କେଉଁ ଅସରନ୍ତି ଅତୀତର ପିତୃପୁରୁଷଙ୍କର କନ୍ଧିସ୍ଥାନ ମାଳ ଭିତରେ ଚାରିହଜାର ଫୁଟ ଉଞ୍ଚ ଗାଁରେ ସରବୁ ସାଓଁତାର ଘର। ତା'ର ଭାଷା ଅତି ପ୍ରାଚୀନ। ସେ ଗାଁର କୁଳବୃଦ୍ଧ, ଗାଁର ମୁଣ୍ଡ, ସର୍ଦ୍ଦାର ସବୁ କିଛି। ତେଣୁ ସେ ସାଓଁତା।
ଶେଷ ପୌଷର ଖରା। ଅଶୀ ବର୍ଷର ବୁଢ଼ା ସରବୁ ସାଓଁତା ଦୁଆରର ଶାଳ ଗଛକୁ ଆଉଜି ଅନେଇଁ ଅନେଇଁ ସ୍ବପ୍ନ ଦେଖୁଥାଏ। ଆଖି ଯେତେ ଦୂର୍ ଯାଉଛି ଝାଲଝାଲୁଆ ରଣକୁହୁଡ଼ି ଭିତରେ ଗୋଜିଆ ଗୋଜିଆ ପର୍ବତ, ଅଗଣିତ ଢେଉପରି, ତଳେ ତଳେ ଖୋଲ ଖୋଲ। ସବୁ ତା'ର ପୂର୍ବପୁରୁଷଙ୍କର। ହେଇ ସେ ଆଡ଼ର ଦିଗ୍ ବଳୟ ଭିତରେ ଗଞ୍ଜାମର ମାଳ, ସେଠି 'କୁଇଭାଷୀ କନ୍ଧ', ତା' ପରେ ଅଠର ଗଡ଼ଜାତ, ଛତିଶଗଡ଼, ବସ୍ତରର ଖଣ୍ଡିଆ ଭୂଇଁ, ମାଲ୍ୟବନ୍ତର କୋୟା, ସବୁ ତା'ର, ବିଶାଳ କନ୍ଧିସ୍ଥାନ। ସେଇଠି ତା'ର ପୂର୍ବପୁରୁଷମାନେ ନାଚିକୁଦି ଗଲେ, ସେ ମଧ୍ୟ ଯିବ।
ସେ ପଛ କଥା ଭାବେ। କନ୍ଧ ଦର୍ଶନ ଅନୁସାରେ ଖରାପ ଲୋକର ଆତ୍ମା ହୋଇଥିଲେ ପରଜନ୍ମରେ ସେ ଶୀଘ୍ର ମରିଥାନ୍ତା, ଭଲ ଲୋକର ଆତ୍ମା ଦୀର୍ଘାୟୁ ହୁଏ। ଗତ ଜନ୍ମରେ ସେ ଭଲ ଥିଲା, ଏ ଜନ୍ମରେ ସେ ଭଲ ଅଛି, ଆସନ୍ତା ଜନ୍ମ ମଧ୍ୟ ଅନିବାର୍ଯ୍ୟ, ଏଥିପାଇଁ ସେ ସବୁବେଳେ ଖୁସୀରେ ଥାଏ। କନ୍ଧ-ସଂସ୍କୃତିର ଭଣ୍ଡାର ସେ, ତାହାରି ଉପରେ ନିର୍ଭର ଦେଇ ସେ କହେ, ଗଲେ ଯିବ, ଏଇ ଦେହଟା ପୁରୁଣା ହୋଇଗଲା, ଅକାମୀ ହୋଇଯିବ, ଏଇଟାକୁ ଫୋପାଡ଼ି ଦେଇ ପୁଣି ଆଉଥରେ ଜନ୍ମ ହେବା ଭଲ।
ତାକୁ ଭଲ ଲାଗେ ସୁନ୍ଦର ମାଳ ଭୂମି, ରଙ୍ଗ ରଙ୍ଗର ପାହାଡ଼ ତଳେ ସ୍ଫଟିକ ସ୍ୱଚ୍ଛ ଝରଣା, ଚାରିଆଡ଼େ ଅଳସି ଫୁଲ ଭର୍ତ୍ତି, ଅଳସି-ମହୁ କାନ୍ଥରେ ବି ଫେଣା ଝୁଲାଇବାକୁ ବ୍ୟସ୍ତ। ସବୁ ସୁନ୍ଦର।
କିନ୍ତୁ ! ସରବୁ ସାଓଁତା ଭାବୁଥିଲା, କନ୍ଧର ଦୁର୍ଭାଗ୍ୟର କଥା। ଦିନୁଁ ଦିନ ଦୁର୍ଭାଗ୍ୟ ବଢୁଛି। ତଳ ଜମି ଗଲା। କନ୍ଧ ଚଢ଼ିଲେ ପର୍ବତରେ। ସେଠି ବି ସବୁ ପରର, ଆପଣାର ବୋଲି କିଛି ନାହିଁ। ଏଣିକି ପରର ବୋଝ, ପରର ଜୁଆଳି। ଦେହକୁ କାଟେ, ମନକୁ କାଟେ। କନ୍ଧର ରାଜ୍ୟ ସରିଛି, ତାର ଦେଶ ଛିନ୍ନଭିନ୍ନ, ହୁଏତ ଦିନେ ଲୋକ ଭୁଲିଯିବେ ଯେ କନ୍ଧ ବୋଲି କେହି କେବେ ଥିଲା ?
ସରବୁ ସାଓଁତା ଏକୁଟିଆ ଅଛି। ଗାଁରେ ଧରଣୀପେନୁ ପୂଜା ଚାଲିଛି। ଜାନି ମନ୍ତ୍ର ବୋଲି ସମସ୍ତଙ୍କ ମଙ୍ଗଳ କାମନା କରୁଛନ୍ତି। ଏଭଳି ଏକ ଶୁଭ ଦିନରେ ବଇଁଶୀ ବଜାଉ ଥିବା ବେଳେ ସରବୁ ସାଓଁତାର ମୃତ୍ୟୁ ହେଲା।
୨୦.୭.୧୯

No comments:
Post a Comment