Thursday, 11 July 2019

*ଜାଗ୍ ମଛନ୍ଦର୍ ଗୋରଖ୍ ଆୟା*

ବିନୋଦ କହିଲା, "ଆପଣ ବିଜ୍ଞ, ଶାସ୍ତ୍ରଜ୍ଞ, ଭାବୁକ, ଚିନ୍ତାଶୀଳ। କହୁଛନ୍ତି ସାରକଥା ସବୁ। ଯୁକ୍ତି କରିବା ତ ଅଲଗା କଥା, ଓଲଟା ଯୁକ୍ତି କେତେ ଆଡୁ କରାଯାଇପାରେ, ସେ କଥା କହୁ ନାହିଁ। ଭାବୁଛି କଣ କି ମୁଁ ଯାହା, ମୋ ପରିସ୍ଥିତି ଯେପରି, ୟେ ସଂସାର ଯାହା, ମୁଁ ପ୍ରକୃତରେ ନୂଆ ପ୍ରକାରେ ନିଜକୁ ଗଢ଼ି ପାରିବି, ୟେ ସମ୍ଭବ ନୁହେଁ। ବୋଧହୁଏ, ସଂସାରରେ ସମସ୍ତିଙ୍କର ଏଇ ଏକା ଅବସ୍ଥା। କେତେବେଳେ ନିଜକୁ ଆୟତ୍ତ କରୁଥିବେ, କେତେବେଳେ ପବନରେ ଏଣେ ତେଣେ ଉଡୁଥିବେ, ସୂଅରେ ଭାସୁଥିବେ। ତେବେ ମନର ବୋତଲ ଭିତରେ ଦୁଶ୍ଚିନ୍ତା ଗୁଡ଼ିକୁ ସାଇତି ରଖି, ସେଥିରେ ଠିପି ମାରିଦେଇ ସେଇ ବାମ୍ଫର ଚାପରେ ଛଟପଟ ହେବା ଅପେକ୍ଷା - ଏମିତି କେତେବେଳେ ଠିପି ଖୋଲିଦେଇ ପାରିଲେ ମନଟା କେତେ ଉଶ୍ୱାସ ହୋଇଯାଇଛି ! ଆପଣ ମୋର ବଡ଼ ଉପକାର କଲେ।"

ଶଶୀ ମିଶ୍ରଙ୍କ ସହ ଅନ୍ଧାରରେ କଥା ହୋଇ ହୋଇ ବିନୋଦ ନିଜ ଘର ପର୍ଯ୍ୟନ୍ତ ଆସିଯାଇଥିଲା। ତା ପରେ ଦିହେଁ ନିଜ ନିଜ ଘରକୁ ଗଲେ।

ବିନୋଦ କାବା ହୋଇ ଭାବିଲା, ୟେ କଣ ହେଲା ? ଧର୍ମପତ୍ନୀଙ୍କୁ ଛାଡ଼ି ଦେଲେ ବାହାରେ ଆଉ କାହା ସଙ୍ଗେ ଆପଣା ବ୍ୟକ୍ତିଗତ ଦୁଃଖ ବିଷୟରେ କେବେ ଆଲୋଚନା କରେ ନାହିଁ, ଭାବେ ସେପରି କଲେ ତା ମୁଣ୍ଡ ତଳକୁ ହେବ। ଅଥଚ ଶଶୀ ମିଶ୍ର ତା'ର କିଏ ?

ତା ମନର ବିଚିତ୍ର ଅବସ୍ଥାରେ ତାକୁ ଲାଗିଲା, ଯେମିତି ଅଦୃଶ୍ୟ ଉହାଡ଼ରୁ ଅଚିହ୍ନା ଛାୟା ମୂର୍ତ୍ତଟିଏ ତା ଆଗରେ ଉଭା ହୋଇଥିଲା। ଏବେ ଆଉ ନାହିଁ। ଭାବିଲେ ଲାଗୁଛି ଠିକ୍ ତାଙ୍କ ବାପାଙ୍କ ଭଳି ଥିଲା ସେ, ତାଙ୍କରି ଉପସ୍ଥିତିର ଅନୁଭବ ଆଣିଥିଲା, ତା ମନ ଯେତେବେଳେ ଆକୁଳ, ସେ ଆସିଥିଲା ଦମ୍ଭ ଦେବାକୁ, ବାଟ ବତେଇବାକୁ, ଚେତେଇବାକୁ, ଯେମିତି "ଜାଗ୍ ମଛନ୍ଦର୍ ଗୋରଖ୍ ଆୟା" - ଆରେ ତୁ ଏଠି ରାଜା ଖେଳ ଖେଳୁଛୁ ସିନା, ତୁ ଏୟା ନୋହୁଁ ବା ତୁ ଏୟା ନ ଥିଲୁ। ତୁ ତ ପରମଯୋଗୀ ମତ୍ସୈନ୍ଦ୍ର ନାଥ। ତୁ ତ ଏ ସୁନା ପରି ଦିଶୁଥିବା କାଦୁଅରେ ବନ୍ଦୀ ନୋହୁଁ ରେ, ଉଠିଆ ତୋ ବାଟ ଧର।

ନିଜ ଭିତରେ ଅନୁଭବ କରୁଛି, ଆଉ ଜଣେ କିଏ ତା କଥା କହୁଛି। ତୁନି ତୁନି ହୋଇ ତା' କଥା ସ୍ପଷ୍ଟ ଶୁଭୁଛି। ତା ଭିତରେ ଥାଇ ତା ସଂସାରୀ ଜୀବନର ବିକଳପଣକୁ ହସରେ ଉଡୋଉଛି -

ଏ 'ମୁଁ' ଟା ଖାଲି ଖାଇବ, ପାଇବ ବୋଲି କେମିତି ଆଣ୍ଠୁ ଗଣ୍ଠି ଛିଡୋଉଛି ! ବିଚରା, ଅବୁଝା, ମୂର୍ଖ !

ତା ମନ ପୋଛା ପୋଛି, ଶାନ୍ତ। ଶାନ୍ତ ଅନ୍ଧାର ରାତି, ଜଳଜଳ ତାରା। ମଝିରେ ମଝିରେ ଦୂରରୁ ମଣିଷମାନଙ୍କ ସ୍ୱରଶବ୍ଦ ଶୁଭୁଛି, କାନକୁ କେଡ଼େ ଭଲ ଶୁଭୁଛି ! ସ୍ୱାଭାବିକ ଭାବରେ ତୁଣ୍ଡ ଶବ୍ଦରେ କି  ସୁନ୍ଦର ସଙ୍ଗୀତ !

ସେ ତା ହତାରେ ପଶୁଛି, ତା ମନରେ ହସ ଖେଳି ଉଠିଲା।

୧୧.୭.୧୯

No comments: