ଶଶୀ ମିଶ୍ର କହିଲେ, "ସେମିତି କୁହନ୍ତୁ ନାହିଁ ଆଜ୍ଞା। ଆପଣଙ୍କ ପରି ଲୋକ ଭଲରେ ରହିବା ଉଚିତ। ଘଟନା ତ ଯାହା ସବୁ ଘଟିଯାଉଛି, ସେ ସବୁ ଭଗବାନଙ୍କ ଇଚ୍ଛା। ଆମ ଜନ୍ମ ବି ଗୋଟିଏ ଘଟନା ନୁହେଁ କି ? କେଉଁଠି ଜନ୍ମ ହେବି ? କେମିତିକା ଘରେ ଜନ୍ମ ନେବି ? ଏହା ବି ତ ତାଙ୍କ ଇଚ୍ଛା। ଘଟନା ଯାହା ଘଟିଯାଉ ଯଦି ଜଣେ ନିଜକୁ ସମର୍ଥ କରି ଗଢ଼ି ପାରେ ତେବେ ସେ ଶାନ୍ତ ରହି ପାରେ। ଦୁଃଖ ସୁଖରେ ତା ମନ ଚହଲେ ନାହିଁ। ତା'ର ସବୁଦିନେ ଭଲ। ମୁଁ ତ ଆପଣଙ୍କୁ ଜାଣିବା ଦିନୁ, ସେଇଆ ଭାବିଛି। ସେଥିପାଇଁ ଆପଣ ସବୁବେଳେ ପ୍ରସନ୍ନ, ସବୁବେଳେ ସାହସୀ, ସିଂହପରି।"
ବିନୋଦ ଅଟକିଗଲା। ସେ ଯେମିତି ଖୋଜୁଥିଲା, ସେମିତି କେହି ଜଣେ ତାକୁ ମିଳିଗଲା। ତାଙ୍କ କଥାର ଶେଷ ଆଡ଼କୁ ଥିଲା ମମତାମୟୀ ଆଉଁସାର ଶୀତଳ ସ୍ପର୍ଶ, ଯାହା ପାଇଁ ସେ ଝୁରି ହେଉଥିଲା। ଅନ୍ଧାର ସେହି ଭାବରୂପ ଘେନିଥିଲା, ଅନ୍ଧାରରେ ସେ ମିଶି ଗଲାଣି, ସେ ସ୍ୱର ଶୁଭିଥିଲା ସ୍ୱପ୍ନରେ। ଗାଲରେ ଦୁଇ ଧାର ଲୁହ ହୋଇ ତାହା ବୋହିଯାଇଥିଲା। କତିରେ ଚାଲିଛନ୍ତି ଶଶି ମିଶ୍ର, ସେ ଆଉ ପର ପର ଲାଗୁ ନାହାଁନ୍ତି, ଲାଗୁଛନ୍ତି ଯେମିତି ଜଣେ ସୁଖ ଦୁଃଖର ସାଥୀ, ଆପଣାର ହିତୈଷୀ ବନ୍ଧୁ।
ଶଶୀ ମିଶ୍ର କହିଲେ, "ଆଜି କାହିଁକି ଏତେ ଉଦାସ ଜଣା ପଡୁଛ ? କଣ ହେଇଚି ତୁମର ??"
ବିନୋଦ - "ମୋ ପ୍ରତି ଅନ୍ୟାୟ ଅବିଚାର କରାଯାଉଛି। ଅନ୍ୟମାନଙ୍କୁ ଟେକି ମୋତେ ହୀନିମାନ କରି ମୋର କ୍ଷତି କରାଯାଉଛି, ଅପମାନ କରାଯାଉଛି। ସେସବୁ ଯେତେବେଳେ ମନେପଡ଼ିଯାଉଛି ମନ ଅସମ୍ଭାଳ ହେଉଛି।
କାହିଁ ନ୍ୟାୟ ? କାହିଁ ବିଚାର ? କାହିଁ ମଣିଷପଣିଆ ? ସବୁ ଓଲଟା ଚାଲିଛି। ବିଲେଇ ହାତରେ ପୋଡ଼ପିଠା। ଏଇ ଦାୟିତ୍ୱଧାରୀମାନେ ଦେଶର କି ଉଜ୍ୱଳ କରିବେ ? ଦୁଃଖୀ ରଙ୍କିଙ୍କ ମୁହଁରେ ଏମାନେ କି ହସ ଫୁଟାଇବେ ?
ଶଶୀ ମିଶ୍ର କହିଲେ, "ମୁଁ ଜାଣିଛି। ଆପଣ ଆଦର୍ଶ ଓ ସୁନୀତିକୁ ଜଗି ଜଗି ବାରମ୍ବାର ଉପରିସ୍ଥ ଅଧିକାରୀମାନଙ୍କ ବିଷଦୃଷ୍ଟିରେ ପଡ଼ନ୍ତି। ଅନ୍ୟାୟ, ଅତ୍ୟାଚାର, ଅବିଚାର, ଅବହେଳାର ଶିକାର ହୁଅନ୍ତି। ତାଥାପି, ନିଜ ବାଟରୁ ତିଳେ ଅବାଟକୁ ଯାଆନ୍ତି ନାହିଁ। ଲୋକେ ସିନା ଏହାକୁ ବୁଝୁ ନାହାନ୍ତି, କିନ୍ତୁ ଈଶ୍ୱର ଠିକ୍ ବୁଝିବେ। ନିଜ କାମ ନୁହେଁ, ଈଶ୍ୱରଙ୍କ କାମ ଆପଣ କରୁଛନ୍ତି। ତା'ର ମୂଲ୍ୟ ଦିଅନ୍ତି ଈଶ୍ୱର। କେଉଁ ବାଟରେ ଦେବେ, କେମିତି ଦେବେ ସେ କଥା ତାଙ୍କୁ ଠିକ୍ ଜଣା। ଆପଣ ଇସ୍ତଫା ଦିଅନ୍ତୁ ନାହିଁ। ଆପଣ ଇସ୍ତଫା ଦେଲେ ଅନ୍ଧାର ଭିତରେ ଜଳୁଥିବା ଦୀପଟି ନିର୍ବାପିତ ହେଇଯିବ।"
ବିନୋଦ - "କ'ଣ କରିବି ଆଜ୍ଞା ? ମନ ଅଶାନ୍ତ ହେଉଛି, ଭବିଷ୍ୟତକୁ ଭରସା ପାଉ ନାହିଁ ?"
ଶଶୀ ମିଶ୍ର - "ମନର ଶାନ୍ତି ହିଁ ଅସଲ କଥା। କିନ୍ତୁ ପାଇବା ନ ପାଇବା, ଲାଭ କ୍ଷତି ସହ ତାକୁ ଯୋଡ଼ନ୍ତୁ ନାହିଁ। ଏପରି ଯୋଡ଼ିଲେ ଏହା ପଦ୍ମ ପତ୍ରରେ ପାଣି ପରି ଖାଲି ଟଳ ଟଳ ହେଉଥିବ, ପଡ଼ି ଯାଉଥିବ। ମଣିଷ ଉଦ୍ୟମ ସିନା କରିବ, ପାଇବା ନ ପାଇବା ତା ହାତରେ ନାହିଁ। ସମୟକୁ, ସଂସାରକୁ, ଭାଗ୍ୟକୁ, ଭଗବାନଙ୍କ ଇଚ୍ଛାକୁ କିଏ ନିଜ ଇଚ୍ଛାଧୀନ କରିପାରିବ ? କେହି ନୁହେଁ।
ମଣିଷ ଦିନେ ମରିବ। ପୁଣି ଦିନ ଆସିବ, ତା ସ୍ମୃତି ବି କୁଆଡ଼େ ହଜି ଯିବ। କେଡ଼େ ଟିକିଏ ନାଁ କୁ ଏ ମଣିଷ ଜୀବନ, କାଲି ସକାଳେ ଜନ୍ମ ହୋଇଥିଲା, ଚାହୁଁ ଚାହୁଁ ବଢ଼ି ଉଠିଲା, ଦେଖୁ ଦେଖୁ କାଲି ପରି ଲାଗୁଥିବ, ସେ ଭୀମପରି ହୋଇଥିବ, ତା ପରେ ଆଉ ନାହିଁ। ସ୍ନେହ, ଶତ୍ରୁତା, ଆଶା, ହତାଶା, ମାନ ଅପମାନ, ନିଜ ପର ନାହିଁ, କିଛି ନାହିଁ। ରୋପିଲା ଗଛ ଫଳୁଥିବ, ଫଳ ଆଉ କିଏ ଖାଉଥିବ, ତା ଭାଗରେ ନାହିଁ।
ବିନୋଦ - "ତାହେଲେ ଏ ଅଶାନ୍ତି ଯିବ କିପରି ?"
ଶଶୀ ମିଶ୍ର - "ମୁଁ ବି ଦିନାକାତେ ତୁମ ପରି ଅଶାନ୍ତ ଥିଲି। ଭାରି କଷ୍ଟ ପାଉଥିଲି। ତା ପରେ ଭାବିଲି କିଏ କଷ୍ଟ ପାଉଛି ? ମୁଁ। ସେ ମୁଁ ଟା କିଏ ? ମୁଁ ଏହି ମୁଁ କୁ ଅନେକ ଦିନ ଖୋଜିଲି। ଦେଖିଲି ମୁଁ କଷ୍ଟ ପାଉନି। ମୋ ଭିତରେ ଥିବା ରୂପ, ରସ, ଗନ୍ଧ, ଶରୀର, ମନ ଏମାନେ ହିଁ କଷ୍ଟ ପାଉଛନ୍ତି। ଏମାନଙ୍କ ଠାରୁ ମୁଁ ଟା ଅଲଗା। ମୁଁ ଟା ଅଲଗା ବୋଲି ଅନୁଭବ ହେବା ପରେ ମୋର ମନୋବଳ ବଢ଼ିଲା।
ପୁଣି ଭାବିଲି "ମୁ" କଥା। ତା'ର ଅନେକ ଆଶା। ୟା ନ ହେଉ ତା ହେଉ। ଧର ହେଲା ସବୁ। ଯେମିତି ସଂସାରରେ ସେହି ଅଳ୍ପ କେତେ ଲୋକ, ଯାହାଙ୍କ ବିଷୟରେ ପୂରା ତଥ୍ୟ ନ ଜାଣି ସୁଦ୍ଧା ଆମେ ଅନୁମାନ କରୁ ସେମାନେ ସବୁ ବିଷୟରେ ଭାଗ୍ୟବନ୍ତ। କିନ୍ତୁ କଣ ହେବ ? ସେ ସୁଖ କଣ ସବୁ ଦିନେ ଥିବ ? ଧନ ଥିବ ଭୋଗ କରିବାକୁ ଶକ୍ତି ଚାଲିଯିବ, ବଳ ଯିବ, ସ୍ୱାସ୍ଥ୍ୟ ଯିବ, ଆୟୁଷ ସରିବ, ପାଣି ଫୋଟକା ଫାଟିବ। ସେଉଠୁ ? ସୁଖ ତ ରହିବ ନାହିଁ, ତାହେଲେ ଦୁଃଖ କାହିଁକି ? ଯାହା ଘଟି ଯାଉଛି ଘଟି ଯାଉ ମୁଁ ମୋ କାମ କରୁଥାଏଁ, ବିବେକକୁ ସାକ୍ଷୀ ରଖି, ସେତିକି।
ଏମିତି ଭାବିଲି ବାରମ୍ବାର, ଅଭ୍ୟାସ କଲି, ଦେଖିଲି ମୋ ଜୀବନ ସହି ହେଲା, ଆଉ କାଟିଲା ନାହିଁ। ବରଂ ତା ଭିତରେ ଏକ ପ୍ରକାର ଆନନ୍ଦର ଅନୁଭବ କଲି।"
୫.୭.୧୯

No comments:
Post a Comment