Tuesday, 23 July 2019

*ଦିଉଡୁ ତୁଣ୍ଡରେ କଥା ନାହିଁ*

ରାତିଟା ସ୍ବପ୍ନପରି କଟିଗଲା। ସକାଳୁ ସମସ୍ତେ ଉଠିଲେ। କାମିକା ଲୋକଙ୍କ ସକାଳ, ସେଇ ଚିରନ୍ତନୀ କୋଳାହଳ, ଗୋରୁ ଚରିବାକୁ ଯିବେ, କ୍ଷେତକୁ ହଳ ଯିବ, ମଣିଷ ଯିବେ। ଘରକରଣାର ସତସ୍ତରି ରୀତି। ଗାଁର ଗୋଟାଏ ପଟ କୁହୁଡ଼ି ଭିତରେ ଅତିଶୟ ଲାଲ ହୋଇ ସୂର୍ଯ୍ୟ ଉଠିଲା, ଉଠିଲାଣି ସେ ଏଥର ଆଉ ବସେଇ ଦେବ ନାହିଁ। ସବୁ ପୂର୍ବପରି। ଚାରିଆଡ଼େ ଚହଳ, ପାଟି, କିଛି ବଦଳି ନାହିଁ। ଖାଲି ସାଓଁତାର ଶୋଇବା ଘରୁ ସରୁ ଗଳାରେ କାନ୍ଦଣା ଶୁଭୁଛି ପୁବୁଲିର। ତା'ର ବି ଘରକରଣା ସରିଯିବ ଏଣିକି। ଯିବ ଯିବ ବୋଲି କେଉଁଦିନୁଁ ତା'ର ମନ ହେଲାଣି। କେହି ତାକୁ ଅଟକେଇ ରଖି ନାହିଁ। ଆଜି ସକାଳୁ ସେ ବୁଝିପାରୁଛି କାହିଁକି ଯାଇ ନ ଥିଲା - ମା ନାହିଁ, ବାପ ଥିଲା, ବୁଢ଼ାବାପାକୁ ଛାଡ଼ିଦେଇ ପରଘର କରିଯିବାକୁ କେମିତି କେମିତି ଲାଗିଥିଲା। ପୁବୁଲି ଯାଇ ନାହିଁ।

ବାପା ନାହିଁ, ଏଥର ସେ ମୁକ୍ତ। କିନ୍ତୁ ଏହିପରି ମୁକ୍ତ କଣ ସେ ଖୋଜିଥିଲା ? ପୁବୁଲି ବୁଝେ ନାହିଁ ବାପା ବୁଢ଼ା ହୋଇଥିଲା। ପିଲାମାନଙ୍କ ଆଖିରେ ବାପା ବୋଉ କେବେ ବୁଢା ହୁଅନ୍ତି ନାହିଁ, ତାଙ୍କର ବୟସ ନାହିଁ। ତଥାପି ବାପା ଡାକ ତା'ର ଗଲା ବୁଡ଼ି। ଝିଅ ସେ, ତା'ର ଏ କୁଳର ଜୀବନ କିଏ ମଝିରୁ କାଟି ଅନ୍ଧାର କରିଦେଲା। ପୁବୁଲିର କଇଁ ବାଧା ମାନୁ ନ ଥାଏ। ଲୋଟି ଗଡ଼ି ସେ କାନ୍ଦୁଥାଏ ସେହିପରି।

ଖରା ପଡ଼ିଲା ସାଓଁତାର ଅଙ୍ଗାର ଉପରେ। ଗୁଡ଼ାଏ ଅଙ୍ଗାର, ଗୁଡ଼ାଏ ଦରପୋଡ଼ା କାଠ। ଖଣ୍ଡ ଖଣ୍ଡ ହାଡ଼ ଗୁଡ଼ାଏ, କଳା ଧଳା ରଙ୍ଗର। ଗୋଟାଏ ଖପୁରି, ଭଙ୍ଗା ହାଣ୍ଡି ଆଉ ଚିରା ଟୋକେଇ।

କାଲି ଏ ଥିଲା ସରବୁ ସାଓଁତା, ପାଞ୍ଚ ଶହ କନ୍ଧଙ୍କର ସର୍ଦ୍ଦାର।

ପୁଣି ଗାଁ ଲୋକେ କାଠ ନେଇ ନିଆଁ ନେଇ ଆସିଲେ। ପ୍ରଥା ଅନୁସାରେ ଧ୍ୱଂସାବଶେଷ ଆଉ ଥରେ ସକାଳୁ ପୋଡ଼ା ହେବ। ଗୁଡ଼ାଏ ଲୋକ, ଅପ୍ରସନ୍ନ ମୁହଁ, ଗୋଟାଏ ଅପ୍ରୀତିକର କାମ ଚଞ୍ଚଳ ଶେଷ କରି ଯିବାକୁ ହେବ। ଦିଉଡୁ ବି ଥିଲା। ସାଓଁତା ଯାଉଁ ଯାଉଁ ତା'ରି ମୁଣ୍ଡରେ ଲଦା ହୋଇପଡ଼ିଲା କେଜାଣି କେତେ ବୋଝ। ତା'ର ମୁହଁରେ ଦୁଃଖ ପଥର ହୋଇଛି, ଆଖି କାଚ ପରି, ତୁଣ୍ଡରେ କଥା ନାହିଁ। ଶୀତଳ ପାଉଁଶ ଏକାଠି କରି ଦରପୋଡ଼ା ହାଡ଼କୁ ଆଉ ଥରେ ଚିତାରେ ଥୋଇଲେ।

ଏଥର ସବୁ ଶେଷ।

ଲେଞ୍ଜୁ କନ୍ଧର ହୋସ୍ ହେଲା, ଏଥର ସବୁ ସରିଲା, ବଡ଼ ଭାଇ ଆଉ ବସି ନ ଥିବ ଘର ଆଗରେ ପଥର ଉପରେ, ବିରାଟ ଧୁଙ୍ଗିଆ ପିକା ଆଉ ମଝିରେ ମଝିରେ କାଶ। ବଡ଼ ଭାଇ ଗଲା, ସେ ବଞ୍ଚିଛି, ଏମିତି ଦିନେ ସେ ବି ମରିଯିବ। ଲେଞ୍ଜୁ କନ୍ଧ କାନ୍ଦିଲା। ଦିଉଡୁ ଥକ୍କା ହୋଇ ନିଆଁ ଆଡ଼କୁ ଅନେଇ ଠିଆ ହୋଇଥାଏ। ଡିସାରି ପାଟିକଲା, "ଛି, ଅଶୁଭ; ପଛକୁ ଅନାନ୍ତି ନା !"

ମାଲଭାଇ ପୁଣି ଗାଧୋଇ ପାଧୋଇ ମୁଣ୍ଡରେ ଜଡ଼ାତେଲ ବୋଳି ଘରକୁ ଫେରିଲା ବେଳକୁ ବସିଲା ତଣ୍ଟିରେ ପୁବୁଲି କାନ୍ଦୁଛି। ମଣିଷର କାନ୍ଦଣା ନୁହେଁ ତ ଜନ୍ତୁର କାନ୍ଦଣା।

ଦିଉଡୁ କାମ କଲା ନାହିଁ। ବାପ ଯେଉଁ ପଥରରେ ବସେ, ସେଠି ଥକ୍କା ହୋଇ ବସି ରହିଲା ଆଉ ଧୁଙ୍ଗିଆ ଟାଣିଲା। ଲେଞ୍ଜୁ ଗୋରୁ ଗାଈଙ୍କି ଫିଟେଇ ନେଇଗଲା। ପୁୟୁ ନାହିଁ, ଯାଇଥିବ ବଣକୁ କନ୍ଦା ଖୋଳି, ସେ ଆସିଲେ ରନ୍ଧା ହେବ। ଘର ଭିତରେ ପୁବୁଲି କୋଉଠି ପଡ଼ି ରହି କାନ୍ଦୁଛି। ଦୁଆରେ ଦସ୍ତୁ ଶୋଇଛି। ଦିଉଡୁ ବସି ରହିଲା। ସବୁ ଶୂନ୍ ଶାନ୍। ଭାବିବାକୁ ମନହୁଏ। ଭାବନା ମଝିରେ ମୁଣ୍ଡ ଭିତରେ ତୋଫାନ ଆସେ, ଆଖିରୁ ଲୁହଧାର ଲାଗିରହେ, ଆଉ ମନେ ହୁଏ ନଇଁପଡ଼ି ଭାଙ୍ଗିପଡ଼ି ତଳେ ପୋତିହେବାକୁ। ପୁଣି ନିଜକୁ ସମ୍ଭାଳି ନିଏ, ଭାବିବାକୁ ମନେହୁଏ, ଖାଲି ଭାଁ ଭାଁ ଲାଗେ, ଆଖି ରହେ ଶୂନ୍ୟରେ, ଧୁଙ୍ଗିଆ ପିକା ଜଳିଯାଏ।

୨୩.୭.୧୯

No comments: