ପ୍ରତ୍ୟେକ ସଭ୍ୟତାରେ, ପ୍ରତ୍ୟେକ ସଂସ୍କୃତିରେ ସେହି ସଂସ୍କୃତି ବା ସେହି ସମାଜକୁ ବୁଝିବା ପାଇଁ, ସାମାଜିକ ସମ୍ବନ୍ଧକୁ ସ୍ପଷ୍ଟ କରିବା ପାଇଁ, ସାମାଜିକ ପ୍ରକ୍ରିୟାକୁ ଜାଣିବା ପାଇଁ କିଛି ସମାନ/ନିର୍ଦିଷ୍ଟ ଶବ୍ଦାବଳୀ ଓ ପରିଭାଷା ରହିଥାଏ। ସାମ୍ରାଜ୍ୟବାଦୀଙ୍କ ପ୍ରଭାବରୁ ଆମ ଦେଶରେ ବ୍ୟବହୃତ ଏପରି ଅନେକ ଶବ୍ଦାବଳୀ ଓ ଏହାର ପରିଭାଷା ବଦଳିଗଲା। ଏହି ଶବ୍ଦଗୁଡ଼ିକ ତାର ମୌଳିକତା ହରାଇ ବସିଲା। ଏତିକିରେ ସୀମିତ ନ ରହି ଭବିଷ୍ୟତର ସ୍ୱଚିନ୍ତନ ପ୍ରକ୍ରିୟା ଓ ମୌଳିକ ବୈଶ୍ବିକ ଦୃଷ୍ଟିକୋଣରୁ ଆମ ସମାଜ ଯାହା ସବୁ ଚିନ୍ତନ କରିଥିଲା, ସେସବୁକୁ ଏଇ ସାମ୍ରାଜ୍ୟବାଦୀମାନେ ତାଙ୍କ ବିଚାର ଉପଯୋଗୀ ହେବ ନାହିଁ ବୋଲି ଭାବି ଉପେକ୍ଷା କଲେ। ଏଇଭଳି ଏକ ଉପେକ୍ଷିତ ଶବ୍ଦ ହେଲା 'ଧର୍ମ'।
'ଧର୍ମ' ଶବ୍ଦ ଆମ ଶାସ୍ତ୍ରରେ ଓ ବ୍ୟବହାରରେ ଯେଉଁ ଅର୍ଥରେ ଉପଯୋଗ ହେଉଥିଲା ସେପରି ହେଲା ନାହିଁ। କାରଣ ତାକୁ ରିଲିଜିଅନ ଶବ୍ଦ ଦ୍ୱାରା ପରିଭାଷିତ କରାଗଲା। ଆମେ ରିଲିଜିଅନ ଭିତରେ ସୀମିତ ରହିଲେ। ଧର୍ମକୁ ଛାଡ଼ି ଦେଲେ।
ବିଶିଷ୍ଟ ସାହିତ୍ୟିକ ବିୟୋଗି ହରି ତାଙ୍କ ପୁସ୍ତକ 'ହମାରୀ ପରମ୍ପରା'ର ପୃଷ୍ଠା ୯ ରେ ଲେଖିଛନ୍ତି " ଭାରତର ପରମ୍ପରାରେ ଧର୍ମ ଓ ସଂସ୍କୃତିକୁ ଏକତ୍ର ଦେଖିବାକୁ ମିଳେ। ଧର୍ମର ଅର୍ଥ ଏପରି କଦାପି ହୋଇପାରିବ ନାହିଁ ଯାହା ସମ୍ପ୍ରଦାୟ ଓ ରିଲିଜିଅନ ଦ୍ୱାରା କରାଯାଇଛି।"
ଆମ ଉପରେ ଆଉ ଏକ ଶବ୍ଦ ଥୋପା ଗଲା।
ତାହା ହେଲା 'ସେକୁଲାର'।
ଆବାହମାନ କାଳରୁ ଆମ ଦେଶରେ ଯେଉଁ ଗଣତନ୍ତ୍ର ପ୍ରଣାଳୀ, ଗଣ ରାଜ୍ୟ, ଜନପଦ ବ୍ୟବସ୍ଥା, ପୂଜାପଦ୍ଧତି, ଦର୍ଶନ, ବିଭିନ୍ନ ମତାବଲମ୍ବୀ ମାନଙ୍କ ମଧ୍ୟରେ ବାଦ, ବିବାଦ, ସମ୍ବାଦ ଆଦି ହେବା ପରେ ସେମାନଙ୍କ ମଧ୍ୟରେ ଥିବା ସାମଞ୍ଜସ୍ୟକୁ ନେଇ ଗଢ଼ି ଉଠିଥିବା ପନ୍ଥ ନିରପେକ୍ଷ ଜୀବନଶୈଳୀ, ଯାହା ଆମ ଚିନ୍ତା, ଚେତନା ଓ ଆମ ସାହିତ୍ୟକୁ ଦୀପ୍ତିମନ୍ତ କରିଥିଲା ସେସବୁକୁ ଶୀତଳ ଭଣ୍ଡାରରେ ରଖି ଦିଆଗଲା। କାରଣ ସେକୁଲାର ଶବ୍ଦ ସହ ସେସବୁ କାଳେ ମେଳ ଖାଇଲା ନାହିଁ।
ପାଶ୍ଚାତ୍ୟ ରାଜତନ୍ତ୍ର ଓ ରିଲିଜିଅନ (ଚର୍ଚ୍ଚ) ତନ୍ତ୍ର ଭିତରେ ପ୍ରେମ, ଘୃଣା, ସାମଞ୍ଜସ୍ୟ, ଆଧିପତ୍ୟର ଝଗଡ଼ା ହେବାର ଏକ ଦୀର୍ଘ ଇତିହାସ ରହିଛି। ଠିକ ସେହିପରି ଖ୍ରୀଷ୍ଟିଆନ ସମ୍ପ୍ରଦାୟ ମାନଙ୍କ ଭିତରେ ଲଢ଼େଇ ହୋଇଛି। ମୁସଲମାନ ଖ୍ରୀଷ୍ଟିଆନ ଭିତରେ ଝଗଡ଼ା ହୋଇଛି। ଝଗଡ଼ାରୁ ମୁକ୍ତିପାଇଁ ସୁଧାର ପ୍ରକ୍ରିୟା ଭିତରୁ ସେକୁଲାର ଶବ୍ଦର ଜନ୍ମ ହୋଇଥିଲା।
ଭାରତର ସ୍ଵଭାବ ହେଲା ପନ୍ଥ ନିରପେକ୍ଷତା। ଅର୍ଥାତ୍ ଏଠାରେ ରହୁଥିବା ସମସ୍ତ ମତ ପନ୍ଥ ପ୍ରତି ସମାନ ଆଦର। ବିଦେଶରୁ ଆମଦାନୀ ହୋଇଥିବା ସେକୁଲାର ଓ ଏଠିକାର ପନ୍ଥ ନିରପେକ୍ଷ ଶବ୍ଦ ଭିତରେ ଆକାଶ ପାତାଳ ପ୍ରଭେଦ ରହିଛି। ଆମର ଏଠି କିଏ କାହାକୁ ପୂଜା କଲା, କେମିତି ପୂଜା କଲା ଏଥିରେ ଏତେ ମହତ୍ତ୍ୱ ଦିଆ ଯାଏ ନାହିଁ। ସବୁ ମତ, ସବୁ ପନ୍ଥ ନିଜ ନିଜ ଇଷ୍ଟ ଓ ନିଜ ନିଜ ଉପାସନା ପଦ୍ଧତି ପାଇଁ ସ୍ୱତନ୍ତ୍ର। ଏଥିପାଇଁ ଝଗଡ଼ା ହେବାର ଇତିହାସ ଆମ ଦେଶରେ ନାହିଁ। ଏଥିପାଇଁ ଏଠାରେ ଆଧ୍ୟାତ୍ମିକ ବହୁଳତାବାଦ(ସ୍ପିରିଚୁଆଲ ପ୍ଲୁରାଲିଜିମ) ସହିତ ଭବିଷ୍ୟତର ନୂତନ ସମ୍ଭାବନା ଗୁଡ଼ିକୁ ଆଶାବାଦୀ ଭାବେ ଦେଖାଯାଏ। ଯେଉଁଥିପାଇଁ ନୂଆ ଦର୍ଶନ, ନୂଆ ସମ୍ପ୍ରଦାୟ, ନୂଆ ଆଧ୍ୟାତ୍ମିକ ଗୁରୁଙ୍କ ଅଭ୍ୟୁଦୟ ହୁଏ। ଏଠାରେ ପ୍ରାଚୀନ ଦର୍ଶନ, ପ୍ରାଚୀନ ସମ୍ପ୍ରଦାୟ ଓ ଆଧ୍ୟାତ୍ମିକ ଗୁରୁଙ୍କୁ ତୁଳନାତ୍ମକ ଓ ସନ୍ଦର୍ଭ ଅନୁକୂଳ ମହତ୍ତ୍ୱ ଦିଆଯାଏ। ଆଲୋଚନା ସମୟରେ ନିନ୍ଦା ଓ ବିରୋଧକୁ ମଧ୍ୟ ଧର୍ଯ୍ୟର ସହ ଶୁଣାଯାଏ। ତା ଭିତରେ ଥିବା ଉପାଦେୟ ତଥ୍ୟକୁ ଗ୍ରହଣ କରାଯାଏ। ନିରନ୍ତରତା ସହ ପରିବର୍ତ୍ତନ ଭାରତର ଆଧ୍ୟାତ୍ମିକ ଓ ସାମାଜିକ ଦର୍ଶନକୁ ଜୀବନ୍ତ ରଖିଛି।
ଏଥିପାଇଁ ସୁଧାରବାଦୀ ଓ ପ୍ରଗତିଶୀଳ ହସ୍ତକ୍ଷେପ ଏଠାରେ ବର୍ବରତା ଓ କ୍ରୁରତାର ଶିକାର ହୋଇ ନାହିଁ। ଭାରତର ପନ୍ଥ ନିରପେକ୍ଷତା, ପ୍ରୟୋଗଧର୍ମୀ ସମାଜକୁ ପ୍ରତିବିମ୍ବିତ କରୁଛି। ଏଥିପାଇଁ ଏଠିକାର ସମାଜ ବ୍ୟବସ୍ଥା ଧାରକରା ବା କାହାଦ୍ୱାରା ଥୋପା ଯାଇଥିବା ସମାଜ ବ୍ୟବସ୍ଥା ନୁହଁ ବା ପରିସ୍ଥିତିର ଚାପରୁ ସୃଷ୍ଟ ଏକ ବିକଳ୍ପ ନୁହଁ। ଏହା ତ ବିଶୁଦ୍ଧ ମାନବତାର ମାନବିନ୍ଦୁକୁ ତଥା ମାନବ ଜୀବନର ଶାଶ୍ୱତ ମୂଲ୍ୟବୋଧକୁ ନେଇ ପ୍ରବହମାନ ହୋଇ ଆସିଛି। ଏହି ଶାଶ୍ୱତ ଜୀବନମୂଲ୍ୟକୁ ଆଘାତ କରୁଥିବା କୌଣସି ବିଚାର ତା' ଆଗରେ ନିଷ୍ପ୍ରଭ ହୋଇଛି ସିନା ତିଷ୍ଠି ପାରି ନାହାନ୍ତି।
ସେକୁଲାର ଅସ୍ତ୍ର ସେହିପରି ନିଷ୍ପ୍ରଭ ହେବ। ଏଥିରେ କୌଣସି ସନ୍ଦେହ ନାହିଁ। ସାମ୍ରାଜ୍ୟବାଦୀମାନେ ଏହି ଅସ୍ତ୍ର କେବଳ ଆମ ଉପରେ ନୁହେଁ ବରଂ ସେତେବେଳେ ଯେତେ ଦେଶ ଅଧିକାର କରିଥିଲେ ସେତେ ଦେଶରେ ପ୍ରୟୋଗ କରିଛନ୍ତି।
କ୍ରମଶଃ...
୧୫.୧୦.୧୮

No comments:
Post a Comment