ଆଫ୍ରିକାର ବିଶିଷ୍ଟ ସାହିତ୍ୟିକ Ngũgĩ wa Thiong'o କହିଛନ୍ତି ଯେ, "ପ୍ରତ୍ୟେକ ଭାଷାର ଦୁଇଟି ଭୂମିକା ରହିଛି। ଏହା କଥାବାର୍ତ୍ତା କରିବାର ମାଧ୍ୟମ ହେବା ସହିତ ସଂସ୍କୃତିର ବାହକ ମଧ୍ୟ ହୋଇଥାଏ।" ଯଦି ଆମେ ଇଂରେଜୀ ଭାଷା ବିଷୟରେ ବିଚାର କରିବା ତେବେ ଏହା ବ୍ରିଟେନ, ସ୍ଵିଡେନ ଓ ଡେନମାର୍କରେ ପ୍ରଚଳିତ ଅଛି। କିନ୍ତୁ ସ୍ଵିଡେନ ଓ ଡେନମାର୍କର ଲୋକମାନଙ୍କ ପାଇଁ ଇଂରାଜୀ କେବଳ ଅଣ-ସ୍କେଡ଼ିନିବିୟନ ଲୋକଙ୍କ ସହ କଥା ହେବାର ମାଧ୍ୟମ ଅଟେ। ଏହା ତାଙ୍କ ସଂସ୍କୃତିର ବାହକ ନୁହେଁ। କିନ୍ତୁ ବ୍ରିଟେନର ଲୋକଙ୍କ ପାଇଁ ଇଂରାଜୀ ଭାଷାର ଭୂମିକା ଅଲଗା। ସେଠାରେ ଇଂରାଜୀ ସବୁକିଛି। ସେଠାରେ ଏହା ସଂସ୍କୃତି, ଇତିହାସ ଓ କଥାବାର୍ତ୍ତା କରିବାର ମାଧ୍ୟମ ଅଟେ। ଏଥିପାଇଁ କୌଣସି ଦେଶର ସଭ୍ୟତା, ଇତିହାସ ଓ ସଂସ୍କୃତିର ବିକାଶକୁ ସେହି ଦେଶର ଭାଷା ଦ୍ୱାରା ଯେମିତି ବୁଝି ହେବ ତାହା ଅନ୍ୟ କୌଣସି ଧାରକରା ଭାଷା ଦ୍ୱାରା ସମ୍ଭବ ହେବ ନାହିଁ। କୌଣସି ସମାଜର ବିକାଶ ଏବଂ ବିସ୍ତାରରେ ସେହି ସମାଜର ମାତୃଭାଷା ଜୀବନ୍ତ ଭୂମିକା ନିଭାଇ ଥାଏ। ଛୋଟ ପିଲାଙ୍କୁ ମାତୃଭାଷାରେ ଯେଉଁ କାହାଣୀ ଶୁଣାଯାଏ ସେଥିରେ ସେ ନିଜ ସମାଜର ମୂଲ୍ୟବୋଧକୁ ଜାଣେ। ଯେଉଁ ସମାଜ ଯେଉଁ ଅନୁପାତରେ ସକାରାତ୍ମକ ମୂଲ୍ୟବୋଧ ଉପରେ ଛିଡ଼ା ହେବ ସେହି ସମାଜର କଥା ଓ କାହାଣୀର ପ୍ରବାହ ସେତିକି ତୀବ୍ର ହେବ। Ngũgĩ wa Thiong'o ନିଜ ପିଲାଦିନର କଥା ଶୁଣାଇବାକୁ ଯାଇ କହିଛନ୍ତି - ଆମ ପିଲାଦିନେ ଭଲ ଓ ମନ୍ଦ କଥା କହିବା ଭଳି ଦୁଇ ପ୍ରକାର ଲୋକ ଥିଲେ। ଭଲ କଥା ଶୁଣାଉଥିବା ଲୋକ ଗୋଟିଏ କାହାଣୀକୁ ଅନେକ ଥର ଶୁଣାଉ ଥିଲେ। ବାରବାର ଶୁଣିଲା ପରେ ମଧ୍ୟ ଏଥିରେ କେହି ବିରକ୍ତ ହେଉ ନ ଥିଲେ, ବରଂ ପ୍ରତି ଥର ନୂତନ ଶକ୍ତି ଲାଭ କରୁଥିବା ପରି ଅନୁଭବ କରୁଥିଲେ। ଯଦି ସେହି କାହାଣୀକୁ ଅନ୍ୟ କେହି ଭଲ ବକ୍ତା କହୁଥିଲେ ତେବେ ତାହା ଅଧିକ ରୋଚକ ଓ ଜୀବନ୍ତ ହୋଇଯାଉଥିଲା।
ତାକୁ ନେଇ ଆମେ ଖେଳ ତିଆରି କରୁଥିଲୁ। ସେହି ଖେଳରେ ମଧ୍ୟ ଆମେ ସୁନ୍ଦର ଶବ୍ଦ, ସୁନ୍ଦର ଢଗ ଢମାଳି ତିଆରି କରି ତା ଭିତରେ ତାଳ ମେଳ ରକ୍ଷା କରି ତାକୁ ସଙ୍ଗୀତମୟ କରିଦେଉଥିଲୁ। ଏହା ଦ୍ୱାରା ସେ କାହାଣୀ ଆମ ପାଖରେ ପୁଣିଥରେ ଜୀବନ୍ତ ହୋଇ ଉଠୁଥିଲା। ଏହି ମାତୃଭାଷାର ସୌନ୍ଦର୍ଯ୍ୟ ଆମର ପିଲାମନକୁ ଭାରି ପୁଲକିତ କରୁଥିଲା। ଏହା ହିଁ ଆମ ଭବିଷ୍ୟତକୁ ଗଢୁ ଥିଲା। ଏହା ଆମର ଜୀବନ ମୁଲ୍ୟକୁ ଅଧିକ ପ୍ରଭାବିତ କରିଥିଲା। ବାସ୍ତବିକ ସେହି ପିଲାଦିନର ସଂସ୍କାର ଜୀବନ ଭରି କାର୍ଯ୍ୟକରେ। Ngũgĩ wa Thiong'o ଏହା ବିଷୟରେ ବଡ଼ ସ୍ପଷ୍ଟ ଭାବେ ଲେଖିଛନ୍ତି। ସେ କହିଛନ୍ତି ଯେ, ମୋତେ ଶୁଣାଯାଇଥିବା ଗପଗୁଡ଼ିକ ମୁଖ୍ୟତଃ ପଶୁଙ୍କୁ ମୁଖ୍ୟ ପାତ୍ର କରି ଶୁଣାଯାଇଥିଲା। ଭାରତରେ ମଧ୍ୟ ମୂଲ୍ୟ ଓ ଜୀବନ ଦର୍ଶନର କାହାଣୀ ଏଇଭଳି ପଶୁ ପକ୍ଷୀଙ୍କୁ ପାତ୍ର କରି ରଚନା କରାଯାଇଛି। ପଞ୍ଚତନ୍ତ୍ର ଓ ହିତୋପଦେଶ ଏହାର ବଡ଼ ଉଦାହରଣ। ତା' ପରେ ସେ କହୁଛନ୍ତି ଏହି ସବୁ କାହାଣୀ ଗୁଡ଼ିକ ତାଙ୍କ ଜୀବନରେ କି ପରିବର୍ତ୍ତନ ଆଣିଥିଲା -
ଠେକୁଆ ଏକ ଛୋଟିଆ ପ୍ରାଣୀ, ଅତି ଦୁର୍ବଳ, ପରନ୍ତୁ ରଚନାତ୍ମକ ବୁଦ୍ଧି ଥିବା ଚତୁର ପ୍ରାଣୀ ହୋଇଥିବାରୁ ସେ ଆମର ନାୟକ ହୋଇଯାଉଥିଲା। ଆମେ ତା ଭିତରେ ନିଜକୁ ଆତ୍ମସାତ୍ କରିଦେଉଥିଲୁ। କାରଣ ଶିକାରୀ ମନୁଷ୍ୟ, ଶିକାରୀ ପ୍ରାଣୀ ଆସିଲେ, ସେ କିପରି ସେଥିରୁ ନିଜକୁ ରକ୍ଷା କରୁଥିଲା, ତାକୁ ଆମେ ଦେଖୁଥିଲୁ। ସେ ଜିତିଗଲେ ଆମେ ଜିତିଗଲୁ ବୋଲି ଭାବୁଥିଲୁ। ଏତେ ଦୁର୍ବଳ ହୋଇ ମଧ୍ୟ ସେ ବିରାଟ ବିରାଟ ଶିକାରୀଙ୍କ ଠାରୁ ନିଜକୁ ରକ୍ଷା କରିଦିଏ। ଆମେ ପଶୁମାନଙ୍କ ସଂଘର୍ଷକୁ ଧ୍ୟାନପୂର୍ବକ ଦେଖୁଥିଲୁ। କିପରି ସେମାନେ ମରୁଡ଼ି ସମୟରେ, ବର୍ଷା ସମୟରେ, ପ୍ରବଳ ଖରାବେଳେ, ଭୟଙ୍କର ବାତ୍ୟା ବେଳେ ତଥା କଠିନରୁ କଠିନ ପରିସ୍ଥିତିର ସମ୍ମୁଖୀନ ହୋଇ ପରସ୍ପରକୁ ସହଯୋଗ କରନ୍ତି। ତାଙ୍କ ଭିତରେ ଥିବା ସଂଘର୍ଷକୁ ମଧ୍ୟ ଆମେ ଧ୍ୟାନ ପୂର୍ବକ ଦେଖୁଥିଲୁ। ବିଶେଷକରି ବନ୍ୟ ପ୍ରାଣୀ ଓ ତାଙ୍କ ଦ୍ୱାରା ଶିକାର ହୋଇଥିବା ପୀଡ଼ିତ ପ୍ରାଣୀ ଭିତରେ ଚାଲିଥିବା ସଂଘର୍ଷ ଓ ପ୍ରକୃତି ସହ ଚାଲିଥିବା ସଂଘର୍ଷ ମଧ୍ୟ ମନୁଷ୍ୟର ବାସ୍ତବିକ ଜୀବନକୁ ପ୍ରତିବିମ୍ବିତ କରୁଥିଲା।
ତା ପରେ ସେ କହିଛନ୍ତି, ମୋର ଏଇ ଛୋଟ ବୟସରେ ଅଭିଶାପ ଥିଲା ଉପନିବେଶବାଦ। ମୋତେ ବାଧ୍ୟକରି ଇଂରାଜୀ ଶିଖାଗଲା। ମୋର ଭାଷା ହେଲା ଗିକୁୟୁ। ଏହା ଆମ କେନ୍ୟାର ଭାଷା। ଇଂରାଜୀ ଭାଷାର ସେପରି କ୍ଷମତା ନାହିଁ ଯାହା ଆମ ସମାଜ ଓ ଆମ ସଂସ୍କୃତିକୁ ଅଭିବ୍ୟକ୍ତି କରିପାରିବ ଯେପରି ଆମ ଗିକୁୟୁର ଅଛି।
ପୁଣି ସେ କହିଛନ୍ତି, "ଆମେ ଯେଉଁ ଦୁଇଟି ସ୍ଥାନରୁ ମାତୃଭାଷା ଶିଖୁଥିଲୁ ସେ ଦୁଇଟି ସ୍ଥାନ ଭିତରୁ ଗୋଟିଏ ହେଲା ଆମ ନିଜ ଘର ଓ ଆଉ ଗୋଟେ ହେଲା ଆମ ଖେଳ ପଡ଼ିଆ। କିନ୍ତୁ ସ୍କୁଲ ଯିବା ମାତ୍ରେ ମାତୃଭାଷା ବନ୍ଦ ହୋଇଗଲା। କାରଣ ଆମ ସ୍କୁଲ ଉପନିବେଶବାଦୀ ଇଂରେଜଙ୍କ ଦ୍ୱାରା ଚାଲୁଥିଲା। ମୋ ଶିକ୍ଷାର ଭାଷା ମୋ ସମାଜ ଓ ମୋ ସଂସ୍କୃତିର ଭାଷାଠାରୁ ଅଲଗା ହୋଇଗଲା।
କ୍ରମଶଃ....
୧୧.୧୦.୧୮

1 comment:
କ୍ରମଶଃ ପଢ଼ିବାର ସୁଯୋଗ ମିଳୁ ଭାଇ 🙏
Post a Comment