Tuesday, 9 July 2019

*ଆମ କାମ ନ ହେଉ ଧ୍ୱଂସ ଆଉ ଶୋଷଣ*

ଶଶୀ ମିଶ୍ର କହିଲେ, "ଧରନ୍ତୁ ୟେ ମୋ ଭଳି ହୁଣ୍ଡା ଲୋକର ହୁଣ୍ଡାବାଦ। କି ଗୋଟାଏ ସାଧାରଣ ମଳିମୁଣ୍ଡିଆର ମଣିଷବାଦ। କେଉଁ ବାଦ, କେଉଁ ସଂଜ୍ଞା, କେଉଁ ସୂତ୍ର, ୟେ ମଣିଷକୁ ଖାପେ ! ତା'ଠିଁ ପ୍ରକାର ପ୍ରକାରଟି। ବିଶାଳ କୁରୁକ୍ଷେତ୍ର, ଅନନ୍ତ ବ୍ରହ୍ମାଣ୍ଡ, ସବୁ ଏଇ ମଣିଷଠି। ଦେଖିଲେ ପୋକଟାଏ, ତହିଁରେ ଏତେ କଥା !"

"ଆପଣ ଚାଲିଲେ ରହସ୍ୟ ଆଡ଼କୁ।"

"ପାଶ୍ଚାତ୍ୟ ଜଡ଼ ବିଜ୍ଞାନ କଣ ମଣିଷଠିଁ ନାନା ବିସ୍ମୟକର ଆବିଷ୍କାର କରୁ ନାହିଁ ?"

"ଭଲ ହେଲା ପାଶ୍ଚାତ୍ୟ ଦେଶର ବିଜ୍ଞାନ କଥା କହିଲେ। ସେମାନେ ବିଶ୍ବାସ କରିଛନ୍ତି ନିଜ ପୁରୁଷକାର ଦ୍ୱାରା ନିଜ ପରିସ୍ଥିତି ବଦଳେଇବେ, ନିଜ ଜୀବନ ବାଗେଇବେ।"

"ଆମେ ବି କୋଉ କମ୍ ?"

"ସେମାନେ ତାଙ୍କ ସମାଜ ବଦଳେଇବାକୁ ଜାଣିଶୁଣି ନାନା କାମ କରି ଆସିଛନ୍ତି। ନାନା ପରିବର୍ତ୍ତନ କରିପାରିଛନ୍ତି।"

"କହିଲି ପରା ତାଙ୍କ ବିଷୟରେ ମୋର ଧାରଣା ଏତେ ନାହିଁ। ମୁଁ ଭାବେ ସେଠି ବି ନାନା ମତର ଲୋକ, ପ୍ରକାର ପ୍ରକାର ମଣିଷ। କିଏ ମୁନି ଋଷି ଭଳି ତ କିଏ ଦୁଷ୍ଟ ଦୂରାଚାର। ମୋଟାମୋଟି ଭାବରେ ଦେଖିଲେ ସେଠି ବି ନାନା ଅସୁଖ, ଅଶାନ୍ତି। ନ ହେବ କେମିତି ? ସଂସାରଯାକ ସେଇଆ। ମଣିଷ ନିଜ ପ୍ରବୃତ୍ତିମାନଙ୍କୁ ନିଜ ଚିତ୍ତକୁ ଅକ୍ତିଆର କରିପାରିଲେ ତ ? ସେଠି ବି ଲୋକେ ନିଜ ସ୍ୱାର୍ଥ ପାଇଁ ଥାଆନ୍ତି। କାହାଠି କି ବଦ୍ ଗୁଣ, ଦେହରେ, ମନରେ, ଆଚରଣରେ, ନାନା ଲୋକଙ୍କର ନାନା ରୋଗ। କଳ କାରଖାନା କଲେ, ଧନ ଅର୍ଜିଲେ, ଚନ୍ଦ୍ରକୁ କି ମଙ୍ଗଳକୁ ଗଲେ ବୋଲି କଣ ମଣିଷ ଦେବତା ହୋଇଗଲେ ?"

ବିନୋଦ - "ଆମେ କଣ ସେ ଜ୍ଞାନ ବିଜ୍ଞାନ, ସେ କୌଶଳ, ସେ କଳ କାରଖାନା, ସେ ସମୃଦ୍ଧି, ସେ ସବୁ ଆଡ଼କୁ ପିଠି ବୁଲେଇ ଦେବା ?"

ଶଶୀ ମିଶ୍ର - "ତା' ତ ମୁଁ କହୁ ନାହିଁ। ଆମେ ଯାହା ଶିଖି ପାରିବୁ ଶିଖିବୁ, ଯହିଁରେ ଆଉ କାହା ଦୁଃଖ ଯିବ, କରିବାକୁ ଚେଷ୍ଟା କରିବୁ। କିନ୍ତୁ ଆମେ ଆଖିବୁଜି ଭାସି ଯିବୁ ନାହିଁ, ତେଣୁ ଆମେ ଦେଖିବୁ ଏଠି ତା' ଭଲ ହେବ କି ଖରାପ କରିବ, ତା ନ ଭାବି ଆମେ ଖାଲି ଅନୁକରଣ କରିବୁ ନାହିଁ, ପର ଦେଶକୁ ଧ୍ଵଂସକାରୀ ଅସ୍ତ୍ର ବିକି ବଡ଼ ଲୋକ ହେବାକୁ ଆମେ ମନ କରିବୁ ନାହିଁ। ଆମ କାମ ନ ହେଉ ଧ୍ୱଂସ ଆଉ ଶୋଷଣ ପାଇଁ ଉପାୟ ଆବିଷ୍କାର କରିବା, ପରକୁ ପର ଦେଶକୁ ଦୁହିଁ ଖାଇବା। ଆମେ ଲୋଡ଼ିବୁ ସବୁଠି ଶାନ୍ତି, ଆନନ୍ଦ। ଏଠି ବିଦ୍ୟାର ଉଦ୍ଦେଶ୍ୟ ହେବା ଉଚିତ ଆଦର୍ଶ ମଣିଷ ଗଢ଼ିବା।"

୯.୭.୧୯

No comments: