ଗମ୍ଭୀର ହୋଇ ରାଘବ ଚୌଧୁରୀ ବସିଛନ୍ତି, ବିନୋଦ ପରଦା ଆଡ଼େଇ ପଶିଲା। ସେ ଦେଇଥିବା ଗଣ୍ଡିକଟା କଳିର ରିପୋର୍ଟକୁ ତା ହାତକୁ ବଢ଼ାଇ ଦେଇ ଚୌଧୁରୀ କହିଲେ -
"ଆପଣ ୟେ କ'ଣ କଲେ ?"
ବିନୋଦ କହିଲା, "କଣ ହେଲା ? ସବୁ କଥା ତ ଏଥିରେ ଲେଖିଛି, ସାକ୍ଷୀ, ପ୍ରମାଣ, ନକ୍ସା, ମୋ ଅନୁସନ୍ଧାନର ଫଳାଫଳ, ଆଉ କିଛି ଲେଖିଥାନ୍ତି ସାର ?"
"ଆପଣଙ୍କୁ ତ କହିଥିଲି ମୋତେ ପଚାରିକି ଲେଖିବେ -"
"ମୁଁ ତ ଯାହା ଅନୁସନ୍ଧାନ କଲି ସେଇଆ ଲେଖିଲି, ଏଥିରେ ଆପଣଙ୍କୁ ପଚାରିବାର ଆବଶ୍ୟକତା କ'ଣ ଥିଲା ?"
'ଆପଣଙ୍କ ତଦନ୍ତ ଅନୁସାରେ କାମ କଲେ ଫଳ କଣ ହେବ ବୁଝୁଛନ୍ତି ତ ?"
"ସେ କଥା ତ ମୋ ତଦନ୍ତ ରିପୋର୍ଟରେ ଅଛି।"
ଓଃ, ଭାରି ବୁଝି ପକାଇଲେ, ମୁହଁକୁ ଭୁର୍କୁଣ୍ଡା କରି ତମ ତମ ହୋଇ ଚୌଧୁରୀ କହିଲେ, "ଆଗ ତ ଗୋପୀନାଥ ମହାପ୍ରଭୁଙ୍କର କେଉଁ କାଳରୁ ହୋଇ ଆସିଥିବା ଯାତ୍ରା ବନ୍ଦ ହୋଇଯିବ। ଗାଁର ଭଦ୍ରଲୋକମାନେ ସେଇଆ ହେବ ବୋଲି ଗନ୍ଧବାରି ବିଚଳିତ ହୋଇ ଆସି ମୋତେ କହି ସାରିଲେଣି। ମନ୍ତ୍ରୀଙ୍କ ପାଖକୁ ଗଲେଣି ବା ଯିବେ। ବଦମାସ୍ ଟୋକା ମାନେ ହେଣ୍ଡି ମାରିଲେଣି। ସେମାନେ ଗାଁର ବହୁତ ଅନିଷ୍ଟ କରିବେ। ବୁଝୁଥିବେ !" ସେ ବିରକ୍ତ ହୋଇ ବିନୋଦ ମୁହଁକୁ ଅନାଇଲେ।
"ମୋର କି ଦୋଷ ଆଜ୍ଞା ? ଯାହା ଦେଖିଲି ସେୟା ଲେଖିଲି।"
"ଯାହା ଦେଖିଲି !" ଚୌଧୁରୀ ଖେଙ୍କିଲେ, "ଦେଖିବେ କ'ଣ ? ଆଉ କେହି ଦେଖୁ ନାହାଁନ୍ତି ? ଆଉ କାହାରି ଆଖି ନାହିଁ ? ଅନ୍ତତଃ ପୋଲିସ ଇନ୍ସପେକ୍ଟର ଆପଣଙ୍କୁ କହିଥିବେ ତ !"
ବିନୋଦ ମନେ ମନେ ରାଗୁଥାଏ। କହିଲା, "ପୋଲିସ ତ ଲାଗୁଛି ସବୁ ନାଟର ଗୋବର୍ଦ୍ଧନ, ନ ହେଲେ ସେ ସରୁ ବାଟରେ ଠାକୁର ଯିବା ପାଇଁ ଅନୁମତି କାହିଁକି ଦେଇଥାନ୍ତେ ? ତାଙ୍କ ମତାମତରେ ମୋର କି ଯାଏ ?"
"ଏ ସବୁ ତର୍କ ଚାହୁଁ ନାହିଁ, ଏ ରିପୋର୍ଟ ଚଳିବ ନାହିଁ। ମୁଁ କହୁଛି, ଆପଣ ଲେଖନ୍ତୁ। ପୁଣି ଉପରେ ପଡ଼ି ସିଧା ସିଧା କଲେକ୍ଟରଙ୍କ ପାଖକୁ ରିପୋର୍ଟ ପଠାଇ ଦେଇଛନ୍ତି, ନୁହେଁ ? ଛାଡ଼, ପରବର୍ତ୍ତୀ ରିପୋର୍ଟ ସଙ୍ଗେ ଟିକେ ରିଗ୍ରେଟ କରି ଚିଠି ଖଣ୍ଡେ ଦେଇଦେବେ ଯେ, ତରତରରେ ସେ ରିପୋର୍ଟଟା ଲେଖି ଦେଇଥିଲି, ସେଇଟା ଠିକ୍ ନୁହଁ, ଏଇଟା ଠିକ୍। ସେଇଟା ଫେରାଇ ଦିଆଯାଉ। କଲେକ୍ଟର କିଛି ଭାବିବେ ନାହିଁ। ମୁଁ ତାଙ୍କୁ କହିଦେବି।
ବିନୋଦ କହିଲା, "ମୁଁ ଠିକ୍ ଭାବିଚିନ୍ତି ଲେଖିଥିଲି, ଯାହା ଦେଇଛି ସେହି ମୋର ରିପୋର୍ଟ, ଆଉ ବଦଳେଇବି ନାହିଁ।"
ଯେତେ ବୁଝାଇଲେ ବି ଵିନୋଦ ବୁଝିବାକୁ ନାରାଜ।
"ଆଚ୍ଛା, !" ରାଘବ ଚୌଧୁରୀ ବିନୋଦ ମୁହଁକୁ ଅନାଇଁ ଆଗକୁ ପଛକୁ ମୁଣ୍ଡ ହଲାଇଲେ। (ସେ ଭଙ୍ଗୀ ବୁଝେଇ ଦେଉଥିଲା, - "ମୋତେ ଚିହ୍ନି ନାହୁଁ ? ନା ? ଦେବି ଯେ ପାଇବୁ। ଦେଖିବୁ ରଇଥା।" ) କହିଲେ - "ଯାଆନ୍ତୁ।"
ବିନୋଦ ଭାବୁଥିଲା ଆମେ ସବୁ ପାଗଳ ହୋଇ ଯେଉଁ ସ୍ୱାଧୀନତା ପାଇଁ ଲାଗିଥିଲୁ, ଏ କଣ ସେଇ ସ୍ୱାଧୀନତା? ସତ୍ୟାଗ୍ରହ କରିଥିବା ସଂଗ୍ରାମୀମାନେ ଗଲେ କୁଆଡ଼େ ? ତା ଚାରିପଟେ ଥିବା ନେତା ମନ୍ତ୍ରୀ ପ୍ରଶାସକ ଗଣ ତାକୁ କାହିଁକି ବାଧ୍ୟ କରୁଛନ୍ତି ଅସତ୍ୟ, ଅନ୍ୟାୟ, ଅନୀତି କାଗଜରେ ମୋହର ମାରିବା ପାଇଁ !
୧.୭.୧୯

No comments:
Post a Comment