Thursday, 4 July 2019

*କିଏ ଅଛି ତା ଦୁଃଖ ଶୁଣିବ ?*

ସେତେବେଳେ ଗଡ଼ଜାତ ମିଶ୍ରଣ ପର୍ବ ଚାଲିଥିଲା। ରାଜ କର୍ମଚାରୀ ମାନଙ୍କୁ ସରକାର ନିଯୁକ୍ତି ଦେଉଥିଲେ। ସେମାନଙ୍କ କାମ ଥିଲା ତଦ୍ରୁପ। ଅଳ୍ପ ପାଠକୁ ବଡ଼ ବଡ଼ ଚାକିରି। ଏ ସବୁ ବିନୋଦ ଦେହରେ ଯାଉ ନ ଥାଏ।

ସେଦିନ ଅଫିସରୁ ଚାଲି ଚାଲି ଫେରିବା ସମୟରେ ନିଜ ସହ ଯୁଦ୍ଧ କରି କରି ଘଣ୍ଟେ ବିତେଇ ଦେଇଥାଏ। ପଶ୍ଚିମ ମୁଁହାଁ ହେଲେ ମଧ୍ୟ ନାଲି ସୂର୍ଯ୍ୟ ବାରପଣ ବୁଡ଼ିଯାଇଥାଏ। ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦେଖିବାକୁ ତାକୁ ଭାରି ଭଲ ଲାଗେ। ସେ ଦୃଶ୍ୟ ଦେଖୁ ଦେଖୁ ସେ ଆପଣାକୁ ଭୁଲିଯାଏ, ନିଜେ ଭାଵରୂପ ହୋଇ କିଛି ବେଳ କେଉଁଠି ହଜିଯାଏ। କିନ୍ତୁ ଆଜି ସେ ସୂର୍ଯ୍ୟାସ୍ତକୁ ନିଘା କଲା ନାହିଁ। ସେ ଗଲା ପଶ୍ଚିମ ମୁଖା।  ଅନ୍ଧାର ଘୋଟି ଆସିଲା। ପୋଖରୀ କୂଳ, ମନ୍ଦିର ପାଖ, ତୋଟା ତଳ, ସେ ଚାଲିଛି ଧୀରେ ଧୀରେ। ନିଜ ସଙ୍ଗେ ନିଜେ ବାକ୍ ବିତଣ୍ଡା, କେତେବେଳେ ନିସ୍ତେଜ ଆଉ ତୁନିତାନି। ବାଟରେ କେତେ ଚିହ୍ନା ଅଚିହ୍ନା ହାବୋଡ଼ିଛନ୍ତି, ସେ ଚାଲିଛି। ସେ ନୂଆ ସମୟ କଥା ଭାବିଥିଲା।

ସ୍ୱାଧୀନତା ଆସିଲା। ସବୁଠି ସତ୍ୟ ଓ ନ୍ୟାୟର ଶାସନ ଚାଲିବ। ଶାସନ ପାଇଁ ବଛାବଛି ଓ ଚିପା ଚିପି ହୋଇ ସଚ୍ଚୋଟ ଲୋକ ଆସିବେ, ସେମାନେ ତୁଲାଇବେ ବଡ଼ ବଡ଼ ଦାୟିତ୍ଵ। ସେମାନେ ହୋଇଥିବେ ସହୃଦୟ, ଦକ୍ଷ, ବିଜ୍ଞ ଓ ଅଭିଜ୍ଞ, ତାଙ୍କଠାରେ ନାନା ସଦ୍ ଗୁଣ ଥିବ।

କିନ୍ତୁ ଏଠି ତ ସେ ସବୁ ଓଲଟା ଦେଖୁଛି। କଳାକୁ ଧଳା କରୁଥିବା ଗୁଡ଼ିଏ ଲୋକଙ୍କୁ ନେଇ ଏ ଦେଶର ଭବିଷ୍ୟତ କଣ ହେବ ? ପୁଣି ସେ ନିଜକୁ ଆକଟିଲା, ନିଜକୁ ବୁଝାଇଲା। ଆଘାତ ତାକୁ ବାଧୁଛି, ଅପମାନ ତହିଁରେ ନିଆଁ ଜାଳିଛି, ସେ ନିଜକୁ ମଙ୍ଗେଇ ପାରୁ ନାହିଁ ଯେ ତାର କିଛି ହୋଇ ନାହିଁ ବୋଲି।

କିଏ ଅଛି, କା ପାଖରେ ସେ ଏ ଦୁଃଖ କଥା କୁହନ୍ତା, ନା, ଯୁଆଡ଼େ ଅନାଇଲେ ସବୁଠି ନିଷେଧ। ସେ ନିଷେଧର ଚେର ଏତେ ଗଭୀର ଯେ ସେ ତାକୁ ଓପାଡ଼ିବାକୁ ସକ୍ଷମ ହେଉ ନ ଥାଏ।

ସେ ଚିନ୍ତାରେ ବୁଡ଼ି ବାଟ ଚାଲିଥାଏ। ଲୋକଙ୍କ ଯିବା ଆସିବା କଥା କୁହାକୁହି ସବୁ ତାକୁ ଶୂନ୍ ଶାନ୍ ଲାଗୁଥାଏ।

ଅନ୍ଧାରରୁ ଡାକ ଶୁଭିଲା, "ଆଜ୍ଞା ନମସ୍କାର।"

ବିରକ୍ତ ହୋଇ ସେ ବାଁ କରକୁ ବେକ ମୋଡ଼ିଲା। କେହି ଜଣେ କହିଲା, ଶଶି ମିଶ୍ର ଆଜ୍ଞା।

ସେ ଉଦାସ ହୋଇ ହାତ ଯୋଡ଼ି ନମସ୍କାର ହେଲା। କିଛି ନ କହି ପୁଣି ଆଗକୁ ଚାଲିଲା।

ଶଶୀ ମିଶ୍ର ପୁଣି ପଚାରିଲେ, "ସବୁ ଭଲ ତ ଆଜ୍ଞା।"

"ହଁ, ଭଲ ! କି ଭଲ ମନ୍ଦ ଆଜ୍ଞା !" ସେ ଯାହା ନ କହିବାକୁ ଚାହିଁଥିଲା, ସତେ ଯେମିତି ତା' ସ୍ୱର ଓ ତା'ର କଥା କହିବା ଭଙ୍ଗୀ ତାକୁ ପଦାରେ ପକାଇ ଦେବାକୁ ଖୋଜୁଥିଲା।

୪.୭.୧୯

No comments: