Wednesday, 24 July 2019

*ପୁୟୁ ବି ଚାଲିଲା ବଣକୁ*

ସେଦିନ ସକାଳୁ ପୁୟୁର ନିଦ ଭାଙ୍ଗିଲା ବେଳକୁ ପୁବୁଲି ଶୋଇଥାଏ, ଦିଉଡୁ ଶୋଇଥାଏ, କୁହୁଡ଼ି ଘୋଡ଼େଇ ଥାଏ ଭାରି ବହଳ କରି। ଗାଁର ବୁଢ଼ାମାନେ ଖାଲି ଉଠିଥାନ୍ତି, ଆପଣା ଆପଣା ପିଣ୍ଡାରେ ନିଆଁ ଜାଳି ସେକି ହେଉଥାନ୍ତି। କିଛି ସମୟ ଗଲା, ପୁୟୁ ପଦାକୁ ଆସିଲା। ଜାମିର କନ୍ଧର ବୁଢ଼ୀ ଉଠିଛି, ପିଣ୍ଡାରେ ନିଆଁ ପୁଉଁଛି। ପୁୟୁ ସେଠି ଯାଇ ବସିଲା। ବୁଢ଼ୀ ସାଙ୍ଗରେ ଟୁପୁରୁ ଟାପୁରୁ ହେଲା। ଟିକିଏ ଗଲା, ଝଣ ଝଣ ଶବ୍ଦ ଶୁଭିଲା, ଆହୁରି ସ୍ତ୍ରୀ ଲୋକମାନେ ଉଠିଲେ, ଫର୍ଚ୍ଚା ହେଲା। ଏପାଖ ସେପାଖ କୁକୁଡ଼ା ଦଉଡ଼ା ଦଉଡ଼ି କଲେ। ଘୁଷୁରି ସଣର ସଣର ହେଲେ ଅସନା ଗାଁ ଦୁଆରରେ। ତା ପରେ ଘର ଦୁଆର ଓଳିଆ ଓଳି ପୁୟୁ ତା'ର ଘରକାମ କଲା।

ପୁବୁଲି ଶୋଇଥାଏ। ପୁୟୁ କଣ ମନେକଲା, ପୁବୁଲି ପାଖରେ ଯାଇ ବସିପଡ଼ି ତା' ମୁଣ୍ଡ ଆଉଁସି ଦେଲା, ଭାରି ଅଳସ ଲାଗୁଥାଏ। ଆଉଁଶୁ ଆଉଁଶୁ ଲୁହ ଦି' ଧାର ଝରି ପଡ଼ିଲା ପୁବୁଲି ମୁଣ୍ଡ ଉପରେ, ଦୀର୍ଘଶ୍ଵାସ ପକାଇ ପୁୟୁ ବାହାରିଗଲା।

ଗାଁ ସ୍ତ୍ରୀ ଲୋକମାନେ ଝୋଲା (ନଈ) କୁ ଯାଉଥିଲେ। ପୁୟୁ ବି ଗଲା। ଗପ କରୁ କରୁ ମନଟା ହାଲୁକା ଲାଗିଲା। ସେତେବେଳେ ଚାରିଆଡ଼େ ଲାଲ ହୋଇଆସିଲା, ପୁୟୁ ଫେରିଲା।

ସୂର୍ଯ୍ୟ ଉଠିଥାଏ। ଲେଲୁ କନ୍ଧର ପିଣ୍ଡାରେ ବଡ଼ ଢୋଲ ଉପରେ ସାନ ପିଲାମାନେ ପିଟୁଥାନ୍ତି, ଗାଁର ଲୋକେ କାମକୁ ଯାଇଥାନ୍ତି, ଦିଉଡୁ ନ ଥାଏ, ପୁବୁଲି ସୋର ଲଗାଇ କାନ୍ଦୁଥାଏ। ପୁୟୁ ଭାବିଲା ସେ ପଦାକୁ ଯିବ।

ଏଇ ଗୋଳମାଳ ଭିତରେ ଲାଗୁଥାଏ ସବୁ ଶୂନ୍ ଶାନ୍, ସବୁ ଚୁପ୍ ଚାପ୍। ଘର ଖାଇ ଗୋଡ଼ଉଛି, ଗାଁର ସବୁ କଳରବ ମିଶି ଗୋଟାଏ ଶୂନ୍ୟତାର ପୃଷ୍ଠପଟ, ସେ ହାବୁକା ମାରୁଛି ପଦାକୁ ପଦାକୁ।

ଗାଁ ସ୍ତ୍ରୀ ଲୋକେ ସବୁ ପଂଝା ହୋଇ କାମକୁ ଚାଲିଲେ। ଅଧିକାଂଶ ଗଲେ କନ୍ଦା ଖୋଳି। ବଣ ଭିତରେ ନାନା ଜାତି କନ୍ଦା ହୁଏ, ଥାଏ ବଡ଼ ଗହୀରରେ, ଗୋଟାଏ ବଡ଼ କନ୍ଦା ଉଠେଇ ଆଣିଲେ, ଖୁସିରେ ଦି' ଦିନ ଚାଲିଯିବ। କିନ୍ତୁ ବଡ଼ ଦୁର୍ଗମ, ଭୟ ବହୁତ, ବାଘ ଖାଏ, ଭାଲୁ ଗୋଡ଼ାଏ। ପୁୟୁର ଯିବାକୁ ମନ ନ ଥିଲା, ପେଟ ଭିତର ଥାଇ ଥାଇ ରକ୍ ରକ୍ କରି ଦେଉଛି, ଦେହଟା ତଳକୁ କିଏ ଟାଣି ଟାଣି ଦେଉଛି। କିନ୍ତୁ ଘରେ ମନ ଲାଗୁ ନାହିଁ, ତା ଅପେକ୍ଷା ଯାଇ ବାହାରେ ବୁଲି ଆସିବା ଭଲ।

ଛୋଟ ଶାବଳ ଖଣ୍ଡେ ଧରି ଦଳ ଭିତରେ ମିଶି ପୁୟୁ ଚାଲିଲା ଗାଁ ପାହାଡ଼ର ଶୃଙ୍ଗ ଆଡ଼କୁ। ଜଡ଼ା ବଣ ତଳେ ତଳେ। ଧାଡ଼ି ହୋଇ ପଛକୁ ପଛ ଗୁଡ଼ିଏ ସ୍ତ୍ରୀଲୋକ। ତିଖ ଉଠାଣି, ଦି' ପାଖେ ଖାଲି ଶୁନ୍ୟ, ଖାଲି ଆକାଶ, କ୍ରମେ ଉପରକୁ ଉପରକୁ, ସେଇ ଉପରେ ଦାଉ ଦାଉ ହୋଇ ସୂର୍ଯ୍ୟ ଜଳୁଛି। ଦି' ପାଖର ଶୂନ୍ୟରେ କୁହୁଡ଼ିର ସମୁଦ୍ର, ତାହାରି ତଳେ ଛପି ରହିଛି କେତେ ଅଗ୍ନାଗ୍ନି ବନସ୍ତ, ବାଘର ଭୂଇଁ, ହରିଣର ଭୂଇଁ, ଉପରେ ସୂର୍ଯ୍ୟର ବିକାଶ, ତଳେ ସୂର୍ଯ୍ୟର ପ୍ରବେଶ ନାହିଁ, ଖାଲି ଅନ୍ଧାରି ଝରଣା ତୋଫାନ ଉଡ଼େଇ ସାଇଁ ସାଇଁ ବହି ଚାଲେ।

ଜଡ଼ା ବଣ ଗଲା, ଜଙ୍ଗଲ ପଡ଼ିଲା, ବେଶି ଆବୁଡ଼ାଖାବୁଡ଼ିଆ ପଥର, ପାଦ ଖସିଲେ ଏପାଖେ ବା ସେପାଖେ ଅନ୍ଧାରି ରସାତଳ। ଉପରକୁ ଉପରକୁ ଦି ପାଖ ଅଁଳା ଗଛର ଜଙ୍ଗଲ, ପେନ୍ଥି ପେନ୍ଥି ହୋଇ କୋଳି ଗୁନ୍ଥି ହୋଇଛି। ଠାଏ ଠାଏ ଲଣ୍ଡା, ଠାଏ ଠାଏ ବୁଦା ବୁଦା ବଣ, ଠାଏ ଠାଏ ଗୋଟା ଗୋଟା ବଡ଼ ଗଛ।

ଆଗରେ ପୃଥିବୀ ସରୁ ହୋଇ ଆସିଲା। ଚାରିପାଖର କୁହୁଡ଼ି ଖରା ମିଶା ଝାଲୁଝାଲୁଆ ଆକାଶ ଭିତରେ ଗୋଜିଆ ହୋଇ ପର୍ବତର ଶୃଙ୍ଗଟିଏ ଖାଲି, ପ୍ରଶ୍ନସୂଚକ ଠାଣିରେ ଉପରକୁ ଅନେଇଁ ରହିଛି, ପ୍ରଶ୍ନର ଜବାବ ନାହିଁ।

୨୪.୭.୧୯

No comments: