ନିଜ ମନୋଭାବକୁ ନିଜ ଭିତରେ ଦାବି ରଖି ବିନୋଦ ପଦାକୁ ଆସି ଲୋକଙ୍କ ଆଗରେ ମୁହଁ ଦେଖାଇଲା। ଭାବିଲା, ରାଘବ ଚୌଧୁରୀ ଆଉ ସମ୍ଭାଳି ପାରିଲେ ନାହିଁ, ମୁଖାଟା ଖୋଲି ଦେଲେ। ରାଗ ଓ ଘୃଣାରେ ତାର ମନ ଭିତର କୁହୁଳି ଉଠୁଥାଏ। ସେ ମନେ ପକେଇଲା ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ 'ଧର୍ମ ଅବତାର' କବିତାର କେତୋଟି ଧାଡ଼ିକୁ -
"ମନ ଯାର ରତ ସଦା ପରସ୍ୱ ହରଣେ
ଧନ ଯାର ବିଦଳିତ ଗଣିକା ଚରଣେ
ଜୀବନ ଯା ଲକ୍ଷ ଲକ୍ଷ ଲୋକଙ୍କର ଭାର
ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ ଅବତାର !"
ମୁହଁରୁ ଗ୍ରାସ ଛଡ଼େଇ ନେଲେ ହିଂସ୍ର ଶ୍ବାପଦ କେବେ ଖୁସି ହୁଏ ନାହିଁ। ରାଘବ ଚୌଧୁରୀ ତାର ଅନିଷ୍ଟ କରିବେ। କଣ କରିବେ ? ମିଛ ଖଚ ଲେଖିବେ କି କହି ବୁଲିବେ, ଯେପରି ତାର ଚାକିରିରେ ଭବିଷ୍ୟତରେ ସେ ଆହୁରି ପଛେଇବ, ଏବେ ତାକୁ ନାନା ପ୍ରକାରେ ହଇରାଣ କରିବେ। କିନ୍ତୁ ତାର ଦୋଷ ନ ଥିଲେ କିଏ ତାକୁ ଦଣ୍ଡି ପାରିବ ? ଆଉ ଚାକିରିର ଭବିଷ୍ୟତ, - ପଛେଇ ସାରିଛି ସେଇଟା ବହୁତ, ଯାହା ତା ହାତରେ ନାହିଁ, ସେଥିପାଇଁ ଅନୁଶୋଚନା ବି ବୃଥା।
ବିନୋଦ ଆଉ ନୂଆ ରିପୋର୍ଟ ଲେଖିଲା ନାହିଁ। କଲେକ୍ଟରଙ୍କୁ ଆଉ ରିପୋର୍ଟ ଦେବାର ପ୍ରଶ୍ନ ଉଠିଲା ନାହିଁ।
ଏବେ କଲେକ୍ଟର ବିନୋଦର ରିପୋର୍ଟ ପଢ଼ି ସେହି ଅନୁସାରେ ନିର୍ଦ୍ଦେଶ ଦେଲେ। ସେ ନିର୍ଦ୍ଦେଶକୁ ଏସ ଡି ଓ ରାଘବ ଚୌଧୁରୀ ଜାରି କଲେ - ଗୋପୀନାଥ ମହାପ୍ରଭୁଙ୍କ ଯାତ୍ରା ଓ ରଘୁନାଥ ମହାପ୍ରଭୁଙ୍କ ଯାତ୍ରା ମାସକ ପାଇଁ ଗଣ୍ଡିକଟା ଗାଁର କୌଣସି ସଡ଼କ ବାଟେ ଯାଇପାରିବ ନାହିଁ, କାରଣ ଗାଁରେ ବିବାଦ ହେତୁ ଶାନ୍ତିଭଙ୍ଗ ହେବାର ସମ୍ଭାବନା ରହିଛି।
ରଣପୁର ତହସିଲଦାରଙ୍କୁ ଆଦେଶ ଦିଆଗଲା ଯେ ସେ ଉଭୟପକ୍ଷଙ୍କୁ ବସେଇ ମିଳା ମିଶା କରେଇଦେବାର ଚେଷ୍ଟା କରନ୍ତୁ।
ମୋଟ ଉପରେ ବିନୋଦର ରିପୋର୍ଟ ହିଁ କାର୍ଯ୍ୟକାରୀ ହେଲା। ଏ କଥା ବିନୋଦକୁ ରାଘବ ଚୌଧୁରୀ ଜଣେଇଲେ ନାହିଁ, କିନ୍ତୁ ବିନୋଦ ଏହା ଅନ୍ୟମାନଙ୍କ ଠାରୁ ଶୁଣିଲା।
୨.୭.୧୯

No comments:
Post a Comment