Monday, 8 July 2019

*ଆନନ୍ଦର ଉତ୍ସ ରହିଛି ନିଃସ୍ୱାର୍ଥ ସେବାରେ*

ସ୍ଥିର ହେବା ସ୍ଥିତପ୍ରଜ୍ଞ ହେବା ମାନେ କଣ ସବୁ କାମ ଦାମ ଛାଡ଼ି ଦେଇ କେବଳ ଖାଇ ପାଇ ସବୁ ଦେଖୁଥିବା ଶୁଣୁଥିବା କିଛି ପ୍ରତିକ୍ରିୟା କରୁ ନ ଥିବା, ଅଙ୍ଗୁର ଫଳ ନ ମିଳିଲେ ସେଇଟା ଖଟା ବୋଲି କହି କିମ୍ବା ନିଶା ଖାଇ ସ୍ୱର୍ଗର ସ୍ବପ୍ନ ଦେଖି ମନକୁ ଭୁଲାଇବା - ଏପରି ଜୀବନ ଧରି ଲାଭ କଣ ?

ଶଶୀ ମିଶ୍ର କହିଲେ, "ବୁଦ୍ଧିମାନ, ଜ୍ଞାନବାନ, ସଚେତ୍, ସୁସ୍ଥ, ସାହସୀ ମଣିଷର ଆନନ୍ଦ କଥା ମୁଁ କହୁଛି। ଯାହା କଲେ ମଣିଷ ସବୁ ବିଷୟରେ କୁଶଳୀ, ସବୁଥିରେ ଶ୍ରେଷ୍ଠ ହୁଏ, ସବୁବେଳେ ଆନନ୍ଦ ପାଏ।"

"କେମିତି ?"

"ଯେପରି ତୋଫାନ, ଯେଡ଼େ ତୋଫାନ ଆସୁ ସେ ସ୍ଥିର ନଇଁବ ନାଇଁ, ଟଳିବ ବି ନାଇଁ। ତାର ସବୁ କାମ ସରସ ହେବ। ତା'ଠିଁ ସବୁ ସଦ୍ ଗୁଣ ଆପେ ପଶିବ, ବଢ଼ିବ।"

"କେମିତି ?"

"କାରଣ ନିଜ ସ୍ୱାର୍ଥ, ନିଜ ଚିନ୍ତା ଧରିଥିଲାଯାକେ ଆନନ୍ଦ ମିଳେ ନାହିଁ। ପରକୁ ଭଲ ପାଇଲେ ପରର ଉପକାର କଲେ ଯାଇ ମିଳେ, ତା ବି ହେବ ନିଃସ୍ୱାର୍ଥ, ତେବେ ଯାଇ।"

"ଆପଣ ଜଣେ ଦୁଇ ଜଣଙ୍କ ସେବା କରି ପାରିବେ, ଏତିକିରେ ସମାଜରେ କି ଶାନ୍ତି ଆସିବ ?"

"ମୋ ଦେଇ ଯେତିକି ହେବ। ମୁଁ ସିନା ମୋ ଦାଣ୍ଡ କି ଆଖ ପାଖ ଓଳେଇ ପାରିବି, ସହରଯାକ କାହୁଁ ଓଳେଇ ପାରିବି ?"

"ଆପଣ ଓଳାଉ ଥିବେ ଆଉ ଦଶଜଣ ଅଳିଆ କୁଢ଼ୋଉ ଥିବେ, ତେବେ ସମାଜ କେମିତି ବଦଳିବ ?"

"ସବୁ ମଣିଷ ଭଲ ହେଲେ ସମାଜ ବଦଳି ଯିବ। ଆମକୁ ଜଣେ ଜଣେ ମଣିଷର ଚିନ୍ତା କରିବାକୁ ପଡ଼ିବ। ମା' ପେଟରୁ ସମାଜ ଜନ୍ମ ହୁଏ ନାହିଁ। ଜନ୍ମ ହୁଏ ଗୋଟିଏ ମଣିଷ। ତାକୁ ମା' ପେଟରୁ ସଂସ୍କାର ଦେଇ ହୁଏ ବଡ଼ ହେବା ଯାଏ। ତାକୁ ଭଲ ମଣିଷ କରି ଗଢ଼ିବାକୁ ପଡ଼େ। ଜଣେ ଜଣେ ମଣିଷ କଥା ଚିନ୍ତା ନ କଲେ, ଅନେକ ମଣିଷ ସଂସ୍କାର ନ ପାଇ କୁସଂସ୍କାରିତ ହୋଇ ବାହାରିବେ। ସମାଜ ବିଗିଡ଼ି ଯିବ। ସମାଜ ଫର୍ମାସୀ ଜାରି କରି କଣ ଭଲ ମଣିଷ ଜନ୍ମ କରି ପାରିବ ? ହଁ, ସମାଜ ଫୁସୁଲେଇ ଡରେଇ ଧମକେଇ ଜଣେ ବ୍ୟକ୍ତିକୁ ସଫା ଲୁଗା ପିନ୍ଧାଇ ପାରିବ। କିନ୍ତୁ ମଣିଷର ମନ ଭିତରଟାକୁ ସଫା କରି ପାରିବ ନାହିଁ।"

ବିନୋଦ କହିଲା, "ଆପଣ ସାମ୍ୟବାଦ, ସମାଜବାଦ, ପୁଞ୍ଜିବାଦ ଏ ସବୁ ବିଚାରକୁ କାଟି ଦେଉଛନ୍ତି। ଏଇଟା ଆପଣଙ୍କର କେଉଁ ବିଚାରରେ ଯିବ ?"

"ମୁଁ କୋଉ ଭୁଷ୍ ପଣ୍ଡିତ ଆଜ୍ଞା ! କି ବାଦ ବିବାଦ ବୁଝେଁ !"

୮.୭.୧୯

No comments: