ଉପନିବେଶବାଦର ମୌଳିକ ବୈଚାରିକ ଆଧାର ହେଲା ଦୁନିଆରେ ଦୁଇ ପ୍ରକାର ଦେଶ ରହିଛି। ପ୍ରଥମ ପ୍ରକାର ଦେଶ ଗୁଡ଼ିକ ଆର୍ଥିକ, ସାଂସ୍କୃତିକ ଓ ସଭ୍ୟତା ଦୃଷ୍ଟିରୁ ସମ୍ପନ୍ନ। ଦ୍ଵିତୀୟ
ପ୍ରକାର ଦେଶ ଗୁଡ଼ିକ ହେଲେ ଏସବୁ ଦୃଷ୍ଟିରୁ ପଛୁଆ। ଏହାକୁ ଦୃଷ୍ଟିରେ ରଖି ସେମାନେ ବିକାଶଠୁ ନେଇ ସଂସ୍କୃତି ପର୍ଯ୍ୟନ୍ତ ସବୁର ପରିଭାଷା ଓ ମାନଦଣ୍ତ ନିର୍ଦ୍ଧାରିତ କରନ୍ତି। ସେମାନେ ଯେଉଁଦେଶକୁ ଅଧିକାର କରନ୍ତି ସେ ଦେଶର ଲୋକଙ୍କର କୌଣସି ବୌଦ୍ଧିକ କ୍ରିୟାକଳାପ ଯଦି ତାଙ୍କ ମାନ୍ୟତାର ବିପରୀତ ହୁଏ ତେବେ ସେମାନେ ତାକୁ ସ୍ୱୀକାର କରନ୍ତି ନାହିଁ। ଏପରି ଭେଦକୁ ସଂସ୍ଥାଗତ କରି ସେମାନେ ଲୋକଙ୍କ ମନରେ ଦୁଇ ଭିନ୍ନ ପ୍ରକାର ଭାବନା ପ୍ରବେଶ କରାନ୍ତି। ଯେଉଁଦେଶକୁ ସେମନେ ସଭ୍ୟ, ସାଂସ୍କୃତିକ ଓ ଆର୍ଥିକ ରୂପେ ବିକଶିତ ବୋଲି ମାନନ୍ତି ସେହି ଦେଶର ଲୋକଙ୍କ ମନରେ ଶ୍ରେଷ୍ଠ ହେବାର ଭାବନା ଏକାଧିକାର ରୂପେ ପ୍ରବେଶ କରିଯାଏ। ଅନ୍ୟ ପଟେ ପଛୁଆ ଦେଶଗୁଡ଼ିକ ମନରେ ସର୍ବଦା ତାଙ୍କ ଭଳି ଶ୍ରେଷ୍ଠ ହେବାର ଭାବନା, ତାଙ୍କୁ ଅନୁକରଣ କରିବା, ତାଙ୍କଠାରୁ ପ୍ରଶଂସା ପାଇବାର ଲାଳସା ଓ ଭାବନା ପ୍ରବେଶ କରେଇ ଦିଆଯାଏ। ଏଇ କ୍ରମରେ ଉଭୟଙ୍କ ସମ୍ବନ୍ଧ ଭିତରେ ଥିବା ଶବ୍ଦାବଳୀ ବଦଳୁଥାଏ। କେତେବେଳେ ବିଜେତା ଓ ପରାଜିତ ତ କେବେ ଔପନିବେଶିକ ଶାସକ ଓ ଶାସିତ, କେବେ ସଭ୍ୟ ଓ ଅସଭ୍ୟ ତ କେବେ ବିକଶିତ ଅବିକଶିତ, କେବେ କେବେ ପ୍ରଥମ ବିଶ୍ୱ ତ କେବେ କେବେ ତୃତୀୟ ବିଶ୍ୱ ଆଦି ବିଭାଜନକାରୀ ଶବ୍ଦର ପ୍ରୟୋଗ ହୋଇଥାଏ। ପାଶ୍ଚାତ୍ୟରେ ଯେଉଁ ବିଚାରଧାରା ଉତ୍ପନ୍ନ ହୋଇଛି ତାହାର ନିଜର ଇତିହାସ, ଭୂଗୋଳ, ସାମାଜିକ, ଆର୍ଥିକ ଓ ଧାର୍ମିକ ଜଟିଳତା ସହ ଗଭୀର ସମ୍ବନ୍ଧ ଅଛି। ଏହି ବିଚାରଧାରା ସହ ବାକି ଦେଶମାନଙ୍କର ଲୋକଙ୍କ ଅନୁଭବ ଓ ସାମାଜିକ ଆର୍ଥିକ ଯଥାର୍ଥ ସମ୍ମିଳିତ ହୋଇ ନାହିଁ। ବିସ୍ତାରବାଦୀ ପ୍ରବୃତ୍ତି ଏଇ ସବୁ ସମାଜରେ ଥାଏ ଯିଏ ଭୌତିକତା ଓ ସମ୍ପତ୍ତି ହାସଲ କରିବାକୁ ନିଜର ପରମ କର୍ତ୍ତବ୍ୟ ମାନିଥାଏ। ସେଣ୍ଟ ଅଗଷ୍ଟାଇନ (ଖ୍ରୀଷ୍ଟାବ୍ଦ ୩୫୪-୪୩୦) ପାଶ୍ଚାତ୍ୟ ଜଗତର ତତ୍କାଳୀନ ସମୟର ସବୁଠୁ ବଡ଼ ସମ୍ମାନୀତ ପାଦ୍ରୀ ଥିଲେ। ସେ ରୋମ ସାମ୍ରାଜ୍ୟର ବିସ୍ତାରବାଦର ନୈତିକ ଔଚିତ୍ୟକୁ ସ୍ଥାପିତ କରିଥିଲେ। ସେ କହିଥିଲେ, "ଦେଶ ଜୟ କରିବା ଓ ଶାସନ କରିବା ଖରାପ ଲୋକଙ୍କ ପାଇଁ ଆନନ୍ଦର କଥା ହୋଇପାରେ ମାତ୍ର ଭଲ ଲୋକଙ୍କ ପାଇଁ ଏହା ଅନିବାର୍ଯ୍ୟ ଅଟେ।"
ଲେନିନ (୧୮୭୦-୧୯୨୪) କହିଥିଲେ, "ଉପନିବେଶବାଦ ପୁଞ୍ଜିବାଦର ଉଚ୍ଚତମ ଶ୍ରେଣୀ ଅଟେ। ଉପନିବେଶବାଦକୁ ବୁଝିବାକୁ ହେଲେ ତାଙ୍କ ସଭ୍ୟତା, ସମାଜର ପ୍ରକୃତି, ମନୁଷ୍ୟର ସ୍ଵଭାବ ଏବଂ ତାଙ୍କ ଦର୍ଶନ ବିଷୟରେ ବୁଝିବାକୁ ହେବ। ତେବେ ଆମେ ବିଭିନ୍ନ ଚରଣରେ ସାମ୍ରାଜ୍ୟବାଦୀ ଓ ସେମାନଙ୍କଦ୍ୱାରା ଶାସିତମାନଙ୍କ ବିଷୟ ବୁଝିପାରିବା। ବିଶ୍ଵବ୍ୟାପୀ ଏମାନଙ୍କ ପ୍ରକୃତି ସମାନ ନୁହେଁ। ଯାହା ଆଫ୍ରିକାରେ ପ୍ରୟୋଗ ହୋଇଛି ସେହି ବିଷୟ ଆମେରିକାରେ ବା ଭାରତରେ ହୋଇ ନାହିଁ। ସ୍ଥାନୀୟ ଲୋକଙ୍କ ସାଂସ୍କୃତିକ ଓ ରାଷ୍ଟ୍ରୀୟ ଚେତନା ସାମ୍ରାଜ୍ୟବାଦୀଙ୍କ ପ୍ରକ୍ରିୟା, ପ୍ରକୃତି ଓ ପରିଣାମକୁ ନିର୍ଦ୍ଧାରିତ କରିଥାଏ।
କ୍ରମଶଃ...
୭.୧୦.୧୮

No comments:
Post a Comment