Sunday, 28 October 2018

*ପର ବୁଦ୍ଧିରେ କ'ଣ ଘର ଚାଲିବ ?*

ପ୍ରାଚ୍ୟବାଦ ହେଉ ବା ଉତ୍ତର ଆଧୁନିକ ବିମର୍ଶ ଉଭୟଙ୍କ ଭିତରୁ କେହି ବୈଶ୍ବିକ ସମ୍ବାଦର ଲୋକତାନ୍ତ୍ରିକରଣ କରିପାରିଲେ ନାହିଁ। ପ୍ରତ୍ୟେକ ନୂଆ ସିଦ୍ଧାନ୍ତ ଯାହା ୟୁରୋପରୁ ଉପୁଜିଛି ଯାହାକୁ ଅଣ-ୟୁରୋପୀୟ ଦେଶଗୁଡ଼ିକର ବିଦ୍ୱାନମାନେ ଏକ ନୂଆ ଉପଲବ୍ଧି ମାନି ପଢ଼ନ୍ତି, ବୁଝନ୍ତି, ବ୍ୟାଖ୍ୟା କରନ୍ତି ଓ ଶେଷରେ ନିଜ ଚିନ୍ତାଧାରା ଓ ପାଠ୍ୟ ପୁସ୍ତକକୁ ସେହି ଢାଞ୍ଚାରେ ପକାଇବାରେ ଲାଗିପଡ଼ନ୍ତି, ପ୍ରକୃତରେ ଏପରି ପାଶ୍ଚାତ୍ୟରୁ ଉପୁଜିଥିବା ସବୁ ଚିନ୍ତନଧାରା ପଶ୍ଚାତ୍ୟର ବୈଚାରିକ ନେତୃତ୍ୱର ଦାବିକୁ ଓ ଅପ୍ରତ୍ୟକ୍ଷ ବୌଦ୍ଧିକ ଦମନକୁ ବୈଧାନିକତା ପ୍ରଦାନ କରିଥାଏ।

ଏଥିପାଇଁ ଆଜିର ଆବଶ୍ୟକତା ହେଉଛି ତାହାର ମୂଳ କେଉଁଠି ସେ ବିଷୟରେ ବିଚାର ହେଉ ଏବଂ ତାହାକୁ ଭାରତୀୟ ଦୃଷ୍ଟିକୋଣରୁ ପରୀକ୍ଷଣ କରାଯାଉ। ପାଶ୍ଚାତ୍ୟ ଯେଉଁ ସ୍ଥାନୀୟତାର ବୈଶିଷ୍ଟ୍ୟକୁ ମହତ୍ତ୍ୱ ଦେବାର କଥା କହୁଛି ସେଥିରେ ଭାରତର ବିବିଧତାର କଣ ଅର୍ଥ ବାହାର କରାଯାଉଛି ଓ ଭାରତୀୟ ପରିବେଶରେ ଅନେକତାର ଯେଉଁ ଅର୍ଥ ଯାହା ବସ୍ତୁତଃ ଭାରତୀୟ ଜୀବନପଦ୍ଧତିର ଅଂଶ ଅଟେ ତାହା ପାଶ୍ଚାତ୍ୟବାସୀଙ୍କ ବହୁଳତାବାଦ(ପ୍ଲୁରାଲିଜିମ) ଠାରୁ କିପରି ଭିନ୍ନ ଏହି ପ୍ରଶ୍ନ ସହିତ ଉଭୟର ଦାର୍ଶନିକ ଇତିହାସର ବିକାଶ ପ୍ରକ୍ରିୟାକୁ ବୈଦିକ ସଭ୍ୟତାର ଆରମ୍ଭ ସହ ତୁଳନାତ୍ମକ ବା ଆଲୋଚନାତ୍ମକ ଅଧ୍ୟୟନ କରାଯାଉ।

ପାଶ୍ଚାତ୍ୟ ବିଚାର କେତେ ଶହ ବର୍ଷ ହେଲା ଅର୍ଥାତ୍ ସାମ୍ରାଜ୍ୟବାଦର ଉତ୍ପତ୍ତି ପରଠାରୁ ପ୍ରମୁଖତଃ ତୁଳନାତ୍ମକ ଅଧ୍ୟୟନର କ୍ଷେତ୍ର ହୋଇ ରହିଛି। କିନ୍ତୁ ଏଥିରେ ସଭ୍ୟତାର ଅଧ୍ୟୟନ ସହ ସଂସ୍କୃତିର ବିକାଶର ତୁଳନାତ୍ମକ ଅଧ୍ୟୟନ କାହିଁ ?

ଇଂରେଜ ଶାସନ ସମାପ୍ତି ପରେ ମଧ୍ୟ ଭାରତରେ ସବୁ କ୍ଷେତ୍ରରେ ୟୁରୋପୀୟ ବିଚାରଧାରା ଚାଲୁ ରହିଲା। ଶାସନର ସେଇ ପୁରୁଣା ପଦ୍ଧତି, ବୁଦ୍ଧି ବିଚାରର ପ୍ରକ୍ରିୟା ସେମିତି ଚାଲି ଆସିଛି। ତାଙ୍କରି ବିଚାର ଆଜି ଆମର ଦର୍ପଣ ହୋଇଛି। ଏହାକୁ ଭାରତୀୟ ବୋଲି କହିବାରେ ଅଯଥା ବୁଦ୍ଧିର କସରତ କରାଯାଉଛି। ଏଇ ପରବୁଦ୍ଧି ଘର ସଜାଡ଼ିବା ପରିବର୍ତ୍ତେ ଘରକୁ ଭାଙ୍ଗିବାରେ ହିଁ ସାହାଯ୍ୟ କରେ।

୨୮.୧୦.୧୮

No comments: