ବିନୋଦ ଚିନ୍ତା କରୁଥିଲା ଯାହା ବି ହେଉ ଏବେ ତ ଏ ସ୍ଥାନ ଛାଡ଼ିବାର ବେଳ, ଏସ ଡି ଓ ବାବୁଙ୍କୁ କାହିଁକି ଏତେ ରୋକ୍ ଠୋକ୍ କରି କହିଲି। ସେ କଣ ଭାବିଥିବେ ! କିନ୍ତୁ ରାଘବ ଚୌଧୁରୀ ତା କଥାରେ ମୁହଁ ଫୁଲେଇବେ କଣ, ସେ ହୋ ହୋ ହସି ହସି ଗଡ଼ିଗଲେ। ତାଙ୍କ ହସ ଶବ୍ଦରେ ଘର ଉଠିଲା ପଡ଼ିଲା। ସେ ନିଜକୁ ସମ୍ଭାଳି ନେଇ କହିଲେ -
ମୁଁ ଜାଣେ ଆମ ସର୍ଭିସରେ ଯୁବକମାନଙ୍କ ଭିତରେ ବି ଏମିତି କେହି କେହି ଆଦର୍ଶବାଦୀ ଅଛନ୍ତି। ସଂଖ୍ୟାରେ ଅଳ୍ପ ସତ, କିନ୍ତୁ ଯୁଗେ ଯୁଗେ ସେମାନେ ଥିଲେ, ତାଙ୍କରି ଭିତରୁ କେହି କେହି କେତେବେଳେ ତାଙ୍କ ସ୍ବପ୍ନ ଆଦର୍ଶକୁ କାବ୍ୟ ଉପନ୍ୟାସ କରି ଲେଖିଯାଇଛନ୍ତି, କେହି ଲେଖିଛନ୍ତି ନୀତିଶ୍ଳୋକ। ଭଲ କଲେ, ମଣିଷ ଆଶା କରିବାକୁ ଅନ୍ତତଃ ଦି ଧାଡ଼ି ତ ରହିଗଲା, ଯେ ଭଲ କାମ କଲେ ପୁରସ୍କାର ମିଳେ, ଖରାପ କାମ କଲେ ଦଣ୍ଡ ଭୋଗନ୍ତି, ଭଗବାନ ଭଲ ଲୋକର ଭଲ କରନ୍ତି, ଦୁଷ୍ଟକୁ ସଂହାର କରନ୍ତି, ଓଳି ଘେନି କୋଳି, ତେଲାଉଣୀ ଘେନି ଚକୁଳି, ଇତ୍ୟାଦି।" ପୁଣି ସେ ହସିଲେ।
ସେ କହିଲେ, "ସେହି ଆଦର୍ଶବାଦୀମାନେ ଏ ସଂସାରରେ ଜୀବନ ବିତେଇ ମନେ ମନେ ଆଉ ଗୋଟିଏ ସଂସାରର ମନଲୋଭା ରୂପ ନିଜ ନିଜ କଳ୍ପନାରେ ଗଢ଼ନ୍ତି, ଯାହା ଏ ସଂସାରରେ କେବେ ନ ଥିଲା କି ନାହିଁ। ମତେ ଲାଗେ ମନ ଗଢ଼ା ସ୍ବପ୍ନ ଦେଖି ସେମାନେ ସେତିକି ସମୟ ବର୍ବାଦ କରନ୍ତି ଯେତିକି ତାସଖେଳାଳୀ ତାସଖେଳି କରେ। ଯୋଡ଼ିଏ ଅବସ୍ଥାରେ ସେମାନେ କ୍ଷତିରେ ପଡ଼ନ୍ତି। ଗୋଟିଏ ହେଲା ଯେତେବେଳେ ସେମାନେ ସତ ବୋଲି ଭାବି କାମ ଆରମ୍ଭ କରନ୍ତି ସେତେବେଳେ। ଦ୍ଵିତୀୟ ହେଲା କୁହୁଡ଼ି ଦେଖି ପାଣି ବୋଲି ଭ୍ରମକରି ଗାଧୋଇ ବସିଲେ ଆଣ୍ଠୁଗଣ୍ଠି ଛିଡ଼େ। ସଂସାରଟା ଆଦୌ ସରଳ ନୁହେଁ ବିନୋଦ ବାବୁ, ଆଦୌ ସରଳ ନୁହେଁ।
ସର୍ଭିସ ବିଷୟରେ ଆପଣ ଯାହା ଯାହା ଦୋଷ ତ୍ରୁଟି କଥା କହିଲେ, ସେ ସବୁ ଅଛି ସେଥିରେ, କିନ୍ତୁ ଏକା କଣ ସେଇଠି ? ସେମିତି ସଂସାରଯାକ ସବୁ କ୍ଷେତ୍ରରେ ତ ଅଛି। ଦୁନିଆଁଟା ଯାକ ସେଇଆ। ଆପଣ କଣ ଭାବୁଛନ୍ତି ଏଇ ସର୍ଭିସ ସଂସ୍ଥା ଛଡ଼ା ଅନ୍ୟ କେଉଁଠି ନ୍ୟାୟ ପାଇବେ ? ତା'ହେଲେ ଆପଣ ଭୁଲ ଭାବୁଛନ୍ତି।"
ବିନୋଦ ତାଙ୍କର ଲମ୍ବା ବକ୍ତୃତାକୁ କାନ ପାରି ଶୁଣୁଥିଲା। ଭାବୁଥିଲା, କଣ ଥାଇପାରେ ଏହା ଉହାଡ଼ରେ ? ତାଙ୍କ ନିଜର କିଛି ଛପିଲା ଅଭିଯୋଗ, ନା ଛାନିଆ ? ସ୍ୱାର୍ଥ ସର୍ବସ୍ବ ନିଃସଙ୍ଗ ମଣିଷର ନିଭୃତ ମନ ଭିତରେ କେଉଁଠି କୁହୁଳା ଘଷି-ନିଆଁ ? କଣ ହୋଇଛି ତାଙ୍କର ?
ବିନୋଦର ତାଙ୍କ ପ୍ରତି ଏତେ ଟିକେ ବି ଭୟ ନ ଥିଲା। ଭାବୁଥିଲା ସେ ତା ଠୁଁ ପରାମର୍ଶ ହିଁ ମାଗୁଛନ୍ତି। ପୁଣି ତାର ମନେପଡୁଥାଏ, ଇଏ ସେହି ଲୋକ, - ଦୁର୍ନିତୀ ଅବିଚାର ମିଥ୍ୟା ଶଠତା ମଦାନ୍ଧତାର ଗୋଟାଏ କୁତ୍ସିତ ମୂର୍ତ୍ତି ବୋଲି ଯାହାଙ୍କ ବିଷୟରେ ତାର ଧାରଣା ରହି ଆସିଛି, ଅଥଚ ପୁଣି ଲାଗୁଛି ସେ ନିଜର ତଳି ଯାକେ ସବୁ ଦୀନତା ତାକୁ ଦେଖାଇ ଦେଉଛନ୍ତି। ଲୋକଟା ମାଡ଼ି ବସି ଖାଇଲା ବେଳେ ବାଘ ପରି, ଅଥଚ ପ୍ରକୃତରେ ଗୋଟାଏ ଡରୁଆ ଦୁର୍ବଳିଆ ଚତୁର ବିଲୁଆ।
ସେ ବି ହସିଦେଲା। କହିଲା, "ଆମେ ସବୁ କାଲିକାର, ଆପଣଙ୍କ ଆଗରେ ଆମେ କଣ ଜାଣୁ ! କେତେ ବାଟ ବା ଦେଖିପାରୁ ! ଆପଣଙ୍କ ଅଭିଜ୍ଞତା ଆମର କାହୁଁ ହେବ ?
କିନ୍ତୁ କହନ୍ତୁ ସାର, ଏଇ ଯେଉଁ ନିର୍ବାଚିତ ପ୍ରତିନିଧି ଶାସନ ଚଳେଇବେ ତାଙ୍କଠୁଁ ଆମେ ନ୍ୟାୟ ବିଚାର ଆଶା ନ କରିବା କାହିଁକି ? ତାଙ୍କଠୁଁ ଆମର ଆଶଙ୍କା ବା କଣ ? ଆମର ନିଜର ଦୋଷ ଦୁର୍ବଳତା ନ ଥିଲେ କେହି ଆମର କିଛି ଅନିଷ୍ଟ କରିପାରେ ? ଆପଣତ ଦେଖିଥିବେ ସାର, ମୁଁ ମୋ ବିବେକ ଅନୁସାରେ ନିୟମ ମାନି ମାନି ମୋ କାମ କରିଯାଏଁ, ନିଜ ପାଇଁ କିଛି ଆଶା କରେ ନାହିଁ କି କାହାରିକି ଡରେ ନାହିଁ। ମୋ ବାଟରେ ମୁଁ, ସିଧାବାଟ, ଆଉ ଡରିବାର ଜଗିବାର କଣ ଅଛି ?"
ରାଘବ ଚୌଧୁରୀ - "ଯେ ନିଜ ମନେ ମନେ ଯେଡ଼େ ଠିକ୍ ବାଟରେ ଚାଲିଥାଉ, ତାକୁ ଆଉ ଜଣେ କେହି ଭୁଲ ବାଟ ବୋଲି କଣ କହି ପାରିବ ନାହିଁ ?"
"କାହିଁକି କହିବ ?"
"ତାକୁ ନ ସୁହାଇଲେ କହିବ। ତା ସ୍ୱାର୍ଥରେ ବାଧା ପଡ଼ିଲେ କହିବ। ଆଉ ଯଦି ତା' ହାତରେ କ୍ଷମତା ଥିବ ତେବେ ସେ ହଇରାଣ ବି କରିଦେବ। ଚାକିରିରେ ହଇରାଣ କରିବା, ବାରମ୍ବାର ଅଖାଡୁଆ ଜାଗାକୁ ଅବେଳରେ ବଦଳି କରାଇବା, ମିଛରେ ମକଦ୍ଦମାରେ ପକାଇବା, - ଆପଣ ତାକୁ ଅଟକେଇ ପାରିବେ ? କ୍ଷମତା ମଣିଷର ମୁଣ୍ଡ ବିଗାଡ଼ି ଦିଏ।"
୧୫.୭.୧୯

No comments:
Post a Comment