କେତେ ଆତ୍ମା ଉଡ଼ି ଚାଲିଛନ୍ତି ଶୂନ୍ୟକୁ, ଫୋପାଡ଼ି ଦେଇ ଯାଇଛନ୍ତି ଖାଲି ତାଙ୍କର ନାଁ ର ଖୋଳପା, ସମୟ ତାକୁ ବି ଖତିରା କରି ଦେଇଛି, ଧୂଳି କରି ଦେଇଛି। ଧୂଳିରେ ଧୂଳି ମିଶିଛି, ଅଗଣିତ ନାଁ, ଆଜି ବାଛି ହେବ ନାହିଁ।
ଗାଁ ମଝିରେ ବଡ଼ ନିଆଁ ଅଗି ଜଳୁଥାଏ। ଚାରିଟା କୁକୁଡ଼ା ଛୁଆଙ୍କ ରକ୍ତ ଢଳା ହେଲା, ରନ୍ଧା ମଦ ଢଳା ହେଲା। ଉଡ଼ନ୍ତା ଖଇ ଗୋବିନ୍ଦେ ସ୍ୱାହା। ସରବୁ ସାଓଁତାର ଆତ୍ମା ଶାନ୍ତି ହେଉ। ପୁରୋହିତ କାମ୍ବେଲା ଜାନୀ ପ୍ରେତକ୍ରିୟାର ମନ୍ତ୍ର ଶେଷ କଲା। କନ୍ଧମାନେ ଅପକ୍ଷା କରିଥିଲେ। ଏକାଥରକେ ଶବ୍ଦକରି ବାହାରିଗଲା ଗୁଡ଼ାଏ ଦୀର୍ଘଶ୍ଵାସ। ଏବେ ସରବୁ ସାଓଁତାର ପ୍ରେତ ଗାଁ ଛାଡ଼ି ବାହାରିଗଲା, ଏଣିକି ଶାନ୍ତି। କଳରବ ହେଲା, ମଦ ପିଆ ଲାଗିଲା। କନ୍ଧ ଡୋଲିଆ ମାଦଳ ପିଟିଲେ। କନ୍ଧ ପିଲାଏ ବଡ଼ ବଇଁଶୀରେ ଐକ୍ୟତାନ ଲଗେଇ ଦେଲେ। ମୁହାଁମୁହିଁ ଦି'ଧାଡ଼ି ହୋଇ ଧାଣ୍ଡି ନାଚିଲେ, ମାଡ଼ି ଆସିଲେ, ପଛେଇ ଗଲେ, ପୁରାତନ ରୀତି। ମଦ ପିଆ ବଢ଼ିଲା। ସବୁ ଗୋଳମାଳ ହୋଇଗଲା। ପଛେ ପଛେ ଭାତ ମାଉଁସ ଭୋଜି। କାଉ ପରି ରାବି ଉଠିଲେ ମଣିଷ ମେଂଚମେଂଚି ହୋଇ ହୋ-ହା ଘୋ-ଘା। ବାଜା ଥମ୍ବି ନ ଥାଏ, ରହିରହିକା ବଇଁଶୀ ଚାଲିଥାଏ। ଭୋଜି ପରେ ଅଇଁଠା ଗାଁ ଦାଣ୍ଡରେ ପୁଣି ନାଚ, ପୁଣି ଫୁର୍ତ୍ତି, କାହାର ହୋଶ ନ ଥାଏ। ପୁବୁଲି ନାଚୁ ଥାଏ, ଦିଉଡୁ ଗଡୁଥାଏ, ଲେଞ୍ଜୁ କରପଟିଆ ହୋଇ ହାତ ଗୋଡ଼ ଛାଟି ଡେଇଁବାରେ ଲାଗିଥାଏ। ଗାଁ ଲୋକେ ଖୁସି ହେଉଥାନ୍ତି।
ଏ ବି ପର୍ବ। ପ୍ରେତ ଘଉଡ଼ା ପର୍ବ। ଉଷୁମ ଅଗି, ନାଚ, ଭୋଜି। ଝୋଲା କୂଳରେ ନିଛାଟିଆ ବଣ ଭିତରେ ଅଙ୍ଗାର ଗୁଡ଼ାଏ ପଡ଼ିଥାଏ, ବିଲୁଆ ବୋବେଇ ବୋବେଇ ଯାଏ, ବଣର ଚଢ଼େଇ ବିକଟାଳ ରାଵ ଛାଡ଼େ। ଶୀତ ରାତି, ଅନ୍ଧାର ରାତି। ବଣର ଘୁଙ୍ଗୁଡ଼ି ପରି ଝୋଲା ଭିତରୁ ରହିରହିକା ଶବ୍ଦ ଆସେ। ଅଙ୍ଗାର ଉପରେ ଧାର ଲାଗିଯାଆନ୍ତି ଜୁଳୁଜୁଳିଆ ପୋକ, କାକର ଗଦା ହୁଏ।
ରାତି ବଢ଼ି ବଢ଼ି ଚାଲିଲା, ମଝି ଦାଣ୍ଡର ନିଆଁ ଲିଭିଲା, ଗୋଜିଣା ଗୁଡ଼ାକ ଛିଞ୍ଚାଡ଼ି ହୋଇପଡ଼ି ଧୀରେ ଧୀରେ ମଲା। ସବୁ ତୁନି ପଡ଼ିଲା। ମଝିରେ ମଝିରେ ଛିଗୁଲେଇଲା ପରି ନିଆଁ ଗୁଡ଼ାକ ଚାଇଁ ଚାଇଁ ଦିଶେ, ପୁଣି ଛାଇ ପଡ଼େ। ଗାଁ ଦାଣ୍ଡ ନିଶବଦ। କବାଟ ପଡ଼ିଲା।
ସରବୁ ସାଓଁତା ଅନ୍ଧାରକୁ ଡରୁଥିଲା। ଉଷୁମ୍ ଭଲ ପାଉଥିଲା। ଘରେ କବାଟ ପଡ଼ିଛି, ଭାରି ଶୀତ, ଅନ୍ଧାର।
୨୯.୭.୧୯

No comments:
Post a Comment