ଗାଁର ସ୍ତ୍ରୀଲୋକମାନେ ଛିନଛତର ହୋଇ କନ୍ଦା ଖୋଜିବାକୁ ଅଦୃଶ୍ୟ ହୋଇଗଲେ। ଏତେଗୁଡ଼ାଏ ଉଠାଣି ଉଠି ପୁୟୁକୁ ଅସଜ ଲାଗୁଥାଏ। ସମସ୍ତେ ଗଲାପରେ ଏକୁଟିଆ ସେ ପଥର ଉପରେ ବସି ରହିଲା। ସ୍ତ୍ରୀଲୋକମାନଙ୍କର ସ୍ୱର ଶୁଭୁଛି। ସମସ୍ତେ କାମରେ ଲାଗିଗଲେଣି। ମୟୁର ଲୁଚିଗଲେ। କୁକୁଡ଼ା ବୋବେଇ ବୋବେଇ ଚାଲିଗଲେ। ସୂର୍ଯ୍ୟ ଆହୁରି ଉପରକୁ ଚଢ଼ିଗଲା। ପୁୟୁର ମନ ହେଉଥାଏ ସେଇଠି ସେ ଶୋଇପଡ଼ନ୍ତା - ଶୋଇପଡ଼ିଥାନ୍ତା ଗଛ ଛାଇରେ, ବଣ ଫୁଲର ବାସ୍ନାରେ। ଜୀବନରେ ଅନେକ ଥର ମନ ହୁଏ ଶୋଇପଡ଼ିବାକୁ, ଶୋଇ ହୁଏ ନାହିଁ, କାମ ଘାରେ।
ପୁୟୁ ଉଠିଲା, ଢାଲୁରେ ଅଳ୍ପ ଓଲ୍ହାଇଗଲା ଗୋଟାଏ କରକୁ। ପାଖର କୁହୁଡ଼ି ଭାଙ୍ଗିଲାଣି। ପୁୟୁ ଶିଆଳି ଫଳ ତୋଳିଲା, ଶିଆଳି ପତ୍ର ତୋଳିଲା। କଅଁଳ କଅଁଳ ବାଉଁଶ କରଡ଼ି ଭାଙ୍ଗି ଭାଙ୍ଗି ଏକାଠି କଲା। ଠାଏ ଦିଶିଲା ଗୋଟାଏ କନ୍ଦା-ଲଟା, ପୁୟୁ ବସି ବସି କନ୍ଦା ଖୋଳାରେ ମନଦେଲା।
ନଅମାସ ଗର୍ଭ, ପେଟରେ ଭାର, ଚାରିଆଡ଼େ କେତେ ଦେବତା ଆଉ ପ୍ରେତଙ୍କ ଅଶୁଭ ଦୃଷ୍ଟି, ନିଛାଟିଆ ବଣ। ଚିହ୍ନା ବଣ, ପୁୟୁର ଭୟ ନାହିଁ। ପେଟ ଭିତରର ବିଚିତ୍ର ଜୀଵ କେଉଁଦିନୁ ସାଙ୍ଗ ହେଲାଣି, କେମିତି କେମିତି ଲାଗେ, ଗୋଟାଏ ଦେହ ଭିତରେ ଆଉ ଗୋଟାଏ ମଣିଷର ବସା। ପୂର୍ବରୁ ଭୟ କଟିଯାଇଥାଏ। ପୁୟୁ ମନେ ମନେ ଅଚିହ୍ନା ସାଥୀ ସଙ୍ଗେ କଥାଭାଷା ହୁଏ, କଳ୍ପନାରେ ଗଢ଼େ ଆସନ୍ତା ଅତିଥିର ଭବିଷ୍ୟତ।
ନିଛାଟିଆଟାରେ ସାଓଁତା ମନେପଡ଼ିଲା। କେଉଁ କାଳରୁ ବସି ବସି ସମୟର ଗତି ମାପୁଥିଲା ବୁଢ଼ା ସାଓଁତା। ସେ ମରିବାକୁ ଚାହିଁ ନ ଥିଲା, ମଲା ପରି ଦିଶି ନ ଥିଲା, ତଥାପି ସେ ମଲା। କୁଳବୃଦ୍ଧର ଆଶା ଥିଲା ସେ ନାତି ଦେଖି ମରିବ, ନାତି ତାକୁ ବୋଧ ଦେଇଥାନ୍ତା ! ତା'ର ପୁରୁଣା ସୂଅ ଆଗକୁ ଲମ୍ବି ଚାଲିଛି, ସେତିକି। ପୁୟୁ ଖୋଳି ଲାଗିଲା, କେତେ ବିଚିତ୍ର ଧାରଣା, କେଉଁଟା କେଉଁଠୁ ଆସେ ତା'ର ଠିକଣା ନାହିଁ। କାମ କରୁକରୁ କେଉଁଠୁ କାହିଁକି ଆସେ, ରଙ୍ଗ ଲଗେଇ ଦେଇଯାଏ ମନରେ।
ଖରା ବଢ଼ିଲା। ମୁଣ୍ଡ ଉପରୁ ଚଢ଼େଇମାନେ କୁଆଡୁ କୁଆଡ଼କୁ ଚାଲିଗଲେ। ଆଖପାଖର ସ୍ତ୍ରୀଲୋକମାନଙ୍କର ପାଟିତୁଣ୍ଡ ଆଉ ଶୁଭିଲା ନାହିଁ। ପୁୟୁର ବୋଝ ଟିକେ ଏକର ସେକର ହେଲା, ଦେହଯାକ ଖେଳିଗଲା ବିଜୁଳିପରି ବିଚିତ୍ର ଅନୁଭୂତି, ପୁୟୁ କଷ୍ଟ ପାଇଲା।
କନ୍ଦାଖୋଳା ଛାଡ଼ି ଅଳ୍ପ ଉପରକୁ ଚଢ଼ି ଖଣ୍ଡେ ପଥର ଚଟାଣ ଉପରେ ପୁୟୁ ବସିପଡ଼ିଲା। ସେଠି ସାନ ଶାଳ ଗଛ ଉପରେ ଭାଲୁକୁଣୀ ପରି ଶିଉଳି ଲଟା ଲଦାଲଦି ହୋଇ ଛାଇ ଅରାଏ ପଡ଼ିଛି। ଏକୁଟିଆ ଆଉଜି ରହି ସେ କଷ୍ଟ ପାଇଲା।
ମୁହଁପାଖେ ଆକାଶ, ସୁନ୍ଦର ନେଳି ପଡ଼ିଲାଣି, ତଳେ ନୀଳ ସବୁଜ, ମଝିରେ ସବୁ ଫାଙ୍କା ଫର୍ଚ୍ଚା। ସେଇ ଫାଙ୍କାରେ ଚିଲମାନେ ଉଡୁଛନ୍ତି। ଫୋପାଡ଼ି ହେଲା ପରି କଳା ଚଢ଼େଇ ପଲେ ଉଡ଼ିଯାଉଛନ୍ତି। କେହି ଅଟକି ରହେ ନାହିଁ। ସେହି ଫାଙ୍କା ଶୁନ୍ୟର କୌଣସି ଆଶ୍ୱାସ ନାହିଁ ଦୁଃଖୀ ଲୋକଙ୍କୁ। ଶୁନ୍ୟକୁ ମୁହଁ ରଖି କଷ୍ଟ ପାଇଲା ପୁୟୁ।
୨୫.୭.୧୯

No comments:
Post a Comment