Wednesday, 3 October 2018

*ଭାରତ ସବୁଥିରେ ପଛରେ*

ଜନ ଲକ ଙ୍କ ଜୀବନୀ ଲେଖିଛନ୍ତି ମାରିସ କ୍ରେନଷ୍ଟନ। ସେ ଗବେଷଣା କରି କହିଛନ୍ତି ଯେ ବ୍ୟବସାୟୀ ଉପନିବେଶବାଦ ପ୍ରତି ଲକ ଙ୍କ ଯେଉଁ ପ୍ରେରଣା ଥିଲା ତାହା ସେ ତାଙ୍କ ସଂରକ୍ଷକ ଅର୍ଲ ଶାଫ୍ଟବେରୀଙ୍କ ଠାରୁ ପାଇଥିଲେ। ତାଙ୍କର ଉତ୍ତର ଆମେରିକା ଉପନିବେଶ ସହ ଆର୍ଥିକ ସ୍ୱାର୍ଥ ସମ୍ବନ୍ଧ ଥିଲା। ଲକଙ୍କ ଦୃଷ୍ଟିରେ ଭାରତୀୟମାନେ ସ୍ୱାଧୀନତା ପାଇବା ପାଇଁ ଅଯୋଗ୍ୟ ଥିଲେ। ସେ କହୁଥିଲେ ଯେ ଭାରତୀୟମାନେ ସ୍ୱାଧୀନତାର ଅର୍ଥ କଣ ଜାଣନ୍ତି ନାହିଁ। କାରଣ ସେମାନେ ଜଙ୍ଗଲୀ ଓ ଅସଭ୍ୟ ହୋଇଥିବା କାରଣରୁ ମାନବତାର ସଭ୍ୟ ବର୍ଗଙ୍କ ସମକକ୍ଷ ନୁହଁନ୍ତି। ସେହି ଦୁର୍ବଳ ଅସହାୟ ଲୋକଙ୍କୁ ଆମେ ଆର୍ଥିକ, ରାଜନୈତିକ ଓ ସାମାଜିକ ସହାୟତା କରିବା ପାଇଁ ଆସିଛୁ।

ଜେ ଏସ ମିଲ ତାଙ୍କ ବ୍ୟବସାୟୀ ଜୀବନର ଅଧିକାଂଶ ସମୟ ଲଣ୍ଡନ ସ୍ଥିତ ସାମ୍ରାଜ୍ୟବାଦୀ କାର୍ଯ୍ୟାଳୟ ଯାହା ଇଣ୍ଡିଆନ ଅଫିସ ରୂପେ ପରିଚିତ ଥିଲା, ସେଇଠି କଟାଇ ଥିଲେ। ସେ 'ଲିବର୍ଟୀ ଏଣ୍ଡ ରିପ୍ରେଜେଣ୍ଟଟିଭ ଗଭର୍ଣ୍ଣମେଣ୍ଟ' ନାମକ ଏକ ପୁସ୍ତକ ରଚନା କଲେ। ସେଥିରେ ସେ ଲେଖିଲେ ଯେ, ମନୁଷ୍ୟର ସ୍ୱାଧୀନତା ଓ ନିର୍ବାଚିତ ସରକାରର ଅଵଧାରଣାକୁ ଭାରତ ଉପରେ ଲାଗୁ କରି ହେବ ନାହିଁ। କାରଣ ଭାରତର ସଭ୍ୟତା ନିମ୍ନ ସ୍ତରର। ମିଲ ଇଷ୍ଟ ଇଣ୍ଡିଆ କମ୍ପାନୀରେ ୧୮୧୩ ରୁ ୧୮୫୮ ଯାଏ ଦୀର୍ଘ ବର୍ଷ କାମ କଲେ। ତାଙ୍କ ମତରେ ଭାରତର ଲୋକ ସ୍ୱ ବିକାଶ ପାଇଁ ଅକ୍ଷମ। ସେମାନଙ୍କ ବିକାଶ କେବଳ ବିଦେଶୀ ମାନଙ୍କ ଦ୍ୱାରା ହିଁ ସମ୍ଭବ। ସେ ବ୍ରିଟିଶ ସରକାରର ତୁଳନା ପିଲାମାନଙ୍କ ଉପରେ ବାପାର ଶାସନ ସହିତ କରିଛନ୍ତି।
ବ୍ୟକ୍ତି ସ୍ୱତନ୍ତ୍ରତା, ନୈତିକ ସ୍ୱ ବିକାଶ ଉପରେ ଜୋର ଦେଇଥିବା ସେହି ଉଦାରବାଦୀ ଉନବିଂଶ ଶତାବ୍ଦୀର ପୁଞ୍ଜିବାଦ ବ୍ୟବସ୍ଥାକୁ ସମର୍ଥନ କରିଥିଲେ। ଯାହାକୁ ପ୍ରାପ୍ତ କରିବା ସାଧାରଣ ଲୋକଙ୍କ ପକ୍ଷେ ଅସମ୍ଭବ ଥିଲା। ଉଦାର ବିଚାର ଓ ବ୍ୟବହାରର ଯେଉଁ ବିରୋଧାଭାସ ଥିଲା  ତାହା ଏବେ ମଧ୍ୟ ରହିଛି। ପାଶ୍ଚାତ୍ୟରେ ଉଦାରବାଦୀ ବିଚାରର ନିଅଁ ଯେଉଁ ଚିନ୍ତାନୟକମାନେ ପକାଇ ଥିଲେ ସେମାନେ ରାଜତନ୍ତ୍ର, ବଂଶବାଦ, ଅନୈତିକ ଅର୍ଥ ବ୍ୟବସ୍ଥା ଓ ଉପନିବେଶବାଦୀ ଶାସନ ତନ୍ତ୍ର ସହିତ ଅଭିନ୍ନ ରୂପେ ଯୋଡ଼ି ହୋଇ ରହିଥିଲେ।

ଇଂରେଜ ଶାସନର ସମାପ୍ତି ପରେ ମଧ୍ୟ ପାଶ୍ଚାତ୍ୟର ଏହି ଅବଗୁଣକୁ ସେମାନେ ବଞ୍ଚାଇ ରଖିଲେ। ଏଥିପାଇଁ ବୈଚାରିକ ଜଗତରେ ତାଙ୍କ ଆଧିପତ୍ୟ ଏବେ ବି ରହିଛି।

କାରଣ

ପଶ୍ଚିମ ଓ ପୂର୍ବର ଦେଶମାନଙ୍କ ଭିତରେ ଆର୍ଥିକ ବିଷମତା ଲାଗି ରହିଛି। ପାଶ୍ଚାତ୍ୟର  ଆର୍ଥିକ ସମ୍ପନ୍ନତା ପଛରେ ଥିବା ରହସ୍ୟ କ'ଣ ?  ସେମାନେ କୁହନ୍ତି ଯେ ଭୁତକାଳରେ ଘଟିଥିବା ଘଟଣାର ସମ୍ପର୍କ ବର୍ତ୍ତମାନ ସହିତ କିଛି ନାହିଁ। କେବଳ ସାମ୍ରାଜ୍ୟବାଦର ଆଲୋଚନା କରିଦେଲେ ଏହା ସମାପ୍ତ ହେବ ନାହିଁ। ଉପନିବେଶବାଦୀ ଶାସନ ସମୟରେ କେଉଁଭଳି ଓ କେତେ ପରିମାଣରେ ଧନ ସ୍ଥାନାନ୍ତରିକରଣ ହେଲା ତାର ଉଲ୍ଲେଖ ଦାଦାଭାଇ ନାରୋଜିଙ୍କ ଲିଖିତ 'ପୋଭରଟି ଇନ ଇଣ୍ଡିଆ ଅନ ବ୍ରିଟିଶ ରୂଲ' ରେ  ହୋଇଛି। ମହାରାଷ୍ଟ୍ରର ସ୍ବଦେଶ ଚିନ୍ତକ ଭାସ୍କର ପାଣ୍ଡୁରଙ୍ଗ ତରଖଡ଼କର ବମ୍ବେ ଗେଜେଟରେ ସାତଟି ପତ୍ର କ୍ରମାଗତ ପ୍ରକାଶିତ କରିଥିଲେ। ସେଥିରେ ଥିବା ଦ୍ଵିତୀୟ ପତ୍ରରେ ଭାରତର ପୁଞ୍ଜି ଲଣ୍ଡନ ଯାଇଥିବାର ସଂଖ୍ୟାତ୍ମକ ବିବରଣୀ ରହିଛି।
ପଶ୍ଚିମ ଓ ପୂର୍ବର ବିକାଶର ହିସାବ ବେଳେ ଏ ଚୋରୀ ଧନକୁ ବି ହିସାବ କରିବା କଥା। ଏବେ ବି ସେମାନେ କହି ବୁଲୁଛନ୍ତି ଯେ ପଛୁଆ ଦେଶକୁ ବିକଶିତ କରିବା ଆମ ପାଶ୍ଚାତ୍ୟ ବାସୀଙ୍କ କାମ।

ଶୋଷଣ, ଲୁଟ, ଅତ୍ୟାଚାରକୁ ସେମାନେ ନୀତି, ଦର୍ଶନ ଓ ରାଜନୀତି ବୋଲି ପ୍ରଚାରିତ କଲେ। ଆମେ ଶ୍ରେଷ୍ଠ, ଆଗୁଆ ଓ ତୁମେ ପଛୁଆ କରି ସ୍ଥାୟୀ ଭେଦ ନିର୍ମାଣ କଲେ।
ଏଥିରେ ସେମାନେ ଆର୍ଥିକ, ସାଂସ୍କୃତିକ ଓ ସାମାଜିକ ସ୍ତରରେ ପଛୁଆ ବିଷୟ ସବୁ ଖୋଜି ବାହାର କରିବା ପାଇଁ ସଂସ୍ଥା ତିଆରିକଲେ। ସେହି କାମରେ ବୁଦ୍ଧିଜୀବୀ ବର୍ଗକୁ ଲଗାଇଲେ। ଯେଉଁମାନେ ଏଠାରେ ରହି ସ୍ୱାଭାବିକ ଭାବରେ ପାଶ୍ଚାତ୍ୟ ସର୍ବଗୁଣ ସମ୍ପନ୍ନ ବୋଲି କହିବେ ଓ ତାଙ୍କର ଏଜେଣ୍ଟ ଭାବେ କାର୍ଯ୍ୟ କରିପାରିବେ।
ଏହି ପାଶ୍ଚାତ୍ୟ ବୌଦ୍ଧିକ ଅସ୍ତ୍ରର ଉପଯୋଗ ନିଜର ଆଧିପତ୍ୟ ବଜାୟ ରଖିବା ପାଇଁ ସେମାନେ କରୁଛନ୍ତି, ଏ କଥା କିଏ ଆମକୁ ବୁଝାଇବ ?

କ୍ରମଶଃ...

୩.୧୦.୧୮

No comments: