Sunday, 28 July 2019

*ଏଣିକି ସେ ପ୍ରେତ*

ସରବୁ ସାଓଁତା ଏ ପୃଥିବୀକୁ ଭଲ ପାଉଥିଲା, ବାଛି ବାଛି ଭଲ ପାଇବା ତାକୁ ଜଣା ନ ଥିଲା। ସେ ଯାହା ଦେଖିଛି, ଯାହା ପାଇଛି, ତାକୁ ଭଲ ପାଇଛି। ସେ ଘା' ଘାଉଡ଼କୁ ଡରି ନାହିଁ, ରକ୍ତାରକ୍ତିକୁ ହଟି ନାହିଁ। ସେ ବଇଁଶୀ ବଜେଇଛି, ପାହାଡ଼ ଦେଶରେ ସୁନ୍ଦର ପଣିଆରେ ଆପଣାକୁ ଭୁଲେଇଛି, ଜୀବନକୁ ଅନୁଭବ କରି କରି ଚାଖି ଚାଖି ଦେଇଛି ପିଇ। ଅଶୀ ବରଷର ଭଲ ପାଇବା ତାର, ଅଶୀ ବରଷର ଇତିହାସ। ମୁଁ ଆଉ ମୋର ବୋଲି କହି ଭଲ ପାଇବା ଇର୍ଷା କରିବାର ଯେଉଁ ପ୍ରସାରିତ ସଙ୍କୁଚିତ ଘର କରଣା ତା'ର ସବୁ ଅଛି, ସେ ନାହିଁ। ଏଇ ତା'ର ଘର, ତା'ର ପୁଅ ଝିଅ, ତା'ର ଗାଈଗୋରୁ, ତା'ର ବସିବା ପଥର, ସବୁ ତା'ର। ଏଇ ନାତିଟି ଯେ କାଲି ଆସିଛି, ସେ ବି ତା'ର। କିନ୍ତୁ ସେ ନାହିଁ।

ଝୋଲା (ନଦୀ) କୂଳରେ ଯେଉଁ ଅଶୁଭ ଅଙ୍ଗାର ଆଉ ଦରପୋଡ଼ା କାଠ, ସେଠି ବି ସେ ନାହିଁ। ସବୁ ତା'ର ହୋଇଥିଲା, ନଅ ଦିନର ମୋଟେ, - ଏଇ ପୃଥିବୀର ଲୋକେ ତା'ର ସବୁ ସ୍ପର୍ଶ, ସବୁ ସମ୍ପର୍କ ପୋଛିପାଛି ଲିପି ନିଭାଇ ଦେଲେ। ନୂଆ ହାଣ୍ଡିରେ ମାଉଁସ ଭାତ। ଚାରିଟା କୁକୁଡ଼ା ଛୁଆ କାଟି, ତାଙ୍କର ରକ୍ତ ତା'ରି ଉଦ୍ଦେଶ୍ୟରେ ଢାଳି ନିଜେ କୁକୁଡ଼ା ଛୁଆଙ୍କୁ ସମସ୍ତେ ଖାଇଲେ। ଗାଁ ପୁରୋହିତ ତା ନାଁ ଧରି ଡାକିଲା, କହିଲା, "ସରବୁ ସାଓଁତା, ସରବୁ ସାଓଁତା, ଆଉ ତୁମେ ଆସ ନାହିଁ, ଯେଉଁବାଟେ ଆସିଥିଲ, ସେହିବାଟେ ଯାଅ। ଆମକୁ ଜାଲ ଢାଙ୍କ ନାହିଁ, ରୋଗ ଦିଅ ନାହିଁ, ଆମେ ଅଛୁ ବୋଲି ତୁମକୁ ଯାହା କିଛି ଦେଲୁ, ନହେଲେ କିଏ ଦେଇଥାନ୍ତା, କିଏ ତୁମକୁ ପଚାରନ୍ତା, ମାଟି ଖାଇ ଖାଇ ତୁମେ ପନ୍ଦର ବର୍ଷ ବି ଏହିପରି ପଡ଼ିଥାନ୍ତ।  
ସରବୁ ସାଓଁତା, ସରବୁ ସାଓଁତା, ଯାହା ଦଉଛୁ, ସେଇଆ ନେଇ ତୁମେ ଯାଅ ଭାରି, ଯାଅ, ଆଉ ଆସ ନାହିଁ।"
ମନ୍ତ୍ର ପାଠ ହେଲା -
ନିଙ୍ଗେ ହିୟାତୋମି
ମାମ୍ବୁ ମଚାଳିଶ ହିୟାତୋମି
ମାମ୍ବୁ ହିଲାଆତେମା ଏମ୍ବା ହିୟତୁମା
ମାମ୍ବୁ କୋୟୁହିପା ହିହିମ୍ ଜାନୋମି
କୋୟୁ ହିପା ଆସନାହା ନିନୁ ହାଲମୁତେ
ନିନୁ ଇମ୍ବିଜିରୁ ତ୍ବାତି ଏଜିରୁ ହାଲାମୁ।।

ନଅଟା ଦିନରେ ମୋଟେ। ସବୁ ତାକୁ ପର କରିଦେଲେ। କହିଲେ ଯାଅ ଯାଅ। ଏଣିକି ସେ ପ୍ରେତ, ସେ ଅଶୁଭ।

୨୮.୭.୧୯

No comments: