Saturday, 6 July 2019

*କଳା ଶ୍ରୀମୁଖ ବାରେ ଦେଖିବା ଚାଲ*

ହୋଇପାରେ ଏହା ଆପଣଙ୍କ ମନର କଳ୍ପନା। ଆପଣ ବହୁ ଶାସ୍ତ୍ର ପଢ଼ିଛନ୍ତି, ଆତ୍ମା ବିଷୟରେ ନାନା କଥା ପଢ଼ିଛନ୍ତି, ସେ ଅଜନ୍ମା, ଅମର, ଅକ୍ଷୟ, ସର୍ବବ୍ୟାପୀ, ସବୁଠି ଅଛି, ସର୍ଵଦ୍ରଷ୍ଟା, ନିର୍ଲିପ୍ତ, ଶୂନ୍ୟ ଭିତରେ ମହାଶୂନ୍ୟ ଇତ୍ୟାଦି ଇତ୍ୟାଦି।

ଶଶୀ ମିଶ୍ର - "ଆପଣ ଯାହା ଭାବୁଛନ୍ତି ତା ବି ନ ହୋଇଥିବ ବୋଲି କେମିତି କହିବି ? ଯେଉଁ କାରଣରୁ ବି ହେଉ ମୁଁ ଶାନ୍ତି ପାଇଛି।"

ବିନୋଦ - "ପାଶ୍ଚାତ୍ୟ ସଭ୍ୟତାରେ ମନୁଷ୍ୟ ନିଜ ଭାଗ୍ୟ ନିଜେ ଗଢ଼େ, ତାଙ୍କର ଆଉ କାହା ଉପରେ ବିଶ୍ୱାସ ନାହିଁ ଏପରିକି ଭଗବାନଙ୍କ ଉପରେ ମଧ୍ୟ। ଆମେ ଭଗବାନଙ୍କ ଭରସାରେ ନିଜେ କିଛି କରି ନାହୁଁ, ସବୁ ସେହି ପାଶ୍ଚାତ୍ୟବାସୀ ଯାହା କରିଛନ୍ତି, ତାହାରି ସୁବିଧା ଆମେ ପାଉଛୁ।

ଶଶୀ ମିଶ୍ର - "ମୁଁ ଯେଉଁ ଦେଶ ଦେଖି ବି ନାହିଁ ସେ ବିଷୟରେ କଣ ବା କହିବି ? ସେମାନେ ନାନା ଆବିଷ୍କାର, ନାନା ପ୍ରକାର ବୈଷୟିକ ଉନ୍ନତି ପାଇଁ ସରଞ୍ଜାମ ଗଢ଼ିଛନ୍ତି ମୁଁ ଜାଣେ, କିନ୍ତୁ ସୁଖ ଶାନ୍ତି ପାଇଛନ୍ତି କି ପରକୁ ଦେଇଛନ୍ତି କେତେ ? କୂଟକପଟ, ଶୋଷଣ, ହିଂସା, ଉଦ୍ ବେଗ ଲାଗିରହିଛି, ଯୁଦ୍ଧ ପରେ ଯୁଦ୍ଧ ଚାଲିଛି, ଯୁଦ୍ଧ ନ ଥିଲେ ଯୁଦ୍ଧ ପାଇଁ ସଜବାଜ ଚାଲିଛି, ହଜାର ହଜାର କୋଷ ଦୂରରେ ଯାହା ଦେଶ, ସେ ଦେଶ ଲାଗିଛି ଅନ୍ୟ ଦେଶ ଉପରେ କେମିତି ତା ପ୍ରଭାବ ବଢ଼ାଇବ, ସେଥିପାଇଁ ସେହି ଦେଶରେ କିପରି ଅନର୍ଥ କରିବ ସେ ବାଟ ଖୋଜୁଛି। ଖାଲି କେହି ଦେହରେ ବଳୁଆ ହେଲେ ଧନରେ ବଳୁଆ ହେଲେ ବୋଲି ସେ ଯେ ସୁଖୀ ହେବ, ସଂସାରର ସୁଖ ବଢ଼ାଇବ, ଆଦୌ ନୁହେଁ। ହିଂସ୍ର ଜନ୍ତୁ ବି ବଳୁଆ, ଅସୁର ବି ବଳୁଆ ଥିଲେ। ଜୀବନର ସୁଖ ଦୁଃଖ ପାଇଁ ନାନା ଘଟନା ବି ମଣିଷର କରାମତି ବାହାରେ। ପାଗ, ରୋଗ, ଯୋଗ ଘଡ଼ି ଘଡ଼ିକେ ସବୁ ଓଲଟପାଲଟ, ମଣିଷ କଣ କରିବ ସେଥିକି ? ଏଭଳି ସ୍ଥିତିରେ ନିଜ ଚିତ୍ତକୁ ସ୍ଥିର ରଖିବା ବଡ଼ କଥା।"

ବିନୋଦ - "ଧିଅକୁ କନା ନାହିଁ, ମୁଣ୍ଡ ଉପରେ ଚାଳ ନାହିଁ, ଆମେ କହୁଥିବା ଚିତ୍ତକୁ ନିର୍ମଳ ରଖ, ଏହା କେମିତି ସମ୍ଭବ ?" ପେଟ ହାକୁ ହାକୁ ହେଲେ ମନରେ ରାଗ, ଅସନ୍ତୋଷ, ବିଦ୍ରୋହ କୁହୁଳେ, ସେତେବେଳେ କି ଚରିତ୍ର ! କି ଆଦର୍ଶ ! କି ବିଚାର ବୁଦ୍ଧି !"

ଶଶୀ ମିଶ୍ର - "ଏଥିପାଇଁ ହିଂସାର ରାସ୍ତା ଧରିଲେ ନିଜ ସହିତ ସମାଜ ମଧ୍ୟ ହିଂସ୍ରକ ପଶୁ ପାଲଟିଯିବ। ହିଂସାରୁ ହିଂସା ଉପୁଜେ, ପାପରୁ ପାପ, ଯେଉଁ ମଞ୍ଜି ଲଗାଇବେ ସେହି ଫଳ ଫଳିବ।"

ବିନୋଦ - "ଆଉ କଣ ବାଟ ଅଛି ?"

ଶଶୀ ମିଶ୍ର - "ହୁଏତ ଏହି ସତ୍ୟ ମାର୍ଗରେ ପ୍ରଥମେ କିଛି ଦିନ ଅସୁବିଧା ହେବ, କଷ୍ଟ ସହିବାକୁ ହେବ, ତା ପରେ ଖାଇ ପିଇ ବଞ୍ଚିବା, ରୋଜଗାର କରିବାର ସବୁ ସୁବିଧା ସୁଯୋଗ ପାଇଥିବା ସମାଜ ଆପେ ସ୍ଥିର ହେବ, ତହିଁରୁ ଉନ୍ନତ ବିଚାର ଆପେ ବାହାରିବ, ପରିସ୍ଥିତି ମଣିଷକୁ ସେମିତି ଗଢ଼ିବ।

ବିନୋଦ - "ୟେ କଣ ଆପଣଙ୍କ କଳ୍ପନା ନୁହେଁ ?"

ଶଶୀ ମିଶ୍ର - "କେଉଁ କଥା କିଏ ଜାଣେ ? ଯେ ଯାହା ବୁଦ୍ଧିର ଦୌଡ଼ ଅନୁସାରେ ଯେତିକି ଭାବିପାରେ, ଅଧିକ କାହୁଁ ପାରିବ। ଏ ସଂସାର ଏ ଜୀବନ ଏମିତିଆ ଯେ ଏଠି ଗଣିତ ଖଟେ ନାହିଁ, କୁଆଡୁ କଣ ହୋଇଯିବ, ଦେଖିଲା ବେଳକୁ ସବୁ ଓଲଟା ଓଲଟା ! ଘଟନାଟା ଘଟିଗଲେ ସେଉଠୁ ଲୋକେ ବୁଦ୍ଧିଆ ହୋଇ କାରଣ ଗୁଡ଼ାଏ ଯୋଖନ୍ତି। ସଂସାର ଆଉ ଜୀବନ, ୟେ ସତେକି ସମୁଦ୍ର ଭଳି, ସେଠି ମୋ ହାତ ଗୋଡ଼ ପାଇବ କଣ, ଆଖି ବି ପାଇବ ନାହିଁ, ସେ ମୋ ବୋଲ କଣ କରିବ ? କିନ୍ତୁ ମୋର ବି ଜଣେ ବୋଲକରା ଅଛି, ମୁଁ ଚଇତନ ହେଲେ, ସେ ମୋ ମନ, କହଇ ମନ ଆରେ, ମୋ ବୋଲ କର।"

ବିନୋଦ ହସିଲା, କହିଲା,  "କଳା ଶ୍ରୀମୁଖ ବାରେ ଦେଖିବା ଚାଲ।"

୬.୭.୧୯

No comments: