Friday, 26 October 2018

*ବିଚାର ଓ ଦର୍ଶନର ବିସ୍ଥାପନ*

ଭାରତୀୟ ସଂସ୍କୃତି ମୁଖ୍ୟତଃ ବେଦ ଉପରେ ଆଧାରିତ ପନ୍ଥନିରପେକ୍ଷତାରେ ପରିପୂର୍ଣ୍ଣ। ଯେଉଁଥିରେ ସତ୍ୟ ଏକ ଅଟେ ଓ ଏହାକୁ ବିଦ୍ୱାନମାନେ ଅନେକ ପ୍ରକାର ବ୍ୟାଖ୍ୟା କରିଥାନ୍ତି। ଭାରତୀୟ ଦର୍ଶନ ଦ୍ୱନ୍ଦ୍ୱବାଦର ସିଦ୍ଧାନ୍ତକୁ ମାନ୍ୟତା ଦିଏ ନାହିଁ, ଯଦ୍ୱାରା 'ପର ଭାବ' ବୋଧ ଏଥିରେ ନ ଥାଏ। ଏଥିପାଇଁ ଭାରତରୁ ବିକଶିତ ହୋଇଥିବା ଦୁଇଟି ମୁଖ୍ୟ ବିଚାର ପନ୍ଥନିରପେକ୍ଷତା ଓ ରାଷ୍ଟ୍ରବାଦ ସାରା ଦୁନିଆଁକୁ ପ୍ରଭାବିତ କରିଥାଏ। ଏହା ପାଶ୍ଚାତ୍ୟ ବିଚାର ଦ୍ୱାରା ସମ୍ଭବ ନୁହେଁ। ପନ୍ଥନିରପେକ୍ଷତାରେ ଥାଏ ବିବିଧତା, ବିଶ୍ୱାସ, ଜଣେ ଅନ୍ୟର ଭାବନାକୁ ସମ୍ମାନ ଓ ତ୍ୟାଗର ଭାବନା। ଏହାର ବିକାଶ ଏକ ଜୀବନ ପଦ୍ଧତି ରୂପେ ହୋଇଛି ଯାହାର କୌଣସି ଅନ୍ତ ନାହିଁ।

ପାଶ୍ଚାତ୍ୟ ଚିନ୍ତନ ଓ ବିମର୍ଶରେ ଖ୍ରୀଷ୍ଟୀୟ ଦର୍ଶନ ଓ ତାର ବିକାଶକୁ ମହତ୍ତ୍ୱ ଦିଆଯାଇଛି। ଏଥିପାଇଁ ତାଙ୍କ ସେକୁଲାରିଜିମ, ସହିଷ୍ଣୁତାର ଅଵଧାରଣା ଉପରେ ବାଇବେଲ ଓ ଖ୍ରୀଷ୍ଟିଆନମାନଙ୍କର ବିମର୍ଶର ଛାପ ଦେଖିବାକୁ ମିଳେ। ତାଙ୍କ ସାହିତ୍ୟରେ ଏପରି ଧାର୍ମିକ ଶବ୍ଦ ସବୁ ଆସେ ଯାହା ବାହାରକୁ ସାମାନ୍ୟ ଜଣାପଡୁ ଥିଲେ ମଧ୍ୟ ଖ୍ରୀଷ୍ଟ ମତ ପାଇଁ ଏହାର ବହୁତ ଗୁରୁତ୍ୱ ଥାଏ। ଏଣୁ ପଶ୍ଚାତ୍ୟର ଆଧୁନିକତାର ଅଵଧାରଣା ଏକ ବିଶେଷ ଢଙ୍ଗରେ ବିକଶିତ ହୋଇଛି। ପାଶ୍ଚାତ୍ୟ ସମାଜଶାସ୍ତ୍ର ଭାରତୀୟ ସାହିତ୍ୟ ଓ ଭାରତୀୟ ଦର୍ଶନକୁ ଅଧ୍ୟୟନର ବିଷୟବସ୍ତୁ ତ କଲା କିନ୍ତୁ ତାଙ୍କୁ ବିମର୍ଶରେ ଭାଗ ନେବାକୁ ଦେଲା ନାହିଁ। ଏଥିପାଇଁ ଆଧୁନିକତା ଓ ଏପରି ମହତ୍ତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ଦ୍ୱାରା ଦୁନିଆଁର ଦୁଇ ତୃତୀୟାଂଶରୁ ଅଧିକ ଲୋକ ପ୍ରଭାବିତ।

Ronald Inden ତାଙ୍କ ପୁସ୍ତକ

"Imagining India" ରେ

ଠିକ କହିଛନ୍ତି, "ଦୁନିଆଁକୁ ଗଢ଼ିବାର ଯେଉଁ କ୍ଷମତା ଭାରତୀୟଙ୍କ ପାଖରେ ଅଛି ବା ଭାରତୀୟ ବିଧାର ଯେଉଁ ଭିନ୍ନ ଭିନ୍ନ ସଂସ୍ଥାମାନଙ୍କ ପାଖରେ ଅଛି ସେମାନଙ୍କୁ ପାଶ୍ଚାତ୍ୟର ଜ୍ଞାନ ପରମ୍ପରାର ଅନ୍ୟ ବିଧା ଦ୍ୱାରା ବିସ୍ଥାପିତ କରିଦିଆ ଯାଇଛି।

ଇଣ୍ଡେନଙ୍କ କଥାରେ ଏଥିପାଇଁ ସାର୍ଥକତା ଅଛି ଯେ ଭାରତୀୟ ସମାଜଶାସ୍ତ୍ର ୟୁରୋପର  ବିମର୍ଶକୁ ଅଧିନାୟକବାଦୀରୁ ଲୋକତାନ୍ତ୍ରିକ କରିବାକୁ କେବେ ଚେଷ୍ଟା କରି ନାହିଁ। ଏହାର କାରଣ ହୋଇପାରେ ଘୋର ସମର୍ପଣର ଭାବ ନ ହେଲେ ଘୋର ସମାଲୋଚନାର। ଭାରତୀୟ ଦର୍ଶନକୁ ବର୍ତ୍ତମାନ ସହିତ ସନ୍ଦର୍ଭୀକରଣ କରିବାରେ ଓ ସମକାଳୀନ ଦୁନିଆଁର ସମସ୍ୟା ଗୁଡ଼ିକ ଉପରେ ଦାର୍ଶନିକ ଦୃଷ୍ଟି ଓ ଚିନ୍ତନ କରିବାର ପ୍ରକ୍ରିୟାରେ ସମାଜଶାସ୍ତ୍ରର ବିଫଳତାକୁ ଦେଖା ଯାଇପାରେ। ସେପଟେ ୟୁରୋପୀୟ ବିଦ୍ୱାନମାନେ ନିଜ ବିଦ୍ୱତା ଓ ଜ୍ଞାନ ପରମ୍ପରାକୁ କେବେ ମଧ୍ୟ ଅନ୍ୟ ଜ୍ଞାନ ପରମ୍ପରା ଆଗରେ ସମାନ ଭାବେ ଛିଡ଼ା କରିବାକୁ ଦେଲେ ନାହିଁ।

୨୬.୧୦.୧୮

No comments: