Sunday, 21 October 2018

*ଅଭିବ୍ୟକ୍ତି 'ସ୍ୱ'ତ୍ୱର ନା ଦାସତ୍ୱର ?*

ଶ୍ରୀ ଭଟ୍ଟାଚାର୍ଯ୍ୟ ପୁଣି କହୁଛନ୍ତି ଯଦି ସାର୍ବଭୌମ କିଛି ଥାଏ ତେବେ ତାହା ହେଉଛି ଆମର ବ୍ୟକ୍ତିଚେତନା, ଆମର ଆମ ଆଦର୍ଶ ପ୍ରତି ନିଷ୍ଠା ଓ ଅନ୍ୟ ଆଦର୍ଶ ପ୍ରତି ଆଦର। ଏହା ସହିତ ଯଦି ଆମେ କେଉଁ ବିଦେଶୀ ଆଦର୍ଶକୁ ଆମ ଆଦର୍ଶ ଭିତରେ ପାଇଥାନ୍ତି ତେବେ ତାକୁ ଅସ୍ବୀକାର କରନ୍ତି ନାହିଁ। ଠିକ ସେହିପରି ଯେ ପର୍ଯ୍ୟନ୍ତ ଆମେ ତାକୁ ନିଜ ଆଦର୍ଶ ଭିତରେ ନ ପାଆନ୍ତି ସେ ପର୍ଯ୍ୟନ୍ତ ସ୍ୱୀକାର କରିବା ଠିକ ହେବ ନାହିଁ।

କିନ୍ତୁ ଦେଖାଯାଉଛି ଯେ ଅନ୍ୟମାନେ ଆମକୁ ଯେଉଁ ନିକୃଷ୍ଟ ମୂଲ୍ୟାଙ୍କନ କରୁଛନ୍ତି, ତାକୁ ଅସ୍ବୀକାର କରିବା ବଦଳରେ ଆମେ ତାକୁ ମୁଣ୍ଡପାତି ସ୍ୱୀକାର କରିନେଉଛୁ।

ହଁ, କିଛି ବିଶେଷ ବିଷୟକୁ ସ୍ୱୀକାର କରାଯାଇ ପାରେ। ସେହିପରି କିଛି ବିଷୟ ହେଲା ବିଜ୍ଞାନ, ଗଣିତ ଓ ପ୍ରାକୃତିକ ବିଜ୍ଞାନ। ଏଥିରେ କିଛି ଅଲଗା ମୂଲ୍ୟାଙ୍କନ ହୁଏ ନାହିଁ।

କିନ୍ତୁ ଏହା ବ୍ୟତୀତ ବାକି ସମସ୍ତ ବିଷୟର ମୂଲ୍ୟାୟନ ସ୍ଥାନ, କାଳ ଅନୁସାରେ ଅଲଗା ଅଲଗା ହୋଇଥାଏ। ତେଣୁ ଏହାକୁ ସ୍ୱୀକାର କରିବା ଆଗରୁ ପରୀକ୍ଷା ନିରୀକ୍ଷା କରି ନେବା ଉଚିତ। ଯାହା ବି ହେଉ ଆମେ କହୁଛୁ, ତେଣୁ ଗ୍ରହଣ କର, ଏପରି ଦାଦାଗିରି କରି କେହି ଯଦି ଏହାକୁ ଜବରଦସ୍ତ ଆମ ଉପରେ ଥୋପିବା ଆରମ୍ଭ କରେ ତେବେ  ଏହାକୁ ସ୍ୱୀକାର ନ କରି ବିରୋଧ କରିବା ଉଚିତ।

ସେମାନଙ୍କର ଯେଉଁ ଆଦର୍ଶ ଆମ ସହ ମିଶୁଛି ତାକୁ ସ୍ୱୀକାର କରିବା ବେଳେ ସେଥିରେ ଥିବା ରୂପକ ମାନଙ୍କୁ ଓ ପ୍ରତୀକ ମାନଙ୍କୁ ଆମ ଦେଶର ଅଵଧାରଣା ଅନୁସାରେ ଅନୁବାଦ କରିବା ଉଚିତ ହେବ। ଉପଯୁକ୍ତ ପରୀକ୍ଷା ନିରୀକ୍ଷା ପରେ ଉଚିତ ବିଷୟକୁ ଯାହା ଆମ ପାଇଁ ଉପଯୋଗୀ ତାକୁ ଗ୍ରହଣ କଲେ, ତାହା ଆମର କୌଣସି କ୍ଷତି କରିବ ନାହିଁ, ବରଂ ଆମ ଉନ୍ନତି ପଥରେ ସହାୟକ ହେବ।

କିନ୍ତୁ ବିଚାର ପରିସରରେ ଆମେ ଦେଖିବାକୁ ପାଉଛୁ ଯେ ଅଧିକାଂଶ ପାଶ୍ଚାତ୍ୟ ବିଚାର ଗ୍ରହଣ କରୁଥିବା ବ୍ୟକ୍ତି ଭାବୁଛନ୍ତି ଯେ ସେମାନେ କେବଳ ସାଧାରଣ ଲୋକଙ୍କ ଜୀବନ ଓ ବୁଦ୍ଧିକୁ ସ୍ପନ୍ଦିତ କରିପାରିବେ। ସେମାନେ ଆମର ଜାତି ବ୍ୟବସ୍ଥାକୁ ବଢ଼ି ଚଢ଼ି ନିନ୍ଦା କରନ୍ତି।

କିନ୍ତୁ ଏଇ ପାଶ୍ଚାତ୍ୟ ଶିକ୍ଷା ପ୍ରାପ୍ତ ବ୍ୟକ୍ତିମାନେ ଭୁଲି ଯାଉଛନ୍ତି ଯେ ସେମାନେ ଗୋଟିଏ ବିଶିଷ୍ଟ ଜାତି ନିର୍ମାଣ କରିବାକୁ ଯାଉଛନ୍ତି। ମୋର ମନେହୁଏ ସେମାନଙ୍କ ଦ୍ବାରା ନିର୍ମାଣ ହେଉଥିବା ଏହି ବିଶିଷ୍ଟ ଜାତି ଆମର ପରମ୍ପରାଗତ ଜାତିବ୍ୟବସ୍ଥା ଠାରୁ ଅଧିକ ମାରାତ୍ମକ ଓ ଅଧିକ ଅସହିଷ୍ଣୁ ହେବ।

Ngũgĩ wa Thiong'o ଙ୍କ ଠାରୁ ଆରମ୍ଭ କରି ଶ୍ରୀ ଭଟ୍ଟାଚାର୍ଯ୍ୟଙ୍କ ପର୍ଯ୍ୟନ୍ତ ବିଶିଷ୍ଟ ଦାର୍ଶନିକଙ୍କ ମଧ୍ୟରେ ଗୋଟିଏ ସମାନତା ଦେଖିବାକୁ ମିଳେ। ଏଇ ବିଦ୍ୱାନ ଦୁଇ ଜଣ ଅଭିବ୍ୟକ୍ତିର ସ୍ୱାଧୀନତାର ସ୍ଲୋଗାନକୁ ଓ ଏହି ସିଦ୍ଧାନ୍ତର ପାତ୍ରତାର ପରିଧିକୁ ବହୁତ ପ୍ରସାରିତ କରିଦେଇଛନ୍ତି। ତାଙ୍କ ଅନୁସାରେ 'କଣ କହିବା', 'କେବେ କହିବା' ର  ସ୍ୱାଧୀନତାକୁ ଅଭିବ୍ୟକ୍ତିର ସ୍ୱାଧୀନତା କୁହାଯାଇ ପାରିବ ନାହିଁ। ପରନ୍ତୁ କହିବା ପଛରେ ଥିବା ମନ, ମସ୍ତିଷ୍କ ଓ ବାତାବରଣକୁ ମଧ୍ୟ ବିଚାର କରିବାକୁ ପଡ଼ିବ।

ବ୍ୟକ୍ତି ବା ସମାଜ କ'ଣ ବାଧ୍ୟତା ଦ୍ୱାରା ଦାସତ୍ୱକୁ ସ୍ୱୀକାର କରି ସାରିଛି ?

ନା

ଦାସତ୍ୱ ଛାଡ଼ି ଦୁନିଆଁକୁ ନିଜ ଦୃଷ୍ଟିକୋଣରୁ ବିଚାର କରୁଛି ?

ଉଭୟ ଚିନ୍ତାନାୟକ ଏହି ପ୍ରଶ୍ନକୁ ଉତ୍ଥାପନ କରି ଏକ ସାର୍ଥକ ବିମର୍ଶର ଜନ୍ମ ଦେଇଛନ୍ତି।

୨୧.୧୦.୧୮

No comments: