ଏ ଯୁଗ ଆଉ ମନୁଷ୍ୟ ପ୍ରବୃତ୍ତି, - ଅମଡ଼ା ମାଡ଼ି ବୋହି ଚାଲିଛି ନଈ ବଢ଼ିପରି କୁଆଡ଼େ କୁଆଡ଼େ, କେଉଁ ନୀତି ଆଦର୍ଶର କଥା ସେ ଶୁଣିଛି, - ତା ଢାଲୁ ଖାଲି ଆପଣା ସ୍ୱାର୍ଥ, ଆପଣା ସୁବିଧା, ତରତରରେ ଯେତିକି ଆଗକୁ ଦିଶୁଛି ସେତିକି।
ତଥାପି ସେ ବିନୋଦ, ସେ ରହିଛି ତା ମୂଲ୍ୟବୋଧକୁ ସାଇତି, ରହିଛି ତା ବାଗରେ। ଦେଖି ପାରୁଛି ଜନ ଗହଳି ଭିତରେ ଥାଇ ସୁଦ୍ଧା ଏକୁଟିଆ ନିଛାଟିଆ ହୋଇ ସେ କେହି ଜଣେ, ଯାହା ମୁହଁକୁ ଅନାଇ ଦେଇ କେହି ଅଟକି ରହେ ନାହିଁ। ହାଉ ଘାଉ ଭିତରେ କ୍ଷୀଣ ସ୍ୱରଟିଏ। ସ୍ୱରଟା ଅଛି ଜୀଅନ୍ତା, କିନ୍ତୁ କେହି କାନାଏ ନାହିଁ। ତା କୁହାରେ ସୂଅ ଓଲଟିବ ନାହିଁ।
ସାହା ସଖାହୀନ ଏକୁଟିଆପଣ ଭିତରୁ ସେ ପଦାକୁ ଚାହିଁ ଦେଖୁଛି, ପୋକମାଛି ପରି ମଣିଷ, ବଢ଼ି ବଢ଼ି ଚାଲିଛି ତା ବଂଶ। ଚାରିଆଡ଼େ ସାଲୁ ବାଲୁ, କାଲୁ ବାଲୁ। ଏଠି ଦିଶୁ ନାହାନ୍ତି, ସନ୍ତୁଷ୍ଟ ସ୍ୱୟଂସମ୍ପୂର୍ଣ୍ଣ ସ୍ୱାବଲମ୍ବୀ ମଣିଷ, ଖୋଲା ଉପତ୍ୟକାରେ କି ଦୂର ଦୂର ଲମ୍ବିଥିବା ଅରଣ୍ୟରେ, ଯାହାଙ୍କ ସାନ ସାନ ବସତି ଯେ ପ୍ରକୃତି ଭିତରେ ପ୍ରକୃତି ସହ ମିଶି ଜୀବନ ବଞ୍ଚନ୍ତି, ନୀତି ଆଦର୍ଶକୁ ଜୀବନଠୁ ବଡ଼ ମନେକରି ପାଳନ୍ତି। ଇତିହାସର ସଂସାର ଏ, ବଢ଼ନ୍ତା, ଅକଳନ, ସଂଘର୍ଷ ଓ ସମସ୍ୟାମୟ, ହିଂସ୍ର, ସହାନୁଭୂତି ହୀନ। ୟାର ବି ଉଦ୍ଦେଶ୍ୟ ଅଛି, ଆଉ ଯାହାର ଯାହା ପଛେ ହୋଇଯାଉ, ନିଜେ ବଞ୍ଚିବା, ନିଜର ସ୍ୱାର୍ଥ ବଢ଼େଇବା, ଛଡ଼ା ଛଡ଼ି, ଧରାପରା, ମରାମରି ଭିତରେ ମୁହୂର୍ତ୍ତେ ହେଉ ବା କେତେବର୍ଷ ହେଉ, ଯେତେକାଳ ଯେ ବଞ୍ଚୁ।
ସକାଳେ ଆକାଶରେ ମେଘ ଘୋଡ଼େଇ ଥାଏ। ଶେଷା ଶେଷି ଦଣ୍ଡବତ ସାରି ବିନୋଦ ତା'ର ପରିବାର ସମେତ ଗାଡ଼ିରେ ବସିଲା। ଜିନିଷ ପତ୍ର ଭଡ଼ା ଟ୍ରକରେ ଆଗରୁ ପଠା ସରିଥାଏ। ୟେ ଗୋଟିଏ ଭଡ଼ା ଟେକ୍ସି, ଯିବ ରେଳ ଷ୍ଟେସନରେ ଛାଡ଼ି ଦେଇ ଆସିବ।
ବିନୋଦ ପଛକୁ ଅନାଇଲା। ଇଏ ସେହି ଘର ଯେଉଁଠି ତା ଚାକିରିର ତିନି ବର୍ଷ କଟିଯାଇଛି। ତାକୁ ଲାଗୁଥାଏ କେଉଁ ଅଶରୀରୀ ଦେବୀ, ଯେ ତାଙ୍କୁ ଏଠି ସ୍ନେହରେ ପାଳିଥିଲେ, ଜଗି ରହିଥିଲେ ଯେମିତି ତାର କିଛି ଅନିଷ୍ଟ ନ ହେଉ। ସେହି ଆଡ଼କୁ ଚାହିଁ ସେ ନମସ୍କାର କଲା।
ଗାଡ଼ି ଆଗକୁ ଗଡ଼ିଲା। ବିନୋଦ ଦେଖିଲା ଶଶୀ ମିଶ୍ର ଆସି ନମସ୍କାର କରୁଛନ୍ତି, ସେ ପ୍ରତି ନମସ୍କାର କଲା। ତା ପରେ ମୁହଁ ବୁଲେଇ ସାମ୍ନାକୁ ଅନାଇଁଲା। ହୃଦ ଭିତର ମନ୍ଥି ଚକଟି ହେଲା, ଏଠି ପଛରେ ରହିଯାଉଛି ତା ପାଇଁ ଏତେ ସ୍ନେହ, ରହିଯାଉଛି ତା ଜୀବନର ଗୋଟେ ଅଂଶ, ଏଥର ତାହା ସମୟ ଭିତରେ ନିଶ୍ଚିହ୍ନ ହେବ, ସବୁ ଭଲ ମନ୍ଦ, ଠିକ୍ ଭୁଲ, ଜିତିବା ହାରିବା, ଗୋଟିଏ ସମୟ ମାପ ଭିତରେ ଗୋଟିଏ ମଣିଷର ସୁଖ ଆଉ ଦୁଃଖ ଅନୁଭୂତି।
ପଛ ଆଡ଼େ ଧୂଳି ଉଡୁଛି, ତା ବି ବସିଯିବ।
୧୯.୭.୧୯

No comments:
Post a Comment