Saturday, 13 July 2019

*ଏ ସବୁ ବର୍ଣ୍ଣସଙ୍କର ରୂପ ଅକାମୀ ହୋଇଯିବ*

କୋଠାଟିଏ ଟାଉ ଟାଉ କରି ତୋଳି ଠିଆ କରି ଦେଲେ କହିହେବ ନାହିଁ ଯେ ସେ କେତେ କାଳ ରହିବ, କେତେ ବର୍ଷା ଆଉ ଝାଞ୍ଜିର ପରଖ ଦରକାର, ପୁଣି କେତେ ସମୟର, ନ ହେଲେ କିଏ କହିବ ମୂଳଦୁଆ ଦବିବ କି ନାହିଁ, ଛାତ ଫାଟିବ କି ନାହିଁ, ଘଡ଼ଘଡ଼ି ଶବ୍ଦରେ କି ଝଡ଼ ତୋଫାନ ହାବୁକା ମାଡ଼ରେ କାନ୍ଥର ଭାରସାମ୍ୟ ଦୋହଲିବ କି ନାହିଁ ! ଏ ଯେଉଁ ଭାବିବା ଚଳିବା ବଞ୍ଚିବା ପ୍ରଣାଳୀ ଯାହା ପୂରା ପାଶ୍ଚାତ୍ୟ ନୁହେଁ କି ପୂରା ଭାରତୀୟ ନୁହେଁ, ବର୍ଣ୍ଣସଙ୍କର, ନବଗୁଞ୍ଜର ପରି ଯାହାର ରୂପ, ଆଜି ତ ବେକ ଫୁଲେଇ ଠିଆ ହୋଇଛି ସତ, ଲାଗୁଥିବ ଏହା ଜାତିର ବଳିଷ୍ଠ ବିକାଶ ପରି, କାଲିକି ୟେ ଥିବ ତ ? ୟେ ନ ଥିଲେ ଏହାର ଯେଉଁ ଚଳନ୍ତି ମୂଲ୍ୟବୋଧ  - ବଡ଼ ସାନ, ଭଲ ମନ୍ଦ, ନ୍ୟାୟ ଅନ୍ୟାୟ ବିଷୟରେ ଏ ସଭ୍ୟତାର ବିଚାର, ସେହି ଅନୁସାରେ ଏବ ଲୋକଙ୍କ  ଆଶା ଆକାଂକ୍ଷା ସ୍ବପ୍ନ ଆଦର୍ଶ - ଏ ସବୁ ଅଳ୍ପ କାଳ ପରେ ଅକାମୀ ହୋଇଯିବ। ସେଇ ଅବସ୍ଥା ହେବ ଶାସନ ପଦ୍ଧତିର।

ମଧ୍ୟାହ୍ନରେ ଅଫିସ ଯିବା ବେଳେ ବିନୋଦ ଏଇ କଥା ଭାବୁଥିଲା। ବାଟରେ ଟିକେ ବିଶ୍ରାମ ନେବା ପାଇଁ ସେ ବସିପଡ଼ିଲା ଗୋଟିଏ ବରଗଛ ମୂଳରେ। ଏଇ ସେ ବରଗଛ, ଦେଖିଛି କେତେ ଅମଳର କେତେ ଭେକ, କେତେ କେତେ ଅବସ୍ଥାର ରୂପ। କେତେବେଳେ କାହାକୁ ଆଶ୍ରା ଦେଇଥିବ। କେତେବେଳେ ଏହାରି ଡାଳରୁ କାହାକୁ ଫାଶୀରେ ଝୁଲା ହୋଇଥିବ। କେତେବେଳେ ୟା ତଳେ ବସିଥିବ ଭୋଜି କି ଧର୍ମସଭା। ଗଛ ନୁହେଁ, କେତେ ଶହ ବର୍ଷର ହଜାର ହଜାର ଲୋକଙ୍କ ଚିହ୍ନା ମଣିଷ, ସ୍ନେହୀ ମଣିଷ, ଯୁଗ-ସାକ୍ଷୀ।

ଏମିତି ଏ ଦେଶସାରା କେତେଠିଁ କେତେ ପୁରୁଣା ବରଗଛ, ଓସ୍ତଗଛ। ପଥଶ୍ରାନ୍ତ ପଥିକ ହିଁ ବୁଝେ ଏହାର ଛାଇ ଟିକକର ମୂଲ୍ୟ। ଏବର ମଣିଷ ଆଉ ସେ ଜୀଅନ୍ତା ପରମ୍ପରାମାନଙ୍କୁ ଆଦର କରେ ନାହିଁ, ଅପେକ୍ଷା କରେ ଉପୁଡ଼ି ପଡ଼ିଲେ କି ହଣା ହେଲେ ଜାଗା ଖାଲି ହେବ, କାଠରୁ ବି ଦି ପଇସା ମିଳିଯିବ।

ଯାହାର ଗୋଟିଏ ଗୋଟିଏ ଓହଳ-ପିଲ ଗୋଟିଏ ଗୋଟିଏ ପୁରୁଷର ତା ଭଳି ହଜାର ହଜାର ମଣିଷଙ୍କ ସୁଖର ଦୁଃଖର ଅଭିନୟ ଦେଖି ଦେଖି ଠିଆ ହୋଇଛି, ଶୁଣି ଆସିଛି ମଣିଷ ଜୀବନର ଅମେଣ୍ଟା ସମସ୍ୟାରେ ଛନ୍ଦାଛନ୍ଦି ନାନା ଭାବର ନାନା ରାଗିଣୀ, ତା ଆଗରେ ଠିଆ ହୋଇ କେମିତି ସେ ଖାଲି ଭାବୁଥିବ ନିଜ କଥା। ଏ ନିଛାଟିଆ ଗଛଟି ଯେ ନିଜ ସୁଖ ଦୁଃଖ ବିଷୟରେ ଉଦାସୀନ, ଆସୁ ଯାହା ଯେଡ଼େ ଖରା କି ଝଡ଼ ବତାସୀ, ସେମିତି କି ସେମିତି ଠିଆ ହୋଇଛି, ପ୍ରକାଣ୍ଡ, ବଳିଷ୍ଠ, ଉଦାର।

ଟିକେ ଥକା ମେଣ୍ଟିବା ପରେ ବିନୋଦ ଏବେ ଠିଆ ହେଲା। ତା ପରେ ଛାଇ ତଳକୁ ଛାଡ଼ି ଦେଇ ବାଟ ଧରିଲା ଦାଉ ଦାଉ ଖରାରେ।

ବାଟରେ ସେ ଶୁଣିଲା ମେଘମୁଣ୍ଡେଇ ତା'ର ବଦଳି ଆଦେଶ ଆସି ପହଁଚିଛି। ସେ ଏବେ ଯିବ ବଡ଼ ସହରର ସଦର ମହକୁମା। ନାନା ଦାୟିତ୍ୱରେ ନାନା କର୍ମଚାରୀ ସେଠାରେ ଅଛନ୍ତି। କିଏ ବଡ଼ କିଏ ସାନ। ସେ ବି ରହିବ ସେଠି।

ଦିନ ଦି' ପହରେ ଅଫିସ ଘରେ ସେ ଡାକ ଖୋଲି ତା ବଦଳି ଆଦେଶକୁ ପଢ଼ିଲା। ଦୀର୍ଘଶ୍ଵାସ ପକାଇଲା। ଦିଶିଲା ତାର ଅତୀତ, ସେହି ସହରରେ ସେ ଛଅ ବର୍ଷ କାଳ କଲେଜରେ ପଢ଼ି ଥିଲା। ସେଇଠି ସେ ଟିଉସନ କରି ଚଳିଥିଲା ଓ ଉଜ୍ଜ୍ୱଳ ଭବିଷ୍ୟତର ସ୍ବପ୍ନ ଦେଖିଥିଲା। ଏବେ ଆଉ ସେଠି କିଛି ଖାଲି ଜାଗା ନାହିଁ। ଲାଗିଛି କୋଠା ତିଆରି, କୋଠା ମହଲା ମହଲା ହୋଇ ଉପରକୁ ଉଠୁଛି। ପୋଖରୀ, ଖାଲ, ଝିଲ ଶୁଖା ହୋଇ ଘର ତୋଳା ଚାଲିଛି। ବାପା ଯେଉଁ ସବୁ ଜାଗା ରଖି ଥିଲେ ସେଥିରୁ ଗୋଟିଏ ବି ଦଖଲରେ ନାହିଁ। ଅନ୍ୟ କେହି ସେଠାରେ ଘର କରି କେବେଠୁ ରହି ସାରିଛି। ଚାରି ଆଡୁ ମଣିଷ ସୂଅ ଛୁଟୁଛି ସହର ଆଡ଼କୁ। ସେ ଭାବିପାରୁ ନାହିଁ ଯେ ତା ଭଳି ଘରଚଟିଆଙ୍କ ପରି ସେଠି ଆଉ ଗୋଟେ ବାସିନ୍ଦା ହେବାକୁ ଯୋଗ ପଡ଼ିବ କି ନା, କେବଳ ତା ଗାଁରୁ ନୁହେଁ, ତା ପ୍ରିୟ ସହରରୁ ବି ସେ ଏବେ ରିଫ୍ୟୁଜି। ତା'ର ଚିନ୍ତା ସେ ଏବେ ରହିବ କେଉଁଠି ?

୧୩.୭.୧୯

No comments: