ବାପା ଦୋଳଗୋବିନ୍ଦ ଦାସ ଏ ସଂସାରରୁ ଉଭେଇ ଯିବାର ସାତ ବର୍ଷ ହେଲାଣି, ବିନୋଦ ଭାବିଲେ ଲାଗେ କାଲି ପରି। ହଠାତ୍ କାଲି ରାତିରେ ଶଶୀ ମିଶ୍ରଙ୍କ ଭିତରେ ବାପାଙ୍କୁ ଅନୁଭବ କରିଥିଲା ବିନୋଦ। ତାଙ୍କ କଥା ମନେ ପଡ଼ିଲେ, ବିନୋଦର ମନେ ପଡ଼େ, ଜଣେ ସ୍ୱାବଲମ୍ବୀ, ସ୍ୱାଧୀନ ମଣିଷ, ନିଜ ମତରେ ଚଳେ, ନିଜ ଗୋଡ଼ରେ ଠିଆ ହୁଏ, ସିଧା ବାଟରେ ଯାଏ, ତା'ର ଲାଳଚା ନାହିଁ, ହାଇଁ ପାଇଁ ନାହିଁ କି ଦକା ନାହିଁ। ସେ ଯେତିକି ପାରିଛି କରିଛି, ଯାହା ନ ପାରିଛି ସେଥିପାଇଁ ତା ମନରେ ଦୁଃଖ ନାହିଁ। ସଦା ହସ ହସ ମୁଖ, କଥା କହିଲେ ପଦେ ପଦେକେ ନିର୍ଦ୍ଦୋଷ ହସ ଉପୁଯାଏ, କିନ୍ତୁ ରୋକ୍ ଠୋକ୍ ନିଜ ମତାମତ କହେ, ଗୁଁ ପୁଁ ନାହିଁ।
ଗୋଟିଏ ଗଡ଼ଜାତ ରାଜ୍ୟରେ ସେ ଥିଲେ ଜଣେ ବଡ଼ ପ୍ରଶାସନିକ କର୍ମଚାରୀ। ରାଜା ପ୍ରଜା ଉଭୟଆଡୁ ଶ୍ରଦ୍ଧା ଆଦର ପାଉଥିଲେ, ଉଭୟେ ତାଙ୍କ ପରାମର୍ଶ ଘେନୁଥିଲେ। ଘୋଡ଼ାରେ ଚଢ଼ି, ପାଦରେ ଚାଲି, ବଣ ପର୍ବତ ମାଡ଼ି ସେ ନିଷ୍ଠାପର, ନିରଳସ ଭାବେ ଗସ୍ତ କରୁଥିଲେ, ଲୋକଙ୍କ ଅବସ୍ଥା ବୁଝୁଥିଲେ, ଦୁଃଖ ଅଭିଯୋଗ ମେଣ୍ଟାଉଥିଲେ, ନ୍ୟାୟ ଦେଉଥିଲେ, ଫେରିଆସି ନାନା ବ୍ୟବସ୍ଥା କରୁଥିଲେ। ରାଜା ତାଙ୍କ ପାଇଁ ଯେତିକି ବେତନ ଓ ଅନ୍ୟାନ୍ୟ ପାଉଣା ଖଞ୍ଜି ଦେଇଥିଲେ ତହିଁରୁ ଅଧିକା ସେ କେବେ ନେଉ ନ ଥିଲେ, ନିଜ ଆୟରୁ ଗୋଟିଏ ଭାଗ ଦୁଃଖୀ ଦରିଦ୍ରଙ୍କ ସେବା ଲାଗି ଖର୍ଚ୍ଚ କରି ଦେଉଥିଲେ, ତାଙ୍କ ଚଳଣି ଥିଲା ସରଳ ସାଦାସିଧା।
ସେଠି ରାଜା ତାଙ୍କୁ କେତେ ଖଣ୍ଡି ଗାଁ ଦେବାକୁ ଚାହିଁଥିଲେ। ସେ ନେବାକୁ ମନା କରିଥିଲେ, କହିଥିଲେ, "ଗାଁ ତ ମୋର ଅଛି, ପିତୃପୁରୁଷଙ୍କ ବାସସ୍ଥଳୀ, ଆପଣ କାମ ଦେଇଛନ୍ତି, ଖାଇବାକୁ ମିଳୁଛି, ସେତିକି ଯଥେଷ୍ଟ।"
କେତେକ ଚାଲାକ ଲୋକ କହିଥିଲେ, "ୟେ ଓଲୁ, ୟେ ବେଡ଼ା; ୟେ କଳିଯୁଗରେ ଧର୍ମଯୁଜେଷ୍ଟି ସୁଆଙ୍ଗ କରୁଛନ୍ତି।"
ଅନ୍ୟମାନେ କହୁଥିଲେ, "ୟେ ଧର୍ମାତ୍ମା, ୟେ ସାଧୁପୁରୁଷ।"
ସେଠି ଅନ୍ୟ କର୍ମଚାରୀମାନେ ତାଙ୍କ ନିଜ ଦିହାତି ଡେଇଁ ଆଗକୁ ଚାରି ପୁରୁଷଙ୍କ ପାଇଁ ଧନ ଓଟାରି ଲାଗିଥିଲେ, ସେମାନେ କୁହନ୍ତି ଅନ୍ଧାରୀ ମୂଲକ ସେ କନ୍ଧ ଅନ୍ଧ, ରଜା ଗୋଜା, ଯେ ବାଗ ଜାଣିଛି, ସେ ସବୁ ପାଇବ। କିନ୍ତୁ ଦୋଳଗୋବିନ୍ଦ ଦାସ ଯେମିତିକୁ ସେମିତି।
୧୨.୭.୧୯

No comments:
Post a Comment