Tuesday, 16 July 2019

*ଇଂରେଜ ଛାଞ୍ଚକୁ ଛାଡ଼ିବା ଉଚିତ*

"ତେବେ ଆମର କଣ ହେବ ?" ବିନୋଦ ପଚାରିଲା।

"ଆମର, ବହୁତ କଥା ହେବ। ନେତା ନିଜ ଲୋକ ଖୋଜିବେ। ଆମେ ଯଦି ତାଙ୍କ ପଟକୁ ଢଳିଲେ, ତେବେ ପ୍ରମୋଶନ ଥୁଆ। ବିନା ପରୀକ୍ଷାରେ ଆଇ ଏ ଏସ ଯେଉଁମାନେ ହେଲେ। ଟିକେ ରିକୃଟମେଣ୍ଟ ଲିଷ୍ଟଟା ଦେଖନ୍ତୁ ତ !"

ବିନୋଦ ଭାବିଲା, ତାହେଲେ ଏଥିପାଇଁ ରାଘବ ଚୌଧୁରୀ ଲାଗିଥିଲେ ! ସେ କହିଲା, "ସେମିତି ହେଇପାରେ, କିନ୍ତୁ ଲୋକ ପ୍ରତିନିଧି ସବୁ ଯାକ ସ୍ୱାର୍ଥୀ ହେବେ ବୋଲି ଆପଣ କାହିଁକି ଭାବୁଛନ୍ତି ?"

ରାଘବ ଚୌଧୁରୀଙ୍କ ପାଖରେ ଆଉ କିଛି ଉତ୍ତର ନ ଥିଲା। ସେ କହିଲେ, "ବୁଝିଲେ ବିନୋଦ ବାବୁ, ମୁଁ ଆପଣଙ୍କ ପରି ଅନେକ ଦିନ ସଚ୍ଚୋଟ ଥିଲି। ଆପଣଙ୍କ କଥା ଭାବିଲା ବେଳକୁ ମୋର ସେହି ନିଜ ଅତୀତର 'ମୁଁ' କଥା ମୋତେ ଭାବିବାକୁ ପଡ଼ିଥାଏ। ସେଥିରେ କିଛି ହେବ ନାହିଁ ବୋଲି ତ ମୁଁ ଏପଟ ରାସ୍ତା ଧରିଲି।

ବିନୋଦ କାବା ହୋଇ ତାଙ୍କୁ ଅନେଇଥାଏ, ଆଖି ବୁଲେଇ ନେଇପାରୁ ନ ଥାଏ, ତାଙ୍କ ପ୍ରତି ତାର ସବୁ ବିଦ୍ୱେଷର ଭାବନା ଭୁଲି ଯାଇଥାଏ, ଭାବୁଥାଏ - ବାହାରକୁ ଦିଶୁଛନ୍ତି, ଶୋଠଲ, ଢୋଲା, ଏଡ଼େ ମଣିଷ, ଭିତରେ ଟଳଟଳ, ମେଢି଼ଆ, ବାଙ୍କୁଲି ବୁଢ଼ା ଲୋକ, ଏତେ ଅସହାୟତା !

ରାଘବ ଚୌଧୁରୀ ପୁଣି କହିଲେ, "ଆପଣ କଣ ଭାବୁଛନ୍ତି ନିର୍ବାଚିତ ପ୍ରତିନିଧିମାନେ ଆପଣଙ୍କୁ ସମ୍ମାନ ଦେବେ ? ଏଭଳି ବିଶ୍ୱାସ ଆପଣଙ୍କ ସହ ଆଉ କେତେଜଣଙ୍କର ମଧ୍ୟ ଥିବ। କିନ୍ତୁ ଆପଣମାନେ କଣ ଆଖି କାନ ବୁଜିଛନ୍ତି ? ଲୋକ ଗହଳିରେ ଥିବାବେଳେ ଲୋକଙ୍କୁ ଦେଖାଇ ଦେଖାଇ ଆପଣମାନଙ୍କୁ ବେଠିଆ ବେଗାଡ଼ି ପରି ବ୍ୟବହର ଦେଖାଇଲେ ସେମାନେ ଖୁସି, ଲୋକେ ଜାଣନ୍ତୁ ତାଙ୍କୁ ଘୋଡ଼ା ଚଢ଼ି ଆସେ। କା ସ୍ଥାନ କେତେ ତଳେ ତାଙ୍କୁ ଦେଖାଇ ଆସେ। ଆପଣ କେଉଁ ପରିସ୍ଥିତିରେ ଅଛନ୍ତି ତାଙ୍କର କି ଯାଏ ? ଭାଷଣ ଦେଲା ବେଳେ ବୁଝାଇଥାନ୍ତି, ଏମାନଙ୍କ ଠାରୁ କାମ ହାସଲ କର, ଏମାନେ ତୁମ ନୌକର, ଏମାନେ ଦରମା ପାଆନ୍ତି, ଏମାନଙ୍କୁ ଡର ନାହିଁ, ଏମାନେ କାମ ନ କଲେ ଆମକୁ କୁହ।"

ବିନୋଦ ହସିଲା, କହିଲା, "ଏ ସବୁ ହୁଏତ କେହି ତାଙ୍କ ଜନପ୍ରିୟତା ପାଇଁ କହୁଥିବେ। ସାଧାରଣ ଲୋକ ବି ବୁଝିବା ଦରକାର ସ୍ୱାଧୀନତା ଆସିଛି। ସେମାନେ ସ୍ୱାଧୀନ ହେଲେଣି। ସରକାରୀ କର୍ମଚାରୀକି ତାର ଯୁଗଯୁଗର ଡର। ସେ ଡର ନ ଭାଙ୍ଗିଲେ ସେ କେମିତି ମୁହଁ ଖୋଲି କଥା କହିବ ?"

"ଏଇ ଯେଉଁମାନେ ଜିତିଛନ୍ତି, ଏମାନେ ସବୁ ସ୍ୱାଧୀନତା ସଂଗ୍ରାମୀ ଥିଲେ, ତାଙ୍କୁ ଜେଲକୁ ହାଜତକୁ ପଠାଇଥିବା ଲୋକ ତ ଏବେ ସବୁ ସେମିତି ଚାକିରିରେ ଅଛନ୍ତି। ୟାଙ୍କୁ କଣ ସେମାନେ ଏତେ ଶୀଘ୍ର ଭୁଲିଯିବେ ?

ବିନୋଦ - "ସ୍ୱାଧୀନତା ସଙ୍ଗେ ସଙ୍ଗେ ସେ ପୁରୁଣା ଶାସନ କଳ ବଦଳିବାର ଥିଲା। କିନ୍ତୁ ଯେତେ ଶୀଘ୍ର ବଦଳିବ ଏହା ଦେଶ ପାଇଁ ସେତେ ମଙ୍ଗଳକର ହେବ।"

ଏବେ ବୁଝିଲେ ବିନୋଦ ବାବୁ, ଏମାନେ ବଡ଼ ସ୍ୱାର୍ଥୀ ହୋଇଗଲେ, ଯାହା ରହିଲା, ଇଂରେଜ ଯେଉଁ ଛାଞ୍ଚ, ଯେଉଁ କଳ ଥୋଇ ଦେଇ ଗଲେ, ଏମାନେ ସେଇଆକୁ ରଖିଥିବେ, ତାକୁ ଘୃଣା କରୁଥିବେ, ସନ୍ଦେହରେ ଦେଖୁଥିବେ, କିନ୍ତୁ ରଖିଥିବେ।

ଏଇ ଦେଖୁନ ଆମ ପରେ ସ୍ୱାଧୀନ ହେଲା ଇସ୍ରାଏଲ। ତାର ଭାଷା ହିବୃ, ସେମାନେ ଅଠର ଶହ ବର୍ଷ ସେ ଭାଷା ଠାରୁ ଦୂରରେ ଥିଲେ, ସ୍ୱାଧୀନ ହେବାର ପ୍ରଥମ କ୍ୟାବିନେଟ ବୈଠକରେ ଯେତେବେଳେ ରାଷ୍ଟ୍ର ଭାଷା କଥା ଉଠିଲା ସମସ୍ତେ ହିବୃ ଶିଖିବା ପର୍ଯ୍ୟନ୍ତ ପ୍ରଥମ ପାଞ୍ଚ ବର୍ଷ ଇଂରାଜୀ ରଖିବାକୁ ପ୍ରସ୍ତାବ ଦେଇଥିଲେ, କିନ୍ତୁ ତାଙ୍କ ଭିତରେ ଥିବା ଅନୁଭବୀ ଓ ସ୍ୱାଧୀନଚେତା ବ୍ୟକ୍ତିମାନେ କହିଲେ, ନା, ଇଂରାଜୀ କିମ୍ବା ଅନ୍ୟ କୌଣସି ଭାଷାର ସାହାରା ଆମେ ନେବା ନାହିଁ। ଯେତେ ବି କଷ୍ଟ ହେଉ ଆମେ ହିବୃ ଶିଖିବା। ଏହା ଆମର ରକ୍ତର ଭାଷା, ଏହା ଆମ ବର୍ଣ୍ଣର ଭାଷା, ଏହା ଆମର ପ୍ରିୟ ମାତୃଭାଷା। ଏମାନେ ପାଞ୍ଚ ବର୍ଷର ପାଠ୍ୟକ୍ରମ ତିଆରି କଲେ। ଏଥିରେ ଜଣେ ଜଣକୁ ଶିଖାଇବ। ସବୁ ପୁରୁଖା, ପୁରୁଣା ହିବୃ ଶିଖାଳି ନୂଆ ମାନଙ୍କୁ ପାଞ୍ଚ ବର୍ଷ ଭିତରେ ହିବୃ ଶିଖାଇ ଦେଲେ। ସ୍କୁଲ କଲେଜରେ ନୁହେଁ। ଯିଏ ଯେଉଁଠି ଚାହିଁଲା ଭାଷା ଶିଖିଲା। ଆମର ଏ ନେତା ମାନେ ତ ଆମ ଦେଶର ଭାଷା ହିନ୍ଦୀକୁ ମଧ୍ୟ ବିରୋଧ କରିବାକୁ ପଶ୍ଚାଦ ପଦ ହେଉ ନହାନ୍ତି। କାହିଁ ଏମାନଙ୍କ ପାଖରେ ସେ ଜିଦ୍ ?

ବିନୋଦ - "ଆପଣ ଠିକ୍ କହିଲେ। ଆମ ଉପରେ ସ୍ୱାଧୀନ ଭାରତରେ ଗୋଟିଏ ବିଦେଶୀ ଭାଷା ଲଦି ଦିଆଗଲା। ନିଜର ସ୍ୱାର୍ଥ ପାଇଁ ଦେଶର ହିତକୁ ବଳି ଦେବା ଦ୍ୱାରା ଆଗାମୀ ଦିନରେ ଦେଶର ବହୁତ କ୍ଷତି ହେବ।"

ରାଘବ ଚୌଧୁରୀ - "ଏମାନଙ୍କ ପିଢ଼ି ନ ଯିବା ଯାଏ ଦେଶର କିଛି ମଙ୍ଗଳ ହେଲା ଭଳି ମୋତେ ଦେଖା ଯାଉ ନାହିଁ।"

ବିନୋଦ - "ହଁ, ସେମିତି ଲାଗୁଛି। ଆହୁରି କିଛି ସମୟ ଲାଗିବ। ସ୍ୱାଧୀନତାର ଅର୍ଥ ବୁଝିଥିବା ଅନେକେ ସ୍ୱାଧୀନଚେତା ଲୋକ ଆଗେଇ ଆସିବେ। ଗଣତନ୍ତ୍ର ବିଷୟରେ ଚେତନା ଆହୁରି ଭିତରକୁ ଭିତରକୁ ଭେଦିବ। ଧୀରେ ଧୀରେ ଅଧିକ ଶିକ୍ଷିତ ଓ ସମର୍ଥ ଲୋକ ବାହାରିବେ। ସେମାନେ ଏ ସବୁ ତ୍ରୁଟିକୁ ସୁଧାରି ଯାହା ଦେଶର ହିତ ପାଇଁ ଆବଶ୍ୟକ ସେହିକାମରେ ଦେଶବାସୀଙ୍କୁ ଲଗାଇବାରେ ସମର୍ଥ ହେବେ।"

୧୬.୭.୧୯

No comments: