କେବେ ପର୍ବତ ଉପରେ ଏକୁଟିଆ ସେ ମରଣ ସଙ୍ଗେ ଯୁଦ୍ଧ କରି କ୍ଷତ ବିକ୍ଷତ ହୋଇଥିଲା ତାହା ପୁୟୁର ମନେ ନାହିଁ। ସେ କେଉଁ ଅତୀତର କଥା। ସେ ନାଲି ସୂର୍ଯ୍ୟପରି ନାଲିଆ ପୁଅର ମୁଁହକୁ ଅନେଇଲା। ଏଇ ତା'ର ଜୀବନର ସକାଳ, ସେ ପୁଅର ମାଆ, ସେ ଭାଗ୍ୟବତୀ।
କେଉଁଦିନ ସେ ଧାଣ୍ଡି ହୋଇ ହଳଦୀ ବୋଳି ହୋଇ ମୁଣ୍ଡରେ ଫୁଲ ମାରି ବାଇଆଣୀ ପରି ଚଇତି ପର୍ବରେ ଗୀତ ଗାଇ ଗାଇ ମନର ମଣିଷ ଖୋଜି ଖୋଜି ବୁଲିଥିଲା, କାହିଁକି ପ୍ରଜାପତି ପରି ପବନରେ ପକ୍ଷୀ ଖୋଲିଦେଇ ଉଡ଼ି ବୁଲିଥିଲା। ଅତୀତର କଥା ସେ ଜାଣେ ନାହିଁ, ଖାଲି ଜାଣେ, ସେ ସବୁ ପ୍ରଶ୍ନର ଜବାବ ପାଇଛି, ସେ ମଣିଷ ଛୁଆର ମାଆ।
ସେତେବେଳେ ଖରା ନଇଁ ଆସିଥାଏ। ପୁବୁଲିର ରନ୍ଧା ସରିଥାଏ। ଦିଉଡୁ ଖାଇ ସାରିଥାଏ। ଧୀରେ ଧୀରେ ତା ମନରେ ଆଶଙ୍କା ଆସୁଥାଏ, ଏତେବେଳଯାଏ ପୁୟୁ ଫେରିଲା ନାହିଁ କାହିଁକି ? ଥରକୁ ଥର ସେ ଭାବେ, ଟାଙ୍ଗିଆ କାନ୍ଧରେ ପକେଇ ବର୍ଚ୍ଛା ନଳୀ ଧରି ବଣ ଆଡ଼େ ଖୋଜି ଯିବ, କିନ୍ତୁ ପୁଣି ଭାବେ; ହୁଏତ ଆଶଙ୍କା ଅମୂଳକ।
ଏତିକିବେଳେ ଗାଁ ମୁଣ୍ଡରେ କୋଳାହଳ ଶୁଭିଲା। ଗାଁ ସ୍ତ୍ରୀଲୋକମାନେ ସମସ୍ତେ ଗୋଟାଏ ଆଡ଼େ ଧାଇଁ କୋଳାହଳ କରୁଛନ୍ତି। ଦିଉଡୁ ସେହି ଆଡ଼େ ଗଲା। ପୁୟୁ ଅଧା ବାଟରେ ପିଲାଟିକୁ ଧରି ଠିଆ ହୋଇଛି, ତାକୁ ଘେରି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ପାଟି କରୁଛନ୍ତି। ଦିଉଡୁ ଆଁଟାଏ କରି ଠିଆ ହେଲା। କିଏ ଜଣେ ପୁଅଟିକୁ ଧରି ଟେକି ଦେଲା, ଦିଉଡୁ ଏଥର ହସିଲା। ନୂଆ ଆଗନ୍ତୁକର ଆଶ୍ଚର୍ଯ୍ୟ ଅଭ୍ୟୁଦୟ ସବୁ ଦୁଃଖ, ସବୁ ସନ୍ତାପ ମନରୁ ଉଡ଼େଇ ନେଲା।
ପୁବୁଲି ଆସିଲା, ଭାଉଜକୁ କୁଣ୍ଢେଇ ପକେଇଲା। ଗାଁ ଯାକ ସ୍ତ୍ରୀଲୋକଙ୍କର ପଟୁଆରରେ ମିଶି ପୁୟୁ ଆପଣା ଘର ଆଡ଼କୁ ଗଲା। ଲାଗୁଥାଏ, ଯେପରି ସେ ଗୋଟାଏ ଅତି ଆଶ୍ଚର୍ଯ୍ୟ କଥା କଣ କରି ଦେଇଛି। ଯାହାର ତୁଳନା ସମଗ୍ର ଦେଶରେ କେଉଁଠି ନାହିଁ। ସାନପୁଅ କାନ୍ଦୁଥାଏ, ପୁୟୁ ହସୁଥାଏ।
୨୭.୭.୧୯

No comments:
Post a Comment