Wednesday, 3 July 2019

*ନୈରାଶ୍ୟ ଅନ୍ଧାର ଭିତରେ ଆଲୋକର ଧାସ*

ଦିନେ ତାଙ୍କ ଇଜଲାସ୍ ରେ ଶ୍ରୀଧର ନିଶଙ୍କ ହସିହସି କହିଲେ, "ହଜୁର ! ଆମ ଦାନାପାଣି ବୁଡ଼େଇଲେ।"

"କେମିତି ଆଜ୍ଞା ?"

"ହେଇ ଦେଖନ୍ତୁ ସେ ଗଣ୍ଡିକଟା ଘଟନା, କେଡ଼େବଡ଼ ଫୌଜଦାରୀ ହେବାକୁ ବସିଥିଲା, କେତେକେତେ ମକଦ୍ଦମା ହୋଇଥାନ୍ତା, ବେଉସାଦାର ଡାକ୍ତରମାନେ ସଜ ହୋଇ ବସିଥିଲେ, ଖଣ୍ଡିଆ ଖାବଡ଼ା ହୋଇ ଲୋକେ ଆସିବେ। ଆମେ ଅନେଇଁଥିଲୁ ଦି ପଇସା ମିଳିବ। ହଜୁରଙ୍କ ରିପୋର୍ଟରେ ସବୁ ବନ୍ଦ।"

ଏ କଥା ଆଉ ଚାରିଜଣ ଓକିଲ ଶୁଣୁଥାନ୍ତି, ସେମାନେ ହୋ ହୋ ହୋଇ ହସି କହିଲେ, "ଠିକ୍ କଥା।"

ବିନୋଦ ବି ହସିଲା। କିଛି କହିଲା ନାହିଁ।

ଏହି ଘଟନା ଖବରକାଗଜରେ ବାହାରିଲା। ତହିଁରେ ବିନୋଦର ନାଁ ନ ଥିଲା। କିନ୍ତୁ ଏସ ଡି ଓ ରାଘବ ଚୌଧୁରୀ ଠିକଣା ବେଳେ ୧୪୪ ଜାରି କରି ରକ୍ତପାତ ଓ କ୍ଷୟ କ୍ଷତିରୁ ବହୁତ ଲୋକଙ୍କୁ ବଞ୍ଚାଇଲେ ବୋଲି ତାଙ୍କ କାର୍ଯ୍ୟକୁ ପ୍ରଶଂସା କରାଯାଇଥିଲା।

ତାର କାମ ବହକି ଉଠୁଥାଏ। ଏସ ଡି ଓ ଅଧିକରୁ ଅଧିକ ମକଦ୍ଦମା ତା ପାଖକୁ ବିଚାର ପାଇଁ ପଠାଇ ଦେଉଥାନ୍ତି, ତା ଛଡ଼ା ନାନା ଇନକ୍ୱାରୀ, ନାନା ଫାଇଲ। ସେ ଅଫିସରୁ ଘରକୁ ଫେରୁ ଫେରୁ ରାତି ହୁଏ। ଏସ ଡି ଓ ବେଶି ବେଶି ଗସ୍ତରେ ବୁଲନ୍ତି, ଅଫିସରେ ଘଣ୍ଟେ ଦୁଇ ଘଣ୍ଟା ରହି ଚାଲିଯାନ୍ତି ଯୁଆଡ଼େ ହେଲେ କାର୍ ରେ  ଗସ୍ତକରି, ଅନେକ ସମୟରେ ସପରିବାର। ମଝିରେ ମଝିରେ ବିନୋଦକୁ କୈଫିୟତ ମାଗନ୍ତି, କାହିଁକି କେଉଁ କାମ ଡେରୀ ହେଲା। କଟୁ ମନ୍ତବ୍ୟ ଲେଖନ୍ତି। କାମରେ ତାର ନାକ ଘଷି ହେଇଯାଉଥାଏ। କ୍ଳାନ୍ତ ହୋଇ ଘରକୁ ଫେରିବା ବେଳେ ତା ମନରେ ଥାଏ ବିରକ୍ତି, ରାଗ, ନୈରାଶ୍ୟ, ଅଶାନ୍ତିର ମନ କୁହୁଳୁ ଥାଏ।

"ଏଇଆ ତେବେ କଣ ଜୀବନ ?" ସେ ନିଜକୁ ପଚାରେ, "ନିଜର ଚାରା ନାହିଁ, ନିଜ ମନ ଇଚ୍ଛା ବାଛି ପାରିବ ନାହିଁ, ଯେତେ ଯାହା ନିଜକୁ ଅରୁଚିକର, ଯନ୍ତ୍ରଣାଦାୟକ, ସେଇଆ ମିଳୁଥିବ, ମୁଁ ଆଦରୁଥିବି, ସହୁଥିବି ?"

କିନ୍ତୁ ନୈରାଶ୍ୟର ଅନ୍ଧାର ବହଳ ହୋଇ ଘୋଟି ଆସୁ ଆସୁ ତାହାରି ଉହାଡ଼ରୁ ଆପଣା ଭିତରୁ ହିଁ କେଉଁଠୁ ଝଲସି ଉଠେ ଆଲୋକର ଧାସ ଧାପେ, - ସେ ଭାବେ "ମୁଁ ହାରିଯିବି ? କେବେ ନୁହେଁ।"

ସୁଖ ଓ ଲାଭ ଭିତରେ ସାଇତା ହୋଇ ରହିବା ଭଳି ଭୋଗ ତା ପାଇଁ ନୁହେଁ। ଘରକୁ ଆସିବା ବେଳକୁ ସେ ନିଜକୁ ବୋଧ ଦେଇ ସାରିଥାଏ।

୩.୭.୧୯

No comments: