ଭାରତରେ ସାମ୍ରାଜ୍ୟବାଦୀଙ୍କ କବଳରୁ ମୁକ୍ତି ପାଇବାର ଉପାୟ ବିଷୟରେ ଚର୍ଚ୍ଚା ନୂଆ ନୁହଁ। ଚିନ୍ତନ ଓ ସମାଧାନ ସ୍ତରରେ ଏହା ସାମ୍ରାଜ୍ୟବାଦୀଙ୍କ ଅଧୀନରେ ଥିବା ସମୟରୁ ଚାଲି ଆସିଛି। କିନ୍ତୁ ରାଜନୈତିକ ଇଚ୍ଛା ଶକ୍ତିର ଅଭାବରୁ ଓ ବୈକଳ୍ପିକ ବୌଦ୍ଧିକ ଆନ୍ଦୋଳନର ଉଦୟ ଓ ପ୍ରଭାବୀ ହସ୍ତକ୍ଷେପର ଅଭାବ କାରଣରୁ ସାମ୍ରାଜ୍ୟବାଦୀଙ୍କ କବଳରୁ ମୁକ୍ତି ପାଇବାର ପର୍ବ ବହୁତ ମାନ୍ଦା ଗତିରେ ଚାଲିଲା। ଏହି ମୌଳିକ ପ୍ରଶ୍ନ ଉପରେ ଅର୍ଥାତ୍ ଯିଏ ଆମର ସର୍ବସ୍ବ ଲୁଟିନେଲେ ସେହି ସାମ୍ରାଜ୍ୟବାଦୀଙ୍କ ବିଷୟରେ ଯେମିତି ବିମର୍ଶ ହେବା କଥା ତାହା ହେଲା ନାହିଁ। ତାକୁ ଆମ ବାବୁ ମାନେ ଆଧୁନିକତା କହି ଏଡ଼ାଇ ଦେଲେ। ସେମାନଙ୍କ ପ୍ରଭାବରୁ ଆଧୁନିକତା ଓ ପ୍ରଗତିଶୀଳତା ବିକୃତ ରୂପ ନେଲା। ସେଥିରେ ସ୍ଥାନୀୟତା ଓ ମୌଳିକତାର ସ୍ଥାନ ନ ଥିଲା। ଯାହାର ପରିଣାମ ହେଲା ଆମେ ଆମ ଲୋକଭାଷାରେ, ଆମ ସଂସ୍କୃତିରେ, ଆମ ଚିନ୍ତନରେ ଯାହା ୟୁରୋପକୁ ସୁହାଉଥିବ ସେଇ ଦର୍ପଣରେ ନିଜକୁ ସଜାଇବା ଆରମ୍ଭ କଲୁ। ଏଇଭଳି ବିକଶିତ ହୋଇଥିବା ଆମ ବାବୁମାନେ ସ୍ବଦେଶୀ ଭାବରେ ବିକଶିତ ହୋଇଥିବା ଗାଉଁଲି, ବନବାସୀ, ବସ୍ତିବାସୀ ଲୋକଟିକୁ ଅବିକଶିତ ବୋଲି କହିଲେ। ତାଙ୍କ ମନରେ ହୀନତା ଓ ଘୃଣା ଭାବ ଆରୋପିତ କଲେ।
ଆଉ ଏକ ମହତ୍ତ୍ୱପୂର୍ଣ୍ଣ କଥା ହେଲା ଯେ, ସେହି ସାମ୍ରାଜ୍ୟବାଦୀଙ୍କ ଆଦର୍ଶରେ ଗଢ଼ା ହୋଇଥିବା ଲୋକମାନେ ତାଙ୍କ ଆର୍ଥିକ ସମାନତା ଓ ତାଙ୍କ ଭିତରେ ଛପି ରହିଥିବା ଦୁନିଆଁକୁ ବୈଚାରିକ ନେତୃତ୍ୱ ଦେବାର ଆକାଂକ୍ଷାକୁ ସାକାର କରିବା ପାଇଁ ତାଙ୍କ ଭାଷାକୁ ବଜାର ଶକ୍ତି ସହ ଓ ତାଙ୍କ ବିଚାରକୁ ଆଧୁନିକତା ସହ ଯୋଡ଼ି ଦେଲେ।
ତେଣୁ କେମିତି ସଫଳ ହୋଇଥାନ୍ତା ସ୍ୱାଧୀନତାର ଅସଲ ଉଦ୍ଦେଶ୍ୟ ?
ଏହି ଉଦ୍ଦେଶ୍ୟ ସଫଳ କରିବାକୁ ହେଲେ ଆମେ ସାମ୍ରାଜ୍ୟବାଦ ଓ ସାମ୍ରାଜ୍ୟବାଦୀଙ୍କ ବର୍ତ୍ତମାନ ଆଧିପତ୍ୟବାଦୀ ଉପକ୍ରମର ବୈଚାରିକ, ଆର୍ଥିକ, ରାଜନୈତିକ ଓ ସାଂସ୍କୃତିକ ପକ୍ଷର ସମ୍ବନ୍ଧକୁ ଠିକ୍ ଭାବେ ବୁଝିବା ଆବଶ୍ୟକ।
ଏଥିପାଇଁ ଆବଶ୍ୟକ ଇଂରାଜୀର ଉପଯୋଗିତା ଓ ଇଂରାଜୀର ଉନ୍ମାଦ ଏହି ଦୁଇଟି ଭିତରେ ଥିବା ଅନ୍ତରକୁ ବୁଝିବା।
ଇଂରାଜୀ ଏକ ଭାଷା। ଏହାର ଆବଶ୍ୟକତା କେତେ ଓ କେତେ ଆବଶ୍ୟକ ନୁହେଁ, ଏହା ଚର୍ଚ୍ଚାର ବିଷୟ ହୋଇପାରେ। କିନ୍ତୁ ଏହାର ଆଧିପତ୍ୟ କାରଣରୁ ଏହା ଆଧୁନିକତା ଓ ଶିକ୍ଷାର ଏକମାତ୍ର ଶ୍ରେଷ୍ଠ ମାନଦଣ୍ଡ ବୋଲି ମାନିନେବା କାରଣରୁ ଭାରତୀୟ ଭାଷାର ସର୍ବନାଶ ହେଉଛି। ଭାରତୀୟ ସାହିତ୍ୟର, ଭାରତୀୟ ସାଂସ୍କୃତିକ ଗ୍ରନ୍ଥମାନଙ୍କର ଦମନ ହେଉଛି। ଏହି ଦମନ ଓ ଏହି ବର୍ବରତା ଏପରି ନିଃଶବ୍ଦରେ ହେଉଛି ଏହାକୁ ବାରି ପାରିବା କଠିନ ହୋଇଯାଇଛି।
ଏହାର ପ୍ରଭୁତ୍ୱ ଏଠାରେ ଏପରି ଏକ ବଡ଼ ବଡ଼ିଆ ମାନସିକତାକୁ ଜନ୍ମ ଦେଇଛି ଯେ ଏହା କେବଳ ରାଜନୀତି ଭିତରେ ସୀମିତ ନ ରହି ସାମାଜିକ, ସାଂସ୍କୃତିକ କ୍ଷେତ୍ରକୁ ମଧ୍ୟ କବଳିତ କରିଛି। ଆଜି ଭାଷାନ୍ତରର ଏତେ ସୁନ୍ଦର ବୈଷୟିକ ଜ୍ଞାନ କୌଶଳ ଥିବା ସତ୍ତ୍ୱେ ରାଷ୍ଟ୍ରୀୟ ଓ ଅନ୍ତର୍ରାଷ୍ଟ୍ରୀୟ ସଭାରେ ସ୍ୱ ଭାଷାର ବ୍ୟବହାର ଆମ ମୁଣ୍ଡରେ ପଶୁ ନାହିଁ। ସାମ୍ରାଜ୍ୟବାଦୀଙ୍କୁ ତ ଆମେ ପରିତ୍ୟାଗ କଲେ। କିନ୍ତୁ ତାଙ୍କ ଭାଷାକୁ ଆମେ ମଥାର ମୁକୁଟ କଲେ କିପରି ? କେମିତି ଆମକୁ ଲାଗିଲା ଯେ ଏହା କେବଳ ଏକ ଭାଷା ନୁହଁ, ବରଂ ଏହା ଆମ ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ଶକ୍ତି ଓ ସମ୍ମାନର ସ୍ରୋତ ??
ପରିଣାମ କଣ ହେଲା ?
ସର୍ବତ୍ର ଗୋଲାମ ବୁଦ୍ଧି ଆମକୁ ଗ୍ରାସ କରିଛି।
ଆମ ଦେଶୀ ସାହିତ୍ୟକୁ ମଧ୍ୟ ଆମେ ବିଦେଶୀ ଛାଞ୍ଚରେ ନ ପକାଇଲେ ଆମ ଖାଦ୍ୟ ହଜମ ହେଉ ନାହିଁ। ମାତୃଭାଷା ଆମ ଆଦର୍ଶ ବିଦ୍ୟାଳୟର ଭାଷା ହୋଇପାରୁ ନାହିଁ।
ଭାଷା ସାହିତ୍ୟକୁ ଆମେ ଏକ ନିର୍ଦ୍ଦିଷ୍ଟ ପଢୁଆ ବର୍ଗ ଭିତରେ ସୀମିତ କରି ଦେଲୁ। ଆମକୁ ଭାଷା ସାହିତ୍ୟ ପଢ଼ାଉଥିବା ପାଠୁଆ ବାବୁମାନେ ନିଜ ମାତୃଭାଷାରେ ଦି'ପଦ ଲେଖିବାକୁ ଉଚିତ ମଣୁ ନାହାନ୍ତି। ରୋମାନ ଲିପି ସେମାନଙ୍କ ଗଳାର ମାଳ ହୋଇଯାଇଛି। ଛୋଟ ଶିଶୁରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଇଂରାଜୀ ଭାଷା ଶିଖାଇବା ଓ ସେଥିପାଇଁ ଇଂରାଜୀ ବିଦ୍ୱାନ, ଇଂରାଜୀ ସାହିତ୍ୟିକ, ଚିନ୍ତକ ଓ ସମାଜବିଜ୍ଞାନୀଙ୍କୁ ଆବଶ୍ୟକତା ଠାରୁ ଅଧିକ ମହତ୍ତ୍ୱ ଦିଆଯାଉଛି। ଆମ ପିଲାମାନଙ୍କୁ ଛବିଳ ମଧୁ ଜାଗାରେ ମଧୁ କିଏ ବୋଲି ପଚାରିଲେ ଆମକୁ ଏହାର ଉତ୍ତର ନିଶ୍ଚୟ ମିଳିଯିବ।
କ୍ରମଶଃ....
୧୪.୧୦.୧୮

No comments:
Post a Comment