନତାର ପ୍ରାଥମିକ ଅର୍ଥ ହେଲା ରାଷ୍ଟ୍ରୀୟ ଜୀବନରେ ବାହ୍ୟ ଆଚରଣର ବିରୋଧ। ଶାସକର ନିୟମକୁ ମାନିବାକୁ ପଡ଼େ। ଯଦି ନିୟମ ଭୁଲ ହୋଇଥାଏ ତେବେ ତା ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ପଡ଼େ। ଅର୍ଥାତ୍ ବାହ୍ୟ ଆଚରଣ ପ୍ରତି ସଜାଗ ଥିବା କାରଣରୁ ପ୍ରତିରୋଧ କରିବାର ସମ୍ଭାବନା ସ୍ୱାଭାବିକ ତିଆରି ହେଉଥାଏ। ଅନ୍ୟାୟ ଓ ଅତ୍ୟାଚାରକୁ ସହିବା ସହିତ ନିଜ ଚେତନାକୁ ଜାଗ୍ରତ ରଖି ମୁକ୍ତ ହେବାର ଉପାୟ ଖୋଜିବାକୁ ହୁଏ। ସାମୂହିକ ପ୍ରୟାସ ଦ୍ୱାରା ଏଥିରୁ ମୁକ୍ତି ପାଇବା ସହଜ ଓ ମୁକ୍ତି ପରେ 'ସ୍ୱ'କୁ ପ୍ରାପ୍ତ କରିବା ମଧ୍ୟ ସହଜ।

କିନ୍ତୁ ଏ ସବୁ ଲକ୍ଷଣ ସାଂସ୍କୃତିକ ଆକ୍ରମଣରେ ଜଣାପଡ଼େ ନାହିଁ। ଏହା ଶରୀରକୁ ଆଘାତ ଦେଉଥିବାର ବିଷୟ ନୁହେଁ। ଏହା କେତେବେଳେ ଶରୀର ଭେଦ କରି ମନ ମସ୍ତିଷ୍କରେ ପ୍ରବେଶ କରେ କେହି ଜାଣି ପାରନ୍ତି ନାହିଁ। ଏହା ବ୍ୟକ୍ତି ଭିତରେ ଥିବା ଆତ୍ମା ରୂପୀ ସଂସ୍କୃତିକୁ ହତ୍ୟା କରିଦେଇ ନିଜର ଆଧିପତ୍ୟ ଆରମ୍ଭ କରିଦିଏ। ବ୍ୟକ୍ତି ଭିତରେ ପର ସଂସ୍କୃତି ପ୍ରବେଶ କରିଯିବା ପରେ ସେ ତାର ଅଧୀନ ହୋଇଯାଏ। ଏଇଠୁ ଆରମ୍ଭ ହୁଏ ଅସଲ ଗୋଲାମୀ।

ସେ ଯାହାର ବିରୋଧ କରୁଥିଲା ତାହାର ଗୁଣଗାନ କରିବା ଆରମ୍ଭ କରିଦିଏ। ଏପରି ସମୟ ଆସେ ତାକୁ ସ୍ୱାଧୀନ କରିଦେଲେ ମଧ୍ୟ ସେ ପରତନ୍ତ୍ରର ଗୁଣଗାନ କରିବାକୁ ପରମ ସୌଭାଗ୍ୟ ଜ୍ଞାନ କରେ। ଏଇ ଅସଲ ଗୋଲାମୀରୁ ମୁକ୍ତି ହିଁ ପ୍ରକୃତ ସ୍ୱାଧୀନତା।

ସାଂସ୍କୃତିକ ଆଧିପତ୍ୟ ବିସ୍ତାର କରିବା ଓ ବାହ୍ୟ ସଂସ୍କୃତିକୁ ଆତ୍ମସାତ୍ କରିବା ଏକା କଥା ନୁହଁ।

କୌଣସି ସଂସ୍କୃତିକୁ ଆପଣେଇନେବା ଖରାପ କଥା ନୁହଁ। ସ୍ଵସ୍ଥ ବିକାଶ ପାଇଁ ଏପରି କରିବା ଏକ ସକାରାତ୍ମକ ଆବଶ୍ୟକତା ହୋଇପାରେ। ଏପରି ଆତ୍ମସାତୀକରଣ କୌଣସି ପ୍ରକାରେ ସ୍ୱାଧୀନତାକୁ ନଷ୍ଟ କରେ ବୋଲି କୁହାଯାଇ ପାରିବ ନାହିଁ।

କିନ୍ତୁ ସାଂସ୍କୃତିକ ଦାସତ୍ୱର କଥା ଅଲଗା। ଏହା ବ୍ୟକ୍ତିର ବିଚାର ଓ ଭାବନାର ସ୍ରୋତକୁ ଅପଦସ୍ତ କରେ। ତାକୁ ନ୍ୟୁନ କରି, ତା ଭିତରେ ନିଜ ସଂସ୍କୃତି ପ୍ରତି ଘୃଣା ଭାବ ତିଆରି କରିବାରେ ସମର୍ଥ ହୁଏ। ଶେଷରେ ବ୍ୟକ୍ତି ପର ସଂସ୍କୃତିକୁ କେବଳ ପ୍ରଶଂସା କରେ ନାହିଁ ବରଂ ତାର ଗୋଲାମ ହୋଇଯାଏ। ଯଦି କୌଣସି କାରଣରୁ ବ୍ୟକ୍ତି ସଜାଗ ରହି ନିଜକୁ ଏଥିରୁ ମୁକ୍ତ କରିନିଏ ତେବେ ତାକୁ ଅନୁଭବ ହୁଏ ଯେ ତା ଆଖିରେ ଲାଗିଥିବା ପରଳ ହଟିଗଲା ଏବଂ ସେ ପୁନର୍ଜନ୍ମର ଅନୁଭୂତି ଲାଭ କଲା। ଏହାକୁ ମୁଁ ବୈଚାରିକ ସ୍ୱରାଜ୍ୟ ବୋଲି କହୁଛି।

କ୍ରମଶଃ...

୧୭.୧୦.୧୮

No comments: