Wednesday, 17 July 2019

*ବାସୁକୀ କଡ଼ ଲେଉଟେଇବ*

ରାଘବ ଚୌଧୁରୀ କହିଲେ, "ଏତେ ଗୁଡ଼ିଏ ଘାଣ୍ଟ ଚକଟ ଭିତରେ ଆମ ସର୍ଭିସ ବଦଳି ଯାଇଥିବ, ଅବସ୍ଥା ଅନୁସାରେ ମଣିଷ ବି ବଦଳନ୍ତି, ସଂସ୍ଥା ବଦଳେ। ବଦଳି ଖୋଜୁଥିବା ଲୋକଟି ଚାହୁଁଥିବ ଯେ କେଉଁଠିକୁ ଗଲେ କେମତି ଚଳିଲେ ବିପଦ ପଡ଼ିବ ନାହିଁ, ବରଂ ନିଜର ଲାଭ ହେବ। ଏବେ ଭାବନ୍ତୁ ଦେଶର ଚିତ୍ରଟା। ପାଖେ ସାଧାରଣ ଲୋକ କଷ୍ଟ ଭୋଗୁଛି, ଆଶା କରୁଛି, ଅଧୀର ହେଉଛି। ପାଖେ ନିର୍ବାଚିତ ନେତାମାନଙ୍କର ଚିନ୍ତା କଣ କଲେ କ୍ଷମତା ମିଳିବ, ରହିବ, ଫେର ମିଳିବ, କାଳେ ପୁଣି ନ ମିଳେ ସେ ଦୃଷ୍ଟିରୁ ଭବିଷ୍ୟତ ପାଇଁ କିଛି ଦମ୍ଭ ସଂସ୍ଥାନର ବ୍ୟବସ୍ଥା। ଏହା ଭିତରେ ଆପଣ ବି ଏକ ସ୍ଥାନ ଖୋଜନ୍ତୁ ଆପଣଙ୍କ ଆଦର୍ଶବାଦ ପାଇଁ।

ବିନୋଦ ଗମ୍ଭୀର ହୋଇ କହିଲା, "ଅଛି ସାର।"

"ଅଛି ? କେଉଁଠି ଅଛି ?"

"ଦେଶର କୋଟି କୋଟି ମଣିଷଙ୍କ ଭିତରେ। ସେମାନେ ଗୋଟି ଗୋଟିକିଆ ହୋଇ କିଏ କଣ ଲୋଭୀ, ସ୍ୱାର୍ଥପର, ଯିଏ ଯାହା ହେଉ। ଏକାଠି ମିଶି ସେମାନେ ବାସୁକୀ, ଯେ ପୃଥିବୀର ଭରା ସମ୍ଭାଳନ୍ତି। ଗୋଟି ଗୋଟିକିଆଙ୍କର ସବୁ 'ଯୁକ୍ତ' 'ବିଯୁକ୍ତ' ମିଶିଗଲେ ଗୋଟାଏ ମିଶାଣ ଫଳ ବାହାରେ, ଯେତେ ଯାହାହେଉ ମଣିଷ ଜାତି ମରିବାକୁ ଚାହେଁ ନାହିଁ।"

"ଆପଣଙ୍କ ବାସୁକୀ କଣ କରିବ ? ସେ ତ ନିଜ ଭିତରେ ପରସ୍ପର ବିରୋଧୀ ଅବୟବଙ୍କ ସୃଷ୍ଟି। ଯେତେ ଭାଇ ସେତେ ଘର, ଯେତେ କନିଆ ସେତେ ବର।"

"ବାସୁକୀ କର ଲେଉଟେଇବ, ପୃଥିବୀରେ ଅନୀତି ଭାର ବଳେଇଲେ ସେଇଆ ସେ କରେ। ସେଉଠୁ ଆସେ ନୂଆ ଯୁଗ।"

"ଆପଣ କହୁଛନ୍ତି ବିପ୍ଳବ କରିବା କଥା ?"

"କେହି କରିଦେବା ବିପ୍ଳବ ସେ ନୁହେଁ ଆଜ୍ଞା, ସେ ଘୋଟିବା ବିପ୍ଳବ। କେଉଁ ପ୍ରକାରେ କେମିତି ହୁଏ କେହି କହିପାରିବ ନାହିଁ। ସେ ଏକ ପ୍ରଳୟ। ନିସ୍ତାର କାହାରି ନାହିଁ। ସରିଗଲେ ଦିଶେ ସବୁ ଛାରଖାର, ପାଉଁଶଗଦା। ଫେର୍ ତାହାରି ଭିତରୁ ସବୁ ନୂଆକରି ଆରମ୍ଭ ହୁଏ।"

ରାଘବ ଚୋୖଧୁରୀ କହିଲେ, "ତା'ହେଲେ ଆପଣ ନୂଆ ଅବତାର କଥା କହୁଛନ୍ତି। ହଉ, ଆଜି ବହୁତ ଗପିଲି। ଚାଲନ୍ତୁ ଏବେ ଖାଇଦେବା। ତା'ପରେ ଆପଣ ଘରକୁ ଯିବେ।"

"ନାଇଁ ମୁଁ ଯାଏଁ ସାର, ଘରେ ସେମାନେ ଅପେକ୍ଷା କରିଥିବେ।"

ରାଘବ ଚୌଧୁରୀ ହସିହସି କହିଲେ, " ଆପଣ ଅଇଛା ଘରେ ପହଁଚିଲେ ଦେଖିବେ ଭାତହାଣ୍ଡି ପଖଳା ସରିଥିବ। କ୍ଷମା କରିବେ, ମୁଁ ଆପଣଙ୍କ ଅନୁମତି ନ ନେଇ ଆପଣଙ୍କ ଘରକୁ ଖବର ପଠାଇ ସାରିଛି। ଏଠି ବଢ଼ା ସରିଲାଣି। ସାଙ୍ଗରେ ଏଠି ଖାଇଦେବା।"

୧୭.୭.୧୯

No comments: