ସାଓଁତା ମଲା ବେଳକୁ ବୁଢ଼ା କୁକୁର ଦସ୍ତୁ ହିଁ ତା ପାଖରେ ଥିଲା। ଗାଁରେ ପାଞ୍ଚ ଶହ ଘର। ଗୋଟାଏ ପାଖେ ସାତ ତାଳରେ ଅନ୍ଧାରୁଆ ବଣ ତଳେ ତଳେ ଗହୀର ଝୋଲା, ତା ସେପାଖେ ଅତଟ ପାହାଡ଼, ପାଖେ ପାଖେ ଉପତ୍ୟକା, ତା ସେକଡ଼ରେ ଦାଆ ଫାଳ ପରି ବିରାଟ ପର୍ବତ। ଆଉ ଗୋଟାଏ ପାଖେ ଗାଁ-ପାହାଡ଼ର ତଳ ଢାଳୁ ଧାନ ବିଲକୁ ଓଲ୍ହେଇ ପଡ଼ି ପୁଣି ଚଢିଯାଇଛି ଅରଣ୍ୟମୟ ପର୍ବତ ଉପରକୁ।
ଯେଉଁଆଡ଼େ ଚାହିଁଲେ ଅସୁମାରୀ ପର୍ବତର ମାଳ ଘନ ଜଙ୍ଗଲ ଖଞ୍ଜିଲା ପରି ତା ଉପରେ ତା ଉପରେ ପର୍ବତର ବିମାନ। ଗାଁ ଭିତରେ ଏତେ ଧୁମ୍ ଧାମ୍ ଯେ ପଞ୍ଚ ଶହ ଲୋକଙ୍କର ଘର, ପଦାରୁ ଚାହିଁଲେ କେଉଁଠି ଗାଁ ତାର ପତ୍ତା ମିଳେ ନାହିଁ। ଗାଁ ଉପରର ଧୂଆଁ ଆଉ କୁହୁଡ଼ିର ଧୂଆଁ ଏକାଠି ମିଶି ବିଛେଇ ହୋଇ ପଡ଼େ - କ୍ଷେତ ଉପରେ, ବଣ ଉପରେ।
ଏଇ ତା'ର ବୁନିଆଦି ଭୂଇଁ ସରବୁ ସାଓଁତାର। ପାହାଡ଼ର ଖଣ୍ଡ ପରି ବିଶାଳ ଦେହ ତା'ର ଶାଳ ଗଛ ମୂଳେ ପଡ଼ି ରହିଥାଏ, ବର୍ଷା ଝିମ ଝିମ କରୁଛି। ଗାଁ ଶୂନ୍ ଶାନ୍। ଲୋକେ ପୂଜାରେ ବ୍ୟସ୍ତ।
କିଛି ସମୟ ଗଲା। ସାଓଁତାର ସୋର ଶବଦ ନାହିଁ। ମାଛି ବେଢ଼ିଲେ। ପ୍ରଭୁର ଦେହ ପାଖେ ବସି ଦସ୍ତୁ କୁକୁର ଚିତ୍କାର ଛାଡୁଥାଏ। ଗୋରୁ ଲେଉଟିଲେ। ଧୂଳିର ମେଘ ଉଡ଼ିଲା ରଙ୍ଗ ଅବିର ପରି। ଝଙ୍କା ବରଗଛ ତଳେ ମୂଷାର ରକ୍ତ ଆଉ ରନ୍ଧା ମଦ ଢାଳି, ହାତେ ଉଞ୍ଚ ଛାମୁଡ଼ିଆ ଉପରେ କୁକୁଡ଼ା ଡିମ୍ବ ଥୋଇ, ହଳଦିଆ ନାଲିଆ ଟୋପି ଟୋପିକା ଚିତ୍ର ହୋଇଥିବା କାଠ ଖଣ୍ଡି, କାଠ ବର୍ଚ୍ଛା ଓ ଖେଳନା ବାଘ ମୂର୍ତ୍ତି ତଳେ ଥୋଇ ଦେଇ ସବୁ ଶ୍ଳୋକ ସବୁ ମଙ୍ଗଳ କାମନା ଶେଷ କରି ଗାଁ ଲୋକେ ଗାଁ ଆଡ଼କୁ ଚାଲିଲେ। ପୂଜା ସରିଛି, ଏଥର ମଦ ପିଆ ଆଉ ଫୁର୍ତ୍ତି।
ଆଲୁଅର ଗାର ସାନ ହେଲା, ଛାଇର ଗାର ବଢ଼ି ଗଲା, ଦସ୍ତୁ ବସି କାନ୍ଦୁ ଥାଏ, ତା'ର କୁକୁରିଆ ଆଖି କଣରୁ ଛାପି ପଡୁଥାଏ ବଡ଼ ବଡ଼ ଲୁହ।
ଧୀରେ ଧୀରେ ଗାଁ ଭିତରେ ଗହଳି ବଢ଼ିଗଲା। ଆନନ୍ଦର ହର୍ଷରୋଳ, ଏଥର ମଦ ପିଆ ହେବ। ମଦ ଦାଣ୍ଡକୁ ଅଣା ହେଲା। ହାତରେ ଛେଲୁଆ, ଲାଉତୁମ୍ବା ବୋତଲ ଟିଣ ଧରି ଗାଁ ଲୋକେ ମଦକୁ ବେଢ଼ି ବସିଲେ। ଗେଧ ଖେଙ୍କିଲା ପରି ବୁଢ଼ା ମାନଙ୍କର ଖଡ଼ ଖଡ଼ ଗମ୍ଭୀର ଭାଷା ମଦ ଲୋଭରେ ଆହୁରି ବ୍ୟଗ୍ର ହୋଇ ଉଠୁଛି। କିଏ ପିଇଲାଣି, କିଏ ପିଇବାକୁ ଯାଉଛି। ମଦ ପିଆ ପରେ ବଡ଼ ଅଗି ଜଳିବ। ନିଆଁରେ ପୋଡ଼ି ମାଂସ ଖିଆ ହେବ। ସାନ ପିଲାମାନେ ଅଣ୍ଟାରେ କୌପୁନି ଖୋସି ଦେଇ ଏକଗୋଡ଼କିଆ, ଦିଗୋଡ଼କିଆ ଡେଉଁଛନ୍ତି, ଭୂଇଁରେ ଗଡୁଛନ୍ତି, ମୁହଁରେ ଆଖିରେ ଉଜ୍ଜ୍ୱଳ ହସ।
ଦସ୍ତୁ କୁକୁର ବୋବାଳି ଛାଡ଼ିଥାଏ। ମାଂସର ବାସ୍ନାରେ ତା'ର ନାକ ନିଶ ଫୁଲିଯାଏ ଆପେ ଆପେ, କାନ୍ଦଣା ମଝିରେ ମାଂସ ବାସ୍ନାକୁ ଉଣ୍ଡି ନାକ ସୁଙ୍ଗୁ ସୁଙ୍ଗୁ ହୁଏ। କିନ୍ତୁ ପାଖରେ ସାଓଁତାର ଦେହ। ଖାଲି ଦେହଟା ଶୁଖିଲା ସାପକାଠି ପରି। ଏକା ଥାଳିରୁ ସାଓଁତା ସାଙ୍ଗରେ ଭାତଖିଆ, ଏକାଠି ବଣରେ ଶିକାର। ବାଘ ଦାଉରୁ ଏଇ ଦସ୍ତୁ ତାକୁ ସବୁ ବେଳେ ରକ୍ଷା କରିଥାଏ। ସାଓଁତା ବି ତାକୁ ଖୁବ୍ ସ୍ନେହ କରେ। ଦେହରେ ଘା ହେଲେ ଶୁଖିଲା ପାଣିରେ ଧୋଇ ଧାଇ ଭଲ କରି ଦିଏ। ଏବେ କିଏ ବୁଝିବ ତା କୁକୁର ମନର କଥା ? ସମସ୍ତେ ଭୁଲିଯିବେ, ମଣିଷର ଭୁଲା ମନ। କିନ୍ତୁ ସେ -
ମୁହଁକୁ ଚାଟେ, ପାଦକୁ ଚାଟେ, ବାରମ୍ବାର ବୁଝେ ସବୁ ଥଣ୍ଡା, ସବୁ ଶେଷ, ଆକାଶ ଫଟେଇ ଚିତ୍କାର ଛାଡ଼ିଦିଏ ଦେବତା ଆଡ଼କୁ, କିନ୍ତୁ ସେଠୁ ଉଠେ ନାହିଁ।
କିଛି ସମୟ ପରେ ଆହୁରି ମଦ ଆଣିବାକୁ ମାଂସ ଆଣିବାକୁ ଜାଗା ଦରକାର ପଡ଼ିଲା। ଜାଗା ନେବାକୁ ସାଓଁତା ଘରର ଲୋକେ ଘରକୁ ଆସିଲେ। ସାଓଁତାର ଭାଇ ଲେଞ୍ଜୁ ଆସିଲା, ସାଓଁତାର ପୁଅ ଦିହୁଡ଼ ଆସିଲା, ତା ସ୍ତ୍ରୀ ଜୁଞ୍ଜୁ, ଝିଅ ପୁବୁଲି ଆସିଲା। ଏତିକି ତା'ର ପରିବାର। ଲେଞ୍ଜୁ ପାଖ ବଖରାରେ ପଶିଲା। ମଦ ରଖିବାକୁ ସେ ଛୋଟ ଟିଣଟିଏ ରଖିଛି। ଦିଉଡ଼ିର ଆଖି ଟଳଟଳ।
ସମସ୍ତେ ଭାବିଥିଲେ, ସାଓଁତା ସବୁଦିନ ପରି ଅଳସେଇ ଶୋଇପଡ଼ିଛି। ଦିଉଡୁ ବିରକ୍ତ ହେଲା, ଆଜିପରା ଦିନରେ ଆନନ୍ଦରେ ମଉଜରେ ନ ମାତି ବାପ ଏ ଯାଏ ଶୋଇଛି, ଆଉ ଟିକେ ଗଲେ ଆଲୁଅ ଚାଲିଯିବ। ଦିଉଡ଼ି ଭାବିଲା ବାପକୁ ଉଠେଇ ଦେବା ତା'ର କର୍ତ୍ତବ୍ୟ, ଗାଁ ମଦରୁ ଆଗେ କିଛି ପେଟରେ ସାଇତୁ ସେ, ତା ପରେ ଘରେ ସାଇତା ହେବ। ଦିଉଡୁ ପାଖକୁ ଗଲା, କୁକୁରର ଅନର୍ଥକ ବୋବାଳିରେ ସେ ବିରକ୍ତ ହେଉଥିଲା। ଟେକା ଉଞ୍ଚାଇ କୁକୁରକୁ ସେ ଚମକାଇଲା। ସାଓଁତାକୁ ଡାକିଲା, ଜବାବ ନାହିଁ, ହଲାଇଲା ଜବାବ ନାହିଁ, ଅଳ୍ପ ମଦ ନିଶା ଘାରିଥିଲା ତାକୁ। ବାରମ୍ବାର ହଲାଇ ଶେଷ ଥର ବାପା ବୋଲି ଡାକି ସେ ଥକ୍କା ହୋଇ ବସି ପଡ଼ିଲା।
ଦିଉଡୁ ପାଟିକଲା, ଘରର ଲୋକେ ଜମା ହେଲେ, ସମସ୍ତେ ମିଶି କାନ୍ଦିଲେ, କୋଡ଼ିଲେ, ଛାତିରେ ପିଟିଲେ, ନଖରେ ଗାଲକୁ ଚୁମୁଟି ଚୁମୁଟି ଓଟାରି ଲୁହ ବୁହାଇଲେ। ସମସ୍ତେ ବିକଳ ହୋଇ କାନ୍ଦିଲେ, ଗଡ଼ିଲେ।
ଯେଉଁଠି ଥିଲା କାର୍ତ୍ତିକ ପରବର ଆନନ୍ଦ ଉତ୍ସବ, ସେଠିକି ଓଲ୍ହାଇ ଆସିଲା ସଞ୍ଜ ଆକାଶର ଅନ୍ଧାର। ଆଲୋ ଆଲୋ ହାତେଉଁ ହାତେଉଁ (ହାୟ ହାୟ ମରିଗଲା)। ତେଲ ହଳଦି ବୋଳା ମୁହଁରେ ଲାଗିଗଲା ଗାଁ ଦାଣ୍ଡର ବାଲି।
କାନ୍ଦଣା ଶୁଣି ସମସ୍ତେ ଗଦା ହୋଇ ପଡ଼ିଲେ। କାନ୍ଦଣା ବଢ଼ିଲା। ସ୍ତ୍ରୀ ଲୋକମାନେ ସମସ୍ୱରରେ ବିଳାପ କଲେ, ପୁରୁଷମାନେ ସାଓଁତାର ଶବକୁ ବେଢ଼ି ବ୍ୟସ୍ତ ହୋଇପଡ଼ିଲେ। ଅନେକ କାମ ବାକି। ଦସ୍ତୁର କାମ ସରିଲା। ଏବେ ମଣିଷଙ୍କ କାମ।
୨୧.୭.୧୫

No comments:
Post a Comment