ଉପନିବେଶବାଦୀମାନେ ମନୋବୈଜ୍ଞାନିକ ରୀତିରେ ଆମ ଦେଶର ଲୋକମାନଙ୍କୁ କିପରି ମାନସିକ ଗୋଲାମ କରିହେବ ତାର ସମସ୍ତ ଉପାୟ କରିଥିଲେ। ସେହି ସବୁ କୁକୃତ୍ୟକୁ ସେମାନେ ଯୁକ୍ତିଦ୍ୱାରା ଠିକ ବୋଲି ପ୍ରତିପାଦିତ କଲେ। ସ୍ଥାନୀୟ ସଂସ୍କୃତି ଖରାପ ଓ ଇଂରେଜ ସଂସ୍କୃତି ବହୁତ ଭଲ ବୋଲି କହିବାରେ କୌଣସି ସୁଯୋଗକୁ ସେମାନେ ହାତଛଡ଼ା କରୁ ନ ଥିଲେ।
ଉପନିବେଶବାଦ ହେଉଛି ଏକ ବିଚାର ପ୍ରଣାଳୀ ଯାହା ସମୟ, ସନ୍ଦର୍ଭ ଓ ସ୍ୱାର୍ଥକୁ ପ୍ରାଥମିକତା ଦେବା ସହ ସ୍ଥାନୀୟ ଲୋକଙ୍କ ଶୋଷଣ ଓ ଅଧିକାର ବିରୋଧୀ ଚେତନା ତଥା ତାଙ୍କର ପ୍ରତିକାରର କ୍ଷମତା ଦେଖି ନିଜର ରୂପ ବଦଳାଉ ଥାଏ। ସେମାନେ ଯେଉଁ ସାମ୍ରାଜ୍ୟ ଅଧିକାର କଲେ କିମ୍ବା କରିଥିଲେ ସେହି ସେହି ସାମ୍ରାଜ୍ୟର ସାହିତ୍ୟ, ସମାଜବିଜ୍ଞାନ, ସଂସ୍କୃତିକୁ ମୌଳିକ ହେବାକୁ ନ ଦେଇ ତାକୁ ୟୁରୋପ-ନିଷ୍ଠ ରୂପେ ପ୍ରସ୍ତୁତ କଲେ। ସେମାନେ ସେଥିରେ
ସଂସ୍କୃତି ଓ ବୌଦ୍ଧିକତାର ନେତୃତ୍ୱ ନିଜ ହାତରେ ରଖିବାକୁ ଚାହିଁଲେ ଓ ଅନେକ ଜାଗାରେ ସଫଳ ହେଲେ। ଏହି ନେତୃତ୍ୱ ତାଙ୍କୁ ଆର୍ଥିକ ଶୋଷଣ ଓ ବିକାଶର ସଂରଚନା ଭିତରେ ଥିବା ପାର୍ଥକ୍ୟକୁ ବଜାୟ ରଖିବାରେ ସହାୟକ ହେଲା। ଯେତେବେଳେ ମନୁଷ୍ୟ କାହାର ଦାସ ହୋଇଯାଏ ସେତେବେଳେ ସେ ତାର ସବୁ କିଛିକୁ ଆଖି ବୁଜି ଗ୍ରହଣ କରିନିଏ। ସେତେବେଳେ ସେ ତାହାର ଶୋଷଣ, ଦମନ ଓ ବିଷମତାମୂଳକ ବ୍ୟବସ୍ଥା ବିରୋଧରେ ଲଢ଼ିବାର ଶକ୍ତି ଓ ମନୋବଳ ହରାଇ ବସେ। ବ୍ୟକ୍ତିବାଦ, ପୁଞ୍ଜିବାଦ, ଆଧୁନିକତା, ଉତ୍ତର ଆଧୁନିକତା, ନବଉଦାରବାଦ - ଏହି ସବୁ ସିଦ୍ଧାନ୍ତ ପାଶ୍ଚାତ୍ୟରୁ ଆସିଛି ଓ ପୂର୍ବରେ ଆସ୍ଥାନ ଜମେଇଛି। ଫ୍ରେଣ୍ଟଜ ଫେନନ ଲେଖିଛନ୍ତି ଯେ ସାମ୍ରାଜ୍ୟବାଦ ଲୋକଙ୍କ ଆଗରେ ଯେଉଁ ବିନାଶକାରୀ ବିଷାଣୁମାନଙ୍କୁ ଛାଡ଼ି ଦିଏ ତାକୁ ଆମେ ସୁକ୍ଷ୍ମତାର ସହ ଚିହ୍ନି ପାରି ନିଜ ଦେଶର ମନ ମସ୍ତିଷ୍କରୁ ସମ୍ପୂର୍ଣ୍ଣ ରୂପେ କାଢ଼ି ଫୋପାଡ଼ି ଦେବା ଉଚିତ। ବ୍ରାଜିଲର ଦାର୍ଶନିକ ତଥା ଶିକ୍ଷାବିତ ପାଉଲେ ଫ୍ରେଇରେ (୧୯୨୧-୧୯୯୭) ଏଇ କଥାକୁ ଅନ୍ୟ ଏକ ଢଙ୍ଗରେ କହିଛନ୍ତି। ତାଙ୍କ ଅନୁସାରେ ଯେଉଁ ଲୋକ ଶୋଷିତ ଓ ପ୍ରତାଡ଼ିିତ ହୁଅନ୍ତି ସେମାନଙ୍କ ଭିତରେ ସ୍ୱାଭାବିକ ଭାବରେ ପ୍ରତାଡ଼କଙ୍କ ସାଂସ୍କୃତିକ ଓ ବୌଦ୍ଧିକ ଛବିର ପ୍ରତିବିମ୍ବ ନିଜ ଭିତରେ ସୃଷ୍ଟି କରିବାର ଲାଳସା ଜନ୍ମେ। ସେ ଏଥିରୁ ମୁକୁଳିବାର ଯେଉଁ ଉପାୟ କହିଲେ ତାର ନାଁ ହେଲା - ଲିବେରେସନ ଲିଟେରାସି ବା 'ମୁକ୍ତି ସାକ୍ଷରତା'। ଏହି ଦାସତା ଲୋକଙ୍କ ମୁଣ୍ଡରୁ ବାହାର କରିବା ବହୁତ କଷ୍ଟକର ବ୍ୟାପାର। ଏଥିରୁ ମୁକ୍ତ ହେଲେ ହିଁ ଆମେ ନିଜ(ସ୍ୱ) ବିଚାରର ସୃଜନ କରି ପାରିବା। ଆମର ପରିଚୟକୁ ମଧ୍ୟ ନିଜର ସ୍ୱ ଦ୍ୱାରା ଆମେ ପରିଭାଷିତ କରିପାରିବା। ନିଜ ପରିଚୟ ଦେବାରେ ଲଜ୍ଜା ପରିବର୍ତ୍ତେ ଆମକୁ ଗୌରବ ବୋଧର ଅନୁଭବ ହେବ। ପାଶ୍ଚାତ୍ୟ (ସାମ୍ରାଜ୍ୟବାଦୀ) ବୁଦ୍ଧି ଛାଡ଼ିବା ଅର୍ଥ ନୁହଁ ପାଶ୍ଚାତ୍ୟକୁ ବିରୋଧ କରିବା। ପ୍ରକୃତରେ ଏହା ତ ସେମାନଙ୍କ ଦ୍ବାରା ଥୋପା ଯାଇଥିବା ବିଦେଶୀ ପ୍ରବୃତ୍ତିରୁ ଦେଶୀ ପ୍ରବୃତ୍ତି ହେବାର ପ୍ରକ୍ରିୟା। ଦୁନିଆରେ ଆମେ ନିଜର ଦୃଷ୍ଟିରେ, ନିଜର ବୁଦ୍ଧିରେ ମଥା ଟେକି ଛିଡ଼ା ହେବାର ପ୍ରକ୍ରିୟା। ଏହା ତ ଏକ ସକାରାତ୍ମକ କାର୍ଯ୍ୟ ଅଟେ।
କ୍ରମଶଃ...
୬.୧୦.୧୮

No comments:
Post a Comment