Sunday, 7 July 2019

*ମୁ ତ ଶୁଦ୍ଧ ଚେତନା ଅନାଦି ଅନନ୍ତ ଶିବ ଅଟେ*

କଳା ଶ୍ରୀମୁଖ ମାନେ ଶୂନ୍ୟ ଶୂନ୍ୟ ଶୂନ୍ୟ ମହାଶୂନ୍ୟ, ସେହି ପୁଣି ସଦା ପୂର୍ଣ୍ଣ। ଅଭ୍ୟାସ କରିବି ଯେମିତି ଇଚ୍ଛା ମାତ୍ରେ ସ୍ଥିର ହୋଇଯିବି, ସବୁ ଇନ୍ଦ୍ରିୟାନୁଭୁତି ଲୁପ୍ତ ହେବ, ସେତିକି କରିପାରିଲେ ମୋର ମୁଁ ତ୍ୱ ଚାଲିଯିବ, ସେଉଠୁ ନିଜ ଭିତରେ ଆସିଯିବ ଚିତ୍-ଆନନ୍ଦ ଅନୁଭୂତି, ବାହାରେ ବି ସେଇଆ, ସବୁଠି, ସେତେବେଳେ କଣ ଅଛି ମୋତେ ଡରେଇବ, କି ପୀଡ଼ା ଦେବ, କି ବାନ୍ଧି ପାରିବ ?

"ନ ମେ ମୃତ୍ୟୁର୍ଶଙ୍କା ନ ମେ ଜାତିଭେଦଃ
ପିତା ନୈବ ମେ ନୈବ ମାତା ନ ଜନ୍ମଃ
ନବନ୍ଧୁର୍ନମିତ୍ରଂ ଗୁରୁର୍ନୈବ ଶିଷ୍ୟଃ
ଚିଦାନନ୍ଦ ରୂପଃ ଶିବୋହଂ ଶିବୋହମ୍ ।।"

ଏ କଥା କଣ କହି ନାହାଁନ୍ତି ଶଙ୍କରାଚାର୍ଯ୍ୟ ନିର୍ବାଣାଷଟକମ୍ ସ୍ତୋତ୍ରରେ ?

ବିନୋଦ କହିଲା, "କିନ୍ତୁ ଯେଉଁ ଦୁଃଖ ପଡ଼ିଛି, ଚାରିପାଖେ ଯେଉଁ ଅବିଚାର ଅନ୍ୟାୟ ହେଉଛି, ଯାହାକୁ ଭାବିଲା ମାତ୍ରେ ମନରେ ଅଶାନ୍ତି ଜଳି ଉଠେ, ମନୁଷ୍ୟ ତାକୁ ଭୁଲିବ କେମିତି ଯେ ମନକୁ ସ୍ଥିର କରିବ ?

ଶଶୀ ମିଶ୍ର - "ସେଇ ଅସଲ କଷ୍ଟ କାମଟା କରିବା ପାଇଁ ତ ଏ ଉପାୟ। ତା ଆଗରୁ ନିଜକୁ ବୁଝେଇ ପାର। ମନ କଲେ ଏପରି ଅନେକ ଉଦାହରଣ ପାଇବ ଯେ ତା ଠାରୁ ଆହୁରି ଦୁଃଖରେ ଅନେକ ଲୋକ ଷଡୁଛନ୍ତି, ଯେଉଁମାନେ ଆଖିକୁ ଖୁବ୍ ଯୋଗ୍ୟ ଦେଖାଯାଉଛନ୍ତି ଖୁବ୍ ସମୃଦ୍ଧିରେ ଥିଲା ଭଳି ଜଣାପଡୁଛନ୍ତି ସେମାନଙ୍କ ପାଖକୁ ଯାଇ ପଚାର ସେମାନେ ବି କହିବେ କେତେ କେତେ ବିଷୟରେ ହତଭାଗ୍ୟ, ତାଙ୍କ ମନ ବିଷ ଜ୍ୱାଳାରେ ଅହରହ ଛଟପଟ, ସିରା କରେଇରେ ପଡ଼ି କେତେ ପିମ୍ପୁଡ଼ି ମାଛି ବିରୁଡ଼ି ଛଟପଟ ହୋଇ ମରୁଛନ୍ତି ! ଆଉ ଭାବିବ, ସବୁ ଜିନିଷ ଅଢ଼େଇଦିନିଆ, ରହିବ କଣ ? ତେବେ ଏତେ ଭାବିଲେ କଣ ହେବ ? ଦୃଢ଼ ହୋଇ ମନ ଥଏ କର, କୁହ - ମୋ ମନକୁ ମୁଁ କଳିବି, ସବୁ କାମ ବିବେକ ଅନୁସାରେ ନିକୁଟି ନାକିଟି ଖଟି ଖାଟି କରିଯାଉଥିବ, ଫଳ ଯାହାହେଉ ସେଥିକି ଅନେଇବ ନାହିଁ, ଦୁଃଖରେ ମନ ଦୁଃଖ ନାହିଁ, ସୁଖରେ ହର୍ଷ ନାହିଁ, ଆସକ୍ତି କି ମୋହ ନାହିଁ, ଭୟ ନାହିଁ, କ୍ରୋଧ ନାହିଁ, ଚିତ୍ତ ସ୍ଥିର। ଗୀତାରେ ଏ ସବୁ କଥା କୁହାଯାଇଛି। ଦିନକୁ ଗୋଟିଏ ଗୋଟିଏ ଶ୍ଳୋକ ପଢ଼। ସେଥିରେ ଯେମିତିଆ କରିବାକୁ କୁହାଯାଇଛି, ସେମିତି କର, ସୁଖଶାନ୍ତି ପାଇବ। ଅନ୍ୟବାଟ କାହିଁ ?"

ବିନୋଦ - "ଏ କଣ ସହଜ କଥା ? ଖାଲି ପୋଥି ବାଇଗଣ। ବାଡ଼ି ବାଇଗଣ ଭିନ୍ନେ।"

ଶଶୀ ମିଶ୍ର - "ବାଡ଼ିରେ ବାଇଗଣ କେମିତି ଲଗେଇବ, କଣ କଲେ ଭଲ ଫଳ ଫଳିବ, ସେ ସବୁ ତ ପୋଥିରେ ଥାଏ। କିନ୍ତୁ ନ କଲେ କିଏ ପାଇବ ? କଷ୍ଟ ତ ନିଶ୍ଚିତ, ମୁଁ ଆପଣଙ୍କୁ କହିବି, ଆପଣ ମୋତେ, କିନ୍ତୁ କଲା ବେଳକୁ ନିଜେ, ଏକୁଟିଆ, କାନ୍ଧରେ ପୂରା ଦାୟିତ୍ୱ।"

୭.୭.୧୯

No comments: