ସାମ୍ରାଜ୍ୟବାଦୀଙ୍କ କବଳରୁ ମୁକ୍ତ ହେବା ଅର୍ଥ ସ୍ୱାଧୀନ ହେବା। 'ସ୍ୱ' ର ଅର୍ଥ କ'ଣ ? ସ୍ୱ କଣ ଜାଣିଲେ ସିନା ଜଣେ ସ୍ୱ ଅଧୀନତାର ଅର୍ଥ ଜାଣିପାରିବ। ତା ଆଧାରରେ ଅନ୍ୟ ସଭ୍ୟତା ଓ ଅନ୍ୟ ରାଷ୍ଟ୍ର ସହ ବ୍ୟବହାର କରିପାରିବ।
ସ୍ବାଧୀନତା ଭିତରେ ଆଧିପତ୍ୟର ଭାବ ନ ଥାଏ। ଏଥିରେ ଥାଏ ନିଜ ସ୍ଥାନର ପ୍ରକୃତି ଓ ପରିବେଶ ପ୍ରତି ମମତ୍ୱବୋଧ, ସ୍ୱାଭାବିକ ବିକାଶ ଓ ଅନ୍ୟ ସହ ରଚନାତ୍ମକ ଆଲୋଚନା ବା କଥାବାର୍ତ୍ତା।
କିନ୍ତୁ ସାମ୍ରାଜ୍ୟବାଦୀମାନେ କଲେ କଣ ?
ଭାରତୀୟ ପରିବେଶରେ ଇଂରେଜ ଆଧିପତ୍ୟ ଭାରତୀୟ ଭାଷାର ଲେଖକ, ସାହିତ୍ୟିକ, ସମାଜଶାସ୍ତ୍ରୀମାନଙ୍କୁ ମହତ୍ତ୍ୱହୀନ କରିଦେଲା।
ଏ ଦେଶର ସୌଭାଗ୍ୟ ଯେ ସେଭଳି ମହାବିପତ୍ତି ସମୟରେ ମଧ୍ୟ ଅନେକ ଭାରତୀୟ ସାହିତ୍ୟିକ ନିଜ ନିଜ ସ୍ତରରେ ମାତୃଭାଷା ଆଧାରରେ ସମସ୍ତ କାର୍ଯ୍ୟ କରିବା ପାଇଁ ସଂକଳ୍ପ ନେଲେ।
ପରାଧୀନତା କାଳରେ ସେଇ ସାମ୍ରାଜ୍ୟବାଦୀ ରକ୍ତପିପାସୁ ମାନଙ୍କ ସହ ଅବିରତ ଲଢ଼େଇ ଚାଲିଥିବା ସମୟରେ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ଜନ୍ମ ହୋଇଥିଲା। ସେତେବେଳେ ୟୁରୋପନିଷ୍ଠ ଓ ଭାରତନିଷ୍ଠ ରାଷ୍ଟ୍ରବାଦୀଙ୍କ ଭିତରେ ବାଦ, ବିବାଦ, ବିମର୍ଶ ଚାଲିଥିଲା।
ମହାତ୍ମା ଗାନ୍ଧୀ ସେତେବେଳେ ସ୍ୱାଧୀନତା ଆନ୍ଦୋଳନକୁ କେବଳ ଏକ ରାଜନୈତିକ ପରିବର୍ତ୍ତନ ବୋଲି ମାନୁ ନ ଥିଲେ। ତାଙ୍କ ମତରେ ଏହା ଥିଲା ସଭ୍ୟତା ଉପରେ ଆକ୍ରମଣ। ଏଥିରୁ ଦେଶକୁ ଉଦ୍ଧାର କରିବା ପାଇଁ ୧୯୦୯ ମସିହାରେ ସେ ଲେଖିଲେ 'ହିନ୍ଦ ସ୍ୱରାଜ'। ଏଥିରେ ସେ ୟୁରୋପ ସଭ୍ୟତାକୁ ସମାଲୋଚନା କରି କହିଛନ୍ତି, "ଇଂରେଜ ଶାସନର ପ୍ରଭାବକୁ କେବଳ ରାଜନୈତିକ ସନ୍ଦର୍ଭରେ ଦେଖିବା ଅନୁଚିତ। ବାସ୍ତବରେ ଏହା ଭାରତୀୟ ମନ ମସ୍ତିଷ୍କରେ ଇଂରେଜ ଶିକ୍ଷା ଥୋପି ଆମ ବିଚାର ବଦଳେଇ ଦେବାର ଏକ ପ୍ରକ୍ରିୟା ଅଟେ।"
ଯେତେବେଳେ ଗୋଟିଏ ଦେଶ ବୈଚାରିକ ରୂପେ ଅନ୍ୟ ଦେଶର ଦାସ ହୋଇଯାଏ ଓ ପର ବିଚାର(କଥା) ଆଧାରରେ ନିଜକୁ ଗଢ଼ିବାକୁ ଚେଷ୍ଟା କରେ ସେତେବେଳେ ସେ ଦେଶ ପ୍ରକୃତ ଅର୍ଥରେ ଗୋଲାମ ହୋଇଯାଏ। ଏଭଳି ସ୍ଥିତିରେ ସେ ଦେଶରେ ରାଜନୈତିକ ସ୍ୱାଧୀନତା ମିଳିବା ପରେ ମଧ୍ୟ ସେ ଦେଶର ବ୍ୟକ୍ତି ଓ ସେ ଦେଶର ସମାଜ ନିଜର ସ୍ୱତ୍ୱ ଠାରୁ ପର୍ଯ୍ୟାପ୍ତ ଦୂରରେ ଥାଏ। ସେ ଦେଶର ଅଧିକାଂଶ ଶକ୍ତି ଓ କ୍ଷମତା ପର ଭାଷା ଶିଖିବାରେ ଓ ପର ଭଳି ନିଜକୁ ସଜେଇବାରେ ଖର୍ଚ୍ଚ ହୁଏ।
ସ୍ୱାଧୀନତା ସଂଗ୍ରାମ ସମୟରେ ୧୯୩୧ ମସିହାର ଦୁଇଟି ପ୍ରସିଦ୍ଧ ଭାଷଣ ଆମର 'ସ୍ୱ' କୁ ଅତି ପ୍ରାଞ୍ଜଳ ଭାବରେ ବୁଝାଇଛି।
ପ୍ରଥମଟି ହେଲା ମହାତ୍ମା ଗାନ୍ଧୀ ଲଣ୍ଡନରେ ଏକ ଭାଷଣରେ କହିଥିଲେ ଯେ ସାମ୍ରାଜ୍ୟବାଦୀ ଇଂରେଜମାନେ ଆମ ଦେଶର ଶିକ୍ଷା ପଦ୍ଧତିକୁ ଧ୍ୱଂସ କରିଚାଲିଛନ୍ତି ସେ ଇଂରାଜୀରେ ଏହାକୁ କହିଥିଲେ 'ଡେଷ୍ଟ୍ରକସନ ଅଫ ଏ ବିଉଟିଫୁଲ ଟ୍ରି'। ସେ ପୁଣି କହିଲେ ଯେ ଆମର ଶିକ୍ଷା କେବଳ ସାକ୍ଷରତାର ସ୍ରୋତ ନ ଥିଲା, ଏହା ଆମକୁ ସଂସ୍କୃତିନିଷ୍ଠ ହେବା ସହିତ ଆମ ଭିତରେ ତ୍ୟାଗ ଭାବନାର ସୃଜନ କରୁଥିଲା। କିନ୍ତୁ ଇଂରାଜୀ ଶିକ୍ଷା ଆମକୁ ଗୋଲାମ ହେବା ଶିଖାଉଛି।
ଦ୍ଵିତୀୟ -
ଭାରତୀୟ ଦାର୍ଶନିକ କୃଷ୍ଣଚନ୍ଦ୍ର ଭଟ୍ଟାଚାର୍ଯ୍ୟ (୧୮୭୫-୧୯୪୯) ସେହି ବର୍ଷ ଶ୍ରୀ ଆଶୁତୋଷ ସ୍ମାରକ ବ୍ୟାଖ୍ୟାନମାଳାରେ ବ୍ୟାଖ୍ୟାନ ଦେଇଥିଲେ। ଏହି ବ୍ୟାଖ୍ୟାନମାଳାର ଆୟୋଜନ ଚନ୍ଦ୍ର ନଗରରେ ଚାରୁ ଚନ୍ଦ୍ର ରାୟଙ୍କ ଦ୍ୱାରା କରାଯାଇଥିଲା। ୧୯୫୪ ମସିହାରେ ଏହାର ଭାଷଣ ବିଶ୍ୱଭାରତୀର ତ୍ରୈମାସିକ ପତ୍ରିକା (୨୦) ରେ ପ୍ରକାଶିତ ହୋଇଛି।
କ୍ରମଶଃ...
୧୬.୧୦.୧୮

No comments:
Post a Comment