ଭାରତରେ ଔପନିବେଶିକ ମାନସିକତାରୁ ମୁକ୍ତି ପାଇବାରେ ଯେଉଁ ସଂଘର୍ଷ ସ୍ୱାଧୀନତା ଆନ୍ଦୋଳନ ସମୟରୁ ଚାଲି ଆସିଲା ସେଥିରେ ଅସଫଳ ହେବାର ଅନେକ କାରଣ ରହିଛି। ଆମେ ଏଠାରେ ସାତଟି ମୁଖ୍ୟ ଦିଗ ଉପରେ ଧ୍ୟାନ କେନ୍ଦ୍ରିତ କରିବା।
୧. ଚୟନିତ ବିରୋଧୀ - ସ୍ୱାଧୀନତା ସଂଗ୍ରାମ ସମୟରେ ବା ସାମ୍ରାଜ୍ୟବାଦୀଙ୍କ ବିରୋଧରେ ହେଉଥିବା ଆନ୍ଦୋଳନ ସମୟରେ ମଞ୍ଚ ଓ ବିମର୍ଶରେ ବିଭିନ୍ନ ରାଜନୈତିକ ଦଳ ସହ ବିଭିନ୍ନ ବିଚାରଧାରାର ସମାବେଶ ହେଉଥିଲା। ଏସବୁ ବିଚାରଧାରାର ଭଲ ମନ୍ଦ ବିଷୟରେ ଆଲୋଚନା କରିବା ଏକ ଅଲଗା ପ୍ରଶ୍ନ, ପରନ୍ତୁ ସମସ୍ତେ ପ୍ରାୟତଃ ୟୁରୋପୀୟ ଚିନ୍ତାନାୟକ ମାନଙ୍କର ଯଥା - ସାମ୍ୟବାଦ, ସମାଜବାଦ ଓ ପୁଞ୍ଜିବାଦ କିମ୍ବା ବ୍ୟକ୍ତିବାଦର ଭାଷାକୁ ବ୍ୟବହାର କରୁଥିଲେ। ସେଇ ଚିନ୍ତାଧାରାରୁ ମଧ୍ୟ ଆଧୁନିକତାର ଧାରଣା ଜନ୍ମ ନେଲା। ଏ ସବୁ ପ୍ରଶ୍ନ ଉପରେ ଶିକ୍ଷିତ ଭାରତୀୟମାନେ ଭାରତୀୟ ସନ୍ଦର୍ଭ, ଭାରତୀୟ ମାନସ ଓ ଭାରତବୋଧକୁ ଉପେକ୍ଷା କଲେ। ପର ବିଚାରଗୁଡ଼ିକୁ ଏବଂ ତା'ର ମୌଳିକ ସ୍ୱରୂପକୁ ପ୍ରାୟତଃ ଆପଣେଇ ନେଲେ । ଏହି କାରଣରୁ ଭାରତର ଭାଷାକୁ ଛାଡ଼ି ବିଦେଶୀ ଶାସକର ଭାଷା କହିବା ଓ ଏହା ହିଁ ବୌଦ୍ଧିକ ଉନ୍ନତିର ଏକ ମାତ୍ର ରାସ୍ତା ବୋଲି ଏମାନଙ୍କ ମନରେ ଘର କରିଗଲା। ଏହା ଥିଲା ଭାରତୀୟ ସାଂସ୍କୃତିକ ପ୍ରବାହ, ଭାରତର ମୌଳିକତା ଓ ଭାରତୀୟ ମାନସିକତା ଉପରେ ଗଭୀର ଆଘାତ। ଗୋରାମାନଙ୍କ ଚତୁରତା, ସେମାନଙ୍କ ଭୌତିକ ଉନ୍ନତି ଆମ ଦେଶର ବଡ଼ ବଡ଼ ନେତୃବୃନ୍ଦଙ୍କ ପାଇଁ ହୋଇଯାଇଥିଲା ଆଦର୍ଶ। କାରଣ ୟା ଭିତରେ ଗୋରା ଇଂରେଜମାନେ ନିଜ ପସନ୍ଦର କଳା ଇଂରେଜ ନେତାଙ୍କୁ ହିଁ ମାନ୍ୟତା ଦେଉଥିଲେ। ତାଙ୍କର ଅସଲ ଶତ୍ରୁ ଯଥା - କ୍ରାନ୍ତି କାରୀମାନଙ୍କୁ ହତ୍ୟା କରିବା ଓ ଦେଶଭକ୍ତ ନେତାଙ୍କ ଭାଷଣକୁ ଦେଶ ଦ୍ରୋହ ବୋଲି କହିବା ତାଙ୍କ ନୀତି ଥିଲା। ସଭ୍ୟତା ଓ ସଂସ୍କୃତିର ଅସଲ ରକ୍ଷକ ଅର୍ଥାତ୍ ଏ ଦୁଇ ପ୍ରକାର ଲୋକଙ୍କୁ ଯିଏକି ତାଙ୍କର ଅସଲ ଶତ୍ରୁ ଏମାନଙ୍କୁ ଚୁପଚାପ ହତ୍ୟା ଓ ଦମନ କରିବା ସହିତ ଯେଉଁମାନେ ଗୋରାମାନଙ୍କ ଗୁଣଗାନ କରିବେ ତାଙ୍କୁ ଶତ୍ରୁ (ଚୟନିତ ଶତ୍ରୁ) ବୋଲି ଘୋଷଣା କରି, ତାଙ୍କ ସହିତ ସମ୍ମାନର ସହ କଥା ହୋଇ ନିଜର ସମର୍ଥକ ବଢ଼ାଇବା ତାଙ୍କର କୌଶଳ ଥିଲା। ଯଦି ବି ଏଭଳି ଚୟନିତ ନେତାମାନେ ଜେଲ ଯାଉଥିଲେ, ସେମାନଙ୍କ ପ୍ରତି ନାମକୁ ମାତ୍ର ଦଣ୍ଡ ବିଧି (କୋହଳ) ଲାଗୁ ହେଉଥିଲା। ସେମାନଙ୍କୁ ବଡ଼ ନେତା କରି ଉପସ୍ଥାପନ କରାଯାଉଥିଲା। ସେମାନଙ୍କ ଆଗରେ ନେତା ନ ଥିଲେ ବାଲ ଗଙ୍ଗାଧର ତିଳକ, ବିପିନ ଚନ୍ଦ୍ର ପାଲ, ମହର୍ଷି ଅରବିନ୍ଦ, ରାଜ ନାରାୟଣ ବସୁ ଆଦି ଦେଶଭକ୍ତ ନେତାଗଣ। କାରଣ ଏମାନଙ୍କ ଲେଖାରେ ଓ ଭାଷଣରେ ଭାରତୀୟ ସଭ୍ୟତା ଓ ଭାରତୀୟ ସଂସ୍କୃତିର ସୁରକ୍ଷା ବିଷୟ ସ୍ଥାନ ପାଉଥିଲା। ଚୟନିତ ନେତାମାନଙ୍କ ଦ୍ଵାରା ଏମାନଙ୍କୁ ମୁଖ୍ୟ ସ୍ରୋତରୁ ଅଲଗା ରଖିବାର ରୀତିମତ ଚେଷ୍ଟା ଚାଲିଲା ଓ ଏହି ହୀନ କାର୍ଯ୍ୟରେ ସେମାନେ ସଫଳ ହେଉଥିଲେ। ସେହି ଚୟନିତ ନେତାମାନେ ଦେଶ ସ୍ୱାଧୀନ ହେବା ପରେ ବୈଧାନିକ ନେତା ହୋଇଗଲେ। ଯାହା ପର ବୁଦ୍ଧିରୁ ଶିଖିଥିଲେ ତାହା ହିଁ ତାଙ୍କ ମଧ୍ୟରେ ପ୍ରତିଫଳିତ ହେଲା। ଯିଏ ଭାରତୀୟ ସଭ୍ୟତା ଓ ଭାରତୀୟ ସଂସ୍କୃତି ରକ୍ଷାର କଥା କହିଲା ସେ ହୁଏ ତ ଦଳରୁ ବହିଷ୍କାର ହେଲା ନାହିଁ ତ ମୁଖ୍ୟ ବୌଦ୍ଧିକ ସ୍ରୋତରୁ ତାକୁ ଅଲଗା କରିଦିଆଗଲା। ମିଥ୍ୟା ମନଗଢ଼ା ଅଭିଯୋଗ କରି ତାଙ୍କୁ ଜେଲର କଳା କୋଠରୀକୁ ପଠାଇ ଦିଆଗଲା।
କ୍ରମଶଃ....
୨୯.୧୦.୧୮

No comments:
Post a Comment