ସାମ୍ରାଜ୍ୟବାଦର ବିସ୍ତାର ତିନୋଟି ବାଟରେ ହୋଇଛି। ସେଗୁଡ଼ିକ ହେଲା ସୈନ୍ୟ, ମତାନ୍ତର ଓ ବିଚାର। ଏହି ତିନୋଟି ଭିତରେ ପରସ୍ପର ଜୀବନ୍ତ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ଥିଲା। ତିନିହେଁ ସମାନ ଉଦ୍ଦେଶ୍ୟ ପାଇଁ ନିଜ ନିଜ ଶୈଳୀରେ ଚେଷ୍ଟାରତ ଥିଲେ। ସେମାନଙ୍କର କାର୍ଯ୍ୟଶୈଳୀ ଅଲଗା ଅଲଗା ରହୁଥିଲା। କିନ୍ତୁ ତିନିହେଁ ଯାକ ମିଳିମିଶି ଉପନିବେଶମାନଙ୍କ ପାଇଁ ନୀତି ନିର୍ଦ୍ଧାରଣ କରୁଥିଲେ। ଶାସିତ ଲୋକ ଯଦି ବିଦ୍ରୋହ କରିବେ ତାକୁ କିପରି ଦମନ କରି ହେବ ଏଥିପାଇଁ ସମସ୍ତେ ନିଜ ନିଜ କୌଶଳ ପ୍ରୟୋଗ କରୁଥିଲେ। ଏହି ପୂରା ପ୍ରକରଣ ସାମ୍ରାଜ୍ୟବାଦୀମାନଙ୍କୁ ଉପନିବେଶମାନଙ୍କରେ ଥିବା ଲୋକଙ୍କ ସ୍ଵଭାବ, ବିରୋଧ, ବିବିଧତା, ପରମ୍ପରା, ଜୀବନଶୈଳୀ ଓ ଇତିହାସ ବୁଝିବା ପାଇଁ ପ୍ରେରିତ ଓ ବାଧ୍ୟ କରୁଥିଲା। ଜଣେ ସୈନିକ ହେଉ ବା ଜଣେ ଜନଗଣନା ଅଧିକାରୀ, ଜଣେ ଚାକିରିଆ ହେଉ ବା ଜଣେ ସମାଜଶାସ୍ତ୍ରୀ, ସମସ୍ତେ ନିଜ ନିଜ ଶୈଳୀରେ ଓ ନିଜ ନିଜ ବୁଦ୍ଧିରେ ଉପନିବେଶର ଲୋକଙ୍କ ଉପରେ ନିଜର ମନ୍ତବ୍ୟ ଭାଷଣ, ଲେଖା ଓ ପୁସ୍ତକ ଆକାରରେ ବ୍ୟକ୍ତ କଲେ। ଏଇଠୁ ଆରମ୍ଭ ହେଲା ଉପନିବେଶରେ ଥିବା ଲୋକଙ୍କର ସାମ୍ରାଜ୍ୟବାଦୀଙ୍କ ସହ ବୈଚାରିକ ସମ୍ବନ୍ଧ। ଯେଉଁ ଉପନିବେଶରେ ବିଶେଷକରି ଭାରତରେ ବୌଦ୍ଧିକ ରଚନା ଓ ଦର୍ଶନର ପ୍ରଚୁର ସାମଗ୍ରୀ ଉପଲବ୍ଧ ହେଲା ସେହି ସବୁ ଜାଗାରେ ପାଶ୍ଚାତ୍ୟ ବିଦ୍ୱାନଙ୍କ ରୁଚି ବଢ଼ିବାକୁ ଲାଗିଲା। ନୂଆ ଅଧ୍ୟୟନର ଏହି ବିଦ୍ୟାକୁ ପ୍ରାଚ୍ୟ ଶାସ୍ତ୍ର ବା 'ଓରିଏଣ୍ଟାଲିଜିମ' କୁହାଯାଏ। ଏହି ବିଧା ଦ୍ୱାରା ଉପନିବେଶର ସଂସ୍କୃତି, ସାହିତ୍ୟ, ଚିନ୍ତନ, ଜ୍ଞାନ ଓ ପରମ୍ପରା ସହିତ ତାର ପ୍ରାଚୀନ ସମାଜର ଉପଲବ୍ଧି ଗୁଡ଼ିକର ଅଧ୍ୟୟନ କରାଗଲା। କିନ୍ତୁ ସାମ୍ରାଜ୍ୟବାଦୀ ମାନଙ୍କର ମାନସିକତା ଏପରି ଥିଲା ଯେ ସେମାନେ ନିଜର ସାହିତ୍ୟ, ସମାଜ ଶାସ୍ତ୍ର, ଇତିହାସ, ଚିନ୍ତନ ପ୍ରକ୍ରିୟା ଓ ଏପରିକି ଧର୍ମୀୟ ବିଷୟ ଗୁଡ଼ିକୁ ଉପନିବେଶ ତୁଳନାରେ ଶ୍ରେଷ୍ଠ ବୋଲି ଅଡ଼ି ବସିଥିଲେ। ତାଙ୍କର ଶ୍ରେଷ୍ଠତା ଓ ଉପନିବେଶମାନଙ୍କର ଅକ୍ଷମତା ଓ ପଛୁଆ ଭାବ ଐତିହାସିକ ଓ ବୌଦ୍ଧିକ ସ୍ତରରେ ଦୁଇଟି କଥା ଆଡ଼କୁ ଇଙ୍ଗିତ କରୁଛି।
(୧) ପାଶ୍ଚାତ୍ୟର ମନୁଷ୍ୟମାନେ ଆଧୁନିକ। ତାଙ୍କ ଚିନ୍ତନ ପ୍ରକ୍ରିୟା ଉଚ୍ଚ ସ୍ତରର ଓ ପ୍ରଗତିଶୀଳ।
(୨) ଉପନିବେଶର ଲୋକମାନେ ପ୍ରଗତିଠାରୁ ବହୁ ଦୂରରେ। ଚିନ୍ତନ ପ୍ରକ୍ରିୟାରେ ମଧ୍ୟ ପଛୁଆ।
ସାମ୍ରାଜ୍ୟବାଦୀମାନେ ଆଉ ଏକ ମାନଦଣ୍ଡ ତିଆରି କଲେ ଯେ ଯିଏ ପ୍ରକୃତି ସହ ଯେତେ ନିକଟତର ସେ ଆଧୁନିକତା ଠାରୁ ସେତେ ଦୂରରେ । ଏଥିପାଇଁ ଯେଉଁ ଦେଶର ପରମ୍ପରାରେ ଗଛ, ଲତା, ନଦୀ, ପାହାଡ଼ ଓ ପଶୁଙ୍କ ସହ ଭାବାତ୍ମକ ଅଥବା ଆଧ୍ୟାତ୍ମିକ ରୂପରେ ହେଉ ବା କର୍ମକାଣ୍ଡ ସ୍ତରରେ ହେଉ ସନ୍ନିକଟତା ରହିଛି ତାକୁ ସମକାଳୀନ ପାଶ୍ଚାତ୍ୟ ଚିନ୍ତାନାୟକଗଣ ଅପଯଶ, ନିନ୍ଦା, ବର୍ବରତା ଓ ଅସଭ୍ୟତା ବୋଲି କହିଲେ ଏବଂ ନିଜେ ମିଥ୍ୟା ଆତ୍ମ ଗୌରବର ବଶବର୍ତ୍ତୀ ହୋଇ ନିଜକୁ ଭାବିଲେ ସବୁ ଚିନ୍ତନ ସୃଜନର ଆମେ ହେଲୁ କର୍ତ୍ତା।
ଭାରତରେ କ୍ରମଶଃ ସାମ୍ରାଜ୍ୟବାଦୀ ଶାସନର ବିସ୍ତାର ଆରମ୍ଭ ହେଲା। ସେତେବେଳେ ୟୁରୋପୀୟ ଚିନ୍ତାନାୟକମାନଙ୍କୁ ନିଜ ସାମ୍ରାଜ୍ୟବାଦୀ ମାନ୍ୟତା ବିଷୟରେ ପୁନର୍ଚିନ୍ତନ କରିବାକୁ ପଡ଼ିଲା। ତାଙ୍କ ଶାସନ ସମୟରେ ଯଦିଓ ଭାରତରେ ଅନେକ ପ୍ରକାର ଧାର୍ମିକ, ସାମାଜିକ କୁରୀତି ବିଦ୍ୟମାନ ଥିଲା ତଥାପି ତାକୁ ପାର ହୋଇ ସେମାନେ ଯେତେବେଳେ ଏହାର ମୂଳ ସାଂସ୍କୃତିକ ଓ ବୌଦ୍ଧିକ ସମ୍ପଦକୁ ଦର୍ଶନ କଲେ ସେତେବେଳେ ପଶ୍ଚାତ୍ୟର ଭାରତ ପ୍ରତି ଥିବା ରଣନୀତି ବଦଳିଗଲା। ଅନେକ ପାଶ୍ଚାତ୍ୟ ଚିନ୍ତକ ଭାରତୀୟ ଦର୍ଶନ ଓ ସଂସ୍କୃତି ଦ୍ୱାରା ପ୍ରଭାବିତ ହୋଇ ଏହାର ମୁକ୍ତ ପ୍ରଶଂସକ ଓ ଅନୁଯାୟୀ ହୋଇଗଲେ। ସେମାନେ ଭାରତ ବିରୋଧୀ ବୁଦ୍ଧି ଓ ଲେଖାର ସଂଶୋଧନ କଲେ। ଭାରତୀୟ ଦର୍ଶନର ଶ୍ରେଷ୍ଠତା ଓ ସୃଜନଶୀଳତାକୁ ଆଖି ଆଗରେ ରଖି କାର୍ଯ୍ୟ ଆରମ୍ଭ କଲେ। ଯଥାର୍ଥରେ ସେଇଠୁ ଆରମ୍ଭ ହେଲା ପ୍ରାଚ୍ୟ ବିଦ୍ୟା ବା 'ଓରିଏଣ୍ଟାଲିଜିମ'ର ଅୟମାରମ୍ଭ।
ଏହା ଭାରତର ଦାର୍ଶନିକ ଉପଲବ୍ଧି ଓ ବୈଭବଗୁଡ଼ିକୁ ପ୍ରାଥମିକତା ଦେଇ ଅଧ୍ୟୟନ କାର୍ଯ୍ୟକୁ ଆଗକୁ ବଢ଼ାଇଲା। କିନ୍ତୁ ସାମ୍ରାଜ୍ୟବାଦୀମାନେ ଏହାକୁ ହଜମ କରି ପାରିଲେ ନାହିଁ। ସେମାନେ ପ୍ରାଚ୍ୟ ଶାସ୍ତ୍ରକୁ "ଭାରତ ପୂଜକ" ବା ଇଣ୍ଡିଆ ଓରସିପର୍ସ କହି ସମାଲୋଚନା କଲେ।
ତଥାପି ପ୍ରକାରାନ୍ତରେ ପାଶ୍ଚାତ୍ୟବାସୀ ଭାରତୀୟ ଦର୍ଶନ ଓ ଚିନ୍ତନକୁ ଦୋହନ କରିବା ଆରମ୍ଭ କରିଦେଇଥିଲେ ଏବଂ ଏହାକୁ ନିଜ ଦାର୍ଶନିକ ଉନ୍ନତିର ଆଧାର ବୋଲି ଅନୁଭବ କଲେ।
ସାମାନ୍ୟ ପାଶ୍ଚାତ୍ୟ ବାସୀ ଏହି କାର୍ଯ୍ୟ ଆରମ୍ଭ କରୁଥିବା ବେଳେ ସାମ୍ରାଜ୍ୟବାଦୀ ବୌଦ୍ଧିକ ଜଗତ ଏହାକୁ ଉଚିତ ସମ୍ମାନ ଦେଲା ନାହିଁ। କାରଣ ସେମାନଙ୍କ ଭିତରେ ଥିଲା ଶାସକତ୍ୱର ବୃଥା ଅହମିକା, ଉତ୍କୃଷ୍ଟ ଓ ନିକୃଷ୍ଟ, ନିଜ ଓ ପର ଭାବନା। ସାମ୍ରାଜ୍ୟବାଦ ପତନ ହେଲା ପରେ ମଧ୍ୟ ଏହି ପର ଭାବନା (ଅଦରନେସ) ସେମାନଙ୍କ ଚିନ୍ତା ଚେତନାରୁ ଲିଭି ନାହିଁ। ସେହି କୁହୁଳା ନିଆଁ ଅନେକ ସମୟରେ ସଂଘର୍ଷର କାରଣ ହେଉଛି।
୨୨.୧୦.୧୮

No comments:
Post a Comment