Friday, 26 July 2019

*ଜନ୍ମହେଲା କନ୍ଧପୁତ୍ର*


ଏଇ ବେଳ ପାଇଁ ଅନେକ ଦିନୁଁ ଅପେକ୍ଷା କରି ରହିଥିଲା ପୁୟୁ। ଏ ନିଜ ମନକୁ ଆସେ ସହଜରେ ଯାଏ। କେତେ କେତେ ଛୁଆ ଜନ୍ମ ସେ ଦେଖିଛି। ଏ ସବୁ ସହଜ ଲାଗିଛି ତାକୁ। କିନ୍ତୁ ଏ କି କଷ୍ଟ ! କାନ୍ଦିଲେ କେହି ଶୁଣିବେ ନାହିଁ, ଡାକିଲେ କେହି ଆସିବେ ନାହିଁ ପାଖକୁ। ପୁୟୁ ଛାତିକୁ ପଥର କଲା। ଭୟ ଉଠି ଉଠିକା ଛାତି ପାଖକୁ ଆସିଲେ ସୁଦ୍ଧା ସେ ତାକୁ ତଳକୁ ଠେଲି ଦେଲା। ଏଠି ବିନା ଯୁଦ୍ଧରେ ମଣିଷ ବି ପ୍ରକୃତି ଠାରୁ କିଛି ପାଏ ନାହିଁ, ନିଜର ଯୁଦ୍ଧ ନିଜେ ସେ କରେ, ମରିବାକୁ ଭୟ କରେ ନାହିଁ।

ଥରକୁ ଥର ତୋଫାନ ପରି ଦୁଃଖ ଆସେ, ଦେହ ଉପରେ ଢେଉ ଖେଳେଇ ଦେଇଯାଏ, ପୁୟୁ ଚିତ୍କାର କରେ, କାନ୍ଦେ, ସବୁ ଭୁଲି ହୋଇଯାଏ, ବାହାରର ଉଜ୍ଜ୍ବଳ ଖରା, ଖୋଲା ପ୍ରକୃତି, ସବୁ।  ଯେପରିକି ତା'ର ଦେହ ଭିତରେ କଣ ଭୟଙ୍କର ବିପ୍ଳବ ଲାଗିଛି, ଛିଣ୍ଡାଛିଣ୍ଡି, ଟଣାଟଣି, ଆଂଚୁଡ଼ା ଆଂଚୁଡ଼ି, ସବୁ ଖାଲି ଅନ୍ଧାର ଆଉ ଦୁଃଖ। ପୁୟୁ ଶାଳ ଗଛକୁ ଦୁଇ ହାତରେ ଜାବୁଡ଼ି ଧରେ, ଗଜା ଗଛର ଛେଲିରେ ଦାନ୍ତ ଲଗେଇ ଦେଇ କାମୁଡ଼େ। କାଳିଶି ପରି ଦେହରେ ବଳ ଆସେ। ପୁୟୁ ଟାଳିଯାଏ।

କେତେବେଳ ଏହିପରି ଗଲା ତା'ର ମନେ ନାହିଁ। ହଠାତ୍ ତା'ର ମନେ ହେଲା, ତୋଫାନ ସରିଛି, ଆଖିରୁ ଅନ୍ଧାର କଟି ଯାଇଛି, ବଧିରା କାନରେ କଣ କେମିତି ନୂଆ ଜନ୍ତୁର ଚିତ୍କାର, କିଏ ଯେପରି ପାଟିକରି କାନଉତୁରା ପକୋଉଛି ଯେପରି ସେ ଶୁଣୁ। ପୁୟୁ ଆଶ୍ଚର୍ଯ୍ୟ ହୋଇ ଅନେଇଲା। ଭୂଇଁରେ ପଡ଼ି ରଡୁଛି ନାଲି ହୋଇ ଗୋଟିଏ ସାନ ମଣିଷ। ପୁୟୁର ହୋସ୍ ହେଲା।

ଆଖି ଦି' ଟା ଫାଡ଼ି ଦେଇ ପୁୟୁ ଦେଖିଲା ଏଁ ଏଇ ତା'ର ଶିଶୁ ! ଏଇ ତା'ର ଅନ୍ତର ଭିତରେ ଏତେ ଦିନ ଲୁଚକାଳି ଖେଳୁଥିଲା ! ଏଇ ତା'ର ! ଗୋଟା ସୁଦ୍ଧା ତା'ର ! ତା'ରି ରକ୍ତ ଆଉ ମାଂସ ଭିତରୁ ଖଣ୍ଡେ !

ତୋଫାନ ପଛର ମଳିନ ମୁହଁରେ ସ୍ନେହ ଆଉ କୁତୂହଳ ପୂରେଇ ଗୁରେଇ ତୁରେଇ ପୁୟୁ ଦେଖିଲା ଗୋଟାସୁଦ୍ଧା ନାଲି, ସକାଳର ସୂର୍ଯ୍ୟ ପରି ମିଟି ମିଟି ଯୋଡ଼ିଏ ଆଖି, ପାହାନ୍ତି ପହରେ ଛାଇ ତଳର ଗହୀର ଝୋଲାପରି। ଗୋଡ଼ ହାତ ଛାଟୁଛି, ଅଣ୍ଡାଳି ହେଉଛି - ଚାରି ହଜାର ଫୁଟ ଉଚ୍ଚ ପର୍ବତ ଉପରେ ନୂଆ ଜନ୍ମ ହୋଇଥିବା କନ୍ଧ ଘର ପୁଅ।

ହାତ ବଢ଼େଇ ପୁଅଟିକୁ ଧରିଲା, ଅବଶ ଦେହରେ ବଳ ଆସିଲା, ମନ ଭିତରେ ଅନେକ ବୁଦ୍ଧି ଆସିଲା, ଦେଖାଦେଖି ଶିଖାଶିଖି ବହୁତ କଥା ପୁୟୁ ଜାଣେ।

କେତେବେଳ ପରେ ପୁୟୁ ଉଠିଲା, ପିଲାର କାନ୍ଦଣା ବନ୍ଦ ନାହିଁ। ସୂର୍ଯ୍ୟ ମୁଣ୍ଡ ଉପରେ ଚଢ଼ିଲାଣି, ବଣ ଉପର ଠାଏ ଫିକା, ଠାଏ ଜିକିଜିକି। ପୁୟୁକୁ ଦୁର୍ବଳ ଲାଗୁଥାଏ। ଏକୁଟିଆ ପୁୟୁ ତା'ର ପିଲାକୁ ଛାତିରେ ଜାକି ଧରି ଉଠି ଠିଆ ହେଲା। ମୁଣ୍ଡର ବାଳ ଅଲରା ହୋଇ ଲମ୍ବି ଯାଇଛି, କୋତରା ଲୁଗାର ଅବସ୍ଥା ନାହିଁ। ଦେହରୁ କଳା ପାଣି ବୋହି ପଡୁଛି। କିନ୍ତୁ ଛାତି ତା'ର ଫାଙ୍କା ନୁହେଁ, ଛାତିରେ ଛୁଆ - ତା'ର ପହିଲି ଛୁଆ - ପୁଅ।

ଦୁର୍ବଳ ହାତରେ ଧାର ପଥର ଧରି ନିଜେ ପୁୟୁ ପିଲାର ନାହି କାଟିଦେଲା। କଟା ଜାଗାରେ ବୋଳି ଦେଲା ଚିହ୍ନା ଔଷଧ ଗଛର ପତ୍ର। ନିଜେ ଖଣ୍ଡେ ଔଷଧ ଚେର ଖାଇଲା। ତା'ର ପିଲା ମୁହଁରେ ଗୋଟାଏ ପତ୍ରର ରସ ଚଟେଇ ଦେଲା। ଏତକ କନ୍ଧ ଦେଶରେ ସାଧାରଣ ଜ୍ଞାନ। ପାଦ ତଳେ ଔଷଧ।

ପୁଅକୁ ଜାକି ପୁୟୁ ଫେରିପଡ଼ିଲା। ଅପରିଷ୍କାର ହୋଇ ଗାଁକୁ ଫେରିଯିବାର ନୁହେଁ। ଅଧବାଟରେ ଜଡ଼ା ଜଙ୍ଗଲ ଭିତରେ ତଳର ଝରଣାକୁ ଓଲ୍ହାଇ ଯିବାକୁ ଆଉ ଗୋଟିଏ ବାଟ ଅଛି। ସେହି ବାଟେ ବାଟେ ଅତଡ଼ା କରେ କରେ  ଆସ୍ତେ ଆସ୍ତେ ସେ ଓଲ୍ହେଇଲା। ଦୁର୍ବଳ ଲାଗୁଥାଏ। କିନ୍ତୁ ପଥରକୁ ପଥର ଓଲ୍ହେଇ ଯିବାକୁ ତା'ର ପାଦ ଥରେ ନାହିଁ।

ସବୁଥିରେ ସତର୍କ ହେବାକୁ ପଡ଼ିବ ତାକୁ, କେବଳ ଏଇ ପୁଅ ପାଇଁ। ଗୋଟିଏ ହାତରେ ତାକୁ ଧରି ଆର ହାତରେ ବାଟ କରର ଗଛକୁ ଲତାକୁ ଧରି ଧରି କାନ୍ଥପରି ଅତଡ଼ା ବାଟେ ସେ ତଳକୁ ଓଲ୍ହାଇ ପଡ଼ିଲା। ସର୍ବଜୟା ମାତୃମୂର୍ତ୍ତି। ନିଛାଟିଆ ଝରଣା କୂଳ, ଗାଧୋଇବା ବେଳ ଗଡ଼ିଗଲାଣି। ପଥୁରିଆ ଧାର, ସେଥିରେ ବାଲିସରା। ଖାଲି ଦି'ପାଖେ ଜଙ୍ଗଲ ଭର୍ତ୍ତି। ଏପାଖ ସେପାଖ ଦେଖିଲା ଝୋଲା କୂଳରେ ଶିଆଳି ପତ୍ରକୁ ପାରି କଅଁଳା ପିଲାକୁ ଶୁଆଇ ଦେଲା। ନିଜେ ଝୋଲାରେ ବୁଡ଼ି ବୁଡ଼ି ଗାଧୋଇଲା, ଲୁଗା ଧୋଇଲା। ପିଲା ଉପରେ ପାଣି ଛିଞ୍ଚିଦେଲା। ତା ପରେ ସଫା ସୁତୁରା ହୋଇ ପିଲାଟିକୁ ଛାତିରେ ଜାକି ପୁୟୁ ଗାଁକୁ ଚାଲିଲା।

୨୬.୭.୧୯

No comments: