ଇଂରେଜ ଶାସନ ସମୟରେ ସାମ୍ରାଜ୍ୟବାଦୀ ବିଚାର, ସଂସ୍କୃତି, ଭାଷା, ଦୃଷ୍ଟିକୋଣକୁ ସାଧାରଣ ଜନତା ଉପରେ ଥୋପିବାକୁ ଚେଷ୍ଟା ଚାଲିଥିଲା। କିନ୍ତୁ ସାଧାରଣ ଜନତା ଏହାକୁ ମାନି ନ ନେଇ ଏହାର ପ୍ରତିକାର କରୁଥିଲା।
ଦେଶ ସ୍ଵାଧୀନ ହେବା ପରେ ସେମାନଙ୍କ ଅନୁକୂଳ ଏବଂ ଆମ ପାଇଁ ଅହିତକର ପ୍ରତ୍ୟେକ ବିଷୟକୁ ବହିଷ୍କାର କରିବା ଉଚିତ ହୋଇଥାନ୍ତା। କିନ୍ତୁ ନୂଆ ଶାସକ ସେହି ସାମ୍ରାଜ୍ୟବାଦୀ ଦେଶଙ୍କ ସହ ଯେଉଁଭଳି ସମ୍ପର୍କ ସ୍ଥାପିତ କଲେ, ତାକୁ ଦେଖି ପ୍ରତୀତ ହେଲା ଯେ ସାମ୍ରାଜ୍ୟବାଦୀମାନେ ଆମ ଦେଶରେ ଯେପରି କିଛି ବି କ୍ଷତି କରି ନ ଥିଲେ। ସ୍ୱାଧୀନତା ସଂଗ୍ରାମ ସମୟର ଯେଉଁ ଇତିହାସ ଲେଖାଗଲା ସେଥିରେ ଇଂରେଜମାନଙ୍କ ଅତ୍ୟାଚାର, ଅନ୍ୟାୟ ଓ ଅମାନବୀୟ ବ୍ୟବହାରକୁ ସ୍ଥାନ ଦିଆଗଲା ନାହିଁ। ଆଂଶିକ ସତ୍ୟ ବି ସ୍ଥାନୀତ ହେଲା ନାହିଁ।
କାରଣ ଏଥିରେ ସେହି ସାମ୍ରାଜ୍ୟବାଦୀଙ୍କ ଷଡ଼ଯନ୍ତ୍ର ଥିଲା। ଯେଉଁଥିରେ ଆମ ଶାସକ କବଳିତ ହୋଇସାରିଥିଲା। ଯେଉଁମାନେ ସତ୍ୟକୁ ସ୍ଥାନୀତ କରିବାକୁ ଆଗେଇ ଆସିଲେ ସେମାନଙ୍କୁ ହୁଏତ ନିଜ ଦଳରୁ କିମ୍ବା ସରକାରରୁ ନ ହେଲେ ମୁଖ୍ୟ ଧାରାରୁ ହଟାଇ ଦେବାର ବ୍ୟବସ୍ଥା କରାଗଲା। ବ୍ରିଟେନ ସହିତ ସମସ୍ତ ଉପନିବେଶବାଦୀ ସେତେବେଳେ ଏକାଡେମିକ ମେଜରିଟାରିଆନିଜିମ ର ଉପଯୋଗ କରି ରାଷ୍ଟ୍ରବାଦୀ ଇତିହାସ ଲେଖାରେ ବାଧା ଦେଲେ। ସ୍ବାଧୀନତା ପୂର୍ବ ଓ ପର ଉଭୟ ସ୍ଥିତିକୁ ଲେଖିବା ପାଇଁ ସେହି ଲୋକମାନେ ବଛାଗଲେ ଯେଉଁମାନେ ସାମ୍ରାଜ୍ୟବାଦୀଙ୍କୁ ଖୁସୀ କରିପାରିବେ। ତାଙ୍କରି ଦ୍ୱାରା ସ୍ଥିରୀକୃତ ନୀତି ଅନୁସାରେ ଲେଖା ପ୍ରସ୍ତୁତ କରିବାକୁ ପଡୁଥିଲା। ପ୍ରଥମ ବିଶ୍ଵଯୁଦ୍ଧ ଓ ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରେ ସେନାରେ ଭର୍ତ୍ତି ହେଉଥିବା ଭାରତୀୟଙ୍କ ପାଇଁ ଅଲଗା ବ୍ୟବହାର, ଆତଙ୍କୀ ଦୃଷ୍ଟି, ଭାରତର ଧନ ସମ୍ପତ୍ତି ଚୋରୀ, ସ୍ୱାଧୀନତା ସଂଗ୍ରାମରେ ଭାଗ ନେଉଥିବା ଅହିଂସକ ଯୁବକଙ୍କୁ ଗୁଳି ମାରି ହତ୍ୟା, ନା ବାଳକ କ୍ରାନ୍ତିକାରୀଙ୍କୁ ଫାଶୀଦଣ୍ଡ, ଜାଲିୱାନାୱାଲାବାଗ ହତ୍ୟାକାଣ୍ଡରେ ଡାୟାରକୁ ବ୍ରିଟିଶ ସଂସଦରେ ୧୩୨ ଜଣଙ୍କ ସମର୍ଥନ ଓ ବ୍ରିଟେନ ଖବରକାଗଜ ମର୍ଣିଙ୍ଗ ପୋଷ୍ଟ ଦ୍ୱାରା ଡାୟାର ପାଇଁ ୨୫ ହଜାର ପାଉଣ୍ଡ ଧନ ସଂଗ୍ରହ, ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଦଣ୍ଡ ଦେବା ପାଇଁ ତାଙ୍କ ଗାଁକୁ ଯାଇ ମହିଳାମାନଙ୍କ ପ୍ରତି ବର୍ବର ଅତ୍ୟାଚାର, ସାମାନ୍ୟ ଘର, ପରିବାର ଯେଉଁମାନେ ଇଂରେଜ ଯବାନଙ୍କୁ ହତ୍ୟା କରିଥିଲେ, ସେ ସବୁ ଜାଣି ବୁଝି ଇତିହାସରୁ ଅଲଗା କରିଦିଆଗଲା।
କାରଣ ଏ ଇତିହାସ ନିର୍ମାତା ମାନଙ୍କୁ କୁହାଗଲା ଏମିତି ଇତିହାସ ଲେଖିବ ଯେପରି ଉପନିବେଶବାଦୀଙ୍କ ପ୍ରତି ଆମର ସଦଭାବ ରହିବ। ଆମ ନିର୍ମାତାମାନେ ଆତଙ୍କବାଦୀ, ସାମ୍ରାଜ୍ୟବାଦୀ, ବର୍ବର ମାନଙ୍କ ପ୍ରତି ସଦଭାବର ପୁସ୍ତକ ପ୍ରସ୍ତୁତ କରି ଆମକୁ ଧରାଇଦେଲେ। ପରିଣାମ ସ୍ବରୂପ କମନ ୱେଲଥ ସଙ୍ଗଠନ ପାଇଁ ଆମେ ନିର୍ଲଜ ଭଳି ଆଗେଇ ଆସିଲେ। ବିଦେଶୀ ଶାସନର ବର୍ବରତାର ସତ୍ୟକୁ ଲୁଚାଇ ଦିଆଗଲା। ଆଂଶିକ ସତ୍ୟ ପୁଣି ସେଥିରେ ଯେପରି କେହି ଗୁରୁତ୍ବ ଦେବାକୁ ଚାହିଁବ ନାହିଁ, ସେହିପରି ଲେଖାଗଲା।
ନିଉୟର୍କର ଜଣେ ପ୍ରସିଦ୍ଧ ଲେଖକ ଫ୍ରେଣ୍ଟଜ ଫେନନ କହିଛନ୍ତି, "ଉପନିବେଶବାଦ ଏକ ବିଚାର ପ୍ରଣାଳୀ ନୁହଁ, ଏହା ଏକ ସଭ୍ୟ ଓ ବିବେକ ଆଧାରରେ କାମ କରୁଥିବା ସଂସ୍ଥା ମଧ୍ୟ ନୁହଁ। ସ୍ଵଭାବତଃ ହିଂସା ଉପରେ ପ୍ରତିଷ୍ଠିତ ଏକ ବ୍ୟବସ୍ଥା ଅଟେ।"
ବୋଷ୍ଟନ ର ପ୍ରସିଦ୍ଧ ଲେଖକ ମେମ୍ମି ଅଲବର୍ଟ ତାଙ୍କ ପୁସ୍ତକ "ଦ କଲୋନାଇଜର ଏଣ୍ଡ ଦ କଲୋନାଇଜଡ଼" ରେ ଲେଖିଛନ୍ତି - "ସାମ୍ରାଜ୍ୟବାଦୀଙ୍କ ଦ୍ଵାରା ଉପନିବେଶ ଉପରେ ବିଜୟ ହିଂସା ରାସ୍ତାରୁ ହୋଇଛି ଏବଂ ପରେ ଅତି-ଶୋଷଣ ଓ ଦମନ ତାଙ୍କୁ ସେହି ରାସ୍ତାରେ ଚାଲିବାକୁ ବାଧ୍ୟ କରିଛି। ସେମାନଙ୍କ ଶାସନ ସବୁ ଆଡ଼େ ଚାଲିଥାନ୍ତା ଯଦି ଅନ୍ୟ ସବୁ ସ୍ଥାନରେ କେବଳ ହିଂସାର ଶାସନ ଚାଲୁଥାନ୍ତା।
ଆଶ୍ଚର୍ଯ୍ୟର କଥା ହେଉଛି ସେମାନେ ନିଜ ଦେଶରେ ଲୋକତନ୍ତ୍ର ଅଧିକାରର ଆଧାରରେ ଚାଲୁଥିବା ବେଳେ ଅନ୍ୟ ସ୍ଥାନରେ ଏହି ଅଧିକାର କାହିଁକି ଛଡ଼ାଇ ନେଉଛନ୍ତି ?"
ହିଂସାର ତାଣ୍ଡବ ତ ସେତେବେଳେ ଚାଲିଥିଲା। ଯଦି କେହି ବିରୋଧ କଲା ତେବେ ତାକୁ ଗୁଳି ମାରି ଉଡ଼ାଇ ଦେବା ହିଁ ଏକମାତ୍ର ରାସ୍ତା ଥିଲା।
ଓଡ଼ିଶାର ଇରମ ହେଉ ବା ଆସାମର ଢେକିୟାଜୁଲିର ହତ୍ୟାକାଣ୍ଡ ହେଉ ଏଇ ହତ୍ୟାର ଶିକାର ହୋଇଥିବା ଲୋକ ସବୁ ଅହିଂସକ ଥିଲେ।
ଦମନର ସ୍ୱରୂପ ସବୁ ସ୍ଥାନରେ ସମାନ ଥିଲା। ଡେଭିଡ଼ ଡିଆପ ଇଂରେଜ ଚରିତ୍ରର ବର୍ଣ୍ଣନା ତାଙ୍କ କବିତାରେ ବଡ଼ ସୁନ୍ଦର ଢଙ୍ଗରେ କରିଛନ୍ତି -
"The white man killed my father
Because my father was proud
The white man raped my mother
Because my mother was beautiful
The White man wore out my brother in the hot sun of the roads
Because my brother was strong
Then the white man came to me
His hands red with blood
Spat his contempt into my black face
Out of his tyrant's voice:
Hey boy, a basin, a towel, water."
କ୍ରମଶଃ....

No comments:
Post a Comment