ଉପନିବେଶ ଶାସନର ବୌଦ୍ଧିକ ପ୍ରଣାଳୀ ଓ ବିଚାର ଆମ ଦେଶରେ ଏପରି ଏକ ବର୍ଗ ସୃଷ୍ଟି କଲା ଯିଏ ନିଜେ ନିଜକୁ ସାହେବ ଭଳି ଦେଖିବା, ସାହେବଙ୍କ ଭଳି କଥା କହିବା ଆଦି ଆଚରଣକୁ ଆଧୁନିକତା ବୋଲି ଭାବିଲା। ଗୋରା ସାହେବଙ୍କ ସହ ପାଦରେ ପାଦ ମିଳାଇ ଚାଲିବାରେ କିଛି ସଙ୍କୋଚ କିମ୍ବା ଲଜ୍ଜା ଅନୁଭବ କଲା ନାହିଁ। ଭାରତର ସାଂସ୍କୃତିକ ଗୌରବର ବିଷୟ ଗୁଡ଼ିକୁ ଜାଣିବାରେ ତାର ସ୍ପୃହା ରହିଲା ନାହିଁ। ଏହି ବିଷୟରେ କୃଷ୍ଣ ଚନ୍ଦ୍ର ଭଟ୍ଟାଚାର୍ଯ୍ୟ ପୁଣି କହିଛନ୍ତି ଯେ ଆମ ଦେଶର ବହୁତ ଶିକ୍ଷିତ ଲୋକ ଆମ ଦେଶର ସଂସ୍କୃତି ବିଷୟରେ କିଛି ଜାଣନ୍ତି ନାହିଁ, ଜାଣିବାକୁ ମଧ୍ୟ ଚାହାନ୍ତି ନାହିଁ। ଯଦିଓ ସେମାନଙ୍କ ଭିତରୁ କିଛି ଆମ ସଂସ୍କୃତି ଆଡ଼େ ନଜର ପକାନ୍ତି, ତଥାପି ତା ଦ୍ୱାରା ସେମାନଙ୍କ ମଧରେ କିଛି ଗୌରବବୋଧ ଜାଗ୍ରତ ହୁଏ ନାହିଁ। କାରଣ ଉପନିବେଶବାଦୀଙ୍କ ସଂସ୍କାର, ସଂସ୍କୃତି, ବିଚାର ପ୍ରଣାଳୀ ଏମାନଙ୍କ ଭିତରେ ଭାରତୀୟ ସଂସ୍କୃତିକୁ ମୂଳରୁ ଉପାଡ଼ି ଦେବାର କାମ କରିଛି। ଏମାନଙ୍କୁ ନିଜ ସାହିତ୍ୟ, ନିଜ ସାମାଜିକ ପରମ୍ପରା ଜାଣିବାର ଆବଶ୍ୟକତା ଅନୁଭୂତ ହେଉ ନାହିଁ।
ଏଇ ସବୁ ଅନୁଭବରୁ ମୁଁ ସ୍ପଷ୍ଟଭାବେ କହିବାକୁ ଚାହୁଁଛି ଯେ ଉପନିବେଶବାଦୀଙ୍କ ସଂସ୍କୃତି ଆମ ଉପରେ ଥୋପା ଯାଇଛି। ଏଠାରେ ଉପନିବେଶବାଦୀ ସଂସ୍କୃତିର ଅର୍ଥ ହେଲା ବିଚାର ଓ ଭାବନାର ଏକ ସମ୍ପୂର୍ଣ୍ଣ ବ୍ୟବସ୍ଥା। ମୋର କହିବାର ଅର୍ଥ ଏହା ନୁହେଁ ଯେ ଏଇ ସଂସ୍କୃତିକୁ ଆମ ଅନିଚ୍ଛାରେ ଆମ ଉପରେ ଥୋପା ଯାଇଛି। ପ୍ରକୃତରେ ତାଙ୍କ ବିଚାର ପ୍ରଣାଳୀର ବିଷ ଆମେ ଏତେ ମାତ୍ରାରେ ଆହରଣ କରିଛୁ ଯେ ଆମେ ଏବେ ତାଙ୍କୁ ଚାହୁଁଛୁ। ଆମକୁ ଲାଗୁଛି ତାଙ୍କର ସବୁ ଜିନିଷ ଆମଠୁ ଅଧିକ ସୁନ୍ଦର।
ସାଧାରଣତଃ ଆମେ ଏହାକୁ ଆମ ବୁନିଆଦି ବୁଦ୍ଧିରେ ଭାରତୀୟ ବୁଦ୍ଧିରେ ଭାରତୀୟ ଚେତନାରେ ଗ୍ରହଣ କରି ନାହାନ୍ତି। ତାଙ୍କ ସ୍ଲୋ ପଏଜନ ଆମର ଶିକ୍ଷିତ ଲୋକଙ୍କ ଭାରତୀୟ ବୁଦ୍ଧି ଓ ଭାରତୀୟ ସାଂସ୍କୃତିକ ଚେତନାକୁ ପୂରାପୂରି ନିଶ୍ଚଳ କରିଦେଇଛି।
ସେ ପୁଣି କହିଛନ୍ତି
କୌଣସି ସଂସ୍କୃତିକୁ ଅନ୍ଧଭାବେ ବିରୋଧ କରିବା ବା ଅନ୍ଧଭାବେ ଗ୍ରହଣ କରିବା ଠିକ ନୁହେଁ। ଅର୍ଥାତ୍ ରାଷ୍ଟ୍ରୀୟ ଆତ୍ମାଭିମାନ ଓ ନିଜ ସଂସ୍କୃତି ସହ ଯୋଡ଼ି ହୋଇଥିବା ପ୍ରତ୍ୟେକ ବିଷୟକୁ ନ ବୁଝି ନ ସୁଝି ମହିମାମଣ୍ଡିତ କରିବା ଓ ଅନ୍ୟ ସଂସ୍କୃତି ସହ ସମ୍ବନ୍ଧିତ ପ୍ରତ୍ୟେକ ବିଷୟକୁ ଖରାପ କହିବା ମଧ୍ୟ ଠିକ ନୁହେଁ।
ଉଭୟକୁ ଗମ୍ଭୀରତାର ସହ ଅଧ୍ୟୟନ କରି ସେଥିରୁ ଉଚିତ ବିଷୟ ଗ୍ରହଣ କରି ଆଗକୁ ଯିବା ଉଚିତ।
କିନ୍ତୁ ଆଜିର ଅବସ୍ଥା କଣ ? ତଥ୍ୟ କହୁଛି, ଆମ ଶିକ୍ଷିତ ଲୋକେ ଅତି ଆତ୍ମବିଶ୍ୱାସ ବଦଳରେ ଅତି ଆତ୍ମ ସନ୍ଦେହ ରୋଗରେ ପୀଡ଼ିତ। ଏମାନେ ନିଜ ପରିବେଶ ପ୍ରକୃତିକୁ ଛାଡ଼ି ବୈଶ୍ବିକ ହେବା ରୋଗରେ ଗ୍ରସ୍ତ। ଆମେ ଅନ୍ୟ ଦ୍ୱାରା ଆମ ବିଷୟରେ କରାଯାଇଥିବା ମୂଲ୍ୟାଙ୍କନ ପ୍ରତି ଅସନ୍ତୁଷ୍ଟ ହେବା ପରିବର୍ତ୍ତେ ତାକୁ ସ୍ୱୀକାର କରିବାରେ ଅଧିକ ତତ୍ପର।
କ୍ରମଶଃ...
୧୮.୧୦.୧୮

No comments:
Post a Comment