Friday, 19 October 2018

*ଛାୟା-ବୁଦ୍ଧି*

ଭାରତୀୟ ବିଦ୍ୟାରେ ସମନ୍ଵୟକୁ ବେଶୀ ମହତ୍ତ୍ୱ ଦିଆଯାଇଛି। ସମନ୍ଵୟର ଅର୍ଥ ହେଲା ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ ଅନ୍ୟ ସଂସ୍କୃତି ବା ବିଚାର ପ୍ରଣାଳୀ ସହ ସମ୍ପର୍କ କରିବା ଓ ସେଥିରୁ ନିଜ ଅନୁକୂଳ ବିଷୟଗୁଡ଼ିକୁ ଆପଣେଇବା। ବ୍ରହ୍ମସୂତ୍ରରେ ଗୋଟିଏ ସୂତ୍ର ଅଛି 'ତନ୍ତୁ ସମନ୍ଵୟାତ୍'। ଅର୍ଥାତ୍ ପରମ ସତ୍ୟ ପର୍ଯ୍ୟନ୍ତ ସମନ୍ବୟର ମାର୍ଗ ଦେଇ ପହଞ୍ଚି ହେବ।

କୃଷ୍ଣଚନ୍ଦ୍ର ଭଟ୍ଟାଚାର୍ଯ୍ୟ ଉପରୋକ୍ତ ସମନ୍ଵୟ ବିଷୟରେ ଆଲୋଚନା କରିବାକୁ ଯାଇ ଉପନିବେଶବାଦୀଙ୍କ ଚାତୁର୍ଯ୍ୟ ଓ ବୈଚାରିକ ଆଧିପତ୍ୟର କୌଶଳକୁ ଲୋକ ଲୋଚନକୁ ଆଣିଛନ୍ତି। ସେ କହିଛନ୍ତି ଉପନିବେଶବାଦୀଙ୍କ ସମୃଦ୍ଧ ଓ ସମର୍ଥ ଜୀବନରୁ ଉଦ୍ଭୁତ ବିଚାର ଆମ ଭିତରେ ଏକ ଛାୟା-ବୁଦ୍ଧି ସୃଷ୍ଟି କରିଛି। ଆମର ପ୍ରାମାଣିକ ସୃଜନଶୀଳତା ଆଦି ଭଲଗୁଣଗୁଡ଼ିକ ଭୁଲ ବୋଲି ଏହି ଛାୟା-ବୁଦ୍ଧି ଆମକୁ ପ୍ରବର୍ତ୍ତାଉଛି।

ଆମେ ଆଶା କରୁଥିଲୁ ଯେ ଏକ ଶତାବ୍ଦୀରୁ ଅଧିକ ସମୟ ଏଇ ଉପନିବେଶବାଦୀଙ୍କ ପ୍ରାଣବାନ ପାଶ୍ଚାତ୍ୟ ବିଚାର ସଂସ୍ପର୍ଶରେ ଆସିବା ପରେ ଆଧୁନିକ ବିଶ୍ୱରେ ଭାରତୀୟ ସଂସ୍କୃତି ଓ ଚିନ୍ତନର ପ୍ରବଳ ପ୍ରଚାର ହେବ। ବିଶେଷକରି ଭାରତୀୟ ଇତିହାସ, ଦର୍ଶନ, ସାହିତ୍ୟ ଭଳି ମାନବୀୟ ବିଷୟ ଯାହାକୁ ନେଇ ବିଶ୍ୱବାସୀ ଲାଭାନ୍ବିତ ହୋଇପାରିଥାନ୍ତେ ଯାହା ଆଜି ମଧ୍ୟ ଆମ ଦେଶର ଲୋକଙ୍କ ମାନସ ପଟରେ ଅମ୍ଳାନ ହୋଇ ରହିଛି, ଯାହାକୁ ଭାରତୀୟ ଚେତନାର ବିଶିଷ୍ଟ ଯୋଗଦାନ ବୋଲି କୁହାଯାଇ ପାରିଥାନ୍ତା, ସେପରି କିଛି ହେଲା ନାହିଁ। କତିପୟ  ଅସାଧାରଣ ପ୍ରତିଭାସମ୍ପନ୍ନ ବ୍ୟକ୍ତିତ୍ୱ ସ୍ଵୀୟ ପ୍ରତିଭା ବଳରେ ଯାହା କିଛି ଯୋଗଦାନ ଦେଇଛନ୍ତି। ତାଙ୍କୁ ଛାଡ଼ି ଦେଲେ ଶିକ୍ଷିତ ଭାରତୀୟଙ୍କ ଯୋଗଦାନର କୌଣସି ପ୍ରମାଣ ମିଳେ ନାହିଁ।

ବୋଦ୍ଧିକ ଯୋଗଦାନ ଏକ ନିରନ୍ତର ପ୍ରକ୍ରିୟା ଅଟେ। ଯାହା ଚେତନାର ଅଂଶ ସ୍ୱରୂପ। ପଢ଼ା ଲେଖା ବ୍ୟକ୍ତି ନିଜ ବ୍ୟବସାୟିକ ହିତ ପର୍ଯ୍ୟନ୍ତ ବିଚାର କରନ୍ତି। କରିବା ଉଚିତ ମଧ୍ୟ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ଏଇ ବୁଦ୍ଧିଜୀବୀ ବର୍ଗ ନିଜ ପରିବେଶ ନିଜ ସଂସ୍କୃତି ଆଧାରିତ ବ୍ୟାଖ୍ୟାନ ଗୁଡ଼ିକ ଠାରୁ ନିଜକୁ ଦୂରେଇ ନେଲେ।

ଶ୍ରୀ ଭଟ୍ଟାଚାର୍ଯ୍ୟ ପୁଣି କହୁଛନ୍ତି -

ଦୁନିଆଁ ସାରା ଚାଲୁଥିବା ଆନ୍ଦୋଳନ ଗୁଡ଼ିକର ଚର୍ଚ୍ଚା ଏମାନେ କରନ୍ତି। ପାଶ୍ଚାତ୍ୟ ଜୀବନ ଓ ଚିନ୍ତନର ସିଦ୍ଧାନ୍ତ ଏବଂ ତାହା ସହିତ ସମ୍ପୃକ୍ତ ଥିବା ବିଷୟ ଗୁଡ଼ିକ ଏମାନଙ୍କୁ ଭଲଭାବେ ଜଣା। କିନ୍ତୁ ବାସ୍ତବିକତା ଠାରୁ ଏମାନେ ବହୁ ଦୂରରେ ଥାଆନ୍ତି। ଏମାନଙ୍କୁ ଜଣା ନ ଥାଏ ଯେ ଏମାନେ କେଉଁଠି ଛିଡ଼ା ହୋଇଛନ୍ତି। ଏମାନଙ୍କୁ ଜଣା ନଥାଏ ଯେ ଯେଉଁ ସିଦ୍ଧାନ୍ତ ଗୁଡ଼ିକୁ ପଡ଼ି ଉଠି ଏମାନେ ମୁଖସ୍ତ କରୁଛନ୍ତି, ଏହାକୁ ଜୀବନରେ କିପରି ଲାଗୁକରି ହେବ। ଗୋରା ଲୋକମାନେ ଯେଉଁ ନିର୍ଣ୍ଣୟ ଦେଇଦେଲେ ଏଇ ଆଜ୍ଞାବହମାନେ ତାକୁ କେବଳ ସ୍ୱୀକାର କରନ୍ତି ନାହିଁ ସେଇ କଥାକୁ ବାରମ୍ବାର ଘୋଷି ହୁଅନ୍ତି।

ମନୁଷ୍ୟ ଯେତେବେଳେ ହୀନମନ୍ୟତାର ଶିକାର ହୋଇଯାଏ ସେତେବେଳେ ସେ ନିଜକୁ, ନିଜର କୃତକାର୍ଯ୍ୟକୁ ଧୀକ୍କାର କରେ। ନିଜର ବୁଦ୍ଧିକୁ ସେ ନିନ୍ଦା କରେ।

ପାଶ୍ଚାତ୍ୟ ସାହିତ୍ୟ, ସଂସ୍କୃତି ଓ ବିଚାରକୁ  ଅଧ୍ୟୟନ କରିବା, ସେ ବିଷୟରେ ଆଲୋଚନା କରିବା, ପରୀକ୍ଷଣ କରିବା ଓ ସେଥିରେ ନିଜର ଅଭିମତ ରଖିବା ପ୍ରତ୍ୟେକ ଲେଖକଙ୍କ ଧର୍ମ ଅଟେ। କିନ୍ତୁ ଏପରି ଲେଖକ ଭାରତରେ କ୍ଵଚିତ ମିଳନ୍ତି। ବରଂ ସେମାନେ ଓଲଟା ପ୍ରଶ୍ନ ପଚାରନ୍ତି ଯେ ଭାରତରେ ଏପରି ଲେଖକ କାହାନ୍ତି ? ଅନ୍ୟ ଦେଶର ସାହିତ୍ୟକୁ ସମ୍ମାନ ଦେବାରେ କିଛି ଅସୁବିଧା ନାହିଁ। କିନ୍ତୁ ନିଜ ସାହିତ୍ୟର ତ ଆକଳନ କରିବା। ମୋ ଜାଣିବାରେ ଆମ ସାହିତ୍ୟିକମାନେ ଇଂରାଜୀ ସାହିତ୍ୟକୁ ନିଜ ଭାରତୀୟ ମାନସରେ ମୂଲ୍ୟାଙ୍କନ କରୁ ନାହାନ୍ତି। କାରଣ ମୁଁ ଦେଖୁଛି ତାଙ୍କର ଆକଳନ ଓ ଇଂରେଜ ସାହିତ୍ୟିକର ଆକଳନ ଭିତରେ କିଛି ଅନ୍ତର ନଥାଏ। ଏଥିପାଇଁ ସନ୍ଦେହ ହୁଏ ଯେ ଏହା କ'ଣ ତାଙ୍କର ନିଜସ୍ୱ ବୁଦ୍ଧି ? ଏହା ସୂଚାଇ ଦିଏ ଯେ ଏହା କେବଳ ଉପନିବେଶବାଦୀଙ୍କ ଶିକ୍ଷା ଦ୍ୱାରା ଆମ ବୁଦ୍ଧି ଉପରେ ମାଡ଼ି ଯାଇଥିବା କଳଙ୍କ(ଛାୟା-ବୁଦ୍ଧି)ର ଯାନ୍ତ୍ରିକ ପରିଣାମ ଅଟେ।

କ୍ରମଶଃ...

୧୯.୧୦.୧୮

No comments: