Thursday, 18 July 2019

*ଗାଁ ମାଟିର ଆଭିଜାତ୍ୟ*

"ଗୋଟାଏ କଥା ଭାବି ଆଶ୍ଚର୍ଯ୍ୟ ଲାଗୁଛି। ଏଇ ରାଘବ ଚୌଧୁରୀ, ଆମ ଏସ ଡି ଓ, ମୁଁ ତ ଭାବିଥିଲି ସବୁବେଳେ ମୋ ଗୋଛି କାଟିବାକୁ ଉଣ୍ଡୁଛନ୍ତି -"

ବିନୋଦର ସ୍ତ୍ରୀ ଅନୁରାଧା କହିଲା, "ଲାଗିଲାଗି କିଏ କାହାର କଣ କରିପାରିବ ? ଭଗବାନ କରିବେ, ଭାଗ୍ୟ କରିବ, ଆଉ କିଏ ?"

"ନାଇଁ ନାଇଁ ସେକଥା ନୁହେଁ, ସେ କଥା ନୁହେଁ। ମୁଁ କଣ କହୁଛି କି, ଏବେ ମୁଁ ଗଲାବେଳକୁ ଏଡ଼େ ଭଲ ବ୍ୟବହାର, ଏଡ଼େ ସ୍ନେହ, ତା ହେଲେ  କଣ ପ୍ରକୃତରେ ସେ ମୋତେ ଭଲ ପାଉଥିଲେ ?"

"କାହା ଭିତରେ କିଏ ପଶିଛି ଯେ ଜାଣିବ, କଣ କିଏ, କିଏ ବଇରୀ ସାଧୁଛି କିଏ ଶରଧା କରୁଛି ? ଯାହା ତୁମଠୁଁ ଶୁଣିବା କଥା। ଯାହା କହୁଥିଲ ଶୁଣୁଥିଲୁ, ତୁମେ ଛଟଛଟ ହେଉଥିଲ, ତୁମକୁ ଦେଖି ଆମେ। ଏବେ ସେ ଭଲ ପାଉଛନ୍ତି ତ ଭଲ। ଯଦି ମତେ କହିବ, ତେବେ ତାଙ୍କ ଘରକୁ ଯିବା ଚାଲ, ତାଙ୍କ ସ୍ତ୍ରୀ ଓ ଛୁଆପିଲାଙ୍କୁ ଦେଖି ଆସିବାକୁ, ତ ମୁଁ ଯିବି।"

"ସେ କେବେ ଆସି ନାହାନ୍ତି କି କେବେ ତୁମକୁ କହି ନାହିଁ, ତାଙ୍କର ମୋର ସମ୍ପର୍କ ସରକାରୀ କ୍ଷେତ୍ରରେ, ଆଜି କାହିଁକି ତୁମକୁ କହିବି ?"

"ତା ହେଲେ ଥାଉ।"

"କିନ୍ତୁ ସତରେ ସେ ଯେଉଁ ସ୍ନେହ ଦେଖାଉଛନ୍ତି, ଯେମିତି ଆପଣାର କେହି, ମୋ ମନ ଭିତରେ ଟିକେ ଅନୁତାପ ଆସୁଛି, - ଯେ ମୁଁ କଣ ତାଙ୍କୁ ଭୁଲ ବୁଝିଥିଲି ? କିନ୍ତୁ କେମିତି ? ମତେ ତ ଜଳଜଳ ଦିଶୁଥିଲା ସେ ପାରୁପର୍ଯ୍ୟନ୍ତ ଲାଗିଛନ୍ତି  କେମିତି ମୋତେ ଅପଦସ୍ତ କରିବେ, ହଇରାଣ କରିବେ, ଆଉ .."

"ଗଲା ଅଇଲା ବେଳେ ସେ ଗୁଡ଼ାକ ଆଉ ମନେ ପକା'  ନାହିଁ, ଯାହା ଯେ କଲା ତ କଲା, ସେ କାମ ସରିଲାଣି, ଭାବିହେଲେ ମିଛରେ ନିଜ ମନ କୁହୁଳିବ। ଏବେ କାହିଁକି ତାଙ୍କର ସୋଗ ଉପୁଚି ପଡୁଚି ତା ଭାବି ବି ଲାଭ ନାହିଁ। ତାଙ୍କ ମନ ତାଙ୍କୁ ଦୋଷ ଦେଉଥିବ ଯେ କାହିଁକି ଏଡ଼େ ନିର୍ଦୋଷ ଲୋକର ଅନିଷ୍ଟ କଲି। କି ତାଙ୍କ ମନରେ ଏବେ ଆଉ କି ଉଦ୍ଦେଶ୍ୟ ଥିବ, ତାଙ୍କୁ ଜଣା।"

"ବସା କଥା କ'ଣ ହେଲା କେଜାଣି ? ତମ ଭାଇକୁ ଚିଠି ଲେଖିଥିଲି। କାହିଁ ସେ କିଛି ଉତ୍ତର ପଠାଇଲା ନାହିଁ।"

ଅନୁରାଧା କହିଲା, "ଆଗ ତ ଭାଇ ଘରେ ଯାଇ ରହିଯିବା ଭଡ଼ା ଘର ମିଳିବାଯାଏ। ଏମିତି ବଦଳି ହେଲେ ଆଉ କାହାର କେତେ ଅସୁବିଧା। ଆମର କ'ଣ ଅସୁବିଧା ଯେ ଭାଇ ଘର ଥାଉ ଥାଉ।"

"ନା, ତାଙ୍କ ଘରେ ରହିବା ଠିକ୍ ହେବ ନାହିଁ। ତା ଉପରେ ଆମେ କାହିଁକି ବୋଝ ହେବା ?"

"ଆପଣା ଘରକୁ କେହି ପର ବୋଲି ଭାବେ ? ଦେଖ, ତୁମ ଇଚ୍ଛା, ମୋତେ ପଚାରିବାରୁ ମୁଁ କହିଲି, ମୋ ଭାଇ ସେମିତି କେବେ ଭାବିବ ନାହିଁ।"

ବିନୋଦ ଭାବୁଥାଏ - ଅଭାବ ଅସୁବିଧା ଯେତେ ଆସିଲେ ବି ସେ କେବେ କାହାର ଗଳଗ୍ରହ ହୋଇ ନାହିଁ। ତା'ର ଆପଣା ମନରେ ସବୁବେଳେ ଗର୍ବ ଥାଏ ଯେ ସେ ନିଜେ ନିଜ ଗୋଡ଼ରେ ଛିଡ଼ା ହୋଇଛି, କାହାକୁ କେବେ ଢିରା କରି ନାହିଁ, ଭାବିଛି - ଏଇଆ ତ ଅସଲ ମଣିଷ ପଣିଆ, ମଣିଷର ଇଜ୍ଜତ୍, ସେ ଦାନ୍ତ ନିକୁଟିବ ନାହିଁ, ହାତ ପତେଇବ ନାହିଁ, ସାହାଯ୍ୟ ଲୋଡ଼ିବ ନାହିଁ, ଚୋରି କରିବ ନାହିଁ, ଅନ୍ୟାୟକୁ ଯିବ ନାହିଁ, ସବୁ ଅଭାବ ଅସୁବିଧା ମନ ଭିତରେ ଗୁପ୍ତ ରଖି ସିଧା ହୋଇ ଠିଆ ହୋଇଥିବ।

ଗାଁ ମାଟିରୁ ପିଲାଦିନୁ ଶିଖିଛି, ଏଇଆ ତ ସେ ମାଟିର ଆଭିଜାତ୍ୟର ସଙ୍କେତ। ସହିବାରେ ମର୍ଯ୍ୟାଦା, ନଇଁବାରେ ଅମର୍ଯ୍ୟାଦା, ଭାଙ୍ଗିଗଲେ ଯାଉ ସିନା, ସଂସାରରେ କ'ଣ ବା ସବୁଦିନିଆ !

ସେ ଦେଖୁଛି, ଏ ମୂଲ୍ୟବୋଧ ଆଉ ଅତୁଟ ନାହିଁ। ଲୋକେ ଭାଙ୍ଗିଛନ୍ତି, ଭାଙ୍ଗୁଛନ୍ତି ବେଶି ବେଶି। ସୁବିଧା ଟିକେ ପାଇବା ପାଇଁ ଭାଙ୍ଗୁଛନ୍ତି। ସେ ଭାବୁଛି - ସୁବିଧା ମିଳୁ ପଛେ ଏ ବାଗ ହେଉଛି ନୀଚତା। ଏ ନୀଚ ପ୍ରବୃତ୍ତି ସେ କେବେ ବି ଆପଣେଇ ପାରିବ ନାହିଁ।

୧୮.୭.୧୯

No comments: