Ngũgĩ wa Thiong'o କହିଛନ୍ତି ଦୁଇ ସଭ୍ୟତା ଭିତରେ ଅନ୍ତର କଣ ଅଛି ?
ଆମେ ଆମ ଭାଷାରେ କଥା ହେଉଛୁ ବୋଲି ଆମ ଶିକ୍ଷକମାନେ କେମିତି ଜାଣୁଥିଲେ ଓ ସେମାନେ କେମିତି ଆମକୁ ଧରୁଥିଲେ ?
ଆମ ଭିତରୁ ଯିଏ ଭୟରେ ଇଂରାଜୀ କହି ଦେଉଥିଲା ସେ ତାକୁ ଗୋଟିଏ ବୋତାମ ଧରାଇ ଦେଉଥିଲେ ଏବଂ କହୁଥିଲେ, ଦେଖ ତୁମ ସାଙ୍ଗ ଭିତରୁ ଯଦି କେହି ଗିକୁୟୁ ଭାଷା କହିବ, ତେବେ ତାକୁ ଏଇ ବୋତାମଟିକୁ ଦେଇଦେବ। ସ୍କୁଲ ଛୁଟି ହେବା ବେଳକୁ ଯାହା ହାତରେ ବୋତାମ ରହୁଥିଲା, ସେହି ସମସ୍ତ ଅପରାଧୀ ମାନଙ୍କୁ ଏକାଠି କରାଯାଉଥିଲା। ଅର୍ଥାତ୍ ଏହା ଦ୍ୱାରା ପରସ୍ପର ପ୍ରତି ବେଇମାନୀ କିପରି ହେବ, ଏଇ ଶିକ୍ଷା ଇଂରେଜମାନେ ପିଲାବେଳୁ ଆମକୁ ଶିଖାଉ ଥିଲେ।
କିନ୍ତୁ ଯେଉଁ ପିଲା ଇଂରାଜୀ କହି ଦେଉଥିଲା ସେ ପୁରସ୍କୃତ ହେଉଥିଲା। ଇଂରାଜୀ କହିବା ହିଁ ଶିକ୍ଷାର ଏକମାତ୍ର ମାନଦଣ୍ଡ ହୋଇଯାଇଥିଲା।
ଆମେ ସବୁ ଘରେ ସାମୂହିକ ଜୀବନ, ପରସ୍ପର ପ୍ରେମ, ସଦଭାବ ଓ କାହା ମନରେ କଷ୍ଟ ନ ଦେବା, ଏ ସବୁ ବୁଢ଼ୀ ମା' ଠାରୁ କାହାଣୀ ମାଧ୍ୟମରେ କିମ୍ବା ସ୍ଥାନୀୟ ଖେଳ ମାଧ୍ୟମରେ ଶିଖୁଥିଲୁ। କିନ୍ତୁ ସ୍କୁଲରେ ଆସି ଆମେ ପରସ୍ପର ପ୍ରତି ବେଇମାନୀ କରିବା, ଘୃଣା କରିବା, ବ୍ୟକ୍ତିବାଦୀ ହେବା ଇଂରେଜ ଶିକ୍ଷକଙ୍କ ଠାରୁ ଶିଖିଲୁ।
ଇଂରାଜୀ ଶିକ୍ଷାର ହେତୁ କଣ୍ ଥିଲା ?
ଆମ ସମ୍ପତ୍ତି ଦଖଲ ।
ଆମେ କେମିତି ଚାଷ କଲୁ, କେମିତି ଅମଳ କଲୁ, ବିତରଣ କେମିତି କଲୁ, ଇତ୍ୟାଦି ଜାଣି ଆମକୁ ତାଙ୍କ ଅଧୀନ କରିବା ତାଙ୍କର ଏକମାତ୍ର ଉଦ୍ଦେଶ୍ୟ ଥିଲା।
ଆମର ଧନ ସମ୍ପତ୍ତି ସେମାନେ ତାଙ୍କ ସେନା ଦ୍ୱାରା ପ୍ରଥମେ ଅଧିକାର କରୁଥିଲେ। ତା ପରେ ରାଜନୈତିକ ଅତ୍ୟାଚାର ବା ଏକଛତ୍ରବାଦ ଶାସନ କରୁଥିଲେ। ତାଙ୍କୁ ଜଣା ଥିଲା ଧନ ସମ୍ପତ୍ତି ଠାରୁ ବଡ଼ ହେଉଛି ଏମାନଙ୍କ ମନ-ମସ୍ତିଷ୍କ ଓ ସଂସ୍କୃତି। ତେଣୁ ସେମାନେ ଚେଷ୍ଟାକରି ମାନସିକ ଗୋଲାମୀ କରାଇବାର ସବୁ ବ୍ୟବସ୍ଥା ଆମପାଇଁ କରିଦେଲେ। ଲୋକମାନଙ୍କ ପାଖରେ ନିଜକୁ ଓ ଦୁନିଆଁକୁ ଦେଖିବାର ଦୃଷ୍ଟି ଯାହା ଥିଲା, ଏ ଉପନିବେଶବାଦୀମାନେ ପ୍ରଥମେ ସେହି ଦୃଷ୍ଟି ତଥା ସେହି ମାନସିକତା ବଦଳାଇ ଦେଲେ। ଆର୍ଥିକ ଓ ରାଜନୈତିକ ନିୟନ୍ତ୍ରଣ ସେ ପର୍ଯ୍ୟନ୍ତ ସମ୍ଭବ ହେବ ନାହିଁ ଯେ ପର୍ଯ୍ୟନ୍ତ ମାନସିକ ପରିବର୍ତ୍ତନ ନ ହୋଇଛି। ଲୋକଙ୍କ ସଂସ୍କୃତି ଉପରେ ନିୟନ୍ତ୍ରଣର ଅର୍ଥ ହେଉଛି ସେହି ସବୁ ବିଷୟକୁ ନିୟନ୍ତ୍ରିତ କରିବା ଯାହା ଦ୍ୱାରା ସେମାନଙ୍କର ଅନ୍ୟମାନଙ୍କ ପ୍ରତି ଥିବା ଦୃଷ୍ଟିକୋଣରେ ପାର୍ଥକ୍ୟ ପରିଲକ୍ଷିତ ହେବ। ଏଥିପାଇଁ ସେମାନେ ଦୁଇ ପ୍ରକାର ଚେଷ୍ଟା କରୁଥିଲେ। ପ୍ରଥମଟି ହେଲା ସଂସ୍କୃତିର ସମୂଳେ ବିନାଶ। ଦ୍ୱିତୀୟଟି ହେଲା ସଂସ୍କୃତିର ଅଵମୂଲ୍ୟାୟନ। ଗୋଲାମ ଜାତିର କଳା, ନୃତ୍ୟ, ଧର୍ମ, ଇତିହାସ, ଭୂଗୋଳ, ଶିକ୍ଷା, ସାହିତ୍ୟକୁ ନଷ୍ଟ କରାଯାଉଥିଲା, ନାହିଁ ତ ଅଵମୂଲ୍ୟାୟନ କରାଯାଉଥିଲା। ଏଥିପାଇଁ ମୁଖ୍ୟ ଆୟୁଧ ଥିଲା ଭାଷା। ତେଣୁ ସେମାନେ ନିଜର ଭାଷାକୁ ଉନ୍ନତ ବୋଲି କହି ବାକି ସବୁକୁ ନିଜ ଭାଷା ଦ୍ୱାରା ନିୟନ୍ତ୍ରଣ କରିବାକୁ ଉଚିତ ମଣୁଥିଲେ।
ଏହାଦ୍ୱାରା ହେଲା କଣ ?
ଆମେରିକାର Mehrez Samia (Professor and Director of Center for Translation Studies, Department of Arab and Islamic Civilization) କହିଛନ୍ତି -
ଉପନିବେଶବାଦର ଏହିପରି ଦୁଷ୍ପ୍ରଭାଵ କାରଣରୁ ଏଥିରୁ ମୁକ୍ତି ପାଇବା ପାଇଁ ସବୁଠି ସ୍ୱାଧୀନତା ସଂଗ୍ରାମ ଜନ୍ମ ନେଲା।
ଗୋଟିଏ ପଟେ ଚାଲିଲା ଔପନିବେଶୀକରଣ
ଅନ୍ୟ ପଟେ ଚାଲିଲା ଶୁଦ୍ଧି କରଣ।
ସ୍ୱାଧୀନତା ସଂଗ୍ରାମ ବେଳେ ଉଭୟେ ମୁକ୍ତି ଚାହିଁଲେ।
ଯେଉଁମାନେ ଗୋଲାମ ହୋଇଥିଲେ ସେମାନେ ନିର୍ଭରତାରୁ ମୁକ୍ତି ଚାହୁଁଥିବା ବେଳେ, ଉପନିବେଶବାଦୀମାନେ ବଂଶବାଦ, ପ୍ରତିନିଧିତ୍ୱ ଓ ସଂସ୍ଥାବୋଧରୁ ମୁକ୍ତି ଚାହିଁଲେ।
ସମୀୟାଙ୍କ ଏହି କଥାରୁ ଜଣାପଡୁଛି ଯେ, ପୁରୁଣା ସାମ୍ରାଜ୍ୟବାଦୀଙ୍କ ବଂଶବାଦ ଓ କଳା ଗୋରା ନୀତି ଆଉ କିଛି କାମ କଲା ନାହିଁ।
ସମୀୟା ପୁଣି କହିଛନ୍ତି ଯେ ଏହି ସାମ୍ରାଜ୍ୟବାଦୀ ମାନସିକତା ଏ ପର୍ଯ୍ୟନ୍ତ ସେମାନଙ୍କ ମନରୁ ଯାଇ ନାହିଁ। ଉଭୟ ପକ୍ଷ ପୁନର୍ନିରୀକ୍ଷଣ କରି ଏଥିରୁ ମୁକ୍ତି ପାଇବା ଆବଶ୍ୟକ। ବିଶେଷକରି କେବଳ ରାଜନୈତିକ ସ୍ୱାଧୀନତା ପର୍ଯ୍ୟାପ୍ତ ନୁହଁ, ତାକୁ ଛାଡ଼ି ଅନ୍ୟ ସବୁ କ୍ଷେତ୍ରରେ ଯେଉଁ ପାଶ୍ଚାତ୍ୟ ଆଧିପତ୍ୟ ରହିଛି ସେ ସବୁକୁ ସ୍ଥାନୀୟ ମୂଲ୍ୟବୋଧ ଓ ବୈଚାରିକ ସ୍ତରରେ ପୁନଃ ପରୀକ୍ଷଣ କରି ସମାପ୍ତ କରିବା ଆବଶ୍ୟକ।
କ୍ରମଶଃ....
୧୩.୧୧.୧୮

No comments:
Post a Comment