ଦୁଇ ଜଣ ପ୍ରସିଦ୍ଧ ବିଦ୍ୱାନ ସାମ୍ରାଜ୍ୟବାଦୀଙ୍କ କବଳରୁ ମୁକ୍ତି ପାଇବାର ଉପାୟ ବତାଇଛନ୍ତି।
ଜଣେ ହେଲେ ଆଫ୍ରିକାର ବିଶିଷ୍ଟ ସାହିତ୍ୟିକ Ngũgĩ wa Thiong'o ଏବଂ ଅନ୍ୟ ଜଣକ ହେଲେ ଭାରତର ଦାର୍ଶନିକ କୃଷ୍ଣ ଚନ୍ଦ୍ର ଭଟ୍ଟାଚାର୍ଯ୍ୟ। ଦୁଇଜଣଯାକ ନିଜ ପରିବେଶ, ସାଂସ୍କୃତିକ ଐତିହ୍ୟ, ଇତିହାସ, ସାମ୍ରାଜ୍ୟବାଦୀଙ୍କ ଅତ୍ୟାଚାର ଓ ତା'ର ସାଂସ୍କୃତିକ, ମାନସିକ ଦୁଷ୍ପରିଣାମ ତଥା ଆଗାମୀ ପିଢ଼ି ଭିତରେ ଆତ୍ମଗ୍ଳାନି ଓ ଅନ୍ୟ ସାଂସ୍କୃତିକ ବିଚାର ପ୍ରତି ଧ୍ୟାନ ଆକୃଷ୍ଟ କରିଛନ୍ତି। ସାମ୍ରାଜ୍ୟବାଦ ନିଃଶବ୍ଦ ସାଂସ୍କୃତିକ ଆକ୍ରମଣ କରିବା ପୂର୍ବରୁ ଲୋକଙ୍କ ଆତ୍ମବିଶ୍ୱାସ ଉପରେ ଆଘାତ କରନ୍ତି। ପରେ ତାଙ୍କୁ ଏକ ନୂଆ ପରିଚୟ ଯୋଗାଡ଼ କରିବାର ରାସ୍ତା ଧରେଇ ଦିଅନ୍ତି। ଏହି ପରିଚୟ ବାସ୍ତବରେ ବ୍ୟକ୍ତି ଭିତରେ ଥିବା ମୌଳିକ ମନୁଷ୍ୟକୁ ହଟେଇ ଦେଇ ବା ତା'ର ସ୍ୱ କୁ ହଟେଇ ଦେଇ ଅନ୍ୟ ଦ୍ୱାରା ଆରୋପିତ ଚେତନାର ମନୁଷ୍ୟରେ ପରିବର୍ତ୍ତିତ କରାଇଦିଏ।
ଏହାକୁ ପରକାୟା ପ୍ରବେଶ କହନ୍ତି। ଏହାର ସୁନ୍ଦର ଉଦାହରଣ ହେଉଛନ୍ତି ଆଦି ଶଙ୍କରାଚାର୍ଯ୍ୟ। ସେ ଯେତେବେଳେ ଭାରତୀ ଦେବୀଙ୍କ ପ୍ରଶ୍ନର ଉତ୍ତର ପାଇବା ପାଇଁ ଏକ ମୃତ ରାଜାର କାୟାରେ ପ୍ରବେଶ କଲେ ସେତେବେଳେ ରାଜା ତ ଜୀବିତ ହୋଇଗଲେ। କିନ୍ତୁ ସେ ରାଜା ନ ଥିଲେ। ରାଜାଙ୍କ ସ୍ୱଭାବର ବିନ୍ଦୁ ବିସର୍ଗ ପୁନର୍ଜନ୍ମ ପାଇଥିବା ରାଜାଙ୍କ ପାଖରେ ନ ଥିଲା। ଏ କଥା ରାଣୀ ଅନୁଭବ କଲେ, ଏ କଥା ପ୍ରଧାନ ମନ୍ତ୍ରୀ ଅନୁଭବ କଲେ। ତା'ର ଏକ ଲମ୍ବା କାହାଣୀ ଆପଣମାନେ ସମସ୍ତେ ପଢ଼ିଥିବେ। ରାଜାଙ୍କ ସ୍ଵଭାବ ପରିବର୍ତ୍ତନ ହୋଇଯିବାର କାରଣ ହେଲା ସେ ରାଜା ନ ଥିଲେ। ରାଜାଙ୍କର ତ ମୃତ୍ୟୁ ହୋଇ ସାରିଥିଲା। ଶରୀର ମାତ୍ର ରହିଯାଇ ଥିଲା। ସେହି ଶରୀରରେ ପ୍ରବେଶ କରିଥିଲା ଶଙ୍କରାଚାର୍ଯ୍ୟଙ୍କ ଆତ୍ମା। ତେଣୁ ବଞ୍ଚି ଉଠିଥିବା ବା ପୁନର୍ଜନ୍ମ ପାଇଥିବା ଶରୀରର ସ୍ଵଭାବ ଶଙ୍କରାଚାର୍ଯ୍ୟଙ୍କ ସ୍ଵଭାବ ଭଳି ହେବା ସ୍ବାଭାବିକ ଥିଲା।
ଠିକ୍ ଏଇଭଳି ବର୍ଣ୍ଣନା ଉପରୋକ୍ତ ଦୁଇ ବିଦ୍ୱାନ
Ngũgĩ wa Thiong'o ଏବଂ କେ. ସି. ଭଟ୍ଟାଚାର୍ଯ୍ୟ କରିଛନ୍ତି।
ଆଫ୍ରିକାରେ ଉପନିବେଶବାଦରୁ ମୁକ୍ତିର ସବୁଠୁ ବଡ଼ ପ୍ରଭାବୀ ସିଦ୍ଧାନ୍ତ ଦେଲେ Ngũgĩ wa Thiong'o, ତାଙ୍କର ରଚନାତ୍ମକ ସାହିତ୍ୟ ବୈଶ୍ବିକ ସ୍ତରରେ ପ୍ରଭାବ ପକାଇଥିଲା। ତାଙ୍କର ଉପନ୍ୟାସ ଗୁଡ଼ିକ ବ୍ୟାପକ ସ୍ୱୀକୃତି ପ୍ରାପ୍ତ କରିଛି। ତାଙ୍କର ଏକ ମହତ୍ତ୍ୱପୂର୍ଣ୍ଣ ଉପନ୍ୟାସ ହେଲା "ପେଟଲସ ଅଫ ବ୍ଲଡ଼" ଯାହା ୧୯୭୭ ରେ ପ୍ରକାଶିତ ହୋଇଥିଲା। ସେ ସ୍ବୟଂ ଉପନିବେଶିକ କାଳରେ ଜନ୍ମ ହୋଇଥିଲେ।
କିନ୍ତୁ ତାଙ୍କ ଚେତନାରେ ଥିବା ସ୍ଥାନୀୟ ଲୋକଙ୍କ ମହତ୍ତ୍ୱ, ମୌଳିକତାର ମୂଲ୍ୟ ଓ ନିଜେ ସ୍ୱପ୍ନ ଦେଖିବାର ଅଧିକାର ତାଙ୍କୁ ଉପନିବେଶରୁ ଅଲଗା କରି ସ୍ୱାଧୀନଚେତା କରିଦେଲା। ଇଂରାଜୀରେ ସମସ୍ତ ଶିକ୍ଷା ସମାପ୍ତ କରିଥିବା Ngũgĩ wa Thiong'oଙ୍କ ମନ ମସ୍ତିଷ୍କ ଅଶାନ୍ତ ଥିଲା। ଭାଷା କେବଳ କଥବାର୍ତ୍ତା ହେବାର ମାଧ୍ୟମ ନୁହଁ। ଏହା ମଧ୍ୟ ତା ସହିତ ଏକ ସଂସ୍କୃତିର, ଆଚାର ପ୍ରଣାଳୀର ସଂଵାହକ ହୋଇଥାଏ। ଏହାର ଅନୁଭବ ସେ ବାଲ୍ୟକାଳରୁ କରିଥିଲେ। ପ୍ରତ୍ୟେକ ସମାଜର ଏକ ଚେତନା ଶକ୍ତି (ଚିତ୍ତି ବା ଆତ୍ମା) ଥାଏ। ଯାହା ଅନୁସାରେ ସେହି ସମାଜ ନିଜ ଭିତରେ ଥିବା ଅନ୍ତଃସମ୍ବନ୍ଧକୁ ପରିଭାଷିତ କରିଥାଏ। ଯାହା ଦ୍ୱାରା ସେହି ସମାଜର ମୂଲ୍ୟ ପ୍ରତିବିମ୍ବିତ ହୋଇଥାଏ।
କ୍ରମଶଃ...
୧୦.୧୦.୧୮

No comments:
Post a Comment