Wednesday, 10 July 2019

*ତହିଁରେ ପ୍ରକୃତ ଆନନ୍ଦ କାହିଁ ?*

"ଆପଣଙ୍କ କଥା ସବୁ କାନକୁ ଭାରି ସୁନ୍ଦର ଶୁଭୁଛି," ବିନୋଦ କହିଲା, "କିନ୍ତୁ କାମ ବେଳକୁ ଅନ୍ୟ କଥା ହୁଏ।"

ଶଶୀ ମିଶ୍ର - "ସେଥିପାଇଁ ମନୁଷ୍ୟ ଆଗେ ନିଜକୁ ସମ୍ଭାଳିବା ଉଚିତ, ନିଜ ମନକୁ ତିଆରି କରିବା ଉଚିତ। ହାରିଗଲି ଭାବିଦେଲେ ସରିଗଲା, ଆଉ ମୋ ଦେଇ କିଛି ହେବ ନାହିଁ। ନିଜ ଚିନ୍ତା ଥିବାଯାକେ ବୁଦ୍ଧି ଗୋଳିଆ, ଆଖି ଦୁର୍ବଳ, ହାତ ଦୁର୍ବଳ, ମନ ବିକଳ। 'ମୁଁ' ଟା ଆଗୁଳି ରହିଥିବା ଯାକେ ମଣିଷ ଇନ୍ଦ୍ରିୟ ଦ୍ୱାରା ଅପରକୁ ଅନୁଭବ କରିବ କେମିତି ?
ଫୁଲକୁ ଅନେଇଁଥିବ, ଦେଖୁଥିବ 'ମୁଁ' ବିଷୟକୁ।
ଗୀତ ଶୁଣୁଥିବ, ପ୍ରକୃତରେ ଗୀତକୁ ନୁହେଁ, 'ମୁଁ' ର ସୁଖ ଦୁଃଖ ଲହଡ଼ି ଶବ୍ଦ ଶୁଣୁଥିବ, ସବୁ ସେଇଆ।
ତହିଁରେ ପ୍ରକୃତ ଆନନ୍ଦ କାହିଁ ?
ମନେ ପକାନ୍ତୁ ଆପଣଙ୍କ ଜୀବନର ସେହି ସବୁ ମୁହୂର୍ତ୍ତକୁ, ଅଳ୍ପ ମୁହୂର୍ତ୍ତକୁ, ଯେତେବେଳେ ଆପଣ ପ୍ରକୃତରେ ସବୁଠୁ ବେଶି ଆନନ୍ଦରେ ମଜ୍ଜି ଯାଇଥିଲେ, ମାନେ ଯାହାକୁ କହନ୍ତି ଆତ୍ମହରା ହୋଇଥିଲେ। ସେତେବେଳେ ଆଉ କିଛି ବିଷୟରେ ହୋସ୍ ଥିଲା କି ? ଚାକିରି, ପଦୋନ୍ନତି, ମାନ ଅପମାନ, ଲାଭ କ୍ଷତି କିଛି ନ ଥିଲା। ଆତ୍ମବିସ୍ମୃତ ହେଲେ, ଆପଣ ହୁଅନ୍ତି ତନ୍ମୟ। ନିଜକୁ ଛାଡ଼ି ଆରଟାରେ ଆପଣ ମିଶିଯାନ୍ତି। ଆରପଟୁ ଦେଖିଲେ ଆପଣଙ୍କ ସତ୍ତା ଚେତନା ନ ଥାଏ। ପୂରିଥାଏ ଆରଟାର ସତ୍ତାର ଚେତନା। ସେଇ ଅବସ୍ଥାରେ ଆପଣଙ୍କର ଯେଉଁ ଅନୁଭୂତି, ସେଇଟା ଜୀବନର ଆନନ୍ଦ, ସେଇ ସମୟରେ ଆର ପାଇଁ ଯେଉଁ କାମ ଆପଣ କରିଥାନ୍ତି, ତାହା ହିଁ ଆପଣଙ୍କ ଜୀବନର ଶ୍ରେଷ୍ଠ କାମ ହୋଇଯାଏ।"

ବିନୋଦ କହିଲା, "ମୋତେ ଲଗୁଛି, ଆପଣ ଏକାଗ୍ରତା କଥା କହୁଛନ୍ତି, ନୁହେଁ ?"

ଶଶୀ ମିଶ୍ର - "ନିଜ କଥା ନ ଭୁଲିଲେ ଏକାଗ୍ରତା ବି ଆସେ ନାହିଁ। ନିଜ କଥା ଭୁଲି ଅପର ବିଷୟରେ ଧ୍ୟାନ ଦେଲାବେଳେ,  ମଣିଷ ଭୋକ ଶୋଷ ଭୁଲିଯାଏ, ଚିମୁଟିଲେ କାଟେ ନାହିଁ, ନିଜ ଦୁଃଖ ବା ଅନୁଭବ ହେବ କାହୁଁ ? ଚିନ୍ତାରେ ନିଜ ଛାଇ ପଡ଼ିଲେ ଆନନ୍ଦ ଗଲା। ପାଣିରେ ମାଛ ଖେଳୁଛନ୍ତି, ଦେଖୁଥିଲେ ଆପଣ ଘଣ୍ଟା ଘଣ୍ଟା ଆନନ୍ଦ ପାଉଥିବେ, କେଡ଼େ ସୁନ୍ଦର ସେ ଦୃଶ୍ୟ ! ଜୀବନର କି ବୈଚିତ୍ର୍ୟ ! କିନ୍ତୁ ମନେ ପଡ଼ିଯାଉ ଯେ ମାଛ ଆପଣଙ୍କ ଖାଦ୍ୟ, ସେ ସବୁ ଆନନ୍ଦ ଅନୁଭୂତି ଆଉ ନ ଥିବ। ମନ ହେବ ସେ ମାଛ କେମିତି ଧରାହେବ, କେମିତି ତାକୁ ଖିଆଯିବ, ଧରି ତ ପାରିବେନି, ନାନା କଥା ଭାବି ବିରକ୍ତ ହୋଇ ସେଠୁ ଉଠିଯିବେ।

ଯିଏ ନିଜକୁ ଭୁଲି ଅନ୍ୟ ଭିତରେ ତନ୍ମୟ ହୋଇ ପାରନ୍ତି, ଲାଭ କ୍ଷତି ନିନ୍ଦା ସ୍ତୁତି ଆଦିକୁ ନ ଅନେଇଁ ବିବେକ ଅନୁସାରେ ନିଜ କର୍ତ୍ତବ୍ୟ ନିଠେଇ କରୁଥାନ୍ତି, କେଡ଼େ ସୁଖୀ ସେମାନେ ! ବାହାରେ ଏତେ ଲୋକ, ସମସ୍ତିଙ୍କ ସଙ୍ଗେ ସେ ସ୍ନେହରେ ବନ୍ଧା, ସେହି ସ୍ନେହଭାଵ ହିଁ ଆନନ୍ଦ ହୋଇ ତାଙ୍କ ମନରେ ପୂରି ରହେ, ଆଖିରେ ଆନନ୍ଦର ଅଶ୍ରୁ ବହେ। ଏ ଅନନ୍ତ ପ୍ରକୃତି ଭିତରେ କି ସୌନ୍ଦର୍ଯ୍ୟ, କି ଆନନ୍ଦ, କି ବୈଚିତ୍ର୍ୟ ! ମନେ ମନେ ସେହି ଆନନ୍ଦ ଭିତରେ ସେ ମିଶିଯାଏ, ତାକୁ ଲାଗେ ସେ ନିଜେ ସତେ କି ସବୁଠି।

ମୁଁ ଭାବେ ଆପଣ ଅନେକ ସମୟରେ କରିଥାନ୍ତି ବି ସେଇଆ। ତେଣୁ ଆପଣ ସବୁବେଳେ ଉଜ୍ଜ୍ୱଳ, ସବୁବେଳେ ପ୍ରସନ୍ନ, ସେଇ କଥା ଖାଲି ସ୍ମରଣ କରାଇ ଦେଉଛି ଆଜ୍ଞା, ନ ହେଲେ ଆପଣଙ୍କୁ ବୁଝାଇବାକୁ ମୋର ବୁଦ୍ଧି କେତେ ?"

୧୦.୭.୧୯

No comments: