ସମସ୍ତେ କହନ୍ତି ପୁୟୁର ପୁଅ ସୁନ୍ଦର ହେବ ! ପୁୟୁ ଖୁସି ହୁଏ, ପିଲାକୁ କୋଡ଼ରେ ପୂରେଇ ସେ ବସି ରହେ, ପିଲାଠୁ ତେଣିକି ଆଉ ତାକୁ ଆଉ କିଛି ଦିଶେ ନାହିଁ, ସେତିକି ସବୁ। କଅଁଳା ପିଲା ଦୁଧରେ ମୁହଁ ଲଗେଇ ଶୋଷେ, ହାତରେ ଅଣ୍ଡାଳେ, ଶୋଷିଲା ଆଖିରେ ପୁୟୁ ତା ପୁଅକୁ ଅନେଇରହେ। ଛାତି ଖୋଲାରଖି ଖାଦ୍ୟଭର୍ତ୍ତି ଦୁଧ ପିଲାର ମୁହଁକୁ ଆଗେଇ ଧରେ। ସେହିବାଟେ ଗାଁ ଲୋକେ ଯାଆନ୍ତି ଆସନ୍ତି, ସ୍ତ୍ରୀ ପୁରୁଷ ଯାହାର ଇଚ୍ଛା ସେଠି ଠିଆ ହୋଇ ପିଲାକଥା ପୁୟୁକୁ ପଚାରନ୍ତି। ସେ ବିନା ସଙ୍କୋଚରେ ସେହିପରି ବସିଥାଏ, କଥାବାର୍ତ୍ତା କରେ। ମା'ର କ୍ଷୀର ପିଲାର ଖାଦ୍ୟ, ସେଥିରେ କିଛି ସରମ ଅଛି ତା କନ୍ଧୁଣୀ ମା' ବୁଝେ ନାହିଁ, କନ୍ଧ ସମାଜ ବୁଝେ ନାହିଁ, କନ୍ଧୁଣୀ ମା' ଗର୍ବ କରି ପିଲାକୁ ଖୁଆଏ, ସେ ଦୁର୍ବଳ ନୁହେଁ, ସେ ବନ୍ଧ୍ୟା ନୁହେଁ, ଆପଣାର ରକ୍ତରୁ ପିଲାଟିଏ ସେ ଗଢ଼ିଛି, ଶକ୍ତି ଅଛି ତାକୁ କ୍ଷୀର ଖୋଇ ମଣିଷ କରିବାକୁ।
ପୁବୁଲି ବାଧ୍ୟକରି ତାଠାରୁ ପିଲାକୁ ଛଡ଼େଇ ନେଇଯାଏ। କହେ, ତୁ କାମ କର ମୁଁ ହାଲିଆ ହୋଇଗଲି। ଛଡ଼େଇ ନେଇ ଘର ଭିତରେ ପଶେ, ଗେଲ କରେ, ଗୁଣୁଗୁଣୁ ହୋଇ ଗୀତ ବୋଲେ। ଚାରି ଆଡ଼କୁ ଅନେଇଁ ଦେଇ ଆସ୍ତେ ପିଲାଟିର ମୁହଁ ଲଗେଇ ଦିଏ ଆପଣା ଛାତିରେ। ପିଲା ଅଣ୍ଡାଳେ। ପରିଚୟ କ୍ଷେତ୍ର ସେ ପାଏ ନାହିଁ। ପିଲା ରଡ଼େ। ପାଖେ ପାଖେ ବାଁରେଇ ହେଉଥାଏ ପୁୟୁ, କ୍ଷୀର ବୋହିଯାଉଥାଏ। ପୁୟୁ କହେ, ଦେ, ତୁ ଯା ମୁଣ୍ଡ ବାନ୍ଧିବୁ, ବସେଇ ଉଠେଇ ଦେବ ନାହିଁ ତତେ। ପୁବୁଲିର ମନ ଭିତର ବାରମ୍ବାର କହେ, ସେ ହାରିଛି, ଛାତି ଭିତରେ କେଉଁଠି କଣ ହାକୁ ହାକୁ ହୁଏ, ଇଚ୍ଛା ହୁଏ ପିଲାଟିକୁ କୁଣ୍ଢେଇ ଧରି ନାଚିବାକୁ।
ପୁୟୁ ପିଲାକୁ କ୍ଷୀର ଦିଏ; ପୁବୁଲି ଠିଆ ହୋଇ ଅନାଏ, ଉଦାସ ଓଲ୍ହାଏ ତା ମୁହଁକୁ, ଆଖିରେ ସ୍ବପ୍ନ ଭାସେ। ଏଇ ମା', ଏଇ ତା'ର ଛୁଆ, ତା'ର ଭାଇର ପୁଅ, ସେ ଭାଇର ଭଉଣୀ। ଥରେ ପୁୟୁ ନଣନ୍ଦକୁ କହିଥିଲା, ଦେଖ୍ ତା'ର ଆଖି, ଦେଖ୍ ତା'ର କପାଳ, ଠିକ୍ ତୋରିପରି, ତୋରିଠୁ ଆଣିଛି, ଆଉ ପାଦ, ଠିକ୍ ତୋରି ପାଦପରି ସାନ ସାନ ହେବ ନାହିଁକି, ଦେଖ୍ ଦେଖ୍। ପୁୟୁ ହସି ହସି ଗଡ଼ି ଯାଉଥିଲା, ପୁବୁଲି ବି ହସିଥିଲା।
ପୁବୁଲି ପିଲାଟିକୁ ଭାରି ଭଲପାଏ।
ସାନ ଦର୍ପଣରେ ମୁହଁ ଦେଖି ଦେଖି ତେଲ ହଳଦୀ ବୋଳି ହେଲାବେଳେ ପୁବୁଲି ବାଆଁରେଇ ହୋଇ ପିଲାକୁ ଅନାଏଁ, ସତେ କଣ ତାରି ରୂପର ଛାଇ ପଡ଼ିଛି ପୁୟୁର ପିଲା ଉପରେ ! ପୁୟୁ ପିଲାକୁ ଗେଲ କରେ, ପିଲା ଲାଗିଯାଏ ମା ଦେହରେ, ଝିଟିପିଟି ପରି, ପୁବୁଲି ଦୀର୍ଘଶ୍ଵାସ ପକାଏ। ଅଜାଣତରେ ମନଟା କାହିଁକି ଫାଙ୍କା ଫାଙ୍କା ଲାଗେ। ଅଠର ବର୍ଷର ସବୁ ଅଭିଜ୍ଞତାର ମୁଣି ଝାଡ଼ଝୁଡ଼କରି ପୁବୁଲି ବାଛେ ଖାଲି ଦୁଃଖର ଅନୁଭୂତି। ମଲା ମା'ର କାନିଟା ବାଜିଯାଏ ସତେକି ପୁବୁଲି ଦେହରେ, ମନେପଡ଼େ ବୁଢ଼ା ବାପ, ଆଉ କେତେ କଣ ମନେ ପଡ଼ିବାକୁ ଅଧାଯାକେ ଉଠି ଆସେ, ପୁଣି ଛପିଯାଏ।
ଉଦାସ ହୋଇ ପୁବୁଲି ଦୂରକୁ ଅନାଏଁ। ହେଇ ପର୍ବତ ସେପାଖେ, ସେଠି ଚନ୍ଦିକାର ଗାଁ, ହିକୋକା ବଂଶର କନ୍ଧମାନଙ୍କ ବସତି। ସକାଳେ ସଞ୍ଜରେ ସେଠୁ ଧୂଆଁ ଉଠେ, ଖାଲରେ ଅଛି ଗାଁ। ଗଛ ସନ୍ଧିରୁ ଧୂଆଁର ଭଉଁରିର ଖିଅ ଧରି ଧରି ଭାବିବାକୁ ପୁବୁଲିକୁ ଭଲ ଲାଗେ। ସେଠି ଭେଣ୍ଡିଆ ସାଓଁତା ହିକୋକା ହାର୍ଗୁଣା, ଦିଉଡୁ ପରି ସେତେ ଉଞ୍ଚ ନୁହେଁ, କିନ୍ତୁ କୁନ୍ଦିଲାପରି ଦେହ। ପିଲାଦିନୁଁ କେତେ ଥର ସେ ଦେଖିଛି ତାକୁ। ବେଳେବେଳେ ସେ ଆସେ, ସରବୁ ସାଓଁତାର ପାଖରେ ବସେ। ପୁବୁଲି ଧୂଆଁର ଖେଳ ଦେଖେ। ସରବୁ ସାଓଁତା ଧୂଆଁରେ କେଉଁଆଡ଼େ ମିଶିଗଲା। ସେ ହାର୍ଗୁଣାକୁ ଭଲ ପାଉଥିଲା।
ପୁବୁଲି ହାର୍ଗୁଣା କଥା ଭାବେ, ଲୋକେ କହନ୍ତି ସାଓଁତାର ଝିଅ ସେପାଖ ସାଓଁତାକୁ ଭଲ ମାନିବ। ଦିନାକାତେ ହେଲା ହାର୍ଗୁଣା ଆସି ନାହିଁ। ଫସଲ କଟାକଟି ବେଳ। ଅନର୍ଥକ ପୁବୁଲି ହାର୍ଗୁଣାକୁ କଳି ବସେ, ଆହା, ତା'ର ବି ବାପା ମା' ନାହାନ୍ତି।
୩୦.୭.୧୯

No comments:
Post a Comment