ଦସ୍ତୁ ତାର ଫୁଲ ଛାଞ୍ଚୁଣିପରି ଲାଙ୍ଗୁଡ଼ଟିକୁ ତଳେ ପିଟିଲା, ଦେହଟାକୁ ଝାଡ଼ିଲା। ଏବେ ସେ ଦେଖିଲା ସବୁ ମଣିଷ ଆସିଗଲେଣି। ତେଣୁ ସେ ସେହି ସ୍ଥାନ ଛାଡ଼ି ଦେଲା।
କେତେ ବୁଢ଼ା, କେତେ ଭେଣ୍ଡିଆ ସମସ୍ତେ ଋକ୍ଷ। ସମସ୍ତେ ସାଓଁତା ଆଗରେ ପିଲା, ସେକାଳର ଲୋକଟିଏ ଥିଲା ସେ। ପଥର ଉପରେ ଗୋଟିକିଆ ପୁରୁଣା ଓସ୍ତଗଛ ପରି।
କିନ୍ତୁ କାମ ଅନେକ ବାକି, ବସି ରହିଲେ ଚଳିବ ନାହିଁ। ବୁଢ଼ା ଜାମିର କନ୍ଧ ପିକା ଲଗେଇ ଦେଇ ଘାଗଡ଼ା ଗଳାରେ ପାଟିକଲା, "କିରେ, ବସିଥିବ କିରେ ? ଏତିକି ଯେମିତି ସମସ୍ତେ ଅପେକ୍ଷା କରୁଥିଲେ, କାମ୍ବେଲା ଜାନିର ସ୍ମରଣ ହେଲା, ସେ ଗାଁ ପୁରୋହିତ, ପାଣ୍ଡୁ କନ୍ଧର ସ୍ମରଣ ହେଲା ଯେ ସେ ଡିସାରି, କେବଳ ମଦ ନିଶାରେ କାନ୍ଦି ଲାଗିଥିଲେ ରାତି ପାହିଯିବ। ବାରିକ ଭୁର୍ଷା ମୁଣ୍ଡା ଶବ ସଂସ୍କାର ବିଷୟରେ ଯୋଗାଡ଼ କରିବାକୁ ପାଟି କରି କରି ବୁଲିଲା। ମଦ ହାଣ୍ଡି ଘରକୁ ନିଆହେଲା। କାନ୍ଧରେ ଟାଙ୍ଗିଆ ପକେଇ ଅନ୍ଧାର ଭିତରେ ବଣ ଲୋକେ ଅଦୃଶ୍ୟ ହୋଇଗଲେ।
ଶବକୁ ବେଢ଼ି ବସି ସ୍ତ୍ରୀଲୋକମାନଙ୍କର ବିଳାପ ଲାଗିଥାଏ, ମରଣର ସଙ୍ଗୀତ। ସାଓଁତା ସଙ୍ଗୀତ ଭଲ ପାଉଥିଲା, ତାର ଜନ୍ମ ସଙ୍ଗୀତରେ, ମରଣ ସଙ୍ଗୀତରେ। ଅନ୍ଧାର ଘୋଟିଥାଏ, ଘର ଆଗେ ଆଗେ ନିଆଁ ଜଳୁଥାଏ।
ଦିଉଡୁ ଶବ ସଂସ୍କାର ବନ୍ଦୋବସ୍ତ କରିବାକୁ ଯାଇଥାଏ। କାନ୍ଦୁଥାନ୍ତି ପୁୟୁ ଓ ପୁବୁଲି। ପୁୟୁକୁ କୁଣ୍ଢେଇ ଧରିଥାଏ ଜାମିର କନ୍ଧର ବୁଢ଼ୀ। "ଛି ମା, ଅସଜ ମଣିଷ ତୁ, ଏମିତି ଅଧୀର ହୋଇ କାନ୍ଦ ନାହିଁ, ଭଲ ନୁହେଁ।" ପୁୟୁର କଇଁ ଉଠୁଥାଏ। ଶଶୁର ତାର ବାପଠୁ ବଳି, ବାପ ପିଲାଦିନୁଁ ମରିଥିଲା। ଯାହାକୁ ପ୍ରତୀକ୍ଷା କରି ଏତେ ଅନେଇଁ ରହିଥିଲା ବୁଢ଼ା, ଦିନେ ନା ଦିନେ ସେ ଜନ୍ମ ହେବ, କିନ୍ତୁ ବୁଢ଼ା ଦେଖିପାରିଲା ନାହିଁ।
ପୁବୁଲି ବି କାନ୍ଦୁଥାଏ। ସେ ଜନ୍ମଠାରୁ ବାପାକୁ ଦେଖି ଆସିଛି। ଛୋଟ ବେଳୁ ମା ମରିଗଲା, ସେ ବୁଲି ବୁଲି ବଢ଼ିଛି। ସାହିର ବୁଢ଼ୀମାନେ କେଡ଼େ ସ୍ନେହୀ, କନ୍ଧ ସାହିରେ ସମସ୍ତେ ସମସ୍ତିଙ୍କର ପିଲା। ଗାଁର ଝିଅ ସେ। ସମସ୍ତେ ତା ଦୁଃଖ ସୁଖରେ ସାଥୀ ହୋଇଛନ୍ତି। ସେ ବାପର ସବୁ ବୋଲହାକ କରେ। ତା ପାଇଁ ବାପ ଥିଲା ସବୁ କିଛି। ଅଭାବ ସହି ହୁଏ ନାହିଁ, ପ୍ରାଣ ଭିତରୁ ଦୁଃଖର ଗର୍ଜନ ବାହାରେ। ପୁବୁଲି ରଡ଼େ। ତା'ର କାନ୍ଦୁରା ମନ ଉପରେ ଶୀତଳ ହାତ ବୁଲେଇଯାଏ ଗାଁ ସ୍ତ୍ରୀଲୋକମାନଙ୍କର ଐକ୍ୟତାନ ବିଳାପ।
କିଛି ସମୟ ପରେ କାଠଖୁଣ୍ଟା ନେଇ ଗାଁ ଲୋକ ଚାଲି ଆସିଲେ। ମୁର୍ଦ୍ଦାର ଉଠିଲା। ଦୁଇ କଡେ଼ କଡେ଼ ଗାଁ ଲୋକେ ମଶାଲ ଜାଳି ଶୋକ ବିଳାପ ଗାଇ ଗାଇ କନ୍ଧ ରଇତମାନେ ସାଓଁତାକୁ ବୋହି ନେଇଗଲେ। ଅଧା ବାଟରେ ଫଟା ହାଣ୍ଡି ଆଉ ନୂଆ ଭାତ ଥୁଆ ହେଲା। ତା ପରେ ଚାଲିଲେ ଦୂରକୁ, ଆହୁରି ଦୂରକୁ। ସେଠି କାଠ ଖଞ୍ଜା ହେଲା। ସାଓଁତାର ମୁଣ୍ଡରେ ଜଡ଼ାତେଲ ଅଜାଡ଼ିଲେ। ନିଆଁ ଲଗେଇ ଦେଲେ। ସାଙ୍ଗେ ସାଙ୍ଗେ ସମସ୍ତେ ପଳେଇ ଗଲେ। ଏଣିକି ରହିବାର ନୁହେଁ।
ସମସ୍ତେ ଗାଧୋଇ ପାଧୋଇ ମୁଣ୍ଡରେ ତେଲ ଲଗେଇ ଫେରିଲେ। ଅନ୍ଧାର ରାତିରେ ଏକୁଟିଆ ଜଳିଲା ସରବୁ ସାଓଁତା। ଚଡ଼ ଚଡ଼ କଡ଼ କଡ଼ ହୋଇ ଜଳିଲା, ଭଉଁରୀ ଭଉଁରିକା ଅଲଗା ବେଣିପରି ନିଆଁ ଉଠିଗଲା ଉପରକୁ, ତା ତଳେ ବିକଟାଳ ନିଆଁ-ଧାସ, ନିଆଁର ଲହଡ଼ି, ସାଓଁତା ଜଳି ଭସ୍ମ ହେଲା। ଜୀବନ ସତ୍ୟ, ଜୀବନ ସୁନ୍ଦର।
ସାଓଁତା ଜଳିଲା।
୨୨.୭.୧୯

No comments:
Post a Comment