Tuesday, 23 October 2018

*ଉତ୍ତର ଔପନିବେଶିକ ଅଧ୍ୟୟନ*

ଆମେ ଶ୍ରେଷ୍ଠ ଓ ସେମାନେ ନୀଚ୍ଚ ଏଇଭଳି ନିଜ ପର (ଅଦର ୱାର୍ଲଡ) ଭାବ ମଧ୍ୟରେ ଯେଉଁ ପାତର ଅନ୍ତର ରହିଲା, ତାହା ସାମ୍ରାଜ୍ୟବାଦୀଙ୍କ ମନରେ ଆଧିପତ୍ୟ କରିବାର ଓ ତାକୁ ସ୍ଥାୟୀ କରିବାର ବିଚାରକୁ ଜନ୍ମ ଦେଲା। ତାଙ୍କ ଅଧୀନରେ ଥିବାରୁ ଉପନିବେଶର ଲୋକମାନେ ମଧ୍ୟ ବଂଶବାଦର ସେହି ଉଚ୍ଚ ନୀଚ୍ଚ ସିଦ୍ଧାନ୍ତକୁ ଆଧୁନିକତାର ଆଧାରଶିଳା ବୋଲି ଭାବି ନେଲେ।

 Against race: Imagining political culture beyond the color line

Gilroy - 2000 - books.google.com
ଉପରୋକ୍ତ ବହିରେ ଏହା ସ୍ପଷ୍ଟ ଭାବେ ବର୍ଣ୍ଣିତ।

ସମାଜଶାସ୍ତ୍ରରେ ଏହି ଅଦରନେସ ବା ପର ଭାବର ଯେଉଁ ବୋଧ ଥିଲା ତାହା ବ୍ୟାବହାରିକ ଅନ୍ତର୍ରାଷ୍ଟ୍ରୀୟ ରାଜନୀତିରେ ପ୍ରକଟ ହେଲା।
ପ୍ରାଚ୍ୟଶାସ୍ତ୍ରର ସବୁଠୁ ବଡ଼ ବିଫଳତା ହେଲା ଯେ ଏହା ପାଶ୍ଚାତ୍ୟ ମନ ଓ ବିବେକକୁ ଏହି କଥା ବୁଝାଇବାରେ ବିଫଳ ହେଲା ଯେ ଲୋକଙ୍କ ଚିନ୍ତନ ନିଜ ସ୍ଥାନୀୟଙ୍କ ପ୍ରତି ଶ୍ରଦ୍ଧାରୁ ଉତ୍ପନ୍ନ ହୋଇଥାଏ। ସେମାନେ ତାଙ୍କ ଅନୁଭବରୁ, ଚିନ୍ତନରୁ, ଜୀବନଶୈଳୀରୁ, ପ୍ରକୃତିକୁ ଦେଖିବାର ତାଙ୍କ ଭିତରେ ଥିବା ଦୃଷ୍ଟିକୁ ନେଇ ଆଗକୁ ବଢ଼ିଥାନ୍ତି। ପ୍ରାଚ୍ୟଶାସ୍ତ୍ର ସଭ୍ୟତାର ବିମର୍ଶକୁ ଜନ୍ମଦେବାରେ ଅକ୍ଷମ ହେଲା। ନିଜ ସୀମାରେ ସେ ସଙ୍କୁଚିତ ହୋଇ ରହିଗଲା। ଉଦାହରଣସ୍ବରୂପ ପ୍ରାଚ୍ୟଶାସ୍ତ୍ର ଭାରତର ବୌଦ୍ଧିକ ଓ ସାଂସ୍କୃତିକ ଉପଲବ୍ଧିଗୁଡ଼ିକୁ ତ ଲୋକଙ୍କ ସମ୍ମୁଖରେ ରଖିଲା, ପରନ୍ତୁ ଭାରତୀୟ ରାଷ୍ଟ୍ର ଓ ପଶ୍ଚିମ(ସେମିଟିକ) ରାଷ୍ଟ୍ର ଭିତରେ ଥିବା ମୌଳିକ ଅନ୍ତରକୁ ଉପସ୍ଥାପନ କରିବାରେ ବିଫଳ ହେଲା। ପଶ୍ଚିମ ଚିନ୍ତନରେ ରାଷ୍ଟ୍ରର ପରିଭାଷା ଯାହା ଭାରତୀୟ ଚିନ୍ତନରେ ରାଷ୍ଟ୍ରର ପରିଭାଷା ସେଇଆ ନୁହଁ। ଯେଉଁଠି ପଶ୍ଚିମ ଚିନ୍ତନ ରାଜ୍ୟ ଓ ରାଷ୍ଟ୍ରକୁ ସମାନ ଦୃଷ୍ଟିରେ ଦେଖେ ଓ ମୂଳତଃ ଏହାକୁ ରାଜନୈତିକ ବା ବଂଶବାଦର ପରିଚୟ ଦିଏ ସେଇଠି ଭାରତୀୟ ଚିନ୍ତନରେ ରାଷ୍ଟ୍ରର ଅଵଧାରଣା ସମ୍ପୂର୍ଣ୍ଣ ଅଲଗା। ଭାରତୀୟ ପରମ୍ପରାରେ ରାଷ୍ଟ୍ର ରାଜନୈତିକ ଏକକ ନୁହେଁ ଏହା ସାଂସ୍କୃତିକ ଏକକ। ସଭ୍ୟତା ଓ ସଂସ୍କୃତିକୁ ନେଇ ଏହା ସର୍ବସମାବେଶୀ ଅଟେ। ଗତ କିଛି ଶତାବ୍ଦୀ ହେଲା ଅନ୍ତର୍ରାଷ୍ଟ୍ରୀୟ ରାଜନୀତିର ଦୁଷ୍ପ୍ରଭାଵରୁ ଏହା ଚାରି କାନ୍ଥରେ ସଙ୍କୁଚିତ। ଏହାର ସାଂସ୍କୃତିକ ଓ ବୈଚାରିକ ବିକାଶର ପ୍ରକ୍ରିୟାକୁ ବଳପୂର୍ବକ ଅବରୁଦ୍ଧ କରାଯାଇଛି। ସେ ଜାଗାରେ ସାମ୍ରାଜ୍ୟବାଦୀଙ୍କ ରାଜନୈତିକ ରାଷ୍ଟ୍ର ଓ ରାଜ୍ୟ ଆମ ଲୋକମାନଙ୍କୁ ଏକାପରି ଜଣାପଡୁଛି। ଭାରତୀୟ ରାଷ୍ଟ୍ର ବର୍ତ୍ତମାନ ସନ୍ଦର୍ଭରେ ଯାହା ପରିଭାଷିତ ହୁଏ ସେପରି ନୁହଁ ।  ନା ଏହା ଭୂ-ରାଜନୈତିକ ସୀମା ଦ୍ୱାରା ପରିଭାଷିତ ହୋଇପାରିବ। ଏହାର ସାଂସ୍କୃତିକ ଐତିହ୍ୟ ଓ ବୌଦ୍ଧିକ ସମ୍ପଦର ପ୍ରଭାବ ଯେଉଁ ରୂପେ ହୋଇଛି ତାହା ଭୂ-ରାଜନୈତିକ ସୀମାରେ ସୀମିତ ନୁହଁ। ରାଜନୈତିକ ସୀମା ଅଲଗା ହେଲେ ମଧ୍ୟ ଆମର ରାଷ୍ଟ୍ରୀୟ ଅଵଧାରଣା ଏକ ଓ ଅଭିନ୍ନ ରହି ଆସିଛି। ପାଣିନୀଙ୍କ ଜନ୍ମ ସ୍ଥାନ ପାକିସ୍ତାନରେ। କିନ୍ତୁ ତାଙ୍କ ବ୍ୟକ୍ତିତ୍ୱ ଓ କର୍ତ୍ତୃତ୍ୱ ଭାରତୀୟ ରାଷ୍ଟ୍ର ସାଧନାର ଅଂଶ ଅଟେ। ପଶ୍ଚିମ ଚିନ୍ତନ ପ୍ରଣାଳୀରେ ପ୍ରାଚ୍ୟଶାସ୍ତ୍ର ପରେ ଉତ୍ତର ଔପନିବେଶିକ ଅଧ୍ୟୟନ ବା ପୋଷ୍ଟ ମଡର୍ଣ୍ଣିଜିମର ବିଧା ଆସିଲା। ତାହା ମଧ୍ୟ ପାଶ୍ଚାତ୍ୟ ଆଧିପତ୍ୟବାଦୀଙ୍କ ସୀମା ମଧ୍ୟରେ ବାନ୍ଧି ହୋଇ ରହିଗଲା। ଏହାର ରୂପ ବ୍ୟାପକ ଥିଲା ପରନ୍ତୁ ଏହା ପଶ୍ଚିମର 'ଅଦର ୱାର୍ଲଡ' ଭାବକୁ ବଦଳାଇ ପାରିଲା ନାହିଁ। ଏହା ସେ ପର୍ଯ୍ୟନ୍ତ ସମ୍ଭବ ହେବ ନାହିଁ ଯେ ପର୍ଯ୍ୟନ୍ତ ଏଠାରେ ତାଙ୍କ କାର୍ଯ୍ୟକଳାପର ଇତିହାସର ପୁନର୍ପରୀକ୍ଷଣ ନ ହୋଇଛି। ଉତ୍ତର ଔପନିବେଶିକ ଅଧ୍ୟୟନ ଅବଶ୍ୟ ତାଙ୍କ 'ଉଚ୍ଚ' ଭାବନାକୁ ସୈଦ୍ଧାନ୍ତିକ ରୂପେ ପ୍ରତ୍ୟାଖ୍ୟାତ କରିଛି। ପଶ୍ଚିମର ଚିନ୍ତକ ଓ ଚିନ୍ତନ ପ୍ରକ୍ରିୟା ଭାରତୀୟ ସଂସ୍କୃତିର ତୁଳନା ତାଙ୍କ ନିଜ ସ୍ଥାନରେ ତାଙ୍କୁ ଦିଆଯାଇଥିବା ଜ୍ଞାନ ଅନୁସାରେ ଆରମ୍ଭ କଲେ। ତେଣୁ ଏହି ଚିନ୍ତନ ପଦ୍ଧତି ଜନ୍ମରୁ ହିଁ କୁଣ୍ଠିତ ଓ ନ୍ୟୁନତାଯୁକ୍ତ ରହି ଆସିଲା। ନବ ଜାଗରଣ ପୂର୍ବର ୟୁରୋପ ଓ ସେହି ସମୟର ଭାରତର ତୁଳନା କଲେ ତାହା ହିଁ ହେବ ଦୁଇ ସଭ୍ୟତା ଭିତରେ ବିମର୍ଶାତ୍ମକ ସାର୍ଥକ ତୁଳନା। ସେହି ଦୁଇ ସଭ୍ୟତା ମଧ୍ୟରେ ଥିବା ବୌଦ୍ଧିକ ଓ ସାଂସ୍କୃତିକ ଉପଲବ୍ଧିଗୁଡ଼ିକ ଭିତରେ ଅନ୍ତର, ଉଭୟଙ୍କ ପ୍ରଭାବ ଭିତରେ ଥିବା ଅନ୍ତର, ଉଭୟଙ୍କ ଭିତରେ ଥିବା ଶାଶ୍ୱତ ମୂଲ୍ୟବୋଧର ତୁଳନାତ୍ମକ ସ୍ୱରୂପ ପ୍ରସ୍ତୁତ କରିଥାଏ। କିନ୍ତୁ ଏପରି ତୁଳନାତ୍ମକ ଅଧ୍ୟୟନ ନା ପ୍ରାଚ୍ୟବାଦୀ(ଓରିଏଣ୍ଟାଲିଷ୍ଟ) କଲେ ନା ଉତ୍ତର ଔପନିବେଶିକ ଚିନ୍ତକ।

୨୩.୧୦.୧୮

No comments: