ଆଫ୍ରିକାର ବିଶିଷ୍ଟ ସାହିତ୍ୟିକ Ngũgĩ wa Thiong'o ଙ୍କର ପିଲାଦିନର କାହାଣୀ ସେହି ସମସ୍ତ ଦେଶବାସୀଙ୍କର କାହାଣୀ ଅଟେ ଯେଉଁ ଦେଶମାନେ କେବେ ନା କେବେ ଉପନିବେଶବାଦୀଙ୍କ ଦ୍ୱାରା ଗୋଲାମ ହୋଇଥିଲେ। ବ୍ରିଟେନ, ପର୍ତ୍ତୁଗାଲ, ଅଷ୍ଟ୍ରେଲିଆ ଓ ଫ୍ରାନ୍ସ ଆଦି ଦେଶମାନେ ଯେଉଁ ସାମ୍ରାଜ୍ୟ ସବୁ ଅଧିକାର କରୁଥିଲେ ସେଠାରେ ସେମାନେ ପ୍ରଥମେ ନିଜ ନିଜ ଭାଷା ଥୋପିବାରେ ସମର୍ଥ ହେଉଥିଲେ। ଏହାଦ୍ୱାରା ଦୁଇଟି ବର୍ଗ ତିଆରି ହେଉଥିଲା। ଗୋଟିଏ ବର୍ଗ ଗୋଲାମୀ ଭାଷା ଶିଖି ନିଜକୁ ଖୁବ ବଡ଼ ବୋଲି ମାନି ନେଲା। କାରଣ ଉପନିବେଶବାଦୀମାନେ ସ୍ବଦେଶୀ ଭାଷା(ଦେଶରେ ପ୍ରାଚୀନ କାଳରୁ ରହି ଆସିଥିବା ଭାଷା)କୁ ନିକୃଷ୍ଟ ବୋଲି କହିଲେ। ନିଜ ଭାଷାର ମହତ୍ତ୍ୱକୁ ସ୍ଥାପିତ କରିବାରେ ସେମାନଙ୍କ ପାଖରେ ଦୁଇଟି ଅସ୍ତ୍ର ଥିଲା। ଗୋଟିଏ ହେଲା ରାଜ୍ୟ ଶାସନର କ୍ଷମତା ଓ ଅନ୍ୟଟି ହେଲା ବେପାର। ଏହା ସହିତ ତୃତୀୟ ଅସ୍ତ୍ର ଥିଲା ସବୁଠୁ ମାରାତ୍ମକ ତାହା ହେଲା ଶିକ୍ଷା। ଶିକ୍ଷା ଦ୍ୱାରା ସେମାନେ ଛାତ୍ର ଛାତ୍ରୀଙ୍କ ଭିତରେ କୃତ୍ରିମ 'ସ୍ୱ' ଆରୋପିତ କରିବାରେ ସମର୍ଥ ହେଲେ। ଯେତେ ମାତ୍ରାରେ ସେମାନେ ଏହି ଷଡ଼ଯନ୍ତ୍ରରେ ସଫଳ ହେଲେ ସେତେ ମାତ୍ରାରେ ଏଇ କୃତ୍ରିମତାର ବାହାକମାନେ ନିଜର ମୂଳ ସଂସ୍କୃତିରୁ କଟି ଗଲେ। Ngũgĩ wa Thiong'o ଏହି ବିଷୟକୁ ବୁଝାଇବାକୁ ଯାଇ କହିଛନ୍ତି -
"ଆମ ସାହିତ୍ୟ ଶିକ୍ଷା ନିର୍ଭର କରୁଥିଲା ଆମ ଶାସନର ଭାଷା ଉପରେ। ଉପନିବେଶବାଦୀମାନେ ତାଙ୍କ ଶାସନକୁ ସହଜରେ ଚଳାଇବା ପାଇଁ ତାଙ୍କ ଭାଷା ଆମ ଉପରେ ଲାଗୁ କରିଦେଇଥିଲେ। ଏହାର ପ୍ରଥମ ପରିଣାମ ହେଲା ଯେ କେନିଆ ଭାଷାର ଯେଉଁ ମୌଳିକ ସାହିତ୍ୟ ଥିଲା ତାହା ମହତ୍ତ୍ୱହୀନ ହୋଇଗଲା। ପ୍ରାଥମିକ ପାଠରେ ପ୍ରବେଶ କଲା ଡିକେନ୍ସ, ଆଲିବର ଟିୱସ୍ଟ, ଟମ ବ୍ରାଉନ। ଯେଉଁଠି ଆମେ ପଢୁଥିଲୁ ଠେକୁଆ, ଚିତା ବାଘ, ସିଂହର କଥା ସେଇଠି ଏମାନେ ପଶିଗଲେ। ଆମ ଦେଶର ଆମ ପରିବେଶର ନାୟକ ମାନଙ୍କୁ ଆମେ ଆଉ ଆମ ବହିରେ ଦେଖିବାକୁ କି ଶୁଣିବାକୁ ପାଇଲୁ ନାହିଁ। ମାଧ୍ୟମିକ ସ୍କୁଲରେ ଆମେ ସ୍କଟ, ଜର୍ଜ ବର୍ଣ୍ଣାଡ଼ ସ, ରାଇଡର ହେଗାର୍ଡ, ଜନ ବୁଚନ, ଏଲନ ପେଟନ, କ୍ୟାପଟେନ ଡବ୍ଲ୍ୟ ଇ ଜୋନ୍ସଙ୍କୁ ପଢ଼ିଲୁ। ମକେରେରେ ବିଶ୍ୱବିଦ୍ୟାଳୟରେ ଆମେ ଚୌସର ଠାରୁ ଆରମ୍ଭ କରି ଟି. ଏସ. ଏଲିୟଟ ଓ ଗ୍ରାହମ ଗ୍ରୀନଙ୍କ ରଚନା ସବୁ ଇଂରାଜୀରେ ପଢ଼ିଲୁ। ଏହିପରି ଭାଷା ସାହିତ୍ୟ ଆମକୁ ଦିନ ପ୍ରତିଦିନ ନିଜର 'ସ୍ୱ' ଠାରୁ ଦୂରେଇ ଦେଇ ପରକୀୟ 'ସ୍ୱ' ପାଖରେ ପହଞ୍ଚାଇ ଦେବାରେ ଅବିରତ କାମ କରୁଥିଲା। ଆମ ଗାଁ, ଆମ ପରିବେଶ ଠାରୁ ଆମକୁ ଦୂରେଇ ଦେଇ ପରକୀୟ ଦୁନିଆଁରେ ଆମକୁ ପହଞ୍ଚାଇ ଦେଉଥିଲା।"
ପୁଣି ସେ ଲେଖିଛନ୍ତି -
"ଆମ ମୌଖିକ କାହାଣୀ ଦ୍ୱାରା, ଆମ ସାହିତ୍ୟ ଦ୍ୱାରା ଯେଉଁ ଛବି ଆମ ମନରେ ଅଙ୍କିତ ହେଉ ଥିଲା, ଏବେ ଏଇ ଉପନିବେଶବାଦୀଙ୍କ ଭାଷା ସାହିତ୍ୟ ଦ୍ୱାରା ଆମ ପ୍ରକୃତି ଓ ପରିବେଶକୁ ଦେଖିବା ଆଉ ସମ୍ଭବ ହେଲା ନାହିଁ।
ଯଦିଓ ସେକ୍ସପିଅର, ଗୋଇଥେ, ବାଲଝାକ, ଟଲସ୍ଟୟ, ଗୋର୍କୀ, ବ୍ରେଟ, ସୋଲୋଖୋବ୍ ଓ ଡିକେନ୍ସ ଭଳି ଲେଖକଙ୍କ ଲେଖାରେ ଉତ୍ତମ ମାନବୀୟ ମୂଲ୍ୟ ଭରି ରହିଥିଲା ତଥାପି ଏହି ସାହିତ୍ୟ ଆମକୁ ଆମ ପ୍ରକୃତି ଓ ଆମ ପରିବେଶ ଠାରୁ ଦୂରକୁ ନେଇ ଯାଉଥିଲା। କାରଣ ଏଇ କଳ୍ପନାର ଦର୍ପଣ ବା କେନ୍ଦ୍ର ଥିଲା ୟୁରୋପ ତଥା ତାଙ୍କରି ସଂସ୍କୃତି ଓ ତାଙ୍କରି ଇତିହାସ। ଏହି ଦର୍ପଣରେ ଆମେ ଦୁନିଆଁ ଦେଖିବାକୁ ବାହାରିଲୁ।"
Ngũgĩ wa Thiong'o ପୁଣି କହିଛନ୍ତି -
ଭାଷାର ସାଂସ୍କୃତିକ ବିଭବର ତାତ୍ପର୍ଯ୍ୟ ହେଲା - ଏହା ଇତିହାସରେ ଲୋକଙ୍କ ଅନୁଭବର ଏକ ସର୍ବସାଧାରଣ ସ୍ମରଣ କୋଷ। ଏଥିପାଇଁ ସଂସ୍କୃତିକୁ କେବେ ବି ଭାଷାଠାରୁ ଅଲଗା କରି ହେବ ନାହିଁ। ଏହା ହିଁ ସଂସ୍କୃତିର ଉଦ୍ଭବ, ବିକାଶ, ସଞ୍ଚୟ, କଥାବାର୍ତ୍ତାର ମାଧ୍ୟମ ହୋଇ ପିଢ଼ି ପରେ ପିଢ଼ି କାର୍ଯ୍ୟ କରେ। ସେ ଉପନିବେଶବାଦ ମାନସିକତାକୁ ଭଲ ଭାବେ ଦର୍ଶାଇଛନ୍ତି। ତାଙ୍କ ଅନୁସାରେ ଉପନିବେଶବାଦୀ ଏତିକିରେ ସୀମିତ ରୁହନ୍ତି ନାହିଁ ଯେ ଛାତ୍ର କେବଳ ଇଂରାଜୀ ଶିଖୁ ବରଂ ସେମାନେ ଚାହୁଁଥିଲେ ଛାତ୍ରଟି କିପରି ନିଜ ଭାଷାକୁ ଦୂରେଇ ଦେଉ। ନିଜ ଭାଷାକୁ ନିକୃଷ୍ଟ କହୁ, ଘୃଣା କରୁ। ଏହି ଉଦ୍ଦେଶ୍ୟକୁ ପୂର୍ତ୍ତି କରିବା ପାଇଁ ସେମାନେ ଛଳ, ବଳ, କପଟ ଓ ଲୋଭର ପ୍ରୟୋଗ କରୁଥିଲେ।
Ngũgĩ wa Thiong'o ଲେଖିଛନ୍ତି ଯେ ସ୍କୁଲ ପରିସରରେ ଯେତେବେଳେ ଆମେ ଆମ ଗିକୁୟୁ ଭାଷାରେ କଥା ହେଉଥିଲୁ ସେତେବେଳେ ଆମକୁ ସବୁଠୁ ଅଧିକ ଅପମାନିତ ହେବାକୁ ପଡୁଥିଲା। ଆମେ ସେତେବେଳେ ମହାପାପୀ ବା ଅପରାଧୀ ହିସାବରେ ଗଣା ଯାଉଥିଲୁ। ଆମକୁ ଲଙ୍ଗଳା କରି ନିର୍ଧୁମ ପିଟା ଯାଉଥିଲା। ଆମ ବେକରେ 'ଆଇ ଆମ ଏ ଷ୍ଟୁପିଡ଼', 'ଆଇ ଆମ ଏ ଡଙ୍କି' ଲେଖା ହୋଇଥିବା ଏକ ଧାତୁର ପ୍ଲେଟ ଝୁଲାଇ ଦିଆ ଯାଉଥିଲା। ବେଳେବେଳେ ତ ଅପରାଧୀକୁ ଅର୍ଥ ଦଣ୍ଡ ଦିଆ ଯାଉଥିଲା ଯାହାକୁ ଭରଣା କରିବା ଅସମ୍ଭବ ଥିଲା।
କ୍ରମଶଃ...
୧୨.୧୦.୧୮

No comments:
Post a Comment